Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବୈଶ୍ୱିକ ମାନ୍ୟତା ଲାଭ କରିଛି: ଶ୍ରୀ ଭୂପେନ୍ଦ୍ର ଯାଦବ

ନୂଆଦିଲ୍ଲୀ: କେନ୍ଦ୍ର ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ ଭାରତ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବୈଶ୍ୱିକ ମାନ୍ୟତା ଲାଭ କରିଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା, ଇନୋଭେସନ ବା ନବସୃଜନ ଏବଂ ଟେକ୍‌ନୋଲୋଜି କ୍ଷେତ୍ରରେ ଭାରତର ନେତୃତ୍ୱକୁ ସମଗ୍ର ବିଶ୍ୱ ଏବେ ସ୍ୱୀକୃତି ପ୍ରଦାନ କରୁଛି।

ବିଶ୍ୱରେ ଭାରତର ପ୍ରଭାବ ଓ ପ୍ରତିଷ୍ଠା ବୃଦ୍ଧି ସଂକ୍ରାନ୍ତ ଏକ ସାମ୍ବାଦିକ ସମ୍ମଳିନୀରେ ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଯେ ଭାରତ ମାତ୍ର ୬୧୫ କୋଟି ଟଙ୍କା ଖର୍ଚ୍ଚ କରି ସଫଳତାର ସହିତ ବିଶ୍ୱର ପ୍ରଥମ ଦେଶଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ôଚପାରିଛି। ଭାରତ ଯେଉଁ ଚନ୍ଦ୍ରଯାନ-୩  ଅଭିଯାନ ଚଳାଇଥିଲା ଏହା ତାହାର ସବୁଠୁ ବଡ ଉପଲବ୍‌ଧି। ଏହି ସଫଳତା ସହିତ ଭାରତ ଏ କ୍ଷେତ୍ରରେ ଆତ୍ମନିର୍ଭରତା ହାସଲ କରିଛି। ପୂର୍ବରୁ ଭାରତ ଚନ୍ଦ୍ର ଅଭିଯାନରେ ଆନ୍ତର୍ଜାତିକ ସହଯୋଗ ଲୋଡୁଥିଲା। ଚନ୍ଦ୍ରଯାନ-୩ ସେହି ବାହ୍ୟ ନିର୍ଭରଶୀଳତାର ଅବସାନ ଘଟାଇ ଆତ୍ମ ନିର୍ଭରଶୀଳ ହୋଇପାରିଛି। ଭାରତର ଚନ୍ଦ୍ରଯାନ ନିଜସ୍ୱ କାରିଗରୀ  ଜ୍ଞାନକୌଶଳ ଓ ଉଦ୍ୟମରେ ଚନ୍ଦ୍ର ପୃଷ୍ଠର ସବୁଠୁ ସମସ୍ୟା ବହୁଳ ଅଞ୍ଚଳ ଦକ୍ଷିଣ ମେରୁରେ ସଫଳତାର ସହିତ ଅବତରଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ଦୂରଦୃଷ୍ଟି ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କରିଛନ୍ତି।

କୋଭିଡ ମହାମାରୀର ସଫଳ ମୁକାବିଲା କରି ଭାରତ କିପରି ସମଗ୍ର ବିଶ୍ୱକୁ ଚକିତ କଲା ସେ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ଶ୍ରୀ ଯାଦବ ଏହି ଅବସରରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ କୋଭିଡ ମହାମାରୀ ଯେତେବେଳେ ବ୍ୟାପିଲା ସମଗ୍ର ବିଶ୍ୱ ଭାବିଲା ଯେ ଏହାର ପ୍ରଭାବରେ ଭାରତ ଭୁଶୁଡି ପଡିବ। ଭାରତ କିନ୍ତୁ କୋଭିଡ ମହାମାରୀରେ ଭୁଶୁଡି ପଡି ନ ଥିଲା; ବରଂ ଏହାର ସଫଳ ମୁକାବିଲା କରି ସାରା ପୃଥିବୀ ପାଇଁ ଉଦାହରଣ ସୃଷ୍ଟି କଲା।

ଭାରତ କେବଳ ବିଶ୍ୱର ସର୍ବବୃହତ କୋଭିଡ୍ ଟିକାକରଣ ଅଭିଯାନ ସଫଳତାର ସହ ସମ୍ପନ୍ନ କରି ନ ଥିଲା, ଖୁବ୍ କମ୍ ସମୟରେ ଅତି ଦ୍ରୁତ ଗତିରେ ଦେଶର ସବୁ ଲୋକଙ୍କୁ ଟିକା ଦେଇ ଏହା ବିଶ୍ୱରେ ଏକ ରେକର୍ଡ ପ୍ରତିଷ୍ଠା କରିଥିଲା। ଏ କ୍ଷେତ୍ରରେ ଆହୁରି କିଛି ଅଧିକ କଥା ଥିଲା। ଲୋକଙ୍କୁ ଦିଆଯାଇଥିବା କରୋନା ଟିକା ମଧ୍ୟ ଭାରତରେ ତିଆରି ହୋଇଥିଲା। ନିଜ ଦେଶର ଆବଶ୍ୟକତା ପୂରଣ କରି ଭାରତ “ଭ୍ୟାକ୍ସିନ ମୈତ୍ରୀ” କାର୍ଯ୍ୟକ୍ରମରେ ବିଶ୍ୱରେ ଅନେକ ଦେଶକୁ କରୋନା ଟିକା ଯୋଗାଇ ଦେଇଥିଲା। ଏହି କାର୍ଯ୍ୟକ୍ରମରେ ବିଶ୍ୱର ୧୦୦ରୁ ଅଧିକ ଦେଶ ଉପକୃତ ହୋଇଥିଲେ ବୋଲି ମନ୍ତ୍ରୀ ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି।

କୋଭିଡ ମହାମାରୀର ସଫଳ ମୁକାବିଲା କରିବା ପରେ ବିଶ୍ୱସ୍ତରରେ ଭାରତ ଯେଉଁ ପ୍ରଶଂସା ପାଇଥିଲା ସେ ବିଷୟରେ ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଯେ ସେଥିରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ବା ‘ହୁ’ର ପ୍ରଶଂସାମୂଳକ ଉକ୍ତି। ‘ହୁ’ କହିଥିଲା- “ଏକ ପ୍ରସ୍ତୁତ ଭାରତର ଅର୍ଥ ଏକ ପ୍ରସ୍ତୁତ ପୃଥିବୀ।”

ଭାରତର ଅର୍ଥନୀତିକ ଶକ୍ତି ଓ ସାମର୍ଥ୍ୟ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଯେ କୋଭିଡ ସମୟରେ ଏକ ଆଶଙ୍କା ପ୍ରକାଶ ପାଇଲା ଯେ ଏହି ମହାମାରୀ ପରେ ଭାରତର ଅର୍ଥନୀତି ଭୁଶୁଡି ପଡିବ । ମାତ୍ର ସେ ଆଶଙ୍କା ଭୁଲ ପ୍ରମାଣିତ ହେଲା । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବଳିଷ୍ଠ ନେତୃତ୍ୱ ବଳରେ ଭାରତ ଏକ ସଂକଟକୁ ଏକ ସୁଯୋଗରେ ପରିଣତ କରିବାରେ ସଫଳ ହେଲା । କୋଭିଡ-୧୯ ବିରୋଧରେ ଭାରତର ସଫଳ ଲଢେଇକୁ ସମଗ୍ର ବିଶ୍ୱ ପ୍ରଶଂସା କଲା । ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌), ବିଶ୍ୱ ବ୍ୟାଙ୍କ ଓ ଅନ୍ୟାନ୍ୟ ସଂସ୍ଥା ତଥା ସଂଗଠନ ଭାରତର ଅର୍ଥନୀତିକ ପୁନରୁଦ୍ଧାରକୁ ପ୍ରଶଂସା କରିଥିଲେ । କୋଭିଡ ଯୋଗୁଁ ଯେଉଁ  ଢଙ୍ଗରେ ଭାରତର ଅର୍ଥନୀତି ତଳମୁହାଁ ହୋଇଥିଲା ସେହି ଢଙ୍ଗରେ ପୁଣି ଉପର ମୁହାଁ ହେଲା । ଏହି ଅର୍ଥନୀତିକ ପୁନରୁଦ୍ଧାର ପ୍ରକ୍ରିୟାରେ ଭାରତ ଚୀନ ଓ ଆମେରିକାକୁ ମଧ୍ୟ ପଛରେ ପକାଇ ଦେଇଥିଲା । ଅନେକଙ୍କର ସନ୍ଦେହ ଥିଲା ଯେ ଭାରତର ଅର୍ଥନୀତିକ ପୁନରୁଦ୍ଧାର ୟୁ(U) ଆକାରରେ ହେବ; ମାତ୍ର ଭାରତ ଭି(V) ଆକାରର ଅର୍ଥନୀତିକ ପୁନରୁଦ୍ଧାର ହାସଲ କରି ସବୁ ସଂଶୟବାଦୀଙ୍କୁ ଚକିତ କରିଥିଲା ।

ମନ୍ତ୍ରୀ ଶ୍ରୀ ଯାଦବ ଆହୁରି କହିଛନ୍ତି ଯେ ସେତେବେଳେ ଭାରତର ଅର୍ଥନୀତିକ ସ୍ଥିତିର ପୁନରୁଦ୍ଧାରକୁ ମଧ୍ୟ ବିଶ୍ୱ ବ୍ୟାଙ୍କ ଓ ଆର୍ନ୍ତଜାତିକ ମୁଦ୍ରାପାଣ୍ଠି ଆଦି ପ୍ରଶଂସା କରିଥିଲେ । ସେମାନେ କହିଥିଲେ ଯେ ସମଗ୍ର ବିଶ୍ୱ କରୋନା ମହାମାରୀ ପରବର୍ତ୍ତୀ  ଆର୍ଥିକ ମାନ୍ଦାବସ୍ଥା ଓ ଗୁରୁତର ସ୍ଥିତି ଦେଇ ଗତି କରୁଥିବାବେଳେ ଭାରତ ତାହାର ଆର୍ଥିକ ପୁନରୁଦ୍ଧାର ଓ ଅଭିବୃଦ୍ଧିକୁ  ଜାରି ରଖି ସମଗ୍ର ଦୁନିଆ ପାଇଁ ଏକ ଉଜ୍ୱଳ ଉଦାହରଣ ପାଲଟିଥିଲା । “୨୦୨୨ରେ ଭାରତ ଏହାର ପୂର୍ବତନ ଉପନିବେଶବାଦୀ ଶାସକ ରାଷ୍ଟ୍ର ବ୍ରିଟେନକୁ ଜିଡିପି ଆଧାରରେ  ପଛରେ ପକାଇ ବିଶ୍ୱର ପଞ୍ଚ ମ ସର୍ବବୃହତ୍ ଅର୍ଥନୀତିରେ ପରିଣତ ହୋଇଥିଲା । ବିଶ୍ୱବ୍ୟାଙ୍କ ୨୦୨୩ -୨୪ରେ ଭାରତର ଜିଡିପି ଅଭିବୃଦ୍ଧି  ୬.୩ ଶତାଂଶ ହେବ ବୋଲି ଆକଳନ କରିଛି । ଭାରତର ଅଭିବୃଦ୍ଧି ନିରନ୍ତର ଭାବେ ବଢି ବଢି ଚାଲିଛି ଏବଂ ଆମେରିକା (୨.୧%), ଚୀନ (୪.୪.%), ୟୁରୋ ଜୋନ (୦.୭%)କୁ ପଛରେ ପକାଇଛି ବୋଲି ଶ୍ରୀ ଯାଦବ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ତଥ୍ୟ ଉଦ୍ଧାର କରି କହିଛନ୍ତି । ସେ କହିଛନ୍ତି ଯେ ଭାରତ ଏବେ ବିଶ୍ୱର ଏକ ମାନୁଫ୍ୟାକଚରିଂ ହବ୍‌ରେ ପରିଣତ ହେବାକୁ ଯାଉଛି । ସେଥି ପାଇଁ ସମସ୍ତଙ୍କ ନଜର ଭାରତ ଉପରେ ।

“ଆପଲ” କମ୍ପାନୀ ତାହାର ସର୍ବଶେଷ ବ୍ରାଣ୍ଡର ଆଇଫୋନ -୧୫ର ଉତ୍ପାଦନ ଭାରତରେ ଆରମ୍ଭ କରିଛି । ବାହାରୁ ଉପକରଣ ସବୁ ଅଣାଯାଇ ଭାରତରେ ଏହାକୁ ସମବେତ କରି ଏହି ଫୋନ ଉତ୍ପାଦନ କରାଯାଉଛି । ତାଇୱାନର ଫକ୍ସକନ୍ କମ୍ପାନୀ, ଭାରତରେ ବେଦାନ୍ତ କମ୍ପାନା ସହିତ ମିଶି  ଆମ ଦେଶରେ  ସେମିକଣ୍ଡକ୍ଟରା ନିର୍ମାଣ କରିବାକୁ ଉଦ୍ୟମ ଚଳାଇଛି। ୨୦୨୫ ସୁଦ୍ଧାଭାରତ ଜିଡିପିରେ ଜର୍ମାନୀକୁ ଅତିକ୍ରମ କରିବ ଏବଂ ୨୦୨୭ରେ ଜାପାନକୁ ପଛରେ ପକାଇ ବିଶ୍ୱର ତୃତୀୟ ସର୍ବବୃହତ୍ ଅର୍ଥନୀତିରେ ପରିଣତ ହୋଇ ଆମେରିକାର ଓ ଚୀନ ପଛକୁ ରହିବ ବୋଲି ଶ୍ରୀ ଯାଦବ କହିଛନ୍ତି ।

ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଯେ ଭାରତକୁ ୨୦୪୭ ସୁ୍‌ଦ୍ଧା ବିଶ୍ୱର ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶପଥ ନେଇଛନ୍ତି। ଦେଶର ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଅମୃତକାଳରେ ଭାରତ ଏହି ସଫଳତା ହାସଲ କରିବାର ଲକ୍ଷ୍ୟ ରଖିଛି ।

ଆନ୍ତର୍ଜାତିକ ବ୍ୟବସ୍ଥାରେ ଭାରତର ଭୂମିକାକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବ୍ୟକ୍ତିଗତ ଭାବେ ଅବଗତ । ନିଜର ଆଧ୍ୟାତ୍ମିକ ଓ ସାଂସ୍କୃତିକ  ଶକ୍ତି ବଳରେ ଭାରତ ବସୁଧୈବ କୁଟୁମ୍ବକମ୍ ନୀତିରେ ସମଗ୍ର ବିଶ୍ୱକୁ ଏକାଠି କରି ତାହାର ନେତୃତ୍ୱ ନେବାକୁ ଆଗ୍ରହୀ । ତେଣୁ ବିଶ୍ୱର ଲୋକଙ୍କୁ ସୁଖ ଶାନ୍ତିରେ ରଖିବାକୁ ନୀତି ଓ ବ୍ୟବସ୍ଥା ପ୍ରବର୍ତ୍ତନ ଉପରେ ଭାରତ ବୈଶ୍ୱିକ ସ୍ତରରେ ଉଦ୍ୟମ କରୁଛି । ପ୍ରଧାନମନ୍ତ୍ରୀଙ୍କର ବିଚାର, ଦୂରଦୃଷ୍ଟି ଓ ବିଶ୍ୱ ଭାବନା ସମଗ୍ର ପୃଥିବୀକୁ  ଅନୁପ୍ରାଣିତ କରିଥିବାବେଳେ ବିଦେଶରେ ରହିଥିବା ଭାରତୀୟମାନଙ୍କ ଆତ୍ମବିଶ୍ୱାସ ଓ ଆତ୍ମସମ୍ମାନ ମଧ୍ୟ ବଢିଛି । ମୋଦୀ ଏଭଳି ଏକ ସୁରକ୍ଷିତ ଓ ଭରସାଯୋଗ୍ୟ ଭାରତ ଗଠନ କରିବାକୁ ଚାହାନ୍ତି ଯେଉଁଠି ଏହା ନିଜକୁ ନିର୍ଣ୍ଣାୟକ ସ୍ଥିତିରେ ରଖି ବିଶ୍ୱର ପ୍ରମୁଖ ସମସ୍ୟାର ସ୍ଥାୟୀ ସମାଧାନ କରି ସମସ୍ତଙ୍କୁ ସୁଖଶାନ୍ତିରେ ରଖିବାକୁ ସମର୍ଥ ହୋଇପାରିବ । ଏ କ୍ଷେତ୍ରରେ ଭାରତ ପ୍ରୟାସକୁ ମଧ୍ୟ ସଫଳତା ମିଳୁଛି ବୋଲି ଶ୍ରୀ ଯାଦବ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଭାରତର କୋମଳ ଶକ୍ତି ଓ ସାଂସ୍କୃତିକ ଐତିହ୍ୟ ଏହାର ବୈଶ୍ୱିକ ପ୍ରଭାବ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଯୋଗ ଓ ଆୟୁର୍ବେଦ ଭଳି ଭାରତର ପ୍ରାଚୀନ ପରମ୍ପରା ବିଶ୍ୱବ୍ୟାପୀ ଲୋକପ୍ରିୟ  ହେବା ପଛରେ ରହିଛି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଏକନିଷ୍ଠ ଉଦ୍ୟମ । “ ନାଟୁ ନାଟୁ ଓ ଏଲିଫ୍ୟାଣ୍ଡ ହୁଇସପର”କୁ ଓସ୍କାର  ପୁରସ୍କାର ମିଳିବା ଭାରତୀୟ କୋମଳ ଶକ୍ତିର ଏକ ବଡ ବିଜୟ । ଏହାଛଡା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ଭାରତୀୟମାନେ  ଭାରତୀୟ ମୂଲ୍ୟବୋଧ, ବିଚାର ଓ ପରମ୍ପରାକୁ ପ୍ରୋତ୍ସାହିତ କରି ସାଂସ୍କୃତିକ ବିନିମୟକୁ ବଳ ଦେଉଛନ୍ତି ।

ସେ କହିଛନ୍ତି ଯେ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ବିଶ୍ୱସ୍ତରରେ ଦେଶର ପ୍ରଭାବ ଓ ପ୍ରତିଷ୍ଠାକୁ ବଢାଇଛନ୍ତି । ବିଶ୍ୱ ନେତାମାନଙ୍କ ଉପରେ ମୋଦୀଙ୍କ ପ୍ରଭାବ ବେଶ୍ ଭଲଭାବରେ ପଡିଛି । ସେମାନେ ସମସ୍ୱରରେ ମୋଦୀଙ୍କୁ ପ୍ରଶଂସା କରୁଛନ୍ତି ।

ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଯେ ବିଗତ ୧୦ ବର୍ଷ ମଧ୍ୟରେ ଦେଶର  ସବୁ ସ୍ତରରେ ଏକ ସକାରାତ୍ମକ ମନୋଭାବ ଉଦ୍ରେକ କରିବାରେ ଭାରତ ସଫଳ ହୋଇଛି । ଏବେ ଆମ ଯୁବବର୍ଗ ଚାକିରି ପ୍ରତ୍ୟାଶୀ ହେବା ପରିବର୍ତ୍ତେ ନିଯୁକ୍ତି ପ୍ରଦାନ କରୁଛନ୍ତି । ଦୈନିକ ନୂଆ ଷ୍ଟାର୍ଟଅପ୍ ପ୍ରତିଷ୍ଠା କରିବାରେ ଭାରତ ଏବେ ବିଶ୍ୱର ଏକ ନମ୍ବର । ଷ୍ଟାର୍ଟଅପ୍ ସଂଖ୍ୟା ଦୃଷ୍ଟିରୁ ଆମେ ଏବେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଅଛୁ । ବୃହତ୍ତମ ଷ୍ଟାର୍ଟଅପ୍ ପରିତନ୍ତ୍ର  ଦୃଷ୍ଟିରୁ ବିଶ୍ୱରେ ଭାରତର ସ୍ଥାନ ତୃତୀୟ । ଏବେ ସର୍ବାଧିକ ୟୁନିକର୍ଣ୍ଣ ପ୍ରତିଷ୍ଠା କ୍ଷେତ୍ରରେ ବିଶ୍ୱରେ ଭାରତର ସ୍ଥାନ ୩ ନମ୍ବର । ୨୦୨୧ରେ ଭାରତରେ ପ୍ରତି ୨୯ଦିନରେ ଗୋଟିଏ ୟୁନିକର୍ଣ୍ଣ ଗଠିତ ହେଉଥିଲା । ୨୦୨୨ରେ ଆମକୁ ଗୋଟିଏ ୟୁନିକର୍ଣ୍ଣ ଗଠନ କରିବାକୁ ମାତ୍ର ୯ ଦିନ ଲାଗିଲା ।

ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତ ଗ୍ରହଣ କରିଥିବା ପଦକ୍ଷେପ ଓ ତାହାର ମୁକାବିଲା ସମ୍ପର୍କରେ ସେ ମଧ୍ୟ କହିଥିଲେ ବିଶ୍ୱ ସ୍ତରରେ ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଭାରତ ଗ୍ରହଣ କରିଥିବା ନେତୃତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ । ଭାରତ ଏବେ ବିଶ୍ୱରେ ଅକ୍ଷୟ ଶକ୍ତି ଉତ୍ପାଦନ ଓ ବ୍ୟବହାର ବଢାଇବାକୁ ନେତୃତ୍ୱ ନେଇଛି । ୨୦୧୯ର ଗ୍ରୀନ ହାଉସ ଗ୍ୟାସ ଇନଭେନଟୋରୀ ମାଧ୍ୟମରେ ପରିବେଶ ସୁରକ୍ଷା କ୍ଷେତ୍ରରେ କାମ କରୁଛି । ଭାରତର ଉଦ୍ୟମ ଓ ନେତୃତ୍ୱରେ ଆନ୍ତର୍ଜାତିକ ସୌର ମେଣ୍ଟ , ଲିଡ-ଇଟ୍‌, ସିଡିଆର୍‌ଆଇ, ଆଇଆର୍‌ଆଇଏମ୍‌,ଗ୍ରୀନ କ୍ରେଡିଟ୍ ଇନସିଏଟିଭ ଓ ଆର୍ନ୍ତଜାତିକ ବ୍ୟାଘ୍ର ସୁରକ୍ଷା ମେଣ୍ଟକାର୍ଯ୍ୟ କରୁଛି । ୨୦୩୦ ସୁଦ୍ଧା ଯେଉଁ ପରିମାଣ ଅକ୍ଷୟଶକ୍ତି ଉତ୍ପାଦନ କରିବାର ଲକ୍ଷ୍ୟ ଭାରତ ଘୋଷଣା କରିଥିଲା ୨୦୨୦-୨୧ ସୁଦ୍ଧା ତାହାକୁ ପୂରଣ କରିପାରିଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ର ସଫଳ ମୁକାବିଲା, ବୈଶ୍ୱିକ ସହଯୋଗ ଓ ନିରନ୍ତର ବିକାଶ କ୍ଷେତ୍ରରେ ଆଜି ଯାହା ସବୁ ସଫଳତା ମିଳିଛି ତାହା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନିଷ୍ଠା, ଆଗ୍ରହ,ଦୂରଦୃଷ୍ଟି ଓ ଦିଗ୍‌ଦର୍ଶନ ଯୋଗୁଁ ସମ୍ଭବ ହୋଇଛି । ଜଳବାୟୁ ଓ ପରିବେଶ ସୁରକ୍ଷା ତାଙ୍କ କାର୍ଯ୍ୟସୂଚୀରେ ଅଗ୍ରାଧିକାର ପାଇଛି । ବିଶ୍ୱର ବିଭିନ୍ନ ପ୍ରାନ୍ତରରେ ଶାନ୍ତି ରକ୍ଷା ଉଦ୍ୟମରେ ଭାରତର ଭୂମିକା ସମ୍ପର୍କରେ ମଧ୍ୟ ମନ୍ତ୍ରୀ ଶ୍ରୀ ଯାଦବ ଏହି ଅବସରରେ ଆଲୋକପାତ କରିଛନ୍ତି ।

ସେ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟର କ୍ଷତିଗ୍ରସ୍ତ ଲୋକମାନଙ୍କୁ ତୁରନ୍ତ ରିଲିଫ ଓ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ଯୋଗାଇ ମାନବିକତାର ଏକ ନୂଆ ଉଦାହରଣ ସୃଷ୍ଟି କରିଛି । ବିିଭିନ୍ନ ସ୍ୱଳ୍ପ ବିକଶିତ ରାଷ୍ଟ୍ରଙ୍କୁ ମଧ୍ୟ ଭାରତ ଜେନେରିକ ଔଷଧ ଓ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛି । ଟେଲି ମେଡିସିନ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରି ସ୍ୱାସ୍ଥ୍ୟ କ୍ଷେତ୍ରର ସମସ୍ୟା ସମାଧନ କରିବାକୁ ଭାରତ ଉଦ୍ୟମ କରୁଛି ଏବଂ ଅନ୍ୟ ଦେଶକୁ ସାହାଯ୍ୟ ଯୋଗାଉଛି । ଯୁଦ୍ଧ ପ୍ରପୀଡିତ ଦେଶର ଲୋକଙ୍କୁ ଭାରତ ମାନବିକତା ଦୃଷ୍ଟିରୁ ରିଲିଫ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଆସୁଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ବନ ସୁରକ୍ଷା ସଂଶୋଧନ ବିଲ୍‌-୨୦୨୩ ଲୋକସଭାରେ ଅନୁମୋଦିତ 

ନୂଆଦିଲ୍ଲୀ: ବନ ସୁରକ୍ଷା ସଂଶୋଧନ ବିଲ୍‌-୨୦୨୩ ଆଜି ଲୋକସଭାର ଅନୁମୋଦନ ଲାଭ କରିଛି। ଏହି ବିଲ୍‌କୁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଲୋକସଭାରେ ଆଜି ଆଗତ କରିଥିଲେ। ଏହାକୁ ସଂସଦର ଯୁଗ୍ମ କମିଟି ବିଚାରକୁ ନେବା ପରେ ମନ୍ତ୍ରୀ ବିଲ୍‌କୁ ଅନୁମୋଦନ କରିବାକୁ ଗୃହର ଅନୁମତି ଲୋଡି ଥିଲେ। ବିଲ୍ ଉପରେ ସଦସ୍ୟମାନେ ଆଲୋଚନା କରିବା ପରେ ଏହା ଗୃହୀତ ହୋଇଥିଲା।

ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ୧୯୮୦ ବନ ସୁରକ୍ଷା ଆଇନ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏଥିରେ ସଂରକ୍ଷିତ ଜଙ୍ଗଲକୁ ଅଣ ସଂରକ୍ଷିତ କରିବା, ଜଙ୍ଗଲ ଜମିକୁ ଅଣ ଜଙ୍ଗଲ କାର୍ଯ୍ୟ ପାଇଁ କାମରେ ଲଗାଇବା, ଜଙ୍ଗଲ ଜମି ଲିଜ୍ ବା ଅନ୍ୟ ଆକାରରେ ଘରୋଇ ସଂସ୍ଥା/ ବ୍ୟକ୍ତି ବିଶେଷଙ୍କୁ ଦେବା ଏବଂ ଜଙ୍ଗଲାଞ୍ଚଳରେ  ପ୍ରାକୃତିକ ଭାବେ ଉଠିଥିବା ଗଛଲତାକୁ ସଫା କରି ନୂଆ ବନୀକରଣ କରିବା ଆଦି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଠାରୁ ଆଗୁଆ ଅନୁମତି ନେବାରେ ବ୍ୟବସ୍ଥା ଥିଲା। ପ୍ରାରମ୍ଭରେ ଏହି ଆଇନର ପ୍ରୟୋଗ ବିଭିନ୍ନ ପ୍ରକାର ଜଙ୍ଗଲ ଜମି ପାଇଁ ଭିନ୍ନ ଭିନ୍ନ ରହିଥିଲା। ୧୯୯୬ ଡିସେମ୍ବର ୧୨ ରାୟ ପରେ ଏହି ଆଇନ ରାଜସ୍ୱ ଜଙ୍ଗଲ ଜମି ରେକର୍ଡରେ ଜଙ୍ଗଲ ଜମି ଭାବେ ଉଲ୍ଲେଖ ଥିବା ଭୂମି କିମ୍ବା ଅଭିଧାନିକ ଭାବରେ ଜଙ୍ଗଲ ଭଳି ଦେଖାଯାଉଥିବା ଜମି ପାଇଁ ଏହି ଆଇନ ପ୍ରୟୋଗ କରାଗଲା।

ଏବେ ଅନେକ ଜଙ୍ଗଲ ଜମି ଘରବାଡି, ଗୃହନିର୍ମାଣ, ବସତି, ଅନୁଷ୍ଠାନ, ରାସ୍ତା ନିର୍ମାଣ ଆଦି କାମରେ ଲାଗିଛି। ସେଥିପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରାକ୍ ଅନୁମତି ନିଆଯାଉଛି । ଏହା ଫଳରେ ଜଙ୍ଗଲ ଜମି ଅଣ ଜଙ୍ଗଲ କାମରେ ବ୍ୟବହୃତ ହୋଇଥିଲେ ମଧ୍ୟ ଆଇନର ପ୍ରୟୋଗ ଓ କାର୍ଯ୍ୟ କରିବାରେ ଭିନ୍ନତା ଆସୁଛି। ବିଶେଷକରି ରେକର୍ଡଭୁକ୍ତ  ଜଙ୍ଗଲ ଜମି ଓ ବୃକ୍ଷରୋପଣ ତଥା ଉଦ୍ୟାନ କୃଷି ଆଦି କ୍ଷେତ୍ରରେ ଏହି ଆଇନର ପ୍ରୟୋଗ ଭିନ୍ନ ଭିନ୍ନ ହେଉଛି।

ତେବେ ଜଳବାୟୁ ପରବର୍ତ୍ତନ  ଓ ପ୍ରଦୂଷଣ ବୃଦ୍ଧି କାରଣରୁ ବେସରକାରୀ ଜାଗାରେ ବୃକ୍ଷରୋପଣ କରି ସବୁଜିମା ବଢାଇବା, ରେଳ ଓ ସଡକପଥ ନିର୍ମାଣ, ସୀମାନ୍ତରେ ସଡକ ନିର୍ମାଣ ଓ ବୃକ୍ଷରୋପଣ ଆଦି କାମରେ ଜଙ୍କଗ ଜମି ବ୍ୟବହାରରେ ପୁରୁଣା ଆଇନ କେତେକାଂଶରେ ବାଧା ସୃଷ୍ଟି କରୁଥିଲା । ତେଣୁ ସେଥିରେ ସ୍ପଷ୍ଟତା ଆଣିବା ଏବଂ ଜଙ୍ଗଲର ସୁରକ୍ଷାକୁ ଅଗ୍ରାଧିକାର ଦେବା ପାଇଁ ଏହି ସଂଶୋଧନ ଅଣାଯାଇଛି। ଏହି ସଂଶୋଧିତ ବିଲରେ  ଏହାର କାର୍ଯ୍ୟ ପରିସର ଓ ଅଧିକାର କ୍ଷେତ୍ର ବ୍ୟାପକ ହୋଇଛି। ଏଥିରେ ବନ ସଂରକ୍ଷଣ ଓ ସମ୍ବର୍ଦ୍ଧନ ଉଭୟ ଆଇନଗତ ମାନ୍ୟତା ପାଇଛି। ସର୍ବୋପରି ପୂର୍ବ ଆଇନରେ ଥିବା ସବୁ ଦ୍ୱନ୍ଦ୍ୱ ଓ ଅସ୍ପଷ୍ଟତାକୁ ସଂଶୋଧିତ ଆଇନରେ ଦୂର କରାଯାଇଛି। ସଂଶୋଧିତ ଆଇନରେ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ସରକାର ଜମିର କିସମ ବଦଳାଇ ଜଙ୍ଗଲ ଜମିକୁ ଅଣଜଙ୍ଗଲ କାମରେ ଲଗାଇ ପାରିବେ ଓ ଅଣଜଙ୍ଗଲ ଜମିରେ ବନୀକରଣ କରିପାରିବେ।

ଆହୁରି ମଧ୍ୟ ସଂଶୋଧିତ ଆଇନରେ ଜଙ୍ଗଲ ଜମିର ଅଣ ଜଙ୍ଗଲ ବ୍ୟବହାର ସ୍ଥଳ ବିଶେଷରେ କରିହେବ। ଏଥିପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଅନୁମତି ଅପରିହାର୍ଯ୍ୟ। ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜଙ୍ଗଲ ଜମିର ବ୍ୟବହାର କରିପାରିବେ। ଚିଡିଆଖାନା ନିର୍ମାଣ, ବନ୍ୟପ୍ରାଣୀ ପରିଚାଳନା ଆଦି କାମ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଜଙ୍ଗଲ ବିଭାଗ ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ଜଙ୍ଗଲ ଜମିକୁ ବ୍ୟବହାର କରିବାର ବାଟ ପରିସ୍କାର ହୋଇଛି। ଜଙ୍ଗଲାଞ୍ଚଳରେ ରହୁଥିବା ଲୋକ ନିଜର ଜୀବନଜୀବିକା ପାଇଁ ସମ୍ପୃକ୍ତ ଜଙ୍ଗଲ ଜମିକୁ ବ୍ୟବହାର କରିପାରିବେ। ତେବେ ସେମାନେ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କର କୌଣସି କ୍ଷତି କରିପାରିବେ ନାହିଁ।

ଏହି ସଂଶୋଧିତ ବିଲ୍‌ରେ ଜଙ୍ଗଲର ସଂରକ୍ଷଣ ଓ ସମ୍ବର୍ଦ୍ଦନ ବା ବୃଦ୍ଧି-ଉଭୟକୁ ଗୁରୁତ୍ୱ ଦିଆଯାଇଛି। ଏହା ଫଳରେ ଜଙ୍ଗଲର ଉତ୍ପାଦକତା ବଢିବ, ଜଙ୍ଗଲାଞ୍ଚଳ ବାହାରେ ଲୋକେ ଗଛ ଲଗାଇ କୃତ୍ରିମ ଜଙ୍ଗଲ ସୃଷ୍ଟି କରିପାରିବେ ଏବଂ ଲୋକଙ୍କୁ  ଜୀବିକା ଯୋଗାଣ ସହିତ ଜଙ୍ଗଲ ସୁରକ୍ଷା ବ୍ୟବସ୍ଥା ସୁଦୃଢ ହୋଇପାରିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦୁଝର ଠାରେ ଇପିଏଫଓ ଆଞ୍ଚଳିକ କାର୍ଯ୍ୟାଳୟକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ

ଭୁବନେଶ୍ଵର/ନୂଆଦିଲ୍ଲୀ: କେନ୍ଦୁଝର ଠାରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫଓର ଆଞ୍ଚଳିକ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟାଳୟକୁ ଲୋକାର୍ପଣ କରାଯାଇଥିଲା। ଏଥିସହିତ କେନ୍ଦ୍ର ମନ୍ତ୍ରୀଙ୍କ ଦ୍ୱାରା ଇପିଏଫଓ ସଦସ୍ୟମାନଙ୍କର ଲାଭ ଓ ସୁବିଧା ପାଇଁ ଇ-ପାସବୁକ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏହାଦ୍ୱାରା ସଦସ୍ୟମାନେ ଗ୍ରାଫିକ୍ସ ମାଧ୍ୟମରେ ସେମାନଙ୍କ ଆକାଉଣ୍ଟର ବିବରଣୀ ଦେଖିପାରିବେ। ଶ୍ରୀ ଯାଦବ ୧୦୦ କିମ୍ବା ତତୋଧିକ କର୍ମଚାରୀ କାମ କରୁଥିବା ଇପିଏଫଓର ୬୩ଟି ଆଞ୍ଚଳିକ କାର୍ଯ୍ୟାଳୟରେ କ୍ରେଚ୍‌ ସୁବିଧାକୁ ଉଦଘାଟନ କରିଥିଲେ ଏବଂ ଉତ୍ତର ପ୍ରଦେଶର ପ୍ରୟାଗରାଜ ଠାରେ ଆଞ୍ଚଳିକ କାର୍ଯ୍ୟାଳୟ କୋଠା ପାଇଁ ଶିଳାନ୍ୟାସ କରିଥିଲେ।

ଏଥିପୂର୍ବରୁ ଇପିଏଫ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ୨୩୩ତମ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ନିମ୍ନ ନିଷ୍ପତ୍ତିଗୁଡ଼ିକ ନିଆଯାଇଥିଲା:

୨୦୨୨-୨୩ ବର୍ଷ ପାଇଁ ସଂଶୋଧିତ ଆକଳନ ଏବଂ ୨୦୨୩-୨୪ ବର୍ଷ ପାଇଁ ଇପିଏଫଓ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକୁ ବୋର୍ଡ ଅନୁମୋଦନ କରିଥିଲା।

ଇପିଏଫଓର ଭୌତିକ ଭିତ୍ତିଭୂମି ବଢ଼ାଇବା ପାଇଁ ଆଗାମୀ ପାଞ୍ଚ ବର୍ଷ ଲାଗି ସମ୍ଭାବ୍ୟ ଯୋଜନାକୁ ବୋର୍ଡ ଅନୁମୋଦନ କରିଛି ଯେଉଁଥିରେ ଜମି କ୍ରୟ, ଅଟ୍ଟାଳିକା ନିର୍ମାଣ ଏବଂ ସ୍ୱତନ୍ତ୍ର ମରାମତି ସାମିଲ ରହିଛି, ଏଥିପାଇଁ ୨୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଅଧିକ ମଜୁରି ଉପରେ ପେନସନ ଓ ଫାଇଲିଂ ବିକଳ୍ପ ଯୋଗାଇ ଦେବା ଲାଗି ପଦକ୍ଷେପ ଆଦି ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ଆଦେଶକୁ ଅନୁପାଳନ ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବୋର୍ଡକୁ ଅବଗତ କରାଯାଇଥିଲା।

ଇପିଏଫଓ@2047 ଭିଜନ ଦସ୍ତାବିଜ ଅନୁରୂପ ଅନ୍ତର୍ଜାତୀୟ ସାମାଜିକ ସୁରକ୍ଷା ସଂଘ (ଆଇଏସଏସଏ)ରେ ଜଣେ ସହଯୋଗୀ ସଦସ୍ୟ ପରିବର୍ତ୍ତେ ମାନ୍ୟତାପ୍ରାପ୍ତ ସଦସ୍ୟଭାବେ ଇପିଏଫଓର ମାନ୍ୟତାକୁ ପରିବର୍ତ୍ତିତ କରିବା ଲାଗି ପ୍ରସ୍ତାବକୁ ବୋର୍ଡ ଅନୁମୋଦନ କରିଥିଲା।

ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଇପିଏଫଓ ଏବଂ ଏନଟିଏ ମଧ୍ୟରେ ଏକ ପ୍ରମୁଖ ବୁଝାମଣାପତ୍ରକୁ ସିବିଟି ଅନୁମୋଦନ କରିଥିଲା। ସାମାଜିକ ସୁରକ୍ଷା ସହାୟତା ଓ ଷ୍ଟେନୋଗ୍ରାଫର କ୍ୟାଡରରେ ପ୍ରତ୍ୟକ୍ଷ ନିଯୁକ୍ତି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇ ଏମଓୟୁ ଅନୁଯାୟୀ ପ୍ରାଥମିକ ପଦକ୍ଷେପ ଗ୍ରହଣ କରାଯାଇଛି।

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଅଧିକାରୀ ଓ କର୍ମଚାରୀ ସେବା ସର୍ତ୍ତାବଳୀ) ନିୟାମକ, ୨୦୦୮ରେ ସଂଶୋଧନ ନିମନ୍ତେ ସୁପାରିସ କରିବା ଲାଗି ଏକ କମିଟି ଗଠନକୁ ବୋର୍ଡ ମଞ୍ଜୁର ଦେଇଥିଲା।

ପୋର୍ଟଫୋଲିଓ ମ୍ୟାନେଜରଙ୍କ ଏଏମସି ସମ୍ପ୍ରସାରଣ ପାଇଁ ପ୍ରସ୍ତାବକୁ ବୋର୍ଡ ଅନୁମୋଦନ କରିଥିଲା।

ବୋର୍ଡ ସେହି ଶ୍ରେଣୀ ପାଇଁ ନିର୍ଦ୍ଧାରିତ ସୀମା ଅଧୀନରେ ନିବେଶର ଯେକୌଣସି ସ୍ୱୀକାର୍ଯ୍ୟ ଶ୍ରେଣୀରେ ଇଟିଏଫ ନିବେଶର ଆୟର ନିବେଶ କରିବାର ପ୍ରସ୍ତାବକୁ ମଞ୍ଜୁରି ଦେଇଛି।

ଇପିଏଫଓର ନିଧି ଆପକେ ନିକଟ ୨.୦ ପ୍ରୟାସ ଉପରେ ସିବିଟି ନିକଟରେ ଏକ ଉପସ୍ଥାପନା ଦିଆଯାଇଥିଲା। ପ୍ରତ୍ୟେକ ମାସ ୨୭ ତାରିଖରେ ଦେଶବ୍ୟାପୀ ଏହି ଜିଲ୍ଲା ଲୋକସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଗୁଜରାଟର ଭଦୋଦରା ଏବଂ ଆସାମର ବକ୍ସା ଠାରେ ଜିଲ୍ଲା ଶିବିର ସହିତ ସିବିଟି ସଦସ୍ୟମାନେ ସିଧାସଳଖ ଆଲୋଚନା କରିଥିଲେ। ନିଧି ଆପକେ ନିକଟ ୨.୦ର ସଫଳ ଆୟୋଜନ ପାଇଁ ଶ୍ରୀ ଯାଦବ ସମସ୍ତଙ୍କୁ ପ୍ରଶଂସା କରିବା ସହିତ ଅଭିନନ୍ଦନ ଜଣାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜାତିସଂଘ ଜୈବ ବିବିଧତା ସମ୍ମିଳନୀ କପ୍ ୧୫ରେ ଭୂପେନ୍ଦ୍ର ଯାଦବଙ୍କ ଉଦ୍ବୋଧନ

ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଜାତିସଂଘ ଜୈବ ବିବିଧତା ସମ୍ମିଳନୀର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ତାଙ୍କ ଅଭିଭାଷଣ ରଖିଛନ୍ତି। ଏହି ଅଧିବେଶନ କପ୍-୧୫ କାନାଡାର ମଣ୍ଟ୍ରିଲଠାରେ ଆୟୋଜିତ ହୋଇଛି।

ମାନନୀୟ ଅଧ୍ୟକ୍ଷ, ମହାମହିମଗଣ ଭଦ୍ରବକ୍ତି ଓ ଉଦ୍ର ମହିଳାଗଣ ମୁଁ ସମସ୍ତ ସଦସ୍ୟଙ୍କ ବହୁ ମୂଲ୍ୟ ଅବଦାନକୁ ସ୍ୱୀକାର କରୁଛି ଓ ଆଶା କରୁଛି ଯେ ୨୦୨୦ ପରବର୍ତ୍ତୀ ବୈଶ୍ୱିକ ଜୈବ ବିବିଧତା ଢାଞ୍ଚା ନେଇ ଚଳିତ ସମ୍ମିଳନୀରେ ସହମତି ପ୍ରକାଶ ପାଇବ। ପରିବେଶ ଅବକ୍ଷୟ ରୋକିବା ସହ ବୈଶ୍ୱିକ ଜୈବ ବିବିଧତା କ୍ଷତିକୁ ସୁଧାରିବା ହେଉଛି ସାମାଜିକ ଓ ଆର୍ଥିକ ବିକାଶ, ମାନବ କଲ୍ୟାଣ ଓ ନିରନ୍ତର ବୈଶ୍ୱିକ ସୁରକ୍ଷା ପାଇଁ ନିତ୍ୟାନ୍ତ ଆବଶ୍ୟକ। ବୈଶ୍ୱିକ ଜୈବ ବିବିଧତା ଢାଂଚାରେ ଧାର୍ଯ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉଚ୍ଚ ଅଭିଳାଷ ସମ୍ପନ୍ନ ହେବା ଉଚିତ। ଏହା ମଧ୍ୟ ବାସ୍ତବ ଓ ବ୍ୟାବହାରିକ ହେବା ଦରକାର। ଜୈବ ବିବିଧତା ସଂରକ୍ଷଣ ମଧ୍ୟ ସାଧାରଣ ଅଥଚ ପାର୍ଥକ୍ୟ ଯୁକ୍ତ ଦାୟିତ୍ୱ ଆଧାରିତ ହେବା ଦରକାର। କାରଣ ଜଳବାୟୁ ପରିବର୍ତ୍ତନ ପ୍ରକ୍ରିୟା ଜୈବ ବିବିଧତାକୁ ପ୍ରଭାବିତ କରିଥାଏ।

ମହାମହିମ ଗଣ, ବିକାଶମୁଖୀ ରାଷ୍ଟ୍ରଗୁଡିକରେ କୃଷି ହେଉଛି ଗ୍ରାମାଞ୍ଚଳ ଜନସାଧାରଣ ନିମନ୍ତେ ପ୍ରମୁଖ ଆର୍ଥିକ ମେରୁଦଣ୍ଡ ଓ ଏଥିପାଇଁ ଏ କ୍ଷେତ୍ରକୁ ଦିଆଯାଉଥିବା ବିଭିନ୍ନ ସହାୟତାକୁ ଅଣଦେଖା କରିହେବ ନାହିଁ। ବିକାଶମୁଖୀ ଦେଶଗୁଡିକ ନିମନ୍ତେ ଖାଦ୍ୟ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ କୀଟନାଶକ ହ୍ରାସ କରି ସାଂକ୍ଷିକ ଲକ୍ଷ୍ୟ ଧାର୍ଯ୍ୟ କରିବା ଅନାବଶ୍ୟକ। ଏହା ସମ୍ପୃକ୍ତ ଦେଶ ନିଷ୍ପତ୍ତି ନେବାକୁ ଛାଡିଦେବାକୁ ପଡିବ ସେମାନେ ପରିିସ୍ଥିତି ଅଗ୍ରାଧିକାର ଓ ସାମର୍ଥ୍ୟକୁ ଭିତ୍ତିକରି ସେମାନଙ୍କ ଲକ୍ଷ୍ୟଧାର୍ଯ୍ୟ କରିବେ। ଜେବୌ ବିବିଧତାର ସଂରକ୍ଷଣ ପରିବେଶ ସଂରକ୍ଷଣ ସହିତ ଏହାକୁ ସମାଗ୍ରିକ ଓ ସମନ୍ୱିତ ଢଙ୍ଗରେ କରାଯିବା ଦରକାର। ସେ ଦୃଷ୍ଟିରୁ ପ୍ରକୃତିଭିତ୍ତିକ ସମାଧାନ ପରିବର୍ତ୍ତେ ଜୈବ ବିବିଧତାର ସୁରକ୍ଷା ନିମନ୍ତେ ପରିବଶେ ସଂରକ୍ଷଣ ଉପରେ ଗୁରୁତ୍ୱଆରୋପ କରିବା ଆବଶ୍ୟକ।

ମହାମହିମଗଣ, ଏହି ଢାଂଚାର ସଫଳ କାର୍ଯ୍ୟକାରିତା ଆମର ସମ ପରିମାଣର ଉଚ୍ଚାଭିଳାଷୀ ସମ୍ବଳ ବିନିଯୋଗ ପଦ୍ଧତି ଉପରେ ନିର୍ଭର କରେ। ସେ ଦୃଷ୍ଟିରୁ ବିକାଶମୁଖୀ ଦେଶଗୁଡିକ ନିମନ୍ତେ ଆର୍ଥିକ ସମ୍ବଳ ଯୋଗାଣର ଏକ ନୂତନ ଓ ଉତ୍ସର୍ଗୀକୃତ ବ୍ୟବସ୍ଥା ବିକଶିତ ହେବା ଆବଶ୍ୟକ। ଭାରତ ସମସ୍ତ ଅଂଶୀଦାରଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଚାଲିବା ନିମନ୍ତେ ସମ୍ପୂର୍ଣ୍ଣ ଅଙ୍ଗୀକାରବଦ୍ଧ। ଏହା ହେଲେ ଯାଇ କପ୍-୧୫ ବୈଶ୍ୱିକ ଜୈବ ବିବିଧତା ଢାଞ୍ଚାର ଅଭିଳଷିତ ଲକ୍ଷ୍ୟ ହାସଲ ହୋଇପାରିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ହେଲା ଭାରତର ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସଂପର୍କିତ ସମ୍ମିଳନୀ

