ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଉତ୍ତେଜନା ମଧ୍ୟରେ ବିଶ୍ୱ ବଜାରରୁ ଆସିଛି ବଡ଼ ଆଶ୍ୱସ୍ତିର ଖବର। ଚଳିତ ବର୍ଷ ଫେବୃଆରିରେ ଇରାନ ସଙ୍କଟ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଅଶୋଧିତ ତୈଳ (Crude Oil) ଦର ବ୍ୟାରେଲ ପ୍ରତି ୭୫ ଡଲାର ତଳକୁ ଖସିଛି। ଏହାକୁ ଯୁଦ୍ଧ ପରବର୍ତ୍ତୀ ସମୟର ସର୍ବନିମ୍ନ ଦର ବୋଲି କୁହାଯାଉଛି।
ବୁଧବାର ବ୍ରେଣ୍ଟ୍ କ୍ରୁଡ୍ ଦର ୩.୦୧ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା ୭୪.୭୬ ଡଲାରରେ ପହଞ୍ଚିଥିଲା। ସେହିପରି ଆମେରିକାର ୱେଷ୍ଟ ଟେକ୍ସାସ୍ ଇଣ୍ଟରମେଡିଏଟ୍ (WTI) ମୂଲ୍ୟ ୨.୯୬ ପ୍ରତିଶତ କମି ୭୧.୦୪ ଡଲାରରେ ପହଞ୍ଚିଛି।
ଇରାନ ଓ ଆମେରିକା ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତି ପରେ ତେଲ ଯୋଗାଣ ସ୍ଥିତି ସୁଧୁରିବା ଆରମ୍ଭ କରିଛି। ବିଶ୍ୱ ବାଣିଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବୃଦ୍ଧି ପାଇଥିବା ବେଳେ, ଇରାନ ଉପରେ ଥିବା କିଛି ତେଲ କଟକଣାକୁ ଆମେରିକା ୬୦ ଦିନ ପାଇଁ କୋହଳ କରିଛି। ଫଳରେ ଇରାନର ଗଚ୍ଛିତ ତେଲ ପୁଣି ଥରେ ବଜାରକୁ ଆସିବା ଆରମ୍ଭ କରିଛି।
ବିଶେଷଜ୍ଞଙ୍କ ମତରେ, ବର୍ତ୍ତମାନ ଚାହିଦା ତୁଳନାରେ ଯୋଗାଣ ଅଧିକ ଥିବାରୁ ଅନେକ ସ୍ଥାନରେ ରିହାତି ଦରରେ ତେଲ ବିକ୍ରି ହେଉଛି।
ଅଶୋଧିତ ତୈଳ ଦର ହ୍ରାସ ପରେ ଭାରତୀୟ ସେୟାର ବଜାରରେ ମଧ୍ୟ ସକାରାତ୍ମକ ପ୍ରଭାବ ଦେଖାଦେଇଛି। ବ୍ୟାଙ୍କିଂ ଓ ଆଇଟି କ୍ଷେତ୍ରର ସେୟାର ମୂଲ୍ୟରେ ବୃଦ୍ଧି ହୋଇଥିବା ବଜାର ବିଶ୍ଳେଷକମାନେ କହିଛନ୍ତି।
ତେଲ ଦର ହ୍ରାସ ