Categories
ଆଜିର ଖବର ଜାତୀୟ ଖବର ବଜେଟ ୨୦୨୪

୨୦୨୪ ରେ ମଧ୍ୟ ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବ: ମିଳିତ ଜାତିସଂଘ

ନୂଆଦିଲ୍ଲୀ: ମିଳିତ ଜାତିସଂଘ କହିଛି ଯେ, 2024 ମସିହାରେ ମଧ୍ୟ ଦ୍ରୁତ ଗତିରେ ଭାରତୀୟ ଅର୍ଥନୀତି ବୃଦ୍ଧି ପାଇବ। ମିଳିତ ଜାତିସଂଘ ଅନୁଯାୟୀ, 2024 ରେ ଭାରତର ଅଭିବୃଦ୍ଧି ହାର 6.2 ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଶକ୍ତିଶାଳୀ ଘରୋଇ ଚାହିଦା ଏବଂ ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି, ଏହି ଅଭିବୃଦ୍ଧି ପୂର୍ବାନୁମାନ ହାସଲ କରିବାରେ ସାହାଯ୍ୟ କରିବ।

ମିଳିତ ଜାତିସଂଘର WESP 2024 ରିପୋର୍ଟ ଗୁରୁବାର ଦିନ ପ୍ରକାଶ ପାଇଛି, ଯାହା ଅନୁଯାୟୀ ଭାରତରେ ଦ୍ରୁତ ଅଭିବୃଦ୍ଧି ହେତୁ ଦକ୍ଷିଣ ଏସିଆର ମୋଟ ଘରୋଇ ଉତ୍ପାଦ (ଜିଡିପି) 2024 ରେ 5.2 ପ୍ରତିଶତ ହାରରେ ଅଭିବୃଦ୍ଧି ଦେଖାଇବ। ଜାତିସଂଘ ଏହାର ରିପୋର୍ଟରେ କହିଛି ଯେ ବଡ ଅର୍ଥନୀତି ଥିବା ଦେଶମାନଙ୍କ ମଧ୍ୟରେ ଭାରତ ଦ୍ରୁତ ଗତିରେ ବିକାଶ କରୁଛି। ରିପୋର୍ଟ ଅନୁଯାୟୀ, 2024 ମସିହାରେ ଭାରତର ଜିଡିପି 6.2 ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି, ଯାହା 2023 ମସିହାର ଆକଳନଠାରୁ ସାମାନ୍ୟ କମ୍ ଅଟେ। ଜାତିସଂଘ 2023 ରେ ଜିଡିପି 6.3 ପ୍ରତିଶତ ହେବ ବୋଲି ଆକଳନ କରିଥିଲା। କିନ୍ତୁ ରିପୋର୍ଟ ଅନୁଯାୟୀ, 2025 ରେ ଜିଡିପି 6.6 ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।

ଗ୍ଲୋବାଲ୍ ଇକୋନୋମିକ୍ ଡିଭିଜନ୍ ମନିଟରିଂ ବ୍ରାଞ୍ଚ, ଅର୍ଥନୈତିକ ବିଶ୍ଳେଷଣ ଏବଂ ନୀତି ବିଭାଗ (ୟୁଏନ୍ ଡିଏସ୍ଏ) ର ମୁଖ୍ୟ ହମିଦ ରସିଦ କହିଛନ୍ତି ଯେ କେବଳ ଚଳିତ ବର୍ଷ ନୁହେଁ ଗତ କିଛି ବର୍ଷ ମଧ୍ୟରେ ଅନ୍ୟ ଅର୍ଥନୀତି ତୁଳନାରେ ଭାରତୀୟ ଅର୍ଥନୀତି ଭଲ ପ୍ରଦର୍ଶନ କରିଛି। ସେ କହିଛନ୍ତି ଯେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର କ୍ରମାଗତ ଭାବରେ 6 ପ୍ରତିଶତରୁ ଅଧିକ ରହିଆସିଛି ଏବଂ ଆମେ ଅନୁମାନ କରୁଛୁ ଏହା 2024 ଏବଂ 2025 ରେ ମଧ୍ୟ ଜାରି ରହିବ। ସେ କହିଛନ୍ତି ଯେ, ଭାରତରେ ମୁଦ୍ରାସ୍ଫୀତି ଅଧିକ ରହିଛି, ତଥାପି ସୁଧ ହାରକୁ ବୃଦ୍ଧି କରିବା ପାଇଁ ଭାରତର ଆବଶ୍ୟକତା ନାହିଁ ଏବଂ ମୁଦ୍ରାସ୍ଫୀତି ହ୍ରାସ ପାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

“ଯୁଦ୍ଧ ମଧ୍ୟରେ ଗାଜାକୁ ୩୮ ଟନ୍ ଖାଦ୍ୟ, ଚିକିତ୍ସା ଉପକରଣ ପଠାଯାଇଛି”: ଜାତିସଂଘରେ କହିଲା ଭାରତ

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଡିଆରପି ରାଷ୍ଟ୍ରଦୂତ ଆର ରବିନ୍ଦ୍ର, “ପାଲେଷ୍ଟାଇନ ସମେତ ମଧ୍ୟ ପୂର୍ବର ସ୍ଥିତି” ଉପରେ ଜାତିସଂଘ ସୁରକ୍ଷା ପରିଷଦରେ ଖୋଲା ବିତର୍କରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ଇସ୍ରାଏଲର କଡା କାର୍ଯ୍ୟାନୁଷ୍ଠାନରେ ସମ୍ମୁଖୀନ ହୋଇଥିବା ଗାଜା ଷ୍ଟ୍ରିପ୍ ପାଇଁ ଭାରତ ୩୮ ଟନ୍ ଖାଦ୍ୟ ସାମଗ୍ରୀ ଏବଂ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଉପକରଣ ପଠାଇଛି।

ରବିନ୍ଦ୍ର କହିଛନ୍ତି ଯେ, “ଭାରତ ପାଲେଷ୍ଟାଇନବାସୀଙ୍କୁ ଔଷଧ ଏବଂ ଯନ୍ତ୍ରପାତି ସମେତ ୩୮ ଟନ୍ ମାନବିକ ସାମଗ୍ରୀ ପଠାଇଛି। ଆମେ ଶାନ୍ତି ପାଇଁ ଆବଶ୍ୟକ ସ୍ଥିତି ସୃଷ୍ଟି କରିବାକୁ ଏବଂ ଚାପ ହ୍ରାସ କରିବା ପାଇଁ ପ୍ରତ୍ୟକ୍ଷ କଥାବାର୍ତ୍ତା ଆରମ୍ଭ କରିବା ଦିଗରେ କାର୍ଯ୍ୟ କରିବାକୁ ମଧ୍ୟ ପକ୍ଷମାନଙ୍କୁ ଅନୁରୋଧ କରୁଛୁ। ”

ସେ କହିଛନ୍ତି ଯେ ଏହି ଆହ୍ଵାନପୂର୍ଣ୍ଣ ସମୟରେ ଭାରତ ପାଲେଷ୍ଟାଇନବାସୀଙ୍କୁ ମାନବିକ ସହାୟତା ପଠାଇବ।

ଅକ୍ଟୋବର ୭ ତାରିଖରେ ହମାସ ଯେଉଁଠାରୁ ଆକ୍ରମଣ ଆରମ୍ଭ କରିଥିଲା ​​ସେହି ସ୍ଥାନରୁ ଇସ୍ରାଏଲ୍ ଉପକୂଳବର୍ତ୍ତୀ ଅଞ୍ଚଳରେ ବୋମା ବିସ୍ଫୋରଣ ଜାରି ରଖିଥିବାରୁ ଗାଜାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଆକ୍ରମଣରେ ଇସ୍ରାଏଲ ଉପରେ ୫୦୦୦ ରୁ ଅଧିକ ରକେଟ୍ ମାଡ ହୋଇଥିଲା।

ଆତଙ୍କବାଦୀ ଆକ୍ରମଣକୁ ଭାରତ ସ୍ପଷ୍ଟ ଭାବେ ନିନ୍ଦା କରିଛି ବୋଲି ଉଲ୍ଲେଖ କରି ମିଳିତ ଜାତିସଂଘରେ ଉପ ସ୍ଥାୟୀ ଦୂତ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ବିଶ୍ୱବ୍ୟାପୀ ନେତାମାନଙ୍କ ମଧ୍ୟରୁ ଜଣେ ଯିଏକି ପ୍ରାଣ ହରାଇଥିବା ଏବଂ ନିରୀହ ପୀଡ଼ିତଙ୍କୁ ସ୍ମରଣ କରି ସମବେଦନା ଜଣାଇଛନ୍ତି ଏବଂ ସେମାନଙ୍କର ପରିବାର ଲୋକଙ୍କ ପାଇଁ “ପ୍ରାର୍ଥନା” କରିଛନ୍ତି।

ସେ କହିଛନ୍ତି ଯେ, ଆତଙ୍କବାଦୀ ଆକ୍ରମଣର ସମ୍ମୁଖୀନ ହେଉଥିବାବେଳେ ଆମେ ସଙ୍କଟ ସମୟରେ ଇସ୍ରାଏଲ ସହ ଛିଡା ହୋଇଥିଲୁ।

ସେ କହିଛନ୍ତି ଯେ, “ଗାଜାର ଅଲ ହାଲି ଡାକ୍ତରଖାନାରେ ଶହ ଶହ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଥିବାରୁ ଆମେ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛୁ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

‘ଇଣ୍ଡିଆ’ର ନାମ ପରିବର୍ତ୍ତନକୁ ନେଇ ମିଳିତ ଜାତିସଂଘରୁ ଆସିଲା ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ଉପ-ମୁଖପାତ୍ର

ନୂଆଦିଲ୍ଲୀ: ଇଣ୍ଡିଆର ନାମ ପରିବର୍ତ୍ତନ ହେବାର ଗୁଜବ ମଧ୍ୟରେ ମିଳିତ ଜାତିସଂଘ ର ଜଣେ ଅଧିକାରୀ କହିଛନ୍ତି ଯେ, ଯେତେବେଳେ ବି ଜାତିସଂଘ ଦେଶର ନାମ ବଦଳାଇବାକୁ ଅନୁରୋଧ ଗ୍ରହଣ କରେ, ସେତେବେଳେ ତାହା ବିଚାରକୁ ନିଆଯାଏ। ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଙ୍କ ଉପ- ମୁଖପାତ୍ର ଫରହାନ୍ ହକ୍ ମଧ୍ୟ ତୁର୍କୀର ନାମ ତୁର୍କୀଏରେ ପରିବର୍ତ୍ତନ କରିବାର ଉଦାହରଣ ଦେଇଛନ୍ତି।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଫରହାନ କହିଛନ୍ତି ଯେ, “ତୁର୍କୀ ମାମଲାରେ ସରକାର ଆମକୁ ପଠାଇଥିବା ଏକ ଆନୁଷ୍ଠାନିକ ଅନୁରୋଧର ଉତ୍ତର ଦେଇଛୁ। ଆଜ୍ଞା ହଁ, ଯଦି ଆମକୁ ଏପରି ଅନୁରୋଧ ମିଳେ, ତେବେ ଆମେ ସେଗୁଡିକୁ ବିଚାର କରୁ। ” ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି ଯେଉଁଥିରେ ତାଙ୍କୁ ଇଣ୍ଡିଆର ନାମ ଭାରତରେ ପରିବର୍ତ୍ତନ କରାଯାଇପାରିବ କି ବୋଲି ପଚରାଯାଇଥିଲା।

ଘଟଣା କଣ?:

ବାସ୍ତବରେ, ଜି -୨୦ ଶିଖର ସମ୍ମିଳନୀର ରାତ୍ରୀ ଭୋଜନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ ଭାରତ’ କୁହାଯିବା ପରେ ମଙ୍ଗଳବାର ଦିନ ରାଜନୈତିକ ବିବାଦ ଆରମ୍ଭ ହୋଇଥିଲା। ଏହା ପରେ ଭାରତ ସରକାର ଦେଶର ନାମ ପରିବର୍ତ୍ତନ କରିବାକୁ ଯାଉଛନ୍ତି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହାର ଏଜେଣ୍ଡା ପ୍ରକାଶ ପାଇନଥିବାରୁ ଏହି ପ୍ରଶ୍ନ ଉଠିଛି। ଏଭଳି ପରିସ୍ଥିତିରେ ଗୁଜବ ଚାଲିଛି ଯେ, ନାମ ପରିବର୍ତ୍ତନ ପାଇଁ ଏହି ଅଧିବେଶନରେ ମଧ୍ୟ ଚର୍ଚ୍ଚା କରାଯାଇପାରେ।

ପ୍ରଧାନମନ୍ତ୍ରୀ ମୋଦୀ କଡା ନିର୍ଦ୍ଦେଶ ଦେଇଛନ୍ତି:

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ତାଙ୍କ କ୍ୟାବିନେଟ ସହକର୍ମୀଙ୍କୁ ‘ଭାରତ’ ନାମରେ ରାଜନୈତିକ ବିବାଦରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଇଣ୍ଡିଆର ନାମ ଭାରତକୁ ବଦଳାଇବା କେବଳ ସମ୍ବିଧାନରେ ସଂଶୋଧନ ଆବଶ୍ୟକ କରିବ, ଯାହାକୁ ସଂସଦର ଉଭୟ ଗୃହରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ପାରିତ କରିବାକୁ ପଡିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆତଙ୍କବାଦୀ ପାଳୁଥିବା ଦେଶ ଶିଖାଉଛି ମାନବାଧିକାର: ଜାତିସଂଘରେ ପୁଣି ପାକିସ୍ତାନକୁ ଧୋଇଲା ଭାରତ 

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିଛି। ମାନବ ଅଧିକାର ପରିଷଦ ଅଧିବେଶନରେ ଭାରତ କହିଛି ଯେ, ଗଣତନ୍ତ୍ର ତଥା ମାନବାଧିକାର ଉପରେ ପାକିସ୍ତାନରୁ ବିଶ୍ଵ ଶିଖିବାର ଆବଶ୍ୟକତା ନାହିଁ। ଯାହା ଆତଙ୍କବାଦ ଏବଂ ହିଂସାର ସବୁଠାରୁ ବଡ ରପ୍ତାନିକାରୀ ଏବଂ ଏଥିରେ ଏହାର ଅବଦାନକୁ କେହି ବରାବର କରିପାରିବେ ନାହିଁ। ଯେଉଁଠାରେ ଆତଙ୍କବାଦୀମାନେ ଉନ୍ନତି କରନ୍ତି ଏବଂ ରାସ୍ତାରେ ମୁକ୍ତ ଭାବରେ ବୁଲନ୍ତି।

ମାନବ ଅଧିକାର ପରିଷଦର ୫୨ ତମ ଅଧିବେଶନରେ ଉତ୍ତରର ଅଧିକାରକୁ ବ୍ୟବହାର କରି ଭାରତର ଅତିରିକ୍ତ ସଚିବ ଡ ପିଆର ତୁଲସିଦାସ ପାକିସ୍ତାନକୁ ଭାରତ ବିରୁଦ୍ଧରେ ଏକ ମିଥ୍ୟା ଏଜେଣ୍ଡା ଚଳାଇବା ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ନଷ୍ଟ କରିବା ପରିବର୍ତ୍ତେ ନିଜ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ବିଷୟରେ ଚିନ୍ତା କରିବାକୁ କହିଥିଲେ।

ଡକ୍ଟର ପି.ଆର ତୁଲସିଦାସ କହିଛନ୍ତି ଯେ, ମିଳିତ ଜାତିସଂଘ ଦ୍ୱାରା ଆତଙ୍କବାଦୀ ଘୋଷିତ ହୋଇଥିବା ୧୫୦ ଆତଙ୍କବାଦୀଙ୍କ ପାଇଁ ପାକିସ୍ତାନ ଏକ ଆଶ୍ରୟସ୍ଥଳ ଏବଂ ଏହି ଲୋକମାନେ ନିର୍ବାଚନ ଲଢିବା ସହିତ ସେଠାରେ ପ୍ରଚାର କରୁଥିବା ଦେଖାଯାଉଛି। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅପରାଧୀମାନେ ମୁକ୍ତ ଭାବରେ ବୁଲୁଛନ୍ତି, କାରଣ ଏଭଳି ଅପରାଧ ପାଇଁ ପାକିସ୍ତାନରେ ଦଣ୍ଡ ଦିଆଯାଏ ନାହିଁ।

ସେ କହିଛନ୍ତି ଯେ, ବିଶ୍ୱର ସବୁଠାରୁ ବଡ ଆତଙ୍କବାଦୀ ଓସାମା ବିନ୍ ଲାଡେନ ଏକ ସାମରିକ ବେସ ନିକଟରେ ରହୁଥିଲେ, ଯାହାକୁ ସେଠାରେ ଥିବା ଲୋକମାନେ ସୁରକ୍ଷା ଏବଂ ଆଶ୍ରୟ ଦେଇଥିଲେ। ଜମ୍ମୁ କାଶ୍ମୀରକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ବର୍ଣ୍ଣନା କରି ସେ କହିଛନ୍ତି ଯେ, ୟୁନିଅନ୍ ଟେରିଟୋରୀ ବର୍ତ୍ତମାନ ସମଗ୍ର ଦେଶ ସହିତ ଶାନ୍ତି ଏବଂ ବିକାଶ ଦିଗରେ ଗତି କରୁଛି। ମାହୋଲକୁ ସୁଦୃଢ କରିବା ପାଇଁ ପାକିସ୍ତାନର ନିରନ୍ତର ଉଦ୍ୟମ ସତ୍ତ୍ୱେ ଏହା ଘଟୁଛି। ସେ କହିଛନ୍ତି ଯେ, ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଗୋଷ୍ଠୀକୁ ପାକିସ୍ତାନ ସମର୍ଥନ କରୁଛି ଏବଂ ଭାରତ ବିରୋଧରେ ବିଭ୍ରାନ୍ତିକର ଖବର ପ୍ରଚାର କରୁଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ସାପ ସେହିମାନଙ୍କୁ କାମୁଡ଼ିବ, ଯେଉଁମାନେ ତାକୁ ପାଳନ୍ତି’: ପାକିସ୍ତାନକୁ ଟାର୍ଗେଟ କରି କହିଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଆତଙ୍କବାଦକୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନ ଉପରେ ବର୍ଷିଛନ୍ତି। ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ହିନା ରବାନୀଙ୍କୁ ଆକ୍ରମଣ କରି ଜୟଶଙ୍କର କହିଛନ୍ତି ଯେ, ସେ ଭୁଲିଯିବା ଉଚିତ ନୁହେଁ ଯେ ସମଗ୍ର ବିଶ୍ୱ ପାକିସ୍ତାନକୁ ଆତଙ୍କବାଦର କେନ୍ଦ୍ର ଭାବରେ ଦେଖୁଛି।

ନିକଟରେ ହିନା ରବାନୀ ଭାରତକୁ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରିଛନ୍ତି। ରବାନୀଙ୍କ ଅଭିଯୋଗକୁ ଜୟଶଙ୍କର କଡା ଜବାବ ଦେଇଛନ୍ତି। ଯେତେବେଳେ ହିନା ରବାନୀଙ୍କ ଅଭିଯୋଗ ଉପରେ ସାମ୍ବାଦିକମାନେ ଭାରତର ବୈଦେଶିକ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ, ଜୟଶଙ୍କର କହିଥିଲେ ଯେ, ଆମେରିକାର ପୂର୍ବତନ ବୈଦେଶିକ ସଚିବ ହିଲାରୀ କ୍ଲିଣ୍ଟନଙ୍କ ମନ୍ତବ୍ୟକୁ ରବାନୀ ମନେ ରଖିବା ଉଚିତ। ପ୍ରକାଶ ଯେ, ଆତଙ୍କବାଦୀ ହାଫିଜ ସଇଦର ବାସଭବନରେ ହୋଇଥିବା ବିସ୍ଫୋରଣ ପାଇଁ ହିନା ରବାନୀ ଭାରତକୁ ଦାୟୀ କରିଥିଲେ। ସେ କହିଥିଲେ ଯେ, ଭାରତ ଯେପରି ଭାବେ ଆତଙ୍କବାଦ ବ୍ୟବହାର କରିଛି, ଅନ୍ୟ କେହି କରିପାରିବେ ନାହିଁ।

ଯେତେବେଳେ ସାମ୍ବାଦିକମାନେ ଜୟଶଙ୍କରଙ୍କୁ ଏ ବିଷୟରେ ପଚାରିଥିଲେ, ସେ କହିଥିଲେ ଯେ, “ମୋର ଏକ ଦଶନ୍ଧି ପୂର୍ବରୁ ଏକ ଘଟଣା ମନେ ଅଛି, ଯେତେବେଳେ ଆମେରିକାର ବୈଦେଶିକ ସଚିବ ହିଲାରୀ କ୍ଲିଣ୍ଟନ ପାକିସ୍ତାନ ଗସ୍ତରେ ଥିଲେ। ହିନା ରବାନୀ ମଧ୍ୟ ସେତେବେଳେ ମନ୍ତ୍ରୀ ଥିଲେ। ଭାଷଣରେ କହିଥିଲେ ଯେ, ପଡୋଶୀ ଲୋକଙ୍କୁ ସାପ କାମୁଡିବ ଭାବି ଆପଣ କେବେ ଆପଣଙ୍କ ଘର ପଛପଟରେ ସାପ ରଖିପାରିବେ ନାହିଁ। ଜୟଶଙ୍କର କହିଥିଲେ ଯେ, ପାକିସ୍ତାନ ଏହାର କାର୍ଯ୍ୟକଳାପକୁ ସଂଶୋଧନ କରିବା ଉଚିତ ଏବଂ ଭଲ ପଡ଼ୋଶୀ ହେବାକୁ ଚେଷ୍ଟା କରିବା ଉଚିତ।

ଏହି ସମୟରେ ପାକିସ୍ତାନୀ ସାମ୍ବାଦିକ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପଚାରିଥିଲେ ଯେ, ଦକ୍ଷିଣ ଏସିଆ କେତେ ଦିନ ଆତଙ୍କବାଦ ସହ୍ୟ କରିବ? ନୂଆଦିଲ୍ଲୀ, କାବୁଲ ଏବଂ ଲାହୋର ମଧ୍ୟରେ ଯୁଦ୍ଧ କେବେ ଶେଷ ହେବ? ଏହା ଉପରେ ଜୟଶଙ୍କର କହିଥିଲେ ଯେ, “ଆପଣ ଭୁଲ ମନ୍ତ୍ରୀଙ୍କୁ ଏହି ପ୍ରଶ୍ନ ପଚାରୁଛନ୍ତି। ଆପଣ ଏହି ପ୍ରଶ୍ନ ପାକିସ୍ତାନ ମନ୍ତ୍ରୀଙ୍କୁ ପଚାରିବା ଉଚିତ୍। ପାକିସ୍ତାନ ଆତଙ୍କବାଦ ବିସ୍ତାର କେବେ ବନ୍ଦ କରିବ? ତାହା ପାକିସ୍ତାନ ମନ୍ତ୍ରୀ ଆପଣଙ୍କୁ କହିପାରିବେ।”

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଚୀନ୍ ବିରୋଧରେ ଭୋଟ୍ କଲାନି ଭାରତ, ଖାରଜ ହେଲା ଉଇଗର ମୁସଲମାନମାନଙ୍କ ଉପରେ ଆସିଥିବା ପ୍ରସ୍ତାବ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ (UNHRC) ରେ ଉଇଗର ମୁସଲମାନମାନଙ୍କ ଚିକିତ୍ସା ସମ୍ପର୍କରେ ଭୋଟ୍ ଦେବା ସମୟରେ ଚୀନ୍ ଭାରତର ସମର୍ଥନ ପାଇଥିଲା। ଚୀନ୍‌ର ଜିନଜିଆଙ୍ଗରେ ମାନବିକ ଅଧିକାର ପରିସ୍ଥିତିରେ ଚୀନ୍‌ ବିରୋଧରେ ଏହି ସଂକଳ୍ପକୁ ଭୋଟ୍ ଦିଆଯାଇଛି। କିନ୍ତୁ ଭାରତ ଭୋଟ୍ ଦେଇନଥିଲା।

ପ୍ରକୃତରେଉତ୍ତର-ପଶ୍ଚିମ ଚୀନ୍ ପ୍ରଦେଶରେ ଘଟିଥିବା ଘଟଣା (ମାନବିକ ଅଧିକାରର ଉଲ୍ଲଂଘନ) ଉପରେ ମାନବ ଅଧିକାର ଗୋଷ୍ଠୀ ବର୍ଷ ବର୍ଷ ଧରି ସତର୍କ ଘଣ୍ଟି ବଜାଉଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ପୁନଃ ଶିକ୍ଷା ଶିବିରରେ ଚୀନ୍ ଏକ ଲକ୍ଷରୁ ଅଧିକ ଉଇଗରଙ୍କୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ଗିରଫ କରିଛି।

ଭାରତ ଏବଂ ଅନ୍ୟ ୧୦ ଟି ଦେଶ ଭୋଟ୍ ନ ଦେବା ପରେ ଚୀନ୍ ବିରୋଧରେ ଆଣିଥିବା ସଂକଳ୍ପ ଖାରଜ କରାଯାଇଥିଲା। ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ ଟ୍ୱିଟ୍ କରି କହିଛି ଯେ, ଚାଇନାର ଜିନଜିଆଙ୍ଗର ଉଇଗର ସ୍ଵୟଂଶାସିତ ଅଞ୍ଚଳରେ ମାନବିକ ଅଧିକାର ସ୍ଥିତିକୁ ନେଇ ବିତର୍କ ପାଇଁ ଆଣିଥିବା ଡ୍ରାଫ୍ଟ ରିଜୋଲ୍ୟୁସନ୍ ଖାରଜ କରାଯାଇଛି।

କାନାଡା, ଡେନମାର୍କ, ଫିନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ନରୱେ, ସ୍ୱିଡେନ, ବ୍ରିଟେନ ଏବଂ ଆମେରିକାକୁ ନେଇ ଏକ ମୂଳ ଗୋଷ୍ଠୀ ଦ୍ୱାରା ଏହି ଡ୍ରାଫ୍ଟ ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା। ଚୀନ୍‌ର ହ୍ୟୁମାନ୍ ରାଇଟ୍ସ ୱାଚ୍‌ର ନିର୍ଦ୍ଦେଶକ ସୋଫି ରିଚାର୍ଡସନ ଏକ ବିବୃତ୍ତିରେ କହିଛନ୍ତି ଯେ, ଇତିହାସରେ ପ୍ରଥମ ଥର ପାଇଁ ଜାତିସଂଘର ମାନବାଧିକାର ସଂସ୍ଥା ଚୀନ୍‌ର ଜିନଜିଆଙ୍ଗ ଅଞ୍ଚଳରେ ମାନବିକ ଅଧିକାର ପରିସ୍ଥିତି ଉପରେ ବିତର୍କ କରିବାକୁ ଏକ ପ୍ରସ୍ତାବକୁ ବିଚାର କରିଛି।

ଚୀନ୍ ବିରୋଧରେ ଆସିଥିବା ସଂକଳ୍ପକୁ ଖାରଜ କରିବା ପାଶ୍ଚାତ୍ୟ ଦେଶ ପାଇଁ ଏକ ଝଟକା ବୋଲି ବିବେଚନା କରାଯାଉଛି। ଏହାକୁ ତୁର୍କୀ ସମେତ ଅନେକ ଦେଶର ସମର୍ଥନ ମିଳିଥିଲା। UNHRC ର ୪୭ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ୧୭ ଜଣ ସଦସ୍ୟ ଏହି ସଂକଳ୍ପ ସପକ୍ଷରେ ମତ ଦେଇଥିଲେ ଏବଂ ୧୯ ଜଣ ସଦସ୍ୟ ଏହା ବିରୋଧରେ ମତ ଦେଇଥିଲେ। ଏଥିସହ ୧୧ ଜଣ ସଦସ୍ୟ ଭୋଟ୍‌ରେ ଭାଗ ନେଇ ନଥିଲେ।

Categories
ଆଜିର ଖବର ଜାତୀୟ ଖବର

ପ୍ରାଚୀନ ଏବଂ ପୌଷ୍ଟିକ ଖାଦ୍ୟଶସ୍ୟ ଉପରେ ପ୍ରଚାର ଏବଂ ପ୍ରସାର କରିବା ନିମନ୍ତେ ପଦକ୍ଷେପ

ଦିଲ୍ଲୀ: କୃଷି ଏବଂ କୃଷକ କଲ୍ୟାଣ ବିଭାଗ ମାଇଁଗଭ୍ ପ୍ଲାଟଫର୍ମରେ ଅନ୍ତର୍ଜାତୀୟ ବାଜରା ବର୍ଷ ୨୦୨୩ର ସମୟ ଅବଧି ସୁଦ୍ଧା ପୂର୍ବରୁ ଆରମ୍ଭ କରା ଯାଇଥିବା କାର୍ଯ୍ୟକ୍ରମ ଏବଂ ପଦକ୍ଷେପ ଗୁଡିକର ଏକ ଶୃଙ୍ଖଳା ଆୟୋଜନ କରିଛି। ପ୍ରାଚୀନ ଏବଂ ପୌଷ୍ଟିକ ଖାଦ୍ୟଶସ୍ୟକୁ ପୁଣି ଥରେ ଖାଦ୍ୟ ଥାଳିକୁ ଆଣିବା ଉପରେ ସଚେତନତା ଓ ପ୍ରଚାର ଏବଂ ପ୍ରସାର କରିବା ନିମନ୍ତେ ପଦକ୍ଷେପ ନିଆ ଯିବା ଏହି କାର୍ଯ୍ୟକ୍ରମର ଅନ୍ତର୍ଗତ ଅଟେ।

ବିଭିନ୍ନ ସଙ୍ଗଠନ ଗୁଡିକ ଦ୍ୱାରା ଅନେକ ପ୍ରତିଯୋଗିତା ଗୁଡିକ ମାଧ୍ୟମରେ ସଚେତନତା ବୃଦ୍ଧି କରିବା ନିମନ୍ତେ ମାଇଁଗଭ୍ ପ୍ଲାଟଫର୍ମ (ମଂଚ) ଏକ ବହୁତ ମହତ୍ୱପୂର୍ଣ୍ଣ ଏବଂ ସଫଳ ମାଧ୍ୟମ ହୋଇ ଯାଇଛି । ମାଇଁଗଭ୍ରେ ସଂଯୋଗ ହେବା ଏହାକୁ ଜନ ଆନ୍ଦୋଳନ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। କିଛି ପ୍ରତିଯୋଗିତା ଗୁଡିକୁ ଆରମ୍ଭ କରା ଯାଇଛି, କିଛି ବର୍ତମାନ ଚାଲୁ ରହିଛି ଏବଂ ଆଉ କିଛିକୁ ଦେଶର ପରିକଳ୍ପନାତ୍ମକ ଏବଂ ସୃଜନାତ୍ମକ ଦୃଷ୍ଟିକୋଣକୁ ସାକାର ରୂପ ଦେବା ପାଇଁ ମାଇଁଗଭ୍ ପ୍ଲାଟଫର୍ମରେ ଶୁଭାରମ୍ଭ କରାଯିବ। ପ୍ରତିଯୋଗିତା ଗୁଡିକର ବିବରଣୀ ମାଇଁଗଭ୍ ୱେବ୍ ସାଇଟ୍ https://www.mygov.in/ ରେ ଉପଲବ୍ଧ ଅଛି।

୫ ସେପ୍ଟେମ୍ବର ୨୦୨୨ରେ ‘ଇଣ୍ଡିଆଜ୍ ୱେଲ୍ଥ, ମିଲେଟ୍ସ ଫର୍ ହେଲ୍ଥ‘ ବିଷୟକୁ ନେଇ ଏକ ଚିତ୍ରକଥା (କମିକ୍ ଷ୍ଟୋରି) ଡିଜାଇନ୍ କରିବା ନିମନ୍ତେ ଏକ ପ୍ରତିଯୋଗିତା ଆରମ୍ଭ କରା ଯାଇଛି ଏବଂ ଏହାର ଉଦ୍ଦେଶ୍ୟ ହେଉଛି ବାଜରାର ସ୍ୱାସ୍ଥ୍ୟ ନିମନ୍ତେ ଲାଭଦାୟକ ଉପକାରିତାକୁ ପ୍ରଦର୍ଶିତ କରି ଲୋକ ମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା। ଏହି ପ୍ରତିଯୋଗିତା ୫ ନଭେମ୍ବର ୨୦୨୨ରେ ସମାପ୍ତ ହୋଇ ଯିବ ଏବଂ ଏହାକୁ ବର୍ତ୍ତମାନ ସୁଦ୍ଧା ବହୁତ ଉତ୍ସାହଜନକ ପ୍ରତିକ୍ରିୟା ମିଳି ସାରିଛି।

ମିଲେଟ୍/ ବାଜରା ଷ୍ଟାର୍ଟଅପ୍ ଇନୋଭେସନ୍ ଚ୍ୟାଲେଂଜ୍ ୧୦ ସେପ୍ଟେମ୍ବର ୨୦୨୨ରେ ଆରମ୍ଭ କରା ଯାଇଛି । ଏହି ପଦକ୍ଷେପ ବାଜରା ପାରିବେଶିକ ବ୍ୟବସ୍ଥାରେ ରହିଥିବା ସମସ୍ୟା ଗୁଡିକର ସମାଧାନ ନିମନ୍ତେ ପ୍ରଯୁକ୍ତିଗତ/ବ୍ୟାବସାୟିକ ସମାଧାନ ପ୍ରଦାନ କରିବା କ୍ଷେତ୍ରରେ ଯୁବକ ମାନଙ୍କର ଚିନ୍ତାଧାରାକୁ ପ୍ରୋତ୍ସାହିତ କରିଥାଏ। ଏହି ଇନୋଭେସନ୍ ଚ୍ୟାଲେଂଜ ୩୧ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଖୋଲା ରହିବ।

ଦ ମାଇଟି ମିଲେଟ୍ସ କ୍ୱିଜ୍କୁ ନିକଟରେ ଆରମ୍ଭ କରା ଯାଇଥିଲା, ଯେଉଁଥିରେ ପଚରା ଯାଇଥିବା ପ୍ରଶ୍ନ ବାଜରା ଏବଂ ଏହାର ଉପକାରିତା ଉପରେ ଆଧାରିତ ଅଟେ ଏବଂ ଏହାକୁ ମଧ୍ୟ ଜବରଦସ୍ତ ପ୍ରତିକ୍ରିୟା ମିଳିବାରେ ଲାଗିଛି। ଏହି ପ୍ରତିଯୋଗିତା ୨୦ ଅକ୍ଟୋବର ୨୦୨୨ରେ ସମାପ୍ତ ହେବ। ଏହାକୁ ୨୦ ରୁ ୩୦ ଅଗଷ୍ଟ, ୨୦୨୨ ମଧ୍ୟରେ ୫୭,୭୭୯ ପେଜ୍ ଭ୍ୟୁ (ଅର୍ଥାତ୍ ଏହି ପୃଷ୍ଠାକୁ ଲୋକ ଦେଖିଛନ୍ତି) ଏବଂ ଏହି ସମୟ ମଧ୍ୟରେ୧୦,୮୨୪ ପ୍ରବିଷ୍ଟି ପ୍ରାପ୍ତ ହୋଇଛି।

ବାଜରାର ମହତ୍ୱ ଉପରେ ଏକ ଅଡିଓ ଗୀତ ଏବଂ ବୃତ ଚିତ୍ର ପ୍ରସ୍ତୁତି ନିମନ୍ତେ ମଧ୍ୟ ଏକ ପ୍ରତିଯୋଗିତା ଖୁବ୍ ଶୀଘ୍ର ଆରମ୍ଭ କରାଯିବ।

ଅନ୍ତର୍ଜାତୀୟ ବାଜରା ବର୍ଷ ୨୦୨୩ ନିମନ୍ତେ ଲୋଗୋ ଏବଂ ସ୍ଲୋଗାନ ପ୍ରତିଯୋଗିତା ପୂର୍ବରୁ ଆୟୋଜିତ କରା ଯାଇ ସାରିଛି ଏବଂ ଏହାର ବିଜେତା ମାନଙ୍କର ନାମ ସମ୍ପର୍କରେ ଖୁବ୍ ଶୀଘ୍ର ଘୋଷଣା କରାଯିବ। ଭାରତ ସରକାର ଖୁବ୍ ଶୀଘ୍ର ଅନ୍ତର୍ଜାତୀୟ ବାଜରା ବର୍ଷ ୨୦୨୩ର ମହତ୍ୱପୂର୍ଣ୍ଣ ଅବସରକୁ ଚିହ୍ନିତ କରିବା ନିମନ୍ତେ ଲୋଗୋ ଏବଂ ସ୍ଲୋଗାନ ଜାରି କରିବେ।

ପୃଷ୍ଠଭୂମି :

ମିଳିତ ଜାତିସଂଘର ସାଧାରଣ ସଭା ୨୦୨୩କୁ ଅନ୍ତର୍ଜାତୀୟ ବାଜରା ବର୍ଷ ରୂପରେ ଘୋଷିତ କରିଛି। ଏହା ସଂଯୁକ୍ତ ରାଷ୍ଟ୍ରର ଏକ ପ୍ରସ୍ତାବ ଦ୍ୱାରା ଗ୍ରହଣ କରା ଯାଇଥିଲା, ଯାହାର ନେତୃତ୍ୱ ଭାରତ ନେଇଥିଲା ଏବଂ ୭୦ରୁ ଅଧିକ ଦେଶ ଏହାକୁ ସମର୍ଥନ କରିଥିଲେ। ଏହା ସାରା ବିଶ୍ୱରେ ବାଜରାର ମହତ୍ୱ, ଦୀର୍ଘକାଳୀନ କୃଷିରେ ଏହାର ଭୂମିକା ଏବଂ ଏକ ଉତ୍ତମ ଏବଂ ଚମତ୍କାର ଖାଦ୍ୟ ରୂପରେ ଏହାର ଉପକାରିତା ସମ୍ପର୍କରେ ସଚେତନତାକୁ ବ୍ୟାପକ କରିବା ନିମନ୍ତେ ସହାୟତା କରିବ। ଭାରତ ୧୭୦ ଲକ୍ଷ ଟନ୍ରୁ ଅଧିକ ଉତ୍ପାଦନ ସହିତ ବାଜରାର ବିଶ୍ୱ ସ୍ତରୀୟ କେନ୍ଦ୍ର ହେବା ଦିଗରେ ଅଗ୍ରସର ହେଉଛି ଏବଂ ଏହା ଏସିଆରେ ଉତ୍ପାଦିତ ବାଜରାର ୮୦ ପ୍ରତିଶତରୁ ଅଧିକ ଉତ୍ପାଦନ କରିଥାଏ।

ଏହି ଖାଦ୍ୟଶସ୍ୟ ଗୁଡିକର ବ୍ୟବହାର ସମ୍ପର୍କରେ ତଥ୍ୟ ସର୍ବ ପ୍ରଥମେ ସିନ୍ଧୁ ସଭ୍ୟତାରୁ ମିଳିଥିଲା ଏବଂ ଏହା ଖାଦ୍ୟ ନିମନ୍ତେ ବ୍ୟବହାର କରା ଯାଉଥିବା ପ୍ରାଥମିକ ପର୍ଯ୍ୟାୟର ଗଛ ଗୁଡିକ ମଧ୍ୟରୁ ଗୋଟିଏ ଥିଲା। ଏହା ପାଖାପାଖି ୧୩୧ ଦେଶ ଗୁଡିକରେ ଚାଷ କରା ଯାଇଥାଏ ଏବଂ ଏସିଆ ଏବଂ ଆଫ୍ରିକାରେ ପ୍ରାୟ ୬୦ କୋଟି ଲୋକ ମାନଙ୍କର ଏହା ପାରମ୍ପରିକ ଖାଦ୍ୟ ଅଟେ।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ବଢିଚାଲିଛି ଜନସଂଖ୍ୟା, ୨୦୨୩ ସୁଦ୍ଧା ଚୀନକୁ ପଛରେ ପକାଇ ଭାରତ ହେବ ଏକ ନମ୍ବର

ନୂଆଦିଲ୍ଲୀ: ଆସନ୍ତା ବର୍ଷ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଭାବରେ ଭାରତ ଚୀନ୍‌କୁ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ମିଳିତ ଜାତିସଂଘର ଏକ ରିପୋର୍ଟରେ ସୋମବାର ଏହି ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ନଭେମ୍ବର ୨୦୨୨ ମଧ୍ୟଭାଗରେ ବିଶ୍ଵର ଜନସଂଖ୍ୟା ଆଠ ବିଲିୟନରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ଚାଇନା ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶ ଏବଂ ଆସନ୍ତା ବର୍ଷ ଭାରତ ଏହାକୁ ଅତିକ୍ରମ କରିବ।

ମିଳିତ ଜାତିସଂଘ ଦ୍ଵାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଜନସଂଖ୍ୟା ଅନୁଯାୟୀ ୨୦୨୩ ସୁଦ୍ଧା ଚୀନ୍‌କୁ ଭାରତ ଅତିକ୍ରମ କରିବ। ମିଳିତ ଜାତିସଂଘର ଜନସଂଖ୍ୟା ବିଭାଗର ଅର୍ଥନୈତିକ ଏବଂ ସାମାଜିକ ବ୍ୟାପାର ବିଭାଗ ଦ୍ୱାରା ‘ବିଶ୍ୱ ଜନସଂଖ୍ୟା ସମ୍ଭାବନା ୨୦୨୨’ ଶୀର୍ଷକ ରିପୋର୍ଟରେ କୁହାଯାଇଛି ଯେ ନଭେମ୍ବର ୧୫ ତାରିଖ ୨୦୨୨ ସୁଦ୍ଧା ବିଶ୍ଵର ଜନସଂଖ୍ୟା ଆଠ ବିଲିୟନରେ ପହଞ୍ଚିବ।

ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ଏହି ଅବସରରେ ମିଳିତ ଜାତିସଂଘ ରିପୋର୍ଟ କରିଛି ଯେ ନଭେମ୍ବର ୨୦୨୨ ମଧ୍ୟଭାଗରେ ବିଶ୍ଵର ଜନସଂଖ୍ୟା ୮ ବିଲିୟନରେ ପହଞ୍ଚିବ। ୧୯୫୦ ପରଠାରୁ ବିଶ୍ଵର ଜନସଂଖ୍ୟା ଧୀର ଗତିରେ ବଢୁଛି। ୨୦୨୦ରେ, ଜନସଂଖ୍ୟା ଅଭିବୃଦ୍ଧି ହାର ଏକ ପ୍ରତିଶତରୁ କମ୍ ହୋଇଛି। ମିଳିତ ଜାତିସଂଘର ସର୍ବଶେଷ ଆକଳନ ଅନୁଯାୟୀ ୨୦୩୦ ମସିହାରେ ବିଶ୍ଵ ଜନସଂଖ୍ୟା ପ୍ରାୟ ୮.୫ ବିଲିୟନ ଏବଂ ୨୦୫୦ ରେ ୯.୭ ବିଲିୟନ ବୃଦ୍ଧି ପାଇବ। ୨୦୮୦ ସୁଦ୍ଧା ଏହା ପ୍ରାୟ ୧୦.୪ ବିଲିୟନର ଶିଖରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

ବର୍ତ୍ତମାନ ଭାରତର ଜନସଂଖ୍ୟା କ’ଣ?:

ରିପୋର୍ଟ ଅନୁଯାୟୀ ୨୦୨୨ ମସିହାରେ ଭାରତର ଜନସଂଖ୍ୟା ୧୪୦ କୋଟି ୧୨ ଲକ୍ଷ ଥିବାବେଳେ ଚାଇନାର ଜନସଂଖ୍ୟା ୧୪୦ କୋଟି ୨୬ ଲକ୍ଷ ରହିଛି। ୨୦୨୩ ସୁଦ୍ଧା ଭାରତ ବିଶ୍ୱର ସବୁଠାରୁ ଜନସଂଖ୍ୟା ବିଶିଷ୍ଟ ଦେଶ ଭାବରେ ଚୀନକୁ ଅତିକ୍ରମ କରିବ

Categories
ବିଶେଷ ଖବର

ମିଳିତ ଜାତିସଂଘ ପକ୍ଷମାନଙ୍କର ସମ୍ମିଳନୀରେ ୧୫ତମ ଅଧିବେଶନକୁ ସମ୍ବୋଧିତ କଲେ ଭୂପେନ୍ଦ୍ର ଯାଦବ

ନୂଆଦିଲ୍ଲୀ: ଆମକୁ ଧାରଣ କରି ରଖିଥିବା ଭୂମିର ସଂରକ୍ଷଣ ଆମ ସମସ୍ତଙ୍କର ଦାୟିତ୍ବ, ଏହାଦ୍ବାରା ଆମେ ବିଶ୍ବ ତାପମାତ୍ରା ବୃଦ୍ଧିର ନିରାକରଣ କରିପାରିବା। ଏହା କହିଛନ୍ତି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ଆଇଭରୀ କୋଷ୍ଟ ଠାରେ ମରୂଭୂମିକରଣ (ଡେଜର୍ଟିଫିକେସନ) ନିରାକରଣ ଲାଗି ମିଳିତ ଜାତିସଂଘ ପକ୍ଷମାନଙ୍କର ସମ୍ମିଳନୀ (ୟୁଏନସିସିଡି)ର ୧୫ତମ ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବାକୁ ସମସ୍ତଙ୍କୁ ଆହ୍ବାନ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଏହି ଅବସରରେ ଦୃଢ଼ ମତବ୍ୟକ୍ତ କରି କହିଥିଲେ ଯେ ଭୂମି ଅବକ୍ଷୟ ଲଗାତାର ଭାବେ ବଢ଼ି ବଢ଼ି ଚାଲିଛି। ତଥାପି ବିଶ୍ବବାସୀ ଉପଭୋଗ ଆଧାରିତ ଜୀବନଶୈଳୀ ଆପଣାଇଛନ୍ତି ଏବଂ ସେମାନେ ଭୂମିକୁ ଆହୁରି ଶୋଷଣ କରିବା ଲାଗି ଚାହୁଁଛନ୍ତି। ଶ୍ରୀ ଯାଦବ କହିଥିଲେ ଯେ, ‘‘ଆମ ସମସ୍ତଙ୍କୁ ଉପଭୋଗ ଆଧାରିତ ଦୃଷ୍ଟିକୋଣ ଠାରୁ ଦୂରେଇବାକୁ ପଡ଼ିବ। ୟୁଜ୍‌ ଆଣ୍ଡ୍‌ ଥ୍ରୋ (ବ୍ୟବହାର କରି ଫିଙ୍ଗିଦିଅ) ମାନସିକତା ପରିତ୍ୟାଗ କରିବାକୁ ହେବ।

ଭୂମି ଉପରେ ବିଶ୍ବ ତାପମାତ୍ରା ବୃଦ୍ଧିର ପ୍ରଭାବ ସମ୍ପର୍କରେ ବକ୍ତବ୍ୟ ରଖି ଶ୍ରୀ ଯାଦବ କହିଥିଲେ ଯେ ଉଭୟ ବିଶ୍ବବାସୀ ଏବଂ ପୃଥିବୀର ସୁରକ୍ଷା ପାଇଁ ଅଙ୍ଗାରକାମ୍ଳ ନିର୍ଗମନ କ୍ଷେତ୍ରରେ ବିକଶିତ ରାଷ୍ଟ୍ରମାନଙ୍କୁ ନେତୃତ୍ବ ନେବାକୁ ପଡ଼ିବ। ଐତିହାସିକ ଏବଂ ସାମ୍ପ୍ରତିକ ଦୃଷ୍ଟିରୁ ବିଶ୍ବ ତାପମାତ୍ରା ବୃଦ୍ଧି କ୍ଷେତ୍ରରେ ସେମାନଙ୍କର ଅଧିକ ଉତ୍ତରଦାୟିତ୍ବ ରହିଛି।

ଶ୍ରୀ ଯାଦବ କହିଥିଲେ ଯେ କୋଭିଡ ମହାମାରୀର ପ୍ରଭାବ କାରଣରୁ ବିଶ୍ବ ତାପମାତ୍ରା ବୃଦ୍ଧିର ମୁକାବିଲା ଆହୁରି ଅଧିକ ଜଟିଳ ହୋଇପଡ଼ିଛି। ଆର୍ଥିକ ଚାପ କାରଣରୁ ସାରା ବିଶ୍ବରେ ଜଳବାୟୁ କାର୍ଯ୍ୟାନୁଷ୍ଠାନ (କ୍ଲାଇମେଟ୍‌ ଆକ୍ସନ) କାର୍ଯ୍ୟ ବିଳମ୍ବିତ ହୋଇଛି। ଅନ୍ୟପଟେ ବିଶ୍ବ ଦ୍ରୁତ ଗତିରେ ଅବଶିଷ୍ଟ ଅଙ୍ଗାରକାମ୍ଳ ବଜେଟ୍‌କୁ ଉପଯୋଗ କରୁଛି, ଆମେ ଖୁବଶୀଘ୍ର ପ୍ୟାରିସ ଚୁକ୍ତିରେ ନିର୍ଦ୍ଧାରିତ ତାପମାତ୍ରା ସୀମାର ନିକଟବର୍ତ୍ତୀ ହୋଇଛୁ ଯାହାକି ତୃତୀୟ କାର୍ଯ୍ୟ ଗୋଷ୍ଠୀର ଆଇପିସିସି ରିପୋର୍ଟରେ ଦର୍ଶାଯାଇଛି।

୨୦୧୯ ପରଠାରୁ ଭାରତ ସିଓପିର ଅଧ୍ୟକ୍ଷତା କରିବା ପ୍ରସଙ୍ଗରେ ଶ୍ରୀ ଯାଦବ ସୂଚନା ଦେଇଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ଭୂମି ସଂରକ୍ଷଣ ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ନେଇଛି। ୨୦୩୦ ସୁଦ୍ଧା ୨୬ ନିୟୁତ ହେକ୍ଟର ଅବକ୍ଷୟ ହୋଇଥିବା ଜମିର ପୁନରୁଦ୍ଧାର ଲକ୍ଷ୍ୟ ହାସଲ ଦିଗରେ ଭାରତ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ଅନେକ ବୃହତ କାର୍ଯ୍ୟକ୍ରମ ଘୋଷଣା କରାଯିବା ସହିତ ବର୍ତ୍ତମାନ ଜାରି ରହିଥିବା ଯୋଜନାଗୁଡ଼ିକୁ ସୁଦୃଢ଼ କରାଯାଇଛି।

ସାରା ଦେଶରେ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତ ମୃତ୍ତିକା ସ୍ବାସ୍ଥ୍ୟ ଯାଞ୍ଚ କରୁଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ୨୦୧୫ରୁ ୨୦୧୯ ମଧ୍ୟରେ ୨୨୯ ନିୟୁତରୁ ଅଧିକ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଚାଷୀମାନଙ୍କୁ ବିତରଣ କରାଯାଇଛି। ଏହି କାର୍ଯ୍ୟକ୍ରମ ଯୋଗୁ ରାସାୟନିକ ସାର ବ୍ୟବହାର ୮-୧୦% ହ୍ରାସ ପାଇବା ସହିତ ଫସଲ ଉତ୍ପାଦକତା ୫-୬% ବୃଦ୍ଧି ପାଇଛି।

କେନ୍ଦ୍ର ମନ୍ତ୍ରୀ କହିଥିଲେ ବିଶ୍ବ ପୁନରୁଦ୍ଧାର ଫ୍ଲାଗସିପ୍‌ କାର୍ଯ୍ୟକ୍ରମ ପାଇଁ ଆହ୍ବାନ ପରେ ଭାରତ ସରକାର ୬ଟି ଫ୍ଲାଗଶିପ୍‌ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏସବୁ ଯୋଜନା ମାଧ୍ୟମରେ ୧୨.୫ ନିୟୁତ ହେକ୍ଟର ଅବକ୍ଷୟ ଭୂମିର ପୁନରୁଦ୍ଧାର ପାଇଁ ଲକ୍ଷ୍ୟ ରଖାଯାଇଛି। ଭାରତର ଗ୍ରାମୀଣ ଜୀବିକା କାର୍ଯ୍ୟକ୍ରମରେ ପ୍ରାକୃତିକ ସମ୍ବଳର ସଂରକ୍ଷଣ ଏବଂ ପୁନରୁଦ୍ଧାର ଉପରେ ଗୁରୁତ୍ବାରୋପ କରାଯାଇଛି।

ଶ୍ରୀ ଯାଦବ କହିଥିଲେ ଯେ, ବୃକ୍ଷରୋପଣ ଠାରୁ ଭୂମି ପରିବେଶର ପୁନରୁଦ୍ଧାର ଅଧିକ ଜରୁରି। ବିଜ୍ଞାନ ଓ ପ୍ରଯୁକ୍ତି ସହାୟତାରେ ଜନ ଆବଶ୍ୟକତା, ପ୍ରାଥମିକତା, ବିଶେଷଜ୍ଞତାକୁ ସମନ୍ବିତ କରିବା ଏବଂ ସ୍ଥାନୀୟ ଓ ସ୍ବଦେଶୀ ଜ୍ଞାନର ଶକ୍ତିକୁ ଏକୀକୃତ କରିବା ନିମନ୍ତେ ସେ ଆହ୍ବାନ କରିଥିଲେ। ବକ୍ତବ୍ୟ ଶେଷରେ ଭୂମି ସଂରକ୍ଷଣ ପାଇଁ ସାମୂହିକ ପ୍ରତିବଦ୍ଧତାକୁ କାର୍ଯ୍ୟକାରୀ କରିବା ଦିଗରେ ସବୁ ଦେଶ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଶ୍ରୀ ଯାଦବ ଆଶାବ୍ୟକ୍ତ କରିଥିଲେ।