ଭୁବନେଶ୍ୱର: ଭାରତୀୟ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସଂପର୍କିତ ଦୁଇଦିନିଆ ସମ୍ମିଳନୀ ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି। ଭାରତର ୭୫୦୦ କିଲୋମିଟର ସୁଦୀର୍ଘ ଉପକୂଳ, ଦେଶର ସାମାଜିକ, ଅର୍ଥନୈତିକ ଓ ରଣନୈତିକ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ।

ବିଶ୍ୱର ଏହି ସପ୍ତମ ବୃହତ୍ତମ ଉପକୂଳରେ ଦେଶର ପାଖାପାଖି ୨୦ ପ୍ରତିଶତ ଜନସଂଖ୍ୟା ଏବଂ ୧୭ ହଜାରରୁ ଊଦ୍ଧ୍ୱର୍ ପ୍ରାଣୀ ଓ ଉଦ୍ଭିଦ ବସବାସ କରୁଛନ୍ତି। ସମୁଦ୍ର ଉପକୂଳରେ ଅବସ୍ଥାନ କରୁଥିବା ମଣିଷମାନଙ୍କୁ ଅଧିକ ସହନଶୀଳ ହେବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଛନ୍ତି।

ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ପାଇଁ ଉପକୂଳ ସାମୁଦି୍ରକ ସମ୍ବଳର ସ୍ଥାୟୀ ପରିଚାଳନା ଗୁରୁତ୍ୱପୂର୍ଣ୍ଣ। ଭାରତ ସରକାର, ଓଡ଼ିଶା ସରକାର ଏବଂ ବିଶ୍ୱ ବ୍ୟାଙ୍କର ମିଳିତ ସହଯୋଗରେ ଏକ ସମନ୍ୱିତ ଉପକୂଳ ପରିଚାଳନା ପ୍ରକଳ୍ପ ଓଡ଼ିଶାରେ ପାଇଲଟ୍‌ ଭିତ୍ତିରେ କାର୍ଯ୍ୟକାରୀ କରାଯାଇଛି।

ସେପ୍ଟେମ୍ବର ୨୦୧୦ ମସିହାରୁ ଆରମ୍ଭ ହୋଇଥିବା ଏହି ୧୯୬ କିଲୋମିଟର ପରିବ୍ୟାପ୍ତ ପ୍ରକଳ୍ପ ଓଡ଼ିଶାର ଦୁଇଟି ଉପକୂଳବର୍ତ୍ତୀ (ପାରାଦ୍ୱୀପରୁ ଧାମରା ଓ ଗୋପାଳପୁରରୁ ଚିଲିକା) ଅଞ୍ଚଳରେ କାର୍ଯ୍ୟକାରୀ କରାଯାଇଛି । ପାଖାପାଖି ୨୯୩.୧୫ କୋଟି ଟଙ୍କା ଏହି ପ୍ରକଳ୍ପରେ ବିନିଯୋଗ କରାଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ପ୍ରତିରୋଧ କରିବାରେ ଏହି ପ୍ରକଳ୍ପ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଛନ୍ତି।

ଦେଶର ଉପକୂଳ ଅଞ୍ଚଳରେ ସହନଶୀଳତା ଓ ଦୀର୍ଘସ୍ଥାୟିତ୍ୱ ବଢ଼ାଇବା ପାଇଁ ଆଲୋଚନା ପର୍ଯ୍ୟାଲୋଚନା କରାଯିବା ନିମନ୍ତେ ଏଭଳି ଏକ ସମ୍ମିଳନୀ ଆୟୋଜନ କରାଯାଇଛି ବୋଲି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ ଉଲ୍ଲେଖ କରିଛନ୍ତି।

ଉପକୂଳ ଓ ସାମୁଦି୍ରକ ଜୈବବିବିଧତା, ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ପ୍ରତିରୋଧ ଏବଂ ଉପକୂଳ ପ୍ରଦୂଷଣ ରୋକିବା ଆଦି ବିଷୟବସ୍ତୁ ଉପରେ ବିଶଦ ଆଲୋଚନା କରି ଏ ସଂପର୍କିତ ସମସ୍ୟାର ସମାଧାନର ବାଟ ବାହାର କରିବା ପାଇଁ ଦେଶର ୧୩ଟି ଉପକୂଳ ରାଜ୍ୟର ବରିଷ୍ଠ ଅଧିକାରୀ ଓ ସାମାଜିକ ଅନୁଷ୍ଠାନମାନଙ୍କୁ ଏକତି୍ରତ କରିବା ସମ୍ମିଳନୀର ଉଦ୍ଦେଶ୍ୟ।

ସେହିପରି ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରେ ୟୁଏନ୍‌ଡିପି ସହାୟତାରେ ଉପକୂଳ ଅଞ୍ଚଳବାସୀଙ୍କ ସହଭାଗିତା ଓ ସହନଶୀଳତା ବଢ଼ାଇବା ଏହି କାର୍ଯ୍ୟକ୍ରମର ଅନ୍ୟ ପ୍ରମୁଖ ଆଭିମୁଖ୍ୟ। ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ରିଚା ଶର୍ମା ସ୍ୱାଗତ ଭାଷଣ ଦେଇଥିବାବେଳେ ଓଡ଼ିଶାର ପ୍ରଧାନ ମୁଖ୍ୟ ବନସଂରକ୍ଷକ ଏବଂ ଜଙ୍ଗଲ ବାହିନୀର ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୬ ଜଣ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ଚିଡିଆଖାନା ପ୍ରାଧିକରଣର ସାଧାରଣ ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: କେନ୍ଦ୍ରୀୟ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣର ୩୯ ତମ ବୈଠକ ଜାତୀୟ ପ୍ରାଣୀ ଉଦ୍ୟାନ, ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇ ଯାଇଛି ।

ସୁଶ୍ରୀ ଲୀଲା ନନ୍ଦନ, ସଚିବଙ୍କ ସମେତ ଏମ୍‌ଓଇଏଫ୍ ଏବଂ ସିସିର ଅଧିକାରୀ, ଶ୍ରୀ ଚନ୍ଦ୍ର ପ୍ରକାଶ ଗୋଏଲ୍‌, ମହାନିର୍ଦ୍ଦେଶକ ବନ ଏବଂ ବିଶେଷ ସଚିବ, ଡଃ ଏସ୍‌. ପି, ଯାଦବ, ନିର୍ଦ୍ଦେଶକ, ଭାରତୀୟ ବନ୍ୟ ଜୀବ ସଂସ୍ଥାନ, ଶ୍ରୀ ବିଭାସ ରଞ୍ଜନ, ଅତିରିକ୍ତ ମହାନିର୍ଦ୍ଦେଶକ (ବନ୍ୟ ଜୀବ), ଶ୍ରୀ ପ୍ରବୀର ପାଣ୍ଡେ, ଅତିରିକ୍ତ ସଚିବ ଏବଂ ବିତୀୟ ପରାମର୍ଶଦାତା, ଭାରତୀୟ ପଶୁ ଚିକିତ୍ସା ଗବେଷଣା ସଂସ୍ଥା ଏବଂ ସ୍କୁଲ୍ ଅଫ୍ ପ୍ଲାନିଂ ଆଣ୍ଡ୍ ଆର୍କିଟେକଚର୍‌ର ପ୍ରତିନିଧି ଏବଂ ଅନ୍ୟ ସଦସ୍ୟ ମାନେ ବୈଠକରେ ଅଂଶ ଗ୍ରହଣ କରିଥିଲେ ।

ବୈଠକର ପ୍ରମୁଖ ବିଶେଷତା ଗୁଡିକ ମଧ୍ୟରେ ଦୁଇଟି ପ୍ରକାଶନର ଉନ୍ମୋଚନ ସାମିଲ୍ ଥିଲା – ସ୍ନୋ ଲିଓପାଡ୍ ନିମନ୍ତେ ଜାତୀୟ ଷ୍ଟଡ୍‌ବୁକ୍ ଏବଂ ସିଜେଡ୍‌ଏ ତ୍ରୈମାସିକ ନ୍ୟୁଜ୍ ଲେଟର ଏକ୍ସ – ସିଟୁ ଅପଡେଟ୍ । ସିଜେଡ୍‌ଏ ଦ୍ୱାରା ବିତୀୟ ବର୍ଷ ୨୦୨୧ -୨୨ ସମୟରେ କରା ଯାଇଥିବା ବିଭିନ୍ନ ପଦକ୍ଷେପ ଗୁଡିକ ସମ୍ପର୍କରେ ସଦସ୍ୟ ମାନଙ୍କୁ ଅବଗତ କରା ଯାଇଥିଲା।

Categories
ବିଶେଷ ଖବର

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ବ୍ରିକ୍ସ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଉଦ୍‌ବୋଧନ

ନୂଆଦିଲ୍ଲୀ: ବ୍ରିକ୍ସ ରାଷ୍ଟ୍ର ସମୂହର ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକ ଆଭାସୀ ବ୍ୟବସ୍ଥାରେ ମେ ୧୩ତାରିଖରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବ୍ୟାପାର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଯୋଗଦେଇଥିଲେ।  ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣର ଗୁରୁତ୍ୱ ଦୃଷ୍ଟିରୁ ଏ ବିଷୟରେ ମିଳିତଭାବେ ଚିନ୍ତା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ ଏବଂ ବ୍ରିକ୍ସର ଏହି ଉଚ୍ଚସ୍ତରୀୟ ବୈଠକ ଏ କ୍ଷେତ୍ରରେ ସହାୟକ ହେବ ବୋଲି ଶ୍ରୀ ଯାଦବ ମତପ୍ରକାଶ କରିଥିଲେ। ସେ କହିଥିଲେ ଯେ ଏବେ ପାରମ୍ପରିକ ଇନ୍ଧନର ବ୍ୟବହାରକୁ ଯଥେଷ୍ଟ ହ୍ରାସ କରି କମ୍ ଅଙ୍ଗାରକାମ୍ଳ ନିର୍ଗମନ କରୁଥିବା ଊର୍ଜାକୁ ଅଧିକରୁ ଅଧିକ ବ୍ୟବହାର କରିବା ସହିତ ବିକାଶ ପ୍ରକ୍ରିୟାକୁ ନିରନ୍ତର କରିବା ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଆନ୍ତର୍ଜାତିକ ସହଯୋଗର ଗୁରୁତ୍ୱ ଅଧିକ।

