ଏସିଆ କପ୍ ରୁ ବିଦା ହେବା ପରେ ମୁହାଁମୁହିଁ ହେଲେ ଶାହିନ୍ ଏବଂ ବାବର: ରିଜୱାନ୍ କଲେ ସମାଧାନ

Published: Sep 16, 2023, 9:29 pm IST

ନୂଆଦିଲ୍ଲୀ: ଗତ ଗୁରୁବାର ଦିନ ଏସିଆ କପର ସୁପର -୪ ରେ ପାକିସ୍ତାନକୁ ଶ୍ରୀଲଙ୍କା ପରାସ୍ତ କରି ଫାଇନାଲରେ ସ୍ଥାନ ହାସଲ କରିଥିଲା। ପାକିସ୍ତାନକୁ ଶ୍ରୀଲଙ୍କା ବିପକ୍ଷରେ DLS ଅଧୀନରେ ୨ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ପରାଜୟ ସହିତ ପାକିସ୍ତାନର ଏସିଆ କପ୍ ଫାଇନାଲ ଖେଳିବାର ସ୍ୱପ୍ନ ଭାଙ୍ଗିଯାଇଥିଲା। ବର୍ତ୍ତମାନ ଡ୍ରେସିଂ ରୁମରୁ ଖବର ଆସିଛି ଯେ, ଦଳର ଖେଳାଳିମାନେ ପରସ୍ପର ସହ ସଂଘର୍ଷ କରିଥିଲେ। ବାସ୍ତବରେ ଦଳର ଅଧିନାୟକ ବାବର ଆଜାମ ଏବଂ ଶାହିନ୍ ଆଫ୍ରିଦିଙ୍କ ମଧ୍ୟରେ ଡ୍ରେସିଂ ରୁମରେ କିଛି ବିବାଦ ହୋଇଥିଲା। ଉଭୟଙ୍କୁ ଶାନ୍ତ କରିବା ପାଇଁ ରିଜୱାନଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା।

‘ବୋଲ୍ ନ୍ୟୁଜ୍’ର ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା ବିପକ୍ଷରେ ପରାଜୟ ପରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଖେଳାଳିମାନଙ୍କୁ ଡ୍ରେସିଂ ରୁମକୁ ଡାକିଥିଲେ। ବାବର ଖେଳାଳିଙ୍କ ଖରାପ ପ୍ରଦର୍ଶନ ବିଷୟରେ ଆଲୋଚନା କରୁଥିଲେ, କିନ୍ତୁ ଦଳର ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି ତାଙ୍କୁ ବାଧା ଦେଇ କହିଥିଲେ ଯେ, ଅତି କମରେ ସେହି ଖେଳାଳିମାନଙ୍କୁ ପ୍ରଶଂସା କରାଯାଉ, ଯେଉଁମାନେ ଭଲ ପ୍ରଦର୍ଶନ କରିଥିଲେ। ଆଫ୍ରିଦିଙ୍କ ଏହି କଥା ବାବରଙ୍କୁ ଆଦୌ ପସନ୍ଦ ନଥିଲା। ପାକିସ୍ତାନୀ ଅଧିନାୟକ କହିଥିଲେ ଯେ, କିଏ ଭଲ ପ୍ରଦର୍ଶନ କରିଛି ସେ ଜାଣିଛନ୍ତି।

ଶାହିନ୍ ଏବଂ ବାବରଙ୍କ ମଧ୍ୟରେ ବିବାଦ ଏତେ ବୃଦ୍ଧି ପାଇଲା ଯେ, ଦଳର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍ ଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ଆସିବାକୁ ପଡିଲା। ସୂଚନା ଯୋଗ୍ୟ ଯେ, ବାବର ଡ୍ରେସିଂ ରୁମରେ ଖେଳାଳିମାନଙ୍କୁ କହିଥିଲେ ଯେ ସେମାନେ ଦାୟିତ୍ଵ ପୂର୍ଣ୍ଣ ଭାବରେ ଖେଳୁ ନାହାଁନ୍ତି। ଶାହିନ୍ ଆଫ୍ରିଦି ଏହି ପ୍ରସଙ୍ଗରେ ବାବରଙ୍କୁ ଅଟକି ଦେଇଥିଲେ।

Related posts