ଆଇଭରୀ କୋଷ୍ଟ ଠାରେ ମରୂଭୂମିକରଣ (ଡେଜର୍ଟିଫିକେସନ) ନିରାକରଣ ଲାଗି ମିଳିତ ଜାତିସଂଘ ପକ୍ଷମାନଙ୍କର ସମ୍ମିଳନୀର ୧୫ତମ ଅଧିବେଶନ ୯ରୁ ୨୦ ମେ, ୨୦୨୨ ପର୍ଯ୍ୟନ୍ତ ଆୟୋଜିତ ହେଉଛି। ଏଥିରେ ବିଭିନ୍ନ ରାଷ୍ଟ୍ରର ସରକାରୀ ପ୍ରତିନିଧି, ଘରୋଇ କ୍ଷେତ୍ର, ନାଗରିକ ସମାଜର ନେତୃବର୍ଗମାନେ ଯୋଗ ଦେଇଛନ୍ତି। ମରୁଡ଼ି, ଭୂମି ସଂରକ୍ଷଣ, ଜମି ଅଧିକାର, ଲିଙ୍ଗ ସମାନତା, ଯୁବ ସଶକ୍ତିକରଣ ଆଦି ପ୍ରମୁଖ ବିଷୟ ଉପରେ ସମ୍ମିଳନୀରେ ଆଲୋଚନା ହେଉଛି। ସିଓପି ୧୫- ୟୁଏନସିସିଡିର ୧୯୭ଟି ପକ୍ଷ ରାଷ୍ଟ୍ର ଏହି ସମ୍ମିଳନୀରେ ବିଚାରବିମର୍ଶ ମାଧ୍ୟମରେ ଭୂମି ପୁନରୁଦ୍ଧାର ଏବଂ ମରୁଡ଼ି ମୁକାବିଲା ପାଇଁ ଦୀର୍ଘସ୍ଥାୟୀ ସମାଧାନ ସନ୍ଧାନ କରିପାରିବେ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଐତିହାସିକ ନିଷ୍ପତ୍ତିକ୍ରମେ ଅନ୍ତର୍ଜାତୀୟ ସୌର ମେଣ୍ଟକୁ ପର୍ଯ୍ୟବେକ୍ଷକ ମାନ୍ୟତା ଦେଲା ମିଳିତ ଜାତିସଂଘ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ସୌର ମେଣ୍ଟକୁ ପର୍ଯ୍ୟବେକ୍ଷକ ମାନ୍ୟତା ପ୍ରଦାନ କରାଯାଇଛି। ଏହାଫଳରେ ‘ଏକ ସୂର୍ଯ୍ୟ ଏକ ବିଶ୍ବ ଏକ ଗ୍ରୀଡ’କୁ ପ୍ରୋତ୍ସାହନ ମିଳିବ। ଏହା ବିଶ୍ବ ପାଇଁ ନ୍ୟାୟୋଚିତ ଇନ୍ଧନ ସମାଧାନ ପ୍ରସ୍ତୁତ କରିବାରେ ସହାୟକ ହେବ।

କେନ୍ଦ୍ର ଅକ୍ଷୟ ଶକ୍ତି ମନ୍ତ୍ରୀ ଆର.କେ ସିଂ ଏକ ଅଭିନନ୍ଦନ ଟୁଇଟରେ କହିଛନ୍ତି ଯେ, ମିଳିତ ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ସୌର ମେଣ୍ଟକୁ ପର୍ଯ୍ୟବେକ୍ଷକ ମାନ୍ୟତା ଦେବାର ଐତିହାସିକ ନିଷ୍ପତ୍ତି ମାନନୀୟ ପ୍ରଧାନମନ୍ତ୍ରୀଙ୍କର ‘ଏକ ସୂର୍ଯ୍ୟ ଏକ ବିଶ୍ବ ଏକ ଗ୍ରୀଡ ସଂକଳ୍ପ’କୁ ଆଗକୁ ବଢ଼ାଇବା ଦିଗରେ ଏକ ପ୍ରାରମ୍ଭିକ ପ୍ରୟାସ ହେବ। ଶ୍ରୀ ସିଂହ ଏହି ଅବସରରେ ଟୁଇଟ କରି କହିଥିଲେ ଯେ ଏହାଫଳରେ ସୌର ଇନ୍ଧନର ଉପଯୋଗ ମାଧ୍ୟମରେ ନ୍ୟାୟସଙ୍ଗତ ଓ ଉଚିତ୍‌ ଇନ୍ଧନ ସମାଧାନ ପ୍ରସ୍ତୁତ କରିବାର ପ୍ରୟାସକୁ ବିଶେଷ ପ୍ରୋତ୍ସାହନ ମିଳିବ।

ଶ୍ରୀ ସିଂହ ଏହା ମଧ୍ୟ କହିଲେ ଯେ ବିଶ୍ବ ସହଯୋଗ ମାଧ୍ୟମରେ ଶୂନ୍ୟ କାର୍ବନ ନିର୍ଗମନ ଲକ୍ଷ୍ୟକୁ ହାସଲ କରିବାରେ ଏଥିରୁ ଅତ୍ୟଧିକ ସହାୟତା ମିଳିବ।

ସେ ପୁଣିଥରେ ସୁନିଶ୍ଚିତ କରିଥିଲେ ଯେ ଭାରତ ବିଦ୍ୟୁତ ଇନ୍ଧନ ମିଶ୍ରଣରେ ଆରଇର ମହତ୍ବପୂର୍ଣ୍ଣ ଅଂଶଧନ ସୁନିଶ୍ଚିତ କରିବା ଜରିଆରେ ଏହି ମିଶନରେ ସକ୍ରିୟ ଯୋଗଦାନ ଦେଉଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ପାକ୍-ଚୀନ୍ କୁ ଆକ୍ରମଣ ସହ ଚାଣକ୍ୟଙ୍କ କଥା, ଜାଣନ୍ତୁ ମୋଦୀଙ୍କ ୟୁଏନଜିଏ ଭାଷଣର ଏହି ୧୦ ଟି ଗୁରୁତ୍ୱପୂର୍ଣ୍ଣ ବିଷୟ

ନୂଆଦିଲ୍ଲୀ: ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ର ୭୬ ତମ ଅଧିବେଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଥିଲେ। ଡିସେମ୍ବର ୨୦୧୯ ରେ କରୋନା ଜୀବାଣୁ ମହାମାରୀ ସାମ୍ନାକୁ ଆସିବା ପରେ ଏହା ହେଉଛି ପ୍ରଥମ ଅଧିବେଶନ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମ୍ବୋଧନରେ ଆତଙ୍କବାଦ, କୋଭିଡ -୧୯, ମିଳିତ ଜାତିସଂଘର ବିଶ୍ୱସନୀୟତା ଭଳି ସମସ୍ତ ପ୍ରସଙ୍ଗ ଉଲ୍ଲେଖ କରିଥିଲେ। ସେ ତାଲିବାନ ଦ୍ୱାରା ନିୟନ୍ତ୍ରିତ ଆଫଗାନିସ୍ତାନ ବିଷୟରେ ମଧ୍ୟ କହିଥିଲେ। ଆତଙ୍କବାଦ ଏବଂ ଆତଙ୍କବାଦୀ ଆକ୍ରମଣର ପ୍ରସାର ପାଇଁ ଆଫଗାନିସ୍ତାନର ମାଟି ବ୍ୟବହାର ନହେବାକୁ ନିଶ୍ଚିତ କରିବା ଆବଶ୍ୟକ ବୋଲି ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ ସେମାନଙ୍କ ନାମ ନ ରଖି ଚୀନ୍ ଏବଂ ପାକିସ୍ତାନକୁ ଟାର୍ଗେଟ କରିଥିଲେ।

ପଢନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୟୁଏନଜିଏ ଭାଷଣର ଏହି ୧୦ ଟି ଗୁରୁତ୍ୱପୂର୍ଣ୍ଣ ବିଷୟ:

୧- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଯେଉଁ ଦେଶ ଆତଙ୍କବାଦକୁ ରାଜନୈତିକ ଉପକରଣ ଭାବରେ ବ୍ୟବହାର କରୁଛନ୍ତି, ସେମାନଙ୍କୁ ବୁଝିବାକୁ ହେବ ଯେ ଆତଙ୍କବାଦ ସେମାନଙ୍କ ପାଇଁ ସମାନ ବିପଦ। ଆତଙ୍କବାଦ ଏବଂ ଆତଙ୍କବାଦୀ ଆକ୍ରମଣର ପ୍ରସାର ପାଇଁ ଆଫଗାନିସ୍ତାନର ମାଟି ବ୍ୟବହାର ନହେବା ନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମକୁ ସତର୍କ ରହିବାକୁ ପଡିବ ଯେ, କୌଣସି ଦେଶ ସେଠାରେ ଥିବା ସୂକ୍ଷ୍ମ ସ୍ଥିତିକୁ ଏହାର ସ୍ୱାର୍ଥ ପାଇଁ ଏକ ଉପକରଣ ଭାବରେ ବ୍ୟବହାର କରିବାକୁ ଚେଷ୍ଟା କରବା ଉଚିତ ନୁହେଁ।

୨- ମୁଁ ସେହି ଦେଶର ପ୍ରତିନିଧିତ୍ୱ କରୁଛି, ଯେଉଁ ଦେଶ ମଦର ଅଫ୍ ଡେମୋକ୍ରାସିର ଗୌରବ ଅର୍ଜନ କରିଛି। ଏହା ହେଉଛି ଭାରତର ଗଣତନ୍ତ୍ରର ଶକ୍ତି ଯେ, ଏକ ରେଳ ଷ୍ଟେସନର ଟି-ଷ୍ଟଲରେ ନିଜ ପିତାଙ୍କୁ ସାହାଯ୍ୟ କରିଥିବା ଏକ ଛୋଟ ପିଲା ଆଜି ଚତୁର୍ଥ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ୟୁଏନଜିଏ କୁ ସମ୍ବୋଧିତ କରୁଛି।

୩- ଚୀନ୍‌କୁ ସୂଚାଇ ସେ କହିଛନ୍ତି ଯେ, ଆମର ମହାସାଗର ମଧ୍ୟ ଆମର ସାଧାରଣ ଐତିହ୍ୟ। ତେଣୁ ଆମକୁ ମନେ ରଖିବାକୁ ହେବ ଯେ, ଆମେ ସାମୁଦ୍ରିକ ସମ୍ବଳ ବ୍ୟବହାର କରୁ, ଏହାର ଅପବ୍ୟବହାର ନୁହେଁ। ଆମର ସମୁଦ୍ର ମଧ୍ୟ ଆନ୍ତର୍ଜାତୀୟ ବାଣିଜ୍ୟର ଜୀବନ ଧାରା ଅଟେ। ଆମକୁ ସେମାନଙ୍କଠାରୁ ବିସ୍ତାରବାଦ ଦୌଡରୁ ରକ୍ଷା କରିବାକୁ ପଡ଼ିବ। ନିୟମ-ଆଧାରିତ ବିଶ୍ୱ ଶୃଙ୍ଖଳାକୁ ମଜବୁତ କରିବା ପାଇଁ ଅନ୍ତର୍ଜାତୀୟ ସମୁଦାୟକୁ ଏକ ସ୍ୱରରେ ସ୍ୱର ଉତ୍ତୋଳନ କରିବାକୁ ପଡ଼ିବ। ସୁରକ୍ଷା ପରିଷଦରେ ଭାରତର ସଭାପତିତ୍ଵ ସମୟରେ ହୋଇଥିବା ବ୍ୟାପକ ସହମତି, ସାମୁଦ୍ରିକ ସୁରକ୍ଷା ପ୍ରସଙ୍ଗରେ ବିଶ୍ୱକୁ ଆଗକୁ ବଢାଇଥାଏ।

୪- ଭାରତ ବିଶ୍ୱର ପ୍ରଥମ ଡିଏନ୍ଏ ଟିକା ବିକଶିତ କରିଛି, ଯାହା ୧୨ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ଦିଆଯାଇପାରିବ। ଅନ୍ୟ ଏକ m-RNA ଟିକା ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ଅଛି। ଭାରତର ବୈଜ୍ଞାନିକମାନେ ମଧ୍ୟ କରୋନାଙ୍କର ଏକ ନୋଜାଲ ଟିକା ତିଆରିରେ ନିୟୋଜିତ ଅଛନ୍ତି। ମାନବିକତା ପ୍ରତି ନିଜର ଦାୟିତ୍ଵକୁ ହୃଦୟଙ୍ଗମ କରି ଭାରତ ପୁଣି ଥରେ ଦୁନିଆର ଅଭାବୀ ଲୋକଙ୍କୁ ଟିକା ଦେବା ଆରମ୍ଭ କରିଛି। ମୁଁ ଆଜି ସାରା ବିଶ୍ୱରୁ ଟିକା ଉତ୍ପାଦନକାରୀଙ୍କୁ ନିମନ୍ତ୍ରଣ କରୁଛି।