ଏହି ଉଚ୍ଚସ୍ତରୀୟ ବୈଠକରେ ଚୀନର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ହୁଆଙ୍ଗ ରନ୍‌କି ଅଧ୍ୟକ୍ଷତା କରିଥିଲେ। ଏଥିରେ ଭାରତ ସମେତ ବ୍ରିକ୍ସ ରାଷ୍ଟ୍ର ବ୍ରାଜିଲ, ରୁଷିଆ, ଦକ୍ଷିଣ ଆଫ୍ରିକା ଆଦିର ବିଭାଗୀୟ ମନ୍ତ୍ରୀମାନେ ଯୋଗଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ତାଙ୍କ ଭାଷଣରେ କହିଥିଲେ ଯେ ଭାରତ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବାକୁ ଅଙ୍ଗୀକାରବଦ୍ଧ ଏବଂ ସମୂଳର ଯଥାର୍ଥ ଉପଯୋଗ କରି ଅପଚୟ ରୋକିବା ସହିତ ଜୀବନଶୈଳୀରେ ପରିବର୍ତ୍ତନ ଆଣି ନିରନ୍ତର ବିକାଶ ହାସଲ କରିବାରୁ ଉଦ୍ୟମ କରୁଛି। ଭାରତର ଦୂରଦ୍ରଷ୍ଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଇତିମଧ୍ୟରେ ଗ୍ରହଣ କରିସାରିଛି। ଅକ୍ଷୟଶକ୍ତି, ସହନଯୋଗ୍ୟ ବସବାସ, ଅତିରିକ୍ତ ଜଙ୍ଗଲ ଓ ବୃକ୍ଷରୋପଣ ଦ୍ୱାରା ଅତିରିକ୍ତ କାର୍ବନ ସିଙ୍କ୍ (ଅଙ୍ଗାର ନିଃଶୋଷଣ ବ୍ୟବସ୍ଥା) ସୃଷ୍ଟି, ବିକଳ୍ପ ଇନ୍ଧନଯୁକ୍ତ ପରିବହନ ବ୍ୟବସ୍ଥାକୁ କ୍ରମଶଃ ପରିବର୍ତ୍ତନ, ଇ-ମବିଲିଟି ଏବଂ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଘରୋଇ କ୍ଷେତ୍ରକୁ ସାମିଲ କରିବା ଆଦି ଭାରତ ଗ୍ରହଣ କରିଥିବା କେତେକ ବଳିଷ୍ଠ ପଦକ୍ଷେପର ଉଦାହରଣ ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଥିଲେ।

ଗ୍ରୀନହାଉସ ଗ୍ୟାସ ନିର୍ଗମନକୁ ହ୍ରାସ କରି ଭାରତ କିପରି ଅର୍ଥନୀତିକ ଅଭିବୃଦ୍ଧି ପ୍ରକ୍ରିୟା ବଢାଇବାରେ ସଫଳ ହେଉଛି ମନ୍ତ୍ରୀ ଶ୍ରୀ ଯାଦବ ତାହାର ଉଦାହରଣ ଦେଇଥିଲେ। ସେ କହିଥିଲେ ଯେ ବିକାଶଶୀଳ ଦେଶମାନଙ୍କ ଜଳବାୟୁ ପରିବର୍ତ୍ତନ ମୁକାବିଲା କାର୍ଯ୍ୟ ବିଭିନ୍ନ ବିଷୟ ଉପରେ  ନିର୍ଭର କରେ। ଏହା ବିକଶିତ ରାଷ୍ଟ୍ର ଓ ଅନ୍ୟାନ୍ୟ ଧନାଢ୍ୟ ସଂସ୍ଥା ଆବଶ୍ୟକ ଅର୍ଥ, ଟେକ୍‌ନୋଲୋଜି ଓ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ।

ୟୁଏନ୍‌ଏଫସିସି ଓ ପ୍ୟାରିସ ଚୁକ୍ତିର ସର୍ତ୍ତ ଅନୁସାରେ ଏଥିପାଇଁ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ଯେଉଁ ସାହାଯ୍ୟ ସହଯୋଗ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ତଦନୁସାରେ ଏହା କରାଯିବା ଉଚିତ ବୋଲି ସେ କହିଛନ୍ତି। ଗ୍ଲାସଗୋ ନିଷ୍ପତ୍ତି ଏବଂ କୋପ୍‌-୨୬ ପ୍ରେସିଡେନ୍ସି ଦ୍ୱାରା ପ୍ରକାଶିତ ଜଳବାୟୁ  ମୁକାବିଲା ବିତ୍ତଯୋଗାଣ ଯୋଜନା ଫଳରେ ଏହି ଅର୍ଥ ଯୋଗାଣ ଓ ଟେକେ୍‌ନୋଲୋଜି ହସ୍ତାନ୍ତର କାର୍ଯ୍ୟ ସମ୍ପନ୍ନ ହେବା ଘେନି ସେ ଦୃଢ ଆଶାବ୍ୟକ୍ତ କରିଛନ୍ତି।

ଏହି ବୈଠକରେ ବିକ୍ସ ରାଷ୍ଟ୍ର ସମୂହର ପରିବେଶ ମନ୍ତ୍ରୀମାନେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସହଯୋଗକୁ ସୁଦୃଢ କରିବାକୁ ଅଙ୍ଗୀକାର ପ୍ରକାଶ କରିଥିଲେ। ଆହୁରି ମଧ୍ୟ ସହଯୋଗର ବିଷୟବସ୍ତୁ ଓ କ୍ଷେତ୍ରକୁ ଅଧିକ ବ୍ୟାପକ କରିବାକୁ ସେମାନେ ରାଜି ହୋଇଛନ୍ତି। ବୈଠକ ଶେଷରେ ଜାରି ମିଳିତ ଘୋଷଣା ନାମରେ କୁହାଯାଇଛି ଯେ ବ୍ରିକ୍ସ ରାଷ୍ଟ୍ରମାନେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ନିଜ ନିଜ ମଧ୍ୟରେ ନୀତି ଅଦଳବଦଳ (ପଲିସି ଏକ୍ସଚେଞ୍ଜ) କରିବା ସହିତ ସହଯୋଗକୁ ଅଧିକ ନିବିଡ ଓ ବ୍ୟାପକ କରିବାକୁ ଏକମତ ହୋଇଛନ୍ତି।

Categories
ବିଶେଷ ଖବର

ମିଳିତ ଜାତିସଂଘ ପକ୍ଷମାନଙ୍କର ସମ୍ମିଳନୀରେ ୧୫ତମ ଅଧିବେଶନକୁ ସମ୍ବୋଧିତ କଲେ ଭୂପେନ୍ଦ୍ର ଯାଦବ

ନୂଆଦିଲ୍ଲୀ: ଆମକୁ ଧାରଣ କରି ରଖିଥିବା ଭୂମିର ସଂରକ୍ଷଣ ଆମ ସମସ୍ତଙ୍କର ଦାୟିତ୍ବ, ଏହାଦ୍ବାରା ଆମେ ବିଶ୍ବ ତାପମାତ୍ରା ବୃଦ୍ଧିର ନିରାକରଣ କରିପାରିବା। ଏହା କହିଛନ୍ତି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ଆଇଭରୀ କୋଷ୍ଟ ଠାରେ ମରୂଭୂମିକରଣ (ଡେଜର୍ଟିଫିକେସନ) ନିରାକରଣ ଲାଗି ମିଳିତ ଜାତିସଂଘ ପକ୍ଷମାନଙ୍କର ସମ୍ମିଳନୀ (ୟୁଏନସିସିଡି)ର ୧୫ତମ ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବାକୁ ସମସ୍ତଙ୍କୁ ଆହ୍ବାନ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଏହି ଅବସରରେ ଦୃଢ଼ ମତବ୍ୟକ୍ତ କରି କହିଥିଲେ ଯେ ଭୂମି ଅବକ୍ଷୟ ଲଗାତାର ଭାବେ ବଢ଼ି ବଢ଼ି ଚାଲିଛି। ତଥାପି ବିଶ୍ବବାସୀ ଉପଭୋଗ ଆଧାରିତ ଜୀବନଶୈଳୀ ଆପଣାଇଛନ୍ତି ଏବଂ ସେମାନେ ଭୂମିକୁ ଆହୁରି ଶୋଷଣ କରିବା ଲାଗି ଚାହୁଁଛନ୍ତି। ଶ୍ରୀ ଯାଦବ କହିଥିଲେ ଯେ, ‘‘ଆମ ସମସ୍ତଙ୍କୁ ଉପଭୋଗ ଆଧାରିତ ଦୃଷ୍ଟିକୋଣ ଠାରୁ ଦୂରେଇବାକୁ ପଡ଼ିବ। ୟୁଜ୍‌ ଆଣ୍ଡ୍‌ ଥ୍ରୋ (ବ୍ୟବହାର କରି ଫିଙ୍ଗିଦିଅ) ମାନସିକତା ପରିତ୍ୟାଗ କରିବାକୁ ହେବ।

ଭୂମି ଉପରେ ବିଶ୍ବ ତାପମାତ୍ରା ବୃଦ୍ଧିର ପ୍ରଭାବ ସମ୍ପର୍କରେ ବକ୍ତବ୍ୟ ରଖି ଶ୍ରୀ ଯାଦବ କହିଥିଲେ ଯେ ଉଭୟ ବିଶ୍ବବାସୀ ଏବଂ ପୃଥିବୀର ସୁରକ୍ଷା ପାଇଁ ଅଙ୍ଗାରକାମ୍ଳ ନିର୍ଗମନ କ୍ଷେତ୍ରରେ ବିକଶିତ ରାଷ୍ଟ୍ରମାନଙ୍କୁ ନେତୃତ୍ବ ନେବାକୁ ପଡ଼ିବ। ଐତିହାସିକ ଏବଂ ସାମ୍ପ୍ରତିକ ଦୃଷ୍ଟିରୁ ବିଶ୍ବ ତାପମାତ୍ରା ବୃଦ୍ଧି କ୍ଷେତ୍ରରେ ସେମାନଙ୍କର ଅଧିକ ଉତ୍ତରଦାୟିତ୍ବ ରହିଛି।

