ବାଂଲାଦେଶର ଢାକା ବିଲ୍ଡିଂରେ ଭୀଷଣ ବିସ୍ଫୋରଣ: ୧୪ ମୃତ, ୧୦୦ ରୁ ଅଧିକ ଆହତ

Published: Mar 7, 2023, 7:48 pm IST

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ବାଂଲାଦେଶର ରାଜଧାନୀ ଢାକାରେ ହୋଇଥିବା ବିସ୍ଫୋରଣରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ ରୁ ଅଧିକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ବିସ୍ଫୋରଣ ଢାକାର ଗୁଲିସ୍ତାନ ଅଞ୍ଚଳରେ ଥିବା ଏକ ବହୁ ମହଲା କୋଠରୀରେ ଘଟିଥିଲା। ଏହି ବିସ୍ଫୋରଣ ହେତୁ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ବର୍ତ୍ତମାନ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମଙ୍ଗଳବାର ଅପରାହ୍ନ ୪ ଟା ସମୟରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ ପାଞ୍ଚଟି ଦମକଳ ଗାଡିକୁ ନିୟୋଜିତ କରାଯାଇଛି। ପୋଲିସର ସୂଚନାନୁସାରେ ଆହତମାନଙ୍କୁ ଢାକା ମେଡିକାଲ କଲେଜକୁ ନିଆଯାଇଛି। କୁହାଯାଉଛି ଯେ, ବିଲ୍ଡିଂରେ ବିସ୍ଫୋରଣ ହେତୁ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ବସ୍ ମଧ୍ୟ ନଷ୍ଟ ହୋଇଯାଇଛି।

Related posts