Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ
ଅନ୍ତରାଷ୍ଟ୍ରୀୟ

ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ

March 2, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେରଙ୍କ ମଧ୍ୟରେ ଗୁରୁବାର ନୂଆଦିଲ୍ଲୀ ଠାରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦେଶ ମଧ୍ୟରେ ଗବେଷଣାକୁ ପ୍ରୋତ୍ସାହନ ଦେବା ଓ ଶିକ୍ଷାନୁଷ୍ଠାନରେ ସହଯୋଗୀ ହେବା ନେଇ ୧୧ଟି ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଥିବା ନେଇ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଭାରତର କୃଷି କ୍ଷେତ୍ରରେ ଲୋକଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଆଗାମୀ ଦେଢ ବର୍ଷରେ ଅଷ୍ଟ୍ରେଲିଆ ସରକାର ୧.୮୯ ମିଲିୟନ ଡଲାର ଖର୍ଚ୍ଚ କରିବେ। ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ସହ ଭାରତର ଶିକ୍ଷାନୁଷ୍ଠାନ ମିଳିତ ଭାବେ ନୂଆ ପାଠ୍ୟକ୍ରମ ତିଆରି କରିବା, ପ୍ରଶିକ୍ଷକ ସୃଷ୍ଟି କରିବା ସହ ସେମାନଙ୍କ କ୍ଷମତା ବୃଦ୍ଧି କରିବା ଉପରେ ଯୋଜନା ପ୍ରସ୍ତୁତ ହେବ। ଅଷ୍ଟ୍ରେଲିଆ ଏବଂ ଭାରତରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଯୋଗ୍ୟତାକୁ ମାନ୍ୟତା ଦେବା ସହ ଆଇଇଆଇଏଫ କ୍ରିଟିକାଲ ସ୍କିଲ ପ୍ରୋଜେକ୍ଟର ଘୋଷଣା କରାଯାଇଛି । ଆଜିର ଦ୍ୱିପାକ୍ଷିକ ବୈଠକ ଉଭୟ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ନୂଆ ସୁଯୋଗ ଆଣିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଏବଂ କର୍ମଜୀବୀଙ୍କୁ ସୁବିଧା ପ୍ରଦାନ କରିବା ସହ ଦୁଇ ଦେଶ ମଧ୍ୟରେ ଯୋଗ୍ୟତାକୁ ପାରସ୍ପରିକ ମାନ୍ୟତା ପ୍ରଦାନ କରିବା ପାଇଁ ନୀତିଗତ ଢାଞ୍ଚା ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିବଦ୍ଧତାର ଅଂଶବିଶେଷ। ଉଭୟ ଦେଶର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଟ୍ୟାସ୍କ ଫୋର୍ସ ଗଠନ କରାଯାଇଛି। ଏହି ଟାସ୍କ ଫୋର୍ସ ଦୁଇ ଦେଶରେ ଶିକ୍ଷା ଓ ଦକ୍ଷତା ଆଧାରିତ ଯୋଗ୍ୟତା ତଥା ଯୁବବର୍ଗଙ୍କୁ ଶିକ୍ଷା ଓ ରୋଜଗାରରେ ସହଯୋଗ କରିବା ପାଇଁ ବିଭିନ୍ନ ସ୍ତରର ଶିକ୍ଷା ଓ ଦକ୍ଷତାର ଯୋଗ୍ୟତାକୁ ନେଇ ପାରସ୍ପରିକ ସ୍ୱୀକୃତି ପାଇଁ ଏକ ବିସ୍ତୁତ ଢାଞ୍ଚା ପ୍ରସ୍ତୁତ କରିଛନ୍ତି।