ଶ୍ରୀ ଯାଦବ କହିଥିଲେ ଯେ କୋଭିଡ ମହାମାରୀର ପ୍ରଭାବ କାରଣରୁ ବିଶ୍ବ ତାପମାତ୍ରା ବୃଦ୍ଧିର ମୁକାବିଲା ଆହୁରି ଅଧିକ ଜଟିଳ ହୋଇପଡ଼ିଛି। ଆର୍ଥିକ ଚାପ କାରଣରୁ ସାରା ବିଶ୍ବରେ ଜଳବାୟୁ କାର୍ଯ୍ୟାନୁଷ୍ଠାନ (କ୍ଲାଇମେଟ୍‌ ଆକ୍ସନ) କାର୍ଯ୍ୟ ବିଳମ୍ବିତ ହୋଇଛି। ଅନ୍ୟପଟେ ବିଶ୍ବ ଦ୍ରୁତ ଗତିରେ ଅବଶିଷ୍ଟ ଅଙ୍ଗାରକାମ୍ଳ ବଜେଟ୍‌କୁ ଉପଯୋଗ କରୁଛି, ଆମେ ଖୁବଶୀଘ୍ର ପ୍ୟାରିସ ଚୁକ୍ତିରେ ନିର୍ଦ୍ଧାରିତ ତାପମାତ୍ରା ସୀମାର ନିକଟବର୍ତ୍ତୀ ହୋଇଛୁ ଯାହାକି ତୃତୀୟ କାର୍ଯ୍ୟ ଗୋଷ୍ଠୀର ଆଇପିସିସି ରିପୋର୍ଟରେ ଦର୍ଶାଯାଇଛି।

୨୦୧୯ ପରଠାରୁ ଭାରତ ସିଓପିର ଅଧ୍ୟକ୍ଷତା କରିବା ପ୍ରସଙ୍ଗରେ ଶ୍ରୀ ଯାଦବ ସୂଚନା ଦେଇଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ଭୂମି ସଂରକ୍ଷଣ ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ନେଇଛି। ୨୦୩୦ ସୁଦ୍ଧା ୨୬ ନିୟୁତ ହେକ୍ଟର ଅବକ୍ଷୟ ହୋଇଥିବା ଜମିର ପୁନରୁଦ୍ଧାର ଲକ୍ଷ୍ୟ ହାସଲ ଦିଗରେ ଭାରତ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ଅନେକ ବୃହତ କାର୍ଯ୍ୟକ୍ରମ ଘୋଷଣା କରାଯିବା ସହିତ ବର୍ତ୍ତମାନ ଜାରି ରହିଥିବା ଯୋଜନାଗୁଡ଼ିକୁ ସୁଦୃଢ଼ କରାଯାଇଛି।

ସାରା ଦେଶରେ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତ ମୃତ୍ତିକା ସ୍ବାସ୍ଥ୍ୟ ଯାଞ୍ଚ କରୁଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ୨୦୧୫ରୁ ୨୦୧୯ ମଧ୍ୟରେ ୨୨୯ ନିୟୁତରୁ ଅଧିକ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଚାଷୀମାନଙ୍କୁ ବିତରଣ କରାଯାଇଛି। ଏହି କାର୍ଯ୍ୟକ୍ରମ ଯୋଗୁ ରାସାୟନିକ ସାର ବ୍ୟବହାର ୮-୧୦% ହ୍ରାସ ପାଇବା ସହିତ ଫସଲ ଉତ୍ପାଦକତା ୫-୬% ବୃଦ୍ଧି ପାଇଛି।

କେନ୍ଦ୍ର ମନ୍ତ୍ରୀ କହିଥିଲେ ବିଶ୍ବ ପୁନରୁଦ୍ଧାର ଫ୍ଲାଗସିପ୍‌ କାର୍ଯ୍ୟକ୍ରମ ପାଇଁ ଆହ୍ବାନ ପରେ ଭାରତ ସରକାର ୬ଟି ଫ୍ଲାଗଶିପ୍‌ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏସବୁ ଯୋଜନା ମାଧ୍ୟମରେ ୧୨.୫ ନିୟୁତ ହେକ୍ଟର ଅବକ୍ଷୟ ଭୂମିର ପୁନରୁଦ୍ଧାର ପାଇଁ ଲକ୍ଷ୍ୟ ରଖାଯାଇଛି। ଭାରତର ଗ୍ରାମୀଣ ଜୀବିକା କାର୍ଯ୍ୟକ୍ରମରେ ପ୍ରାକୃତିକ ସମ୍ବଳର ସଂରକ୍ଷଣ ଏବଂ ପୁନରୁଦ୍ଧାର ଉପରେ ଗୁରୁତ୍ବାରୋପ କରାଯାଇଛି।

ଶ୍ରୀ ଯାଦବ କହିଥିଲେ ଯେ, ବୃକ୍ଷରୋପଣ ଠାରୁ ଭୂମି ପରିବେଶର ପୁନରୁଦ୍ଧାର ଅଧିକ ଜରୁରି। ବିଜ୍ଞାନ ଓ ପ୍ରଯୁକ୍ତି ସହାୟତାରେ ଜନ ଆବଶ୍ୟକତା, ପ୍ରାଥମିକତା, ବିଶେଷଜ୍ଞତାକୁ ସମନ୍ବିତ କରିବା ଏବଂ ସ୍ଥାନୀୟ ଓ ସ୍ବଦେଶୀ ଜ୍ଞାନର ଶକ୍ତିକୁ ଏକୀକୃତ କରିବା ନିମନ୍ତେ ସେ ଆହ୍ବାନ କରିଥିଲେ। ବକ୍ତବ୍ୟ ଶେଷରେ ଭୂମି ସଂରକ୍ଷଣ ପାଇଁ ସାମୂହିକ ପ୍ରତିବଦ୍ଧତାକୁ କାର୍ଯ୍ୟକାରୀ କରିବା ଦିଗରେ ସବୁ ଦେଶ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଶ୍ରୀ ଯାଦବ ଆଶାବ୍ୟକ୍ତ କରିଥିଲେ।

ଆଇଭରୀ କୋଷ୍ଟ ଠାରେ ମରୂଭୂମିକରଣ (ଡେଜର୍ଟିଫିକେସନ) ନିରାକରଣ ଲାଗି ମିଳିତ ଜାତିସଂଘ ପକ୍ଷମାନଙ୍କର ସମ୍ମିଳନୀର ୧୫ତମ ଅଧିବେଶନ ୯ରୁ ୨୦ ମେ, ୨୦୨୨ ପର୍ଯ୍ୟନ୍ତ ଆୟୋଜିତ ହେଉଛି। ଏଥିରେ ବିଭିନ୍ନ ରାଷ୍ଟ୍ରର ସରକାରୀ ପ୍ରତିନିଧି, ଘରୋଇ କ୍ଷେତ୍ର, ନାଗରିକ ସମାଜର ନେତୃବର୍ଗମାନେ ଯୋଗ ଦେଇଛନ୍ତି। ମରୁଡ଼ି, ଭୂମି ସଂରକ୍ଷଣ, ଜମି ଅଧିକାର, ଲିଙ୍ଗ ସମାନତା, ଯୁବ ସଶକ୍ତିକରଣ ଆଦି ପ୍ରମୁଖ ବିଷୟ ଉପରେ ସମ୍ମିଳନୀରେ ଆଲୋଚନା ହେଉଛି। ସିଓପି ୧୫- ୟୁଏନସିସିଡିର ୧୯୭ଟି ପକ୍ଷ ରାଷ୍ଟ୍ର ଏହି ସମ୍ମିଳନୀରେ ବିଚାରବିମର୍ଶ ମାଧ୍ୟମରେ ଭୂମି ପୁନରୁଦ୍ଧାର ଏବଂ ମରୁଡ଼ି ମୁକାବିଲା ପାଇଁ ଦୀର୍ଘସ୍ଥାୟୀ ସମାଧାନ ସନ୍ଧାନ କରିପାରିବେ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ମନ୍ତ୍ରୀଙ୍କ ଝିଅ ବାହାଘରରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ଝିଅ ବାହା ଘରରେ ଯୋଗ ଦେଇଛନ୍ତି। ସାଧାରଣତଃ ପୁଅଝିଅ ବାହାଘରରେ ପ୍ରଧାନମନ୍ତ୍ରୀ ଯୋଗ ଦେବାର ସମ୍ଭବ ହୋଇ ନ ଥାଏ। ହେଲେ ତାଙ୍କର କ୍ୟାବିନେଟ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଝିଅ ବାହାଘରରେ ଯୋଗ ଦେଇଥିଲେ।

ଭୂପେନ୍ଦ୍ର ବର୍ତ୍ତମାନ ମୋଦି ମନ୍ତ୍ରୀ ମଣ୍ଡଳରେ ଜଙ୍ଗଲ, ପରିବେଷ, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଅଛନ୍ତି। ତାଙ୍କର ଝିଅ ଶୋଭାଙ୍କର ଶୁକ୍ରବାରରେ ବାହାଘର ଥିଲା। ସେଥିପାଇଁ ନୂଆଦିଲ୍ଲୀରେ ଏକ ବଡ ଆୟୋଜନ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ। ଏଥିସହିତ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଧ୍ୟ ବରକନ୍ୟାଙ୍କୁ ଆର୍ଶିବାଦ ଦେବା ପାଇଁ ଯାଇଥିଲେ।