୫- ଆଜି ଦୁନିଆର ପ୍ରତ୍ୟେକ ଷଷ୍ଠ ବ୍ୟକ୍ତି ଜଣେ ଭାରତୀୟ। ଯେତେବେଳେ ଭାରତୀୟମାନେ ଅଗ୍ରଗତି କରନ୍ତି, ଦୁନିଆର ବିକାଶ ମଧ୍ୟ ଗତିଶୀଳ ହୁଏ। ଯେତେବେଳେ ଭାରତ ବଢେ, ବିଶ୍ୱ ମଧ୍ୟ ବଢିଥାଏ। ଯେତେବେଳେ ଭାରତରେ ସଂସ୍କାର ଆସେ, ବିଶ୍ୱ ବଦଳିଯାଏ। ଭାରତରେ ଘଟୁଥିବା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ନବସୃଜନ ବିଶ୍ଵକୁ ବହୁତ ସାହାଯ୍ୟ କରିପାରିବ। ଆମର ବୈଷୟିକ ସମାଧାନର ମାପକାଠି ଏବଂ ସେମାନଙ୍କର କମ୍ ମୂଲ୍ୟ ଅତୁଳନୀୟ ଅଟେ।

୬- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଯଦି ମିଳିତ ଜାତିସଂଘ (ଜାତିସଂଘ) ଏହାର ପ୍ରାସଙ୍ଗିକତା ବଜାୟ ରଖିବାକୁ ଚାହୁଁଛି, ତେବେ ଏହାର ପ୍ରଭାବକୁ ସୁଦ୍ଧୃଢ କରିବା ଏବଂ ବିଶ୍ୱସନୀୟତା ବୃଦ୍ଧି କରିବା ଉଚିତ୍। ଚୀନ୍‌ରୁ ମିଳିଥିବା ତଥ୍ୟରେ ଅନିୟମିତତା ହେତୁ ବିଶ୍ୱ ବ୍ୟାଙ୍କର ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ ରିପୋର୍ଟକୁ ବାତିଲ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦୀ ଅନ୍ୟାନ୍ୟ ଘଟଣା ଉପରେ ଆଲୋକପାତ କରିଛନ୍ତି, ଯାହା ବିଭିନ୍ନ ବିଶ୍ୱ ଅନୁଷ୍ଠାନର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

୭- ମିଳିତ ଜାତିସଂଘର ସାଧାରଣ ସଭାର ୭୬ ତମ ଅଧିବେଶନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଭାରତର ମହାନ କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟଙ୍କ କଥା “କାଲାତି କ୍ରମାତ କାଲ ଏବଂ ଫଲମ ପିବତୀ” କୁ ଦୋହରାଇଛନ୍ତି। ଯେତେବେଳେ ସଠିକ୍ କାର୍ଯ୍ୟ ଠିକ୍ ସମୟରେ କରାଯାଏ ନାହିଁ, ସମୟ ସେହି କାର୍ଯ୍ୟର ସଫଳତାକୁ ମାରିଦିଏ। ସେ କହିଛନ୍ତି ଯେ ମିଳିତ ଜାତିସଂଘକୁ ନେଇ ଆଜି ସମସ୍ତ ପ୍ରକାର ପ୍ରଶ୍ନ ଉଙ୍କି ମାରୁଛି।

୮- ଭାରତର ଟିକା ବିତରଣ ପ୍ଲାଟଫର୍ମ – CO-WIN ଗୋଟିଏ ଦିନରେ କୋଟି କୋଟି ଟିକା ଡୋଜ ଦେବା ପାଇଁ ଡିଜିଟାଲ ସହାୟତା ଯୋଗାଉଛି। ‘ସେବା ପରାମୋ ଧର୍ମ’ରେ ରହୁଥିବା ଭାରତ ସୀମିତ ଉତ୍ସ ସତ୍ତ୍ୱେ ଟୀକାକରଣ ବିକାଶ ଏବଂ ଉତ୍ପାଦନରେ ବ୍ୟସ୍ତ ଅଛି। ମୁଁ ଆଜି ସାରା ବିଶ୍ୱରୁ ଟିକା ଉତ୍ପାଦନକାରୀଙ୍କୁ ଭାରତକୁ ନିମନ୍ତ୍ରଣ କରୁଛି।

୯- ପାନୀୟ ଜଳ ପ୍ରସଙ୍ଗରେ ସେ କହିଛନ୍ତି ଯେ, ଏହି ଆହ୍ଵାନକୁ ପୂରଣ କରିବା ପାଇଁ ୧୭ କୋଟି ପରିବାର ବିଶୁଦ୍ଧ ପାଇପ ଜଳ ପାଇପାରିବେ ବୋଲି ଭାରତ ଏକ ବିଶାଳ ଅଭିଯାନ ଚଳାଇଛି। ବହୁତ ସଂଖ୍ୟକ ଲୋକ ଅଛନ୍ତି, ଯେଉଁମାନଙ୍କର ଆଜି ବି ଜମି ଏବଂ ଘର ଉପରେ ସେମାନଙ୍କର ମାଲିକାନା ଅଧିକାର ନାହିଁ।

୧୦- ଗତ ସାତ ବର୍ଷ ମଧ୍ୟରେ ଭାରତ ୪୩ କୋଟି ଲୋକଙ୍କୁ ବ୍ୟାଙ୍କିଂ ସିଷ୍ଟମ ସହିତ ଯୋଡିଛି। ଆଜି, ୩୬ କୋଟି ଲୋକ ବୀମା କଭରେଜ ପାଇଛନ୍ତି ଯାହା ଏହା ପୂର୍ବରୁ କଳ୍ପନା କରିପାରିନଥିଲା। ସେ କହିଛନ୍ତି ଯେ ଡାକ୍ତରଖାନାରେ ୫୦ କୋଟି ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରି ଭାରତ ସେମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଆତଙ୍କବାଦୀଙ୍କ ଡ୍ରୋନ୍ ଆକ୍ରମଣ ପ୍ରସଙ୍ଗକୁ ମିଳିତ ଜାତିସଂଘରେ ଉଠାଇଲା ଭାରତ, ବିଶ୍ବକୁ କରାଇଲା ସତର୍କ

ନୂଆଦିଲ୍ଲୀ, ମିଳିତ ଜାତିସଂଘରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଡ୍ରୋନ୍ ବ୍ୟବହାର ପ୍ରସଙ୍ଗକୁ ଭାରତ ଉଠାଇଛି। ଡ୍ରୋନ୍ ସାହାଯ୍ୟରେ ଜାମ୍ମୁରେ ବାୟୁସେନା ବେସରେ ବିସ୍ଫୋରଣ ଘଟଣା ପରେ ଭାରତ ଏହି ପ୍ରସଙ୍ଗ ଉଠାଇଛି। ଭାରତ କହିଛି ଯେ ଡ୍ରୋନ୍ କମ୍ ମୂଲ୍ୟରେ ଏବଂ ସହଜରେ ଉପଲବ୍ଧ ଏବଂ ଆତଙ୍କବାଦୀ ଗୋଷ୍ଠୀ ଦ୍ବାରା ଗୁପ୍ତ ଖବର ସଂଗ୍ରହ, ବିସ୍ଫୋରକ ସାମଗ୍ରୀ ବିତରଣ ତଥା ଟାର୍ଗେଟିଂ ଆକ୍ରମଣ ପାଇଁ ବ୍ୟବହାର କରାଯାଉଛି।

ଆତଙ୍କବାଦୀ କାର୍ଯ୍ୟକଳାପରେ ଡ୍ରୋନ ବ୍ୟବହାର ସମଗ୍ର ବିଶ୍ୱରେ ସୁରକ୍ଷା ପାଇଁ ବିପଦ ପାଲଟିଛି। ଗୃହ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଭି.ଏସ.କେ କୌମୁଦି ଜାତିସଂଘ ସାଧାରଣ ପରିଷଦ ବୈଠକରେ ଏହା ଉପସ୍ଥାପନା କରିଛନ୍ତି। ଜାତିସଂଘର ଆତଙ୍କବାଦୀରୋଧ ରାଷ୍ଟ୍ର ସମୁହର ଉଚ୍ଚ ସ୍ତରୀୟ ସମ୍ମିଳନୀରେ ସମ୍ବୋଧିତ କରିବା ବେଳେ କୌମୁଦ ଏହା କହିଛନ୍ତି। ସେ କହିଛନ୍ତି ଯେ ରଣନୈତିକ ତଥା ବାଣିଜ୍ୟିକ ସମ୍ପତ୍ତି ବିରୋଧରେ ଆତଙ୍କବାଦୀ ଉଦ୍ଦେଶ୍ୟରେ ସଶସ୍ତ୍ର ଡ୍ରୋନର ବ୍ୟବହାର ସଦସ୍ୟ ରାଷ୍ଟ୍ରମାନଙ୍କ ପାଇଁ ଚିନ୍ତାର ବିଷୟ।

ଏଥିସହିତ ସେ କହିଛନ୍ତି ଯେ, ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡିଆ ଭଳି ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିର ଅପବ୍ୟବହାର, ନୂତନ ମୋଡ୍ ପେମେଣ୍ଟର ଅପବ୍ୟବହାର ଏବଂ ବିଭିନ୍ନ ଚ୍ୟାନେଲ ମାଧ୍ୟମରେ ଆତଙ୍କବାଦକୁ ପାଣ୍ଠି ଯୋଗାଇବା ଆତଙ୍କବାଦର ଗୁରୁତର ବିପଦ ଭାବରେ ଉଭା ହୋଇଛି।

ସ୍ୱତନ୍ତ୍ର ସଚିବ ଏହା ଉପରେ ଗୁରୁତ୍ୱ ଆରୋପ କରି କହିଛନ୍ତି ଯେ ଆତଙ୍କବାଦୀମାନଙ୍କୁ ସୁରକ୍ଷିତ ଆଶ୍ରୟ ଦେଉଥିବା ଲୋକଙ୍କ ବିରୋଧରେ ଅନ୍ତର୍ଜାତୀୟ ସମୁଦାୟ କାର୍ଯ୍ୟ କରିବା ଉଚିତ। ସେ ଅନ୍ତର୍ଜାତୀୟ ସମୁଦାୟକୁ କହିଛନ୍ତି ଯେ ପାକିସ୍ତାନର କେତେକ ଅଞ୍ଚଳରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମୟ ଆସିଛି।

ଜାମ୍ମୁର ବାୟୁସେନା ବେସରେ ହୋଇଥିବା ଡ୍ରୋନ୍ ଆକ୍ରମଣର ତଦନ୍ତକୁ କେନ୍ଦ୍ର ସରକାର ଜାତୀୟ ଅନୁସନ୍ଧାନ ଏଜେନ୍ସି-ଏନଆଇଏକୁ ହସ୍ତାନ୍ତର କରିଛନ୍ତି। ରାକେଶ ବାଲୱାଲଙ୍କ ନେତୃତ୍ୱରେ ଏହି ଏନଆଇଏ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ରବିବାର ସକାଳେ ଜାମ୍ମୁ ବିମାନବନ୍ଦରର ଉଚ୍ଚ ସୁରକ୍ଷା ବଳୟ ଅଞ୍ଚଳରେ ଦୁଇଟି ବିସ୍ଫୋରଣ ଘଟିଥିଲା। ରନୱେ ଭିତରେ ବିସ୍ଫୋରକ ଉପକରଣ ପକାଇବା ପାଇଁ ଡ୍ରୋନ୍ ବ୍ୟବହାର କରାଯାଇଥିଲା। ଏହି ବିସ୍ଫୋରଣରେ ଭାରତୀୟ ବାୟୁସେନାର ଦୁଇଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି। ବିସ୍ଫୋରଣରେ କୌଣସି ଯନ୍ତ୍ରାଂଶ କିମ୍ବା ବିମାନର କୌଣସି କ୍ଷୟକ୍ଷତି ହୋଇନାହିଁ।

Categories
ଆଜିର ଖବର ଜାତୀୟ ଖବର

ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ସମେତ କୋଭିଡ୍ ମୁକାବିଲା କ୍ଷେତ୍ରରେ ମାଲକାନଗିରି ଜିଲ୍ଲାର ଉଲ୍ଲେଖନୀୟ ସଫଳତାକୁ ପ୍ରଶଂସା

ଭୁବନେଶ୍ବର: ଏକ ନିରପେକ୍ଷ ରିପୋର୍ଟରେ, ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ଇଣ୍ଡିଆ ପକ୍ଷରୁ ଭାରତ ସରକାରଙ୍କ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ (ଏଡିପି)କୁ ପ୍ରଶଂସା କରାଯାଇଛି। ‘ସ୍ଥାନୀୟ ଅଞ୍ଚଳର ବିକାଶ ନିମନ୍ତେ ଏହାକୁ ଏକ ଅତ୍ୟନ୍ତ ସଫଳ ମଡେଲ’ ଭାବେ ଅଭିହିତ କରାଯାଇଛି। ଏଥିସହିତ ବିଭିନ୍ନ କାରଣରୁ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକରେ ବିକାଶ ସ୍ଥିତିରେ ରହିଥିବା ଆଞ୍ଚଳିକ ତାରତମ୍ୟକୁ ଦୂର କରିବା ନିମନ୍ତେ ଶ୍ରେଷ୍ଠ କାର‌୍ୟ୍ୟକ୍ରମ ଭାବେ ଏହାର ଅନୁକରଣ କରିବା ଲାଗି ସୁପାରିସ କରାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ ଏଡିପି ଅନ୍ତର୍ଗତ କରାଯାଇଥିବା ଲକ୍ଷ୍ୟବଦ୍ଧ ପ୍ରୟାସ ଫଳରେ ଉପାନ୍ତ ଅଞ୍ଚଳ ତଥା ବାମପନ୍ଥୀ ଉଗ୍ରବାଦ କବଳିତ ଜିଲ୍ଲାଗୁଡ଼ିକ ସମେତ ପୂର୍ବରୁ ଅବହେଳିତ ହୋଇ ରହିଥିବା ଜିଲ୍ଲାଗୁଡ଼ିକରେ ବିଗତ ତିନି ବର୍ଷ ମଧ୍ୟରେ ପୂର୍ବାପେକ୍ଷା ଅଧିକ ବିକାଶ ଓ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମର ରୂପାୟନରେ ଅନେକ ବାଧା ରହିଥିଲେ ସୁଦ୍ଧା ଏପିଡି ପଛୁଆ ଜିଲ୍ଲାଗୁଡ଼ିକରେ ବିକାଶକୁ ଦ୍ରୁତ ଗତିରେ ଆଗେଇ ନେବାରେ ବ୍ୟାପକ ଭାବେ ସଫଳ ହୋଇପାରିଛି।

