ଜାମନଗର (ଗୁଜରାଟ): ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଦ୍ୱାରା ପରିଚାଳିତ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ବନତାରାର କାର୍ଯ୍ୟକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ମିଳିଛି। ସିଓପି ୨୦ ସହିତ ଜଡିତ ସିଆଇଟିଇଏସ (CITES) ର ଉଜବେକିସ୍ତାନର ସମରକନ୍ଦରେ ଅନୁଷ୍ଠିତ ୨୦ତମ ବୈଠକରେ ସଦସ୍ୟ ଦେଶମାନେ ବହୁ ମାତ୍ରାରେ ଭାରତକୁ ସମର୍ଥନ କରି କହିଥିଲେ ଯେ ପଶୁ ଆମଦାନୀ ସମ୍ପର୍କରେ ଭାରତ କିମ୍ବା ବନତାରା ବିରୁଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ ପାଇଁ କୌଣସି ଆଧାର କିମ୍ବା ପ୍ରମାଣ ନାହିଁ।
ଏହି ନିଷ୍ପତ୍ତି ଦ୍ୱାରା ବନତାରାର ଆଇନଗତ, ପାରଦର୍ଶୀ ଏବଂ ବିଜ୍ଞାନ-ଆଧାରିତ କାର୍ଯ୍ୟପ୍ରଣାଳୀ ନେଇ ଅନ୍ତର୍ଜାତୀୟ ସ୍ୱୀକୃତି ମିଳିବା ସହିତ ଏହାର ରିପୋର୍ଟ ବନତାରାକୁ ବିଶ୍ୱର ସବୁଠାରୁ ବିଶ୍ୱସନୀୟ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ମଧ୍ୟରୁ ଅନ୍ୟତମ ଭାବେ ସିଦ୍ଧ କରିଛି।
ସେପ୍ଟେମ୍ବର ୨୦୨୫ ରେ, ସିଆଇଟିଇଏସ ସଚିବାଳୟ ବନତାରାର ଦୁଇ ଦିନିଆ ନିରୀକ୍ଷଣ କରିଥିଲା ଏବଂ ପଶୁ ଆବାସ, ଚିକିତ୍ସା ଓ ଯତ୍ନ, ଉଦ୍ଧାର ବ୍ୟବସ୍ଥା ଏବଂ ସମସ୍ତ ରେକର୍ଡର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲା। ସେପ୍ଟେମ୍ବର ୩୦ ତାରିଖରେ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ବନତାରାକୁ “ଆଧୁନିକ ସୁବିଧା ସମ୍ପନ୍ନ ଏବଂ ଏକ ସୁଦୃଢ଼ କଲ୍ୟାଣ ବ୍ୟବସ୍ଥା ରହିଥିବା ଏକ ବିଶ୍ୱସ୍ତରୀୟ କେନ୍ଦ୍ର” ଭାବରେ ବର୍ଣ୍ଣନା କରାଯାଇଥିଲା। ରିପୋର୍ଟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଥିଲା ଯେ ବନତାରାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ପଶୁ କଲ୍ୟାଣ ଏବଂ ସଂରକ୍ଷଣ, ଏବଂ ଏହା କୌଣସି ପ୍ରକାରର ବନ୍ୟପ୍ରାଣୀ ବାଣିଜ୍ୟରେ ସାମିଲ ନାହିଁ। ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ ଏହାର ସମ୍ପୂର୍ଣ୍ଣ କାର୍ଯ୍ୟ ଆଧୁନିକ ଭିତ୍ତିଭୂମି, ଉନ୍ନତ ପଶୁଚିକିତ୍ସା, ସଂରକ୍ଷଣ ବିଜ୍ଞାନ ଏବଂ ଦାୟିତ୍ୱପୂର୍ଣ୍ଣ ଯତ୍ନ ଉପରେ କେନ୍ଦ୍ରିତ।
ସିଆଇଟିଇଏସ ସ୍ଥାୟୀ କମିଟି ଆଲୋଚନା ସମୟରେ ଅଧିକାଂଶ ଦେଶ ଭାରତ ପକ୍ଷରେ ଦୃଢ଼ ସମର୍ଥନ ପ୍ରକାଶ କରିଥିଲେ। ଅନ୍ତର୍ଜାତୀୟ ସମ୍ପ୍ରଦାୟର ଏହି ସ୍ପଷ୍ଟ ବାର୍ତ୍ତା ବନତାରା ଉପରେ ଲଗାଯାଇଥିବା ସମସ୍ତ ଭିତ୍ତିହୀନ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଥିଲା।
ପୂର୍ବରୁ, ବନତାରାକୁ ଭାରତର ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଦ୍ୱାରା କ୍ଲିନ୍ ଚିଟ୍ ମିଳିଥିଲା। ଏସଆଇଟି ପକ୍ଷରୁ ଏହି କେନ୍ଦ୍ରକୁ ଆଇନଗତ, ଆର୍ଥିକ ଏବଂ ବନ୍ୟପ୍ରାଣୀ ସେବାର ସମସ୍ତ ଦିଗ ଉପରେ ଏକ ବିସ୍ତୃତ ତଦନ୍ତ କରିଥିଲା। ତଦନ୍ତରେ ସମସ୍ତ ଅଭିଯୋଗ “ନିରାଧାର ଏବଂ ଭିତ୍ତିହୀନ” ବୋଲି ଜଣାପଡ଼ିଥିଲା। ଏସଆଇଟି ଏହା ମଧ୍ୟ ସୂଚିତ କରିଥିଲାଯେ ସମସ୍ତ ପ୍ରାଣୀ ବୈଧ ଆମଦାନୀ ଅନୁମତି ସହିତ ଏବଂ କେବଳ ଅଣ-ବାଣିଜ୍ୟିକ ଉଦ୍ଦେଶ୍ୟରେ ଅଣାଯାଇଥିଲା।
ବନତାରା କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ (ସିଜେଡଏ) ର ସମସ୍ତ ନିୟମ ପାଳନ କରିବା ସହିତ ଆହୁରି ଅଧିକ ଯତ୍ନର ସହିତ କାର୍ଯ୍ୟ କରୁଛି। ଏହା ଏକ ବ୍ୟକ୍ତିଗତ ସଂଗ୍ରହ ନୁହେଁ ବରଂ ଗ୍ଲୋବାଲ୍ ହ୍ୟୁମେନ୍ ସାର୍ଟିଫାଏଡ୍ ମାନ୍ୟତା ପ୍ରାପ୍ତ ଏକ ଆନ୍ତର୍ଜାତୀୟ ସ୍ତରର ସଂରକ୍ଷଣ ଏବଂ ଉଦ୍ଧାର କେନ୍ଦ୍ର।
ଏହି ଉପଲବ୍ଧି କେବଳ ବନତାରା ପାଇଁ ନୁହେଁ ବରଂ ଭାରତର ସେହି କ୍ଷମତାର ପରିଚାୟକ ଯାହା ସହାନୁଭୂତି, ବିଜ୍ଞାନ ଏବଂ ସଠିକ ନିୟମ ଅନୁପାଳନ ମାଧ୍ୟମରେ ବନ୍ୟପ୍ରାଣୀ ସଂରକ୍ଷଣକୁ ବିଶ୍ୱ ସ୍ତରରେ ସ୍ଥାପିତ କରିଛି।


