ପ୍ରଥମ ଟେଷ୍ଟ: ଟିମ୍ ଇଣ୍ଡିଆ ନାମରେ ରହିଲା ପ୍ରଥମ ଦିନ, ଅଶ୍ୱିନ, ରୋହିତ-ଯଶସ୍ୱିଙ୍କ ଚମତ୍କାର ପ୍ରଦର୍ଶନ

Published: Jul 13, 2023, 7:58 am IST

ନୂଆଦିଲ୍ଲୀ: ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ବୁଧବାର ଠାରୁ ଡୋମିନିକାରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଛି। ମ୍ୟାଚର ପ୍ରଥମ ଦିନ ଭାରତ ନାମରେ ନାମିତ ହୋଇଛି। ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ସମୟ ମଧ୍ୟରେ ଦଳ ମାତ୍ର ୧୫୦ ରନ୍ ସ୍କୋରରେ ସମସ୍ତ ୱିକେଟ ହରାଇଥିଲା। ଏହା ପରେ ପ୍ରଥମ ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ଭାରତ ପ୍ରଥମ ଇନିଂସରେ କୌଣସି କ୍ଷତି ବିନା ୮୦ ରନ୍ ସଂଗ୍ରହ କରିଥିଲା। ଟିମ୍ ଇଣ୍ଡିଆ ପାଇଁ ରବିଚନ୍ଦ୍ରନ୍ ଅଶ୍ୱିନ୍ ୫ ଟି ୱିକେଟ୍ ନେଇଥିଲେ। ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ଵାଲ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ।

ୱେଷ୍ଟଇଣ୍ଡିଜ୍ ଇନିଂସ ପରେ ଯଶସ୍ଵୀ ଏବଂ ରୋହିତ ଟିମ୍ ଇଣ୍ଡିଆ ପାଇଁ ଓପନିଂ କରିବାକୁ ଆସିଥିଲେ। ଯଶସ୍ଵୀ ଡେବ୍ୟୁ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି। ସେ ୭୩ ବଲ ସମ୍ମୁଖୀନ ହୋଇଥିବା ବେଳେ ଅପରାଜିତ ୪୦ ସ୍କୋର କରିଥିଲେ। ରୋହିତ ୬୫ ବଲ୍ ର ସମ୍ମୁଖୀନ ହୋଇ ଅପରାଜିତ ୩୦ ରନ୍ ସଂଗ୍ରହ କରିଥିଲେ। ଏହି ଦୁଇଜଣଙ୍କ ମଧ୍ୟରେ ୮୦ ରନ୍ ର ସହଭାଗିତା ଥିଲା। ୱେଷ୍ଟଇଣ୍ଡିଜ୍ ର କୌଣସି ବୋଲର ଏହି ଭାଗିଦାରୀ ଭାଙ୍ଗି ପାରିନାହାନ୍ତି। ଟିମ୍ ଇଣ୍ଡିଆ ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ଠାରୁ ୭୦ ରନ୍ ପଛରେ ରହିଛି।

ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ଡୋମିନିକା ଟେଷ୍ଟରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ସମୟ ମଧ୍ୟରେ ଦଳ ମାତ୍ର ୧୫୦ ରନ୍ ସ୍କୋରରେ ସୀମିତ ରହିଥିଲା। ଭାରତୀୟ ସ୍ପିନ୍ ବୋଲର ଅଶ୍ୱିନ୍ ଏବଂ ଜାଡେଜା ଦଳକୁ ସଫଳତା ଦେଇଥିଲେ। ଅଶ୍ୱିନ୫ ଟି ୱିକେଟ୍ ନେଇଥିଲେ ଏବଂ ଜାଡେଜା ୩ ଟି ୱିକେଟ୍ ନେଇଥିଲେ। ୱେଷ୍ଟଇଣ୍ଡିଜ୍ ପାଇଁ ଆଲିକ୍ ସର୍ବାଧିକ ୪୭ ରନ୍ ସଂଗ୍ରହ କରିଥିଲେ। ସେ ୯୯ ବଲ୍ ର ସମ୍ମୁଖୀନ ହୋଇ ୬ ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। କ୍ୟାପଟେନ ବ୍ରେଥୱାଇଟ୍ ମାତ୍ର ୨୦ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ। ତେଜନାରାୟଣ ଚନ୍ଦ୍ରପାଲ୍ ୧୨ ରନ୍ ସ୍କୋର କରିବା ପରେ ପ୍ୟାଭିଲିୟନ ଫେରିଥିଲେ। ଶେଷରେ କର୍ଣ୍ଣୱାଲ ୧୯ ରନ୍ ରେ ଅପରାଜିତ ରହିଥିଲେ।

ଭାରତ ପାଇଁ ଅଶ୍ୱିନ ୨୪.୩ ଓଭରରେ ୬୦ ରନ୍ ଦେଇ ୫ ୱିକେଟ୍ ନେଇଥିଲେ। ଏହି ଇନିଂସ ଅଶ୍ୱିନଙ୍କ ପାଇଁ ସ୍ୱତନ୍ତ୍ର ଥିଲା। ସେ ୭୦୦ ଅନ୍ତର୍ଜାତୀୟ ୱିକେଟ୍ ପୂରଣ କରିଥିଲେ। ୧୪ ଓଭରରେ ୨୬ ରନ୍ ଦେଇ ରବିନ୍ଦ୍ର ଜାଡେଜା ୩ ଟି ୱିକେଟ୍ ନେଇଥିଲେ। ଶାର୍ଦ୍ଦୁଲ ଠାକୁର ଏବଂ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

Related posts