କଳା ପଟି ବାନ୍ଧି ପଡିଆକୁ ଓହ୍ଲାଇଲା ଟିମ୍ ଇଣ୍ଡିଆ, ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପାଇଁ କଲେ ନୀରବ ପ୍ରାର୍ଥନା

Published: Jun 7, 2023, 7:34 pm IST

ନୂଆଦିଲ୍ଲୀ: ଓଭାଲ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ର ଦ୍ୱିତୀୟ ସଂସ୍କରଣର ଫାଇନାଲ ମ୍ୟାଚ୍ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଓଡିଶା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ବେଳେ ଉଭୟ ଦଳର ଖେଳାଳିମାନେ ୧ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ଏହା ବ୍ୟତୀତ ଉଭୟ ଦଳର ଖେଳାଳିମାନେ ନିଜ ବାହୁରେ କଳା ପଟି ବାନ୍ଧି ମ୍ୟାଚ୍ ଖେଳିବାକୁ ପଡ଼ିଆକୁ ଆସିଥିଲେ।

ଏହି ମ୍ୟାଚରେ ଟସ୍ ଜିତିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଲଣ୍ଡନର କେନିଙ୍ଗଟନ୍ ଓଭାଲ୍ ଗ୍ରାଉଣ୍ଡରେ ଉଭୟ ଦଳ ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଉଛି। ଟସ୍ ପରେ ଯେତେବେଳେ ଉଭୟ ଦଳ ଜାତୀୟ ସଂଗୀତ ପାଇଁ ପଡ଼ିଆକୁ ଆସିଥିଲେ, ତା’ପୂର୍ବରୁ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଓଡିଶା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ସହିତ ପ୍ରାୟ ୧୦୦୦ ଲୋକ ଆହତ ହୋଇଛନ୍ତି। ଭାରତରେ ଏପର୍ଯ୍ୟନ୍ତ ଏହା ସବୁଠାରୁ ବଡ ଟ୍ରେନ୍ ଦୁର୍ଘଟଣା।

Related posts