ଏହି ରିପୋର୍ଟକୁ ଆଜି ୟୁଏନଡିପି ଇଣ୍ଡିଆର ଆବାସିକ ପ୍ରତିନିଧି ଶୋକୋ ନୋଡା ନୀତି ଆୟୋଗ ଉପାଧ୍ୟକ୍ଷ ଡ. ରାଜୀବ କୁମାର ଓ ସିଇଓ ଅମିତାଭ କାନ୍ତଙ୍କୁ ହସ୍ତାନ୍ତର କରିଥିଲେ। ଏଥିରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ଅଗ୍ରଗତିକୁ ସାମିଲ କରାଯାଇଛି ଏବଂ ଏଥିରେ ଅଧିକ ସୁଧାର ସୁପାରିସ କରାଯାଇଛି। ଏହି ରିପୋର୍ଟରେ ସର୍ବସାଧାରଣରେ ଉପଲବ୍ଧ ତଥ୍ୟର ପରିମାଣାମାତ୍ମକ ବିଶ୍ଳେଷଣ ସହିତ ଜିଲ୍ଲାପାଳ, କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ, ଜିଲ୍ଲା ପ୍ରତିନିଧି ଏବଂ ଅନ୍ୟ ବିକାଶ ଭାଗିଦାରଙ୍କ ସମେତ ବିଭିନ୍ନ ଅଂଶୀଦାରମାନଙ୍କର ସାକ୍ଷାତକାର ରହିଛି।
ଏଡିପିର ପାଞ୍ଚଟି ପ୍ରମୁଖ କ୍ଷେତ୍ର-ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ; ଶିକ୍ଷା; କୃଷି ଓ ଜଳସମ୍ପଦ; ମୌଳିକ ଭିତ୍ତିଭୂମି; ଏବଂ ଦକ୍ଷତା ବିକାଶ ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ-ରେ କରାଯାଇଥିବା ୟୁଏନଡିପିର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଏହିସବୁ ଜିଲ୍ଲାରେ ବିକାଶକୁ ତ୍ୱରାନ୍ବିତ କରିବା କ୍ଷେତ୍ରରେ ଏହି କାର‌୍ୟ୍ୟକ୍ରମ ଏକ ଉତପ୍ରେରକ ଭାବେ କାର‌୍ୟ୍ୟ କରିଛି। ରିପୋର୍ଟରେ କୁହାଯାଇଛି, ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ, ଶିକ୍ଷା ଏବଂ କିଛି ଦୂର ପର୍ଯ୍ୟନ୍ତ, କୃଷି ଓ ଜଳ ସମ୍ପଦ, କ୍ଷେତ୍ରରେ ବ୍ୟାପକ ସୁଧାର ଦେଖାଦେଇଛି, ଅନ୍ୟ ସଙ୍କେତକଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ସୁଧାର ପରିଲକ୍ଷିତ ହୋଇଥିଲେ ସୁଦ୍ଧା ଏଥିରେ ଅଧିକ ସୁଧାର ପାଇଁ ସମ୍ଭାବନା ରହିଛି।

ଆକାଂକ୍ଷୀ ଜିଲ୍ଲା ଓ ସେମାନଙ୍କର ପ୍ରତିପକ୍ଷ ସାଧାରଣ ଜିଲ୍ଲାଗୁଡ଼ିକ ମଧ୍ୟରେ ଏକ ତୁଳନାରୁ ଜଣାପଡ଼ିଥାଏ ଯେ ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ଅଣ-ଆକାଂକ୍ଷୀ ଜିଲ୍ଲା ତୁଳନାରେ ବେଶ୍ ଆଗେଇ ପାରିଛନ୍ତି। ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ଏବଂ ଆର୍ଥିକ ଅନ୍ତର୍ଭୂକ୍ତିକରଣ କ୍ଷେତ୍ରରେ ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ଦକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା ୯.୬% ପ୍ରସବ ଘରେ ସମ୍ପାଦିତ ହୋଇଛି; ଗୁରୁତର ଆନିମିଆ ଥିବା ୪.୫%ରୁ ଅଧିକ ଗର୍ଭବତୀ ମହିଳାଙ୍କର ଚିକିତ୍ସା କରାଯାଇଛି; ୪.୮% ଡାଇରିଆ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା କରାଯାଇପାରିଛି; ୪.୫%ରୁ ଅଧିକ ଗର୍ଭବତୀଙ୍କୁ ଗର୍ଭଧାରଣର ପ୍ରଥମ ତିନି ମାସ ମଧ୍ୟରେ ପ୍ରସବ ପୂର୍ବବର୍ତ୍ତୀ ଚିକିତ୍ସା ପ୍ରଦାନ କରାଯାଇପାରିଛି।

ପ୍ରତି ଏକ ଲକ୍ଷ ଜନସଂଖ୍ୟା ମଧ୍ୟରୁ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅନ୍ତର୍ଗତ ଯଥାକ୍ରମେ ୪୦୬ ଓ ୮୪୭ରୁ ଅଧିକ ପଞ୍ଜୀକରଣ ଏବଂ ୧୫୮୦ରୁ ଅଧିକ ଆକାଉଣ୍ଟ ଖୋଲାଯାଇପାରିଛି। ଆକାଂକ୍ଷୀ ଜିଲ୍ଲାର ସବୁଠୁ ଶ୍ରେଷ୍ଠ ପଦକ୍ଷେପ ଭାବେ ୟୁଏନଡିପି ପକ୍ଷରୁ ‘ମାଲେରିଆ ମୁକ୍ତ ବସ୍ତର ଅଭିଯାନ’ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ଅଭିଯାନ ଅନ୍ତର୍ଗତ ଛତିଶଗଡ଼ର ବିଜାପୁର ଓ ଦନ୍ତେଓ୍ବାଡ଼ା ଜିଲ୍ଲାରେ ମ୍ୟାଲେରିଆ ସଂକ୍ରମଣକୁ ଯଥାକ୍ରମେ ୭୧% ଓ ୫୪% ପର‌୍ୟ୍ୟନ୍ତ ହ୍ରାସ କରାଯାଇପାରିଛି।

ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ଭଳି କାର‌୍ୟ୍ୟକ୍ରମ ଉପରେ ନିରନ୍ତର ଗୁରୁତ୍ୱ ଦିଆଯିବା କାରଣରୁ କୋଭିଡ ଭଳି ସଙ୍କଟକୁ ଅଧିକ କ୍ଷମତାର ସହିତ ମୁକାବିଲା କରିବାରେ ସେମାନଙ୍କୁ ସହାୟତା ମିଳିପାରିଥିବା ଜିଲ୍ଲାଗୁଡ଼ିକ ସ୍ବୀକାର କରିଛନ୍ତି। ଉଦାହରଣସ୍ୱରୂପ ଓଡ଼ିଶାର ମାଲକାନଗିରି ଜିଲ୍ଲା, ଯାହାକି ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ଖୁବ୍ ନିକଟରେ ରହିଛି। ଲକଡାଉନର ପ୍ରାରମ୍ଭିକ ସମୟରେ ଏହା ବହୁ ପ୍ରବାସୀ ଶ୍ରମିକମାନଙ୍କର ପ୍ରବେଶ ପଥ ପାଲଟିଥିଲା। ଜିଲ୍ଲା ଅଧିକାରୀମାନେ ଦାବି କରିଛନ୍ତି ଯେ ପ୍ରବାସୀମାନଙ୍କ ପାଇଁ ସେମାନଙ୍କର ନୂଆ ଭିତ୍ତିଭୂମିକୁ ସେମାନେ ସଂସ୍ଥାଗତ କ୍ବାରେଣ୍ଟାଇନ କେନ୍ଦ୍ର ଭାବେ ଉପଯୋଗ କରିଛନ୍ତି। ବାସ୍ତବ ସମୟ ତଥ୍ୟର ଅନୁଧ୍ୟାନ, ସରକାରୀ କାର‌୍ୟ୍ୟକ୍ରମ ଓ ଯୋଜନା ମଧ୍ୟରେ ସମନ୍ୱୟ ଏବଂ ଆକାଂକ୍ଷୀ ଜିଲ୍ଲା କାର‌୍ୟ୍ୟକ୍ରମର ଲାଭ ଅଧିକ ମାତ୍ରାରେ ପ୍ରାପ୍ତ କରିବା କାରଣରୁ ଏହି କାର‌୍ୟ୍ୟକ୍ରମ ଅଧିକ ସଫଳ ହୋଇଥିବା କୁହାଯାଇଛି।

ଏହି ରିପୋର୍ଟରେ ମଧ୍ୟ ଏହି କାର‌୍ୟ୍ୟକ୍ରମର ଅଭିନବ ସହଭାଗୀ ପ୍ରକୃତିକୁ ପ୍ରଶଂସା କରାଯାଇଛି। ଏଥିରେ ରାଜ୍ୟ ଓ ସ୍ଥାନୀୟ ସରକାର, ବିକାଶ ସହଭାଗୀ ଓ ନାଗରିକଙ୍କ ସମେତ ସମସ୍ତ ଅଂଶୀଦାରମାନଙ୍କୁ ସାଥୀରେ ନେଇ ନିର୍ଦ୍ଧାରିତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହାସଲ କରିବାର ବ୍ୟବସ୍ଥା ରହିଛି। ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଯାହା ଜିଲ୍ଲା ଆୟୁକ୍ତମାନଙ୍କୁ ସେମାନଙ୍କର ନିର୍ଦ୍ଦିଷ୍ଟ ଜିଲ୍ଲାରେ ପଞ୍ଚାୟତ, ଧାର୍ମିକ ଓ ଗୋଷ୍ଠୀ ନେତା ଓ ବିକାଶ ସହଭାଗୀମାନଙ୍କୁ ସାଥୀରେ ନେଇ ‘ଏକ ଦୃଢ଼ କୋଭିଡ-୧୯ ମୁକାବିଲା ଭିତ୍ତିଭୂମି ନିର୍ମାଣ କରିବା ଓ ଉତ୍ତମ ସମନ୍ୱୟର ସହିତ କାର‌୍ୟ୍ୟ କରି ମହାମାରୀର ମୁକାବିଲା କରିବା’ ଲାଗି ସମର୍ଥ କରିଛି।

ଏହି କାର୍ଯ୍ୟକ୍ରମ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ, ଦେଶର ଶୀର୍ଷ ନେତୃତ୍ୱ ପ୍ରଦର୍ଶନ କରିଥିବା ଉଲ୍ଲେଖନୀୟ ପ୍ରତିବଦ୍ଧତାକୁ ରିପୋର୍ଟରେ ପ୍ରଶଂସା କରାଯାଇଛି। ଏହି କାର‌୍ୟ୍ୟକ୍ରମ ୨୦୧୮ରେ ଆରମ୍ଭ କରାଯାଇଥିଲା, ସେବେଠାରୁ ପ୍ରଧାନମନ୍ତ୍ରୀ ନିୟମିତ ଭାବେ କ୍ଷେତ୍ରୀୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ଲାଗି ଜିଲ୍ଲାପାଳମାନଙ୍କୁ ଉତ୍ସାହିତ ଓ ଅନୁପ୍ରାଣିତ କରି ଆସୁଛନ୍ତି।

ଏଡିପିର ଦୃଷ୍ଟିକୋଣ ୩ଉ ‘କନଭର୍ଜେନ୍ସ, କମ୍ପିଟିସନ ଓ କୋଲାବରେସନ’ ଅର୍ଥାତ୍ ସମନ୍ୱୟ, ପ୍ରତିଦ୍ୱନ୍ଦ୍ୱିତା ଓ ସହଯୋଗ’ ବିଷୟରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସାକ୍ଷାତକାର ଦେଇଥିବା ଅଧିକାଂଶ ଲୋକ ସମନ୍ୱୟର ମହତ୍ୱ ଉପରେ ଜୋର ଦେଇଛନ୍ତି ଯାହାକି କାର‌୍ୟ୍ୟକ୍ରମର ଲକ୍ଷ୍ୟ ହାସଲ କରିବା ଲାଗି ସମକାଳୀନ ଯୋଜନା ଓ ଶାସନ ଦିଗରେ ମିଳିତ ଭାବେ କାମ କରିବାକୁ ପ୍ରୋତ୍ସାହନ ଦେଇଥାଏ। ସେହିପରି ମଧ୍ୟ ଏହି କାର‌୍ୟ୍ୟକ୍ରମର ଲକ୍ଷ୍ୟ ହାସଲ କରିବା ଲାଗି ଉନ୍ନତ ଅନୁଧ୍ୟାନ ଓ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଦେବାରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ଦିଗର ଯଥେଷ୍ଟ ଭୂମିକା ରହିଥିବା ଦର୍ଶାଯାଇଛି। ଏହା ଜିଲ୍ଲାଗୁଡ଼ିକ ପାଇଁ ନିଜର ପ୍ରୟାସକୁ ଉନ୍ନତ କରିବା ଓ ପ୍ରଗତି ଉପରେ ଦୃଷ୍ଟି ରଖିବା ଲାଗି ଏକ ପ୍ରେରକ ଭାବେ କାମ କରିଛି।

ଏହି କାର୍ଯ୍ୟକ୍ରମ ଜିଲ୍ଲାଗୁଡ଼ିକର ବୈଷୟିକ ଓ ପ୍ରଶାସନିକ କ୍ଷମତାକୁ ସୁଦୃଢ଼ କରିଛି। ତେବେ ‘ଆକାଂକ୍ଷୀ ଜିଲ୍ଲା ପ୍ରତିନିଧି କିମ୍ବା ବୈଷୟିକ ସହାୟକୁ ୟୁନିଟ୍ ସମଗ୍ର ଜିଲ୍ଲାରେ ନିୟୋଜିତ କରିବା କିମ୍ବା ବୈଷୟିକ ବିଶେଷଜ୍ଞତା, ଦକ୍ଷତା ପ୍ରଶିକ୍ଷଣ ଆଦି ଯୋଗାଇ ଦେବା ନିମନ୍ତେ ବିକାଶମୂଳକ ସହଭାଗୀଙ୍କ ସହିତ ସହଭାଗିତା ସ୍ଥାପନ କରିବା ଭଳି ସମର୍ପିତ କର୍ମଚାରୀଙ୍କୁ ନିୟୋଜିତ କରିବା ସମେତ’ କ୍ଷମତା ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବା ନିମନ୍ତେ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ରିପୋର୍ଟରେ ଏହି କାର‌୍ୟ୍ୟକ୍ରମର ଚାମ୍ପିଅନ୍ସ ଅଫ ଚେଞ୍ଜ ଡ୍ୟାଶବୋର୍ଡରେ ପ୍ରଦାନ କରାଯାଇଥିବା ଡେଲ୍ଟା ରାଙ୍କିଙ୍ଗକୁ ପ୍ରଶଂସା କରାଯାଇଛି। ଏହା ଦ୍ୱାରା ପ୍ରତିଯୋଗିତା ଏବଂ ଗତିଶୀଳ ସଂସ୍କୃତିକୁ ପ୍ରୋତ୍ସାହନ ମିଳିଛି। ଫଳରେ ଦୁର୍ବଳ ପ୍ରଦର୍ଶନ କରୁଥିବା ଅନେକ ଜିଲ୍ଲା (ବେସଲାଇନ ରାଙ୍କିଙ୍ଗ ଅନୁଯାୟୀ) ବିଗତ ତିନି ବର୍ଷ ମଧ୍ୟରେ ନିଜର ସ୍ଥିତି ସୁଧାର କ୍ଷେତ୍ରରେ ଆଗକୁ ବଢ଼ିପାରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଝାଡ଼ଖଣ୍ଡର ସିମଡେଗା, ଉତ୍ତର ପ୍ରଦେଶର ଚନ୍ଦୌଲି ଓ ସୋନଭଦ୍ର ଏବଂ ମଧ୍ୟପ୍ରଦେଶର ରାଜଗଡ଼ ଏହି କାର‌୍ୟ୍ୟକ୍ରମ ଆରମ୍ଭ କରାଯିବା ପରେ ସବୁଠୁ ଅଧିକ ପ୍ରଗତିଶୀଳ ଜିଲ୍ଲାଗୁଡ଼ିକ ମଧ୍ୟରେ ସାମିଲ ହୋଇପାରିଛନ୍ତି।
ରିପୋର୍ଟରେ ଏହି କାର‌୍ୟ୍ୟକ୍ରମ ଅନ୍ତର୍ଗତ ଆରମ୍ଭ କରାଯାଇଥିବା ଯୋଜନାଗୁଡ଼ିକୁ ସର୍ବୋତ୍ତମ ପ୍ରଥା ଭାବେ ଉଲ୍ଲେଖ କରାଯାଇଛି। ଏଥିମଧ୍ୟରୁ ଗୋଟିଏ ଯୋଜନା ହେଉଛି ଗୋଲ୍ ମାର୍ଟ। ଏହା ଏକ ଇ-କମର୍ସ ପୋର୍ଟାଲ ଯାହାକୁ ଆସାମର ଗୋଲପାରା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି। ଜିଲ୍ଲାର ଗ୍ରାମୀଣ, ଜାତୀୟ ଏବଂ କୃଷି ଉତ୍ପାଦଗୁଡ଼ିକୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହାର ଆରମ୍ଭ କରାଯାଇଥିଲା।

ଏହି ପଦକ୍ଷେପ ବିଶେଷ ଭାବେ କୋଭିଡ-୧୯ ଜନିତ ଲକଡାଉନ ସମୟରେ ବିଶେଷ ସହାୟକ ସାବ୍ୟସ୍ତ ହୋଇଛି। ଏହା କୃଷକ ଓ ଖୁଚୁରା ବିକ୍ରେତାମାନଙ୍କୁ ଅଫଲାଇନ ଦୋକାନର କବଳରୁ ମୁକ୍ତ କରି ଦେଇଛି। ଗୋଲପାରାର କଳା ଚାଉଳ ଏହି ପୋର୍ଟାଲରେ ସବୁଠୁ ପସନ୍ଦଯୋଗ୍ୟ ଉତ୍ପାଦ ମାନ୍ୟତା ପାଇଛି। ଏହା କୃଷକମାନଙ୍କ ପାଇଁ ବିଶେଷ ଲାଭଦାୟକ ସାବ୍ୟସ୍ତ ହୋଇଛି। ସେହିପରି ଉତ୍ତର ପ୍ରଦେଶର ଚନ୍ଦୌଲି ଜିଲ୍ଲା ବିଶ୍ୱ ବଜାରରେ କଳା ଚାଉଳ ବିଶେଷ ଚାହିଦା ଓ ଭଲ ଲାଭ ମାର୍ଜିନକୁ ଦେଖି ଏହାର ପରୀକ୍ଷାମୂଳକ ଚାଷ ପାଇଁ ନିଷ୍ପତ୍ତି ନେଇଛି। ଏହି ପ୍ରକଳ୍ପ ସଫଳ ହୋଇଛି ଏବଂ ଏବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଉଚ୍ଚଗୁଣବତ୍ତା ଯୁକ୍ତ କଳା ଚାଉଳ ରପ୍ତାନି କରାଯାଉଛି।

ଆହ୍ୱାନ ଓ ପରାମର୍ଶଗୁଡ଼ିକ କ୍ଷେତ୍ରରେ ରିପୋର୍ଟରେ କୁହାଯାଇଛି ଯେ କେତେଜଣ ଅଂଶୀଦାରମାନେ ଏପରି କିଛି ସଙ୍କେତକଗୁଡ଼ିକୁ ସଂଶୋଧନ କରିବା ଉପରେ ଆଲୋକପାତ କରିଛନ୍ତି ଯେଉଁଗୁଡ଼ିକ ଅଧିକାଂଶ ଜିଲ୍ଲାରେ ସମ୍ପୂର୍ଣ୍ଣ କରାଯାଇପାରିଛି ଅଥବା ସମ୍ପୂର୍ଣ୍ଣ ହେବା ପାଖାପାଖି ପହଞ୍ଚିଯାଇଛନ୍ତି। ଉଦାହରଣ ସ୍ୱରୂପ, ମୌଳିକ ଭିତ୍ତିଭୂମିର ସଙ୍କେତକ ରୂପରେ ଘରଗୁଡ଼ିକର ବିଦ୍ୟୁତକରଣ ଆଦି। ଏହା ମଧ୍ୟ ଜଣାପଡ଼ିଛି ଯେ ହାରାହାରୀ ଦୃଷ୍ଟିରୁ ପ୍ରାୟତଃ ଜିଲ୍ଲାରେ ନମନୀୟତା ବୃଦ୍ଧି ପାଇଛି ଏବଂ ଦୁର୍ବଳତା ହ୍ରାସ ପାଇଛି। କିନ୍ତୁ ସବୁଠୁ କମ ସୁଧାର ହୋଇଥିବା ଜିଲ୍ଲାଗୁଡ଼ିକରେ ଦୁର୍ବଳତା ବୃଦ୍ଧି ପାଇଛି। ସେଥିପାଇଁ ଅଧିକ ଦୁର୍ବଳ ପ୍ରଦର୍ଶନ କରିଥିବା ଜିଲ୍ଲାଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ଆକାଂକ୍ଷୀ ଜିଲ୍ଲା କାର‌୍ୟ୍ୟକ୍ରମ ଜଣେ ହେଲେ ବ୍ୟକ୍ତିଙ୍କୁ ପଛରେ ନଛାଡ଼ିବା ସିଦ୍ଧାନ୍ତ ଆଧାରରେ ପ୍ରସ୍ତୁତ କରାଯାଇଛି ଯାହାକି ଏସଡିଜିର ଗୁରୁତ୍ୱପୂର୍ଣ୍ଣ ଆଧାର। ଶୀର୍ଷସ୍ତରରେ ରାଜନୈତିକ ପ୍ରତିବଦ୍ଧତାର ପରିଣାମସ୍ୱରୂପ ଏହି କାର୍ଯ୍ୟକ୍ରମକୁ ଦ୍ରୁତଗତିରେ ସଫଳତା ମିଳିଛି।

ମୋଟାମୋଟି ଭାବେ ଦେଖିଲେ, ରିପୋର୍ଟରେ ଏହି କାର୍ଯ୍ୟକ୍ରମର ସକାରାତ୍ମକ ପ୍ରଭାବକୁ ପ୍ରଶଂସା କରାଯାଇଛି। ଏଥିସହିତ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପ୍ରୋତ୍ସାହନ ଦେବା ଏବଂ ବର୍ତ୍ତମାନସୁଦ୍ଧା ପ୍ରାପ୍ତ ବିକାଶର ଗତିକୁ ବଜାୟ ରଖିବାକୁ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ରିପୋର୍ଟରେ ଜୋର ଦିଆଯାଇଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ‘ମୂଲ୍ୟାଙ୍କନର ନିଷ୍କର୍ସ ଆଧାରରେ ଏହି ସୁପାରିସ କରାଯାଉଛି ଯେ ଏହି କାର୍ଯ୍ୟକ୍ରମର ସଫଳତାକୁ ଆଗକୁ ନିଆଯାଉ ଏବଂ ଅନ୍ୟ କ୍ଷେତ୍ର ଓ ଜିଲ୍ଲାରେ ଏହାକୁ ଅନୁସରଣ କରାଯାଉ’।

ଜାନୁଆରୀ ୨୦୧୮ରେ ପ୍ରଧାନମନ୍ତ୍ରୀ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ନାଗରିକମାନଙ୍କ ଜୀବନ ସ୍ତରକୁ ଉନ୍ନତ କରିବା ଏବଂ ସମସ୍ତଙ୍କ ପାଇଁ ‘ସବକା ସାଥ, ସବକା ବିକାଶ’ ସୁନିଶ୍ଚିତ କରିବା ଲାଗି ସରକାରଙ୍କ ପ୍ରୟାସ ଅନ୍ତର୍ଗତ ଏହାର ପ୍ରାରମ୍ଭ ହୋଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ମିଳିତ ଜାତିସଂଘରେ ଭାରତକୁ ମିଳିଲା ଗୁରୁ ଦାୟିତ୍ଵ: ତିନୋଟି ସମିତିରେ କରିବ ଅଧ୍ୟକ୍ଷତା

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଭାରତକୁ ମିଳିଛି ଗୁରୁ ଦାୟିତ୍ଵ। ୨୦୨୨ରେ ଆତଙ୍କବାଦ ନିରୋଧି ସମିତର ଅଧ୍ୟକ୍ଷତା ଭାରତ କରିବ। ଭାରତ ମିଳିତ ଜାତିସଂଘର ଗୁରୁତ୍ୱପୂର୍ଣ୍ଣ ୩ଟି ସମିତିରେ ଅଧ୍ୟକ୍ଷତା କରିବ। ଏନେଇ ବର୍ତ୍ତମାନ ମିଳିତ ଜାତିସଙ୍ଘର ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ଟି.ଏସ୍. ତ୍ରିମୂର୍ତ୍ତି କହିଛନ୍ତି ଯେ, ଭାରତ ଅଧ୍ୟକ୍ଷତା କରିବାକୁ ଥିବା ତିନି ସମିତି ଭାରତ ପାଇଁ ସମସ୍ତ କ୍ଷେତ୍ର ବେଶ୍ ଗୁରୁତ୍ୱପୂର୍ଣ୍ଣ।

ଉଲ୍ଲେଖ ଯୋଗ୍ୟ ଯେ, ଆତାଙ୍କବାଦ ଲାଗି ଭାରତ ଅଧିକ କ୍ଷତିଗ୍ରସ୍ତ ହେଉଛି। ଆତଙ୍କବାଦ ଯୋଗୁଁ ଭାରତ ବିଶ୍ଵରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛି। ତେଣୁ ଆତଙ୍କବାଦ ବିରୋଧରେ ଭାରତ ଜାରି ରଖିଥିବା ଲଢ଼େଇକୁ ଏହା ଦ୍ଵାରା ଅଧିକ ବଳ ଦେବ ବୋଲି ଆଶା କରାଯାଉଛି।