୨୦୨୪ ରେ ମଧ୍ୟ ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବ: ମିଳିତ ଜାତିସଂଘ

Published: Jan 5, 2024, 3:26 pm IST

ନୂଆଦିଲ୍ଲୀ: ମିଳିତ ଜାତିସଂଘ କହିଛି ଯେ, 2024 ମସିହାରେ ମଧ୍ୟ ଦ୍ରୁତ ଗତିରେ ଭାରତୀୟ ଅର୍ଥନୀତି ବୃଦ୍ଧି ପାଇବ। ମିଳିତ ଜାତିସଂଘ ଅନୁଯାୟୀ, 2024 ରେ ଭାରତର ଅଭିବୃଦ୍ଧି ହାର 6.2 ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଶକ୍ତିଶାଳୀ ଘରୋଇ ଚାହିଦା ଏବଂ ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି, ଏହି ଅଭିବୃଦ୍ଧି ପୂର୍ବାନୁମାନ ହାସଲ କରିବାରେ ସାହାଯ୍ୟ କରିବ।

ମିଳିତ ଜାତିସଂଘର WESP 2024 ରିପୋର୍ଟ ଗୁରୁବାର ଦିନ ପ୍ରକାଶ ପାଇଛି, ଯାହା ଅନୁଯାୟୀ ଭାରତରେ ଦ୍ରୁତ ଅଭିବୃଦ୍ଧି ହେତୁ ଦକ୍ଷିଣ ଏସିଆର ମୋଟ ଘରୋଇ ଉତ୍ପାଦ (ଜିଡିପି) 2024 ରେ 5.2 ପ୍ରତିଶତ ହାରରେ ଅଭିବୃଦ୍ଧି ଦେଖାଇବ। ଜାତିସଂଘ ଏହାର ରିପୋର୍ଟରେ କହିଛି ଯେ ବଡ ଅର୍ଥନୀତି ଥିବା ଦେଶମାନଙ୍କ ମଧ୍ୟରେ ଭାରତ ଦ୍ରୁତ ଗତିରେ ବିକାଶ କରୁଛି। ରିପୋର୍ଟ ଅନୁଯାୟୀ, 2024 ମସିହାରେ ଭାରତର ଜିଡିପି 6.2 ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି, ଯାହା 2023 ମସିହାର ଆକଳନଠାରୁ ସାମାନ୍ୟ କମ୍ ଅଟେ। ଜାତିସଂଘ 2023 ରେ ଜିଡିପି 6.3 ପ୍ରତିଶତ ହେବ ବୋଲି ଆକଳନ କରିଥିଲା। କିନ୍ତୁ ରିପୋର୍ଟ ଅନୁଯାୟୀ, 2025 ରେ ଜିଡିପି 6.6 ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।

ଗ୍ଲୋବାଲ୍ ଇକୋନୋମିକ୍ ଡିଭିଜନ୍ ମନିଟରିଂ ବ୍ରାଞ୍ଚ, ଅର୍ଥନୈତିକ ବିଶ୍ଳେଷଣ ଏବଂ ନୀତି ବିଭାଗ (ୟୁଏନ୍ ଡିଏସ୍ଏ) ର ମୁଖ୍ୟ ହମିଦ ରସିଦ କହିଛନ୍ତି ଯେ କେବଳ ଚଳିତ ବର୍ଷ ନୁହେଁ ଗତ କିଛି ବର୍ଷ ମଧ୍ୟରେ ଅନ୍ୟ ଅର୍ଥନୀତି ତୁଳନାରେ ଭାରତୀୟ ଅର୍ଥନୀତି ଭଲ ପ୍ରଦର୍ଶନ କରିଛି। ସେ କହିଛନ୍ତି ଯେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର କ୍ରମାଗତ ଭାବରେ 6 ପ୍ରତିଶତରୁ ଅଧିକ ରହିଆସିଛି ଏବଂ ଆମେ ଅନୁମାନ କରୁଛୁ ଏହା 2024 ଏବଂ 2025 ରେ ମଧ୍ୟ ଜାରି ରହିବ। ସେ କହିଛନ୍ତି ଯେ, ଭାରତରେ ମୁଦ୍ରାସ୍ଫୀତି ଅଧିକ ରହିଛି, ତଥାପି ସୁଧ ହାରକୁ ବୃଦ୍ଧି କରିବା ପାଇଁ ଭାରତର ଆବଶ୍ୟକତା ନାହିଁ ଏବଂ ମୁଦ୍ରାସ୍ଫୀତି ହ୍ରାସ ପାଇଛି।

Related posts