ଉଚ୍ଚ ଶିକ୍ଷା କ୍ଷେତ୍ର ସହ ଦକ୍ଷତା ବିକାଶ, ଗବେଷଣା, ଇଣ୍ଟର୍ଣ୍ଣସିପ ଏବଂ ଅଷ୍ଟ୍ରେଲିଆ ଓ ଭାରତର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଦାନପ୍ରଦାନ ଓ ସୁସମ୍ପର୍କକୁ ମଜଭୂତ କରିବା ନେଇ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଶିଖରକୁ ନେବା ପାଇଁ ଏକ ନୂଆ ଫ୍ରେମଓ୍ୱାର୍କ ତିଆରି କରିବା ପାଇଁ ଉଭୟ ଦେଶର ମନ୍ତ୍ରୀ ସମ୍ମତି ପ୍ରକାଶ କରିଛନ୍ତି। ଏ ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଉଭୟ ଦେଶର ଦୀର୍ଘ ଦିନର ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୂତ କରିବା ପାଇଁ ଅଷ୍ଟ୍ରେଲିଆ ମନ୍ତ୍ରୀଙ୍କ ସହ ବୈଠକ ଫଳପ୍ରଦ ହୋଇଛି। ଉଭୟ ଦେଶରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣକୁ ସୁଗମ କରିବା ଓ ଛାତ୍ରଛାତ୍ରୀଙ୍କ ଆଦାନପ୍ରଦାନକୁ ଆନୁଷ୍ଠାନିକ ଭାବେ ବ୍ୟବସ୍ଥିତ କରିବା ଉପରେ ଚର୍ଚ୍ଚା କରାଯାଇଛି। ଅଧିକରୁ ଅଧିକ ଅଷ୍ଟ୍ରେଲିଆ ଛାତ୍ରଛାତ୍ରୀ ଗବେଷଣା, ଶିକ୍ଷା, ଇଣ୍ଟର୍ଣ୍ଣସିପ ଓ ଦକ୍ଷତା ବିକାଶ ପାଇଁ ଭାରତକୁ ଆସିବା ନେଇ ଶ୍ରୀ ପ୍ରଧାନ ଇଚ୍ଛାବ୍ୟକ୍ତ କରିଥିଲେ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଅଷ୍ଟ୍ରେଲିଆ ଏବଂ ଭାରତର ଦ୍ୱିପାକ୍ଷିକ ସମ୍ପର୍କରେ ଶିକ୍ଷାକୁ ଏକ ପ୍ରମୁଖ ସ୍ତମ୍ଭ ଭାବରେ ପ୍ରସ୍ତୁତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଅଷ୍ଟ୍ରେଲିଆନ ଇଣ୍ଟରନ୍ୟାସନାଲ ଏଜୁକେସନ କନଫରେନ୍ସର ପରିଧିରେ ଦକ୍ଷତା ବିକାଶରେ ସହଯୋଗକୁ ଅନ୍ତର୍ଭୃକ୍ତ କରିବା ଖୁସିର ବିଷୟ। ଆଜିର ଦ୍ୱିପାକ୍ଷିକ ବୈଠକ ନାଗରିକଙ୍କୁ ସଶକ୍ତ କରିବା ସହ ଶିକ୍ଷା ମାଧ୍ୟମରେ ଭାରତ ଏବଂ ଅଷ୍ଟ୍ରେଲିଆର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୂତ୍ କରିବା ଦିଗରେ ମାର୍ଗ ପ୍ରଶସ୍ତ କରିବ। ଉଭୟ ଦେଶର ଆକାଂକ୍ଷାକୁ ପୂରଣ କରିବା ଦିଗରେ ସହାୟକ ହେବ।

ଉଭୟ ଦେଶର ମନ୍ତ୍ରୀ ବଢୁଥିବା ବିସ୍ତୁତ ରଣନୈତିକ ସହଭାଗିତାକୁ ପ୍ରଶଂସା କରିଥିଲେ। ଏହାସହ ଆନୁଷ୍ଠାନିକ ସହଭାଗିତାକୁ ସୁଦୃଢ କରିବା ଓ ଶିକ୍ଷା କ୍ଷେତ୍ରରେ ଦୂରତାକୁ ହ୍ରାସ କରିବା ପାଇଁ ଅଷ୍ଟ୍ରେଲିଆ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ। ଦେଶରେ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ସପ୍ତମ ଏଆଇଇଏସସି ଏବଂ ଜୁନ ମାସରେ ଅନୁଷ୍ଠିତ ହେବାକୁ ଥିବା ଜି- ୨୦ ଶିକ୍ଷା ବୈଠକରେ ଯୋଗଦେବା ପାଇଁ ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ।

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କୁ ଓଡ଼ିଶାର ବାଲିଯାତ୍ରାକୁ ବାଖ୍ୟା କରୁଥିବା ପାରମ୍ପରିକ ନୌବାଣିଜ୍ୟ ଯାତ୍ରାର ଏକ ତାରକସୀ କଳାକୃତି ଏବଂ ଶ୍ରୀଅରବିନ୍ଦଙ୍କ ଜୀବନୀ ଉପରେ ଏକ ପୁସ୍ତକ ପ୍ରଦାନ କରିଥିଲେ।

ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ସରାପଙ୍କ ପରଲୋକ

January 16, 2026

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ଚଢାଉ: ବ୍ୟବସାୟୀଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

January 16, 2026

ଚିଲିକାରେ ଆସନ୍ତା ୧୮ ରେ ପକ୍ଷୀ ଓ ୨୦ ରେ ଡ଼ଲଫିନ ଗଣନା

January 16, 2026

IND-NZ ତୃତୀୟ ODI ପୂର୍ବରୁ ମହାକାଳେଶ୍ୱର ମନ୍ଦିର ଦର୍ଶନ କଲେ KL ରାହୁଲ: ନନ୍ଦୀଙ୍କୁ କଲେ ପୂଜା

January 16, 2026
Latest News

ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ସରାପଙ୍କ ପରଲୋକ

January 16, 2026

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ଚଢାଉ: ବ୍ୟବସାୟୀଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

January 16, 2026

ଚିଲିକାରେ ଆସନ୍ତା ୧୮ ରେ ପକ୍ଷୀ ଓ ୨୦ ରେ ଡ଼ଲଫିନ ଗଣନା

January 16, 2026

IND-NZ ତୃତୀୟ ODI ପୂର୍ବରୁ ମହାକାଳେଶ୍ୱର ମନ୍ଦିର ଦର୍ଶନ କଲେ KL ରାହୁଲ: ନନ୍ଦୀଙ୍କୁ କଲେ ପୂଜା

January 16, 2026

ମହାରାଷ୍ଟ୍ର ନଗର ନିଗମ ନିର୍ବାଚନ: ଆଶ୍ଚର୍ଯ୍ୟ କଲା ଫଳାଫଳ, ଜାଣନ୍ତୁ କେଉଁ ଦଳକୁ କେତେ ଆସନ?

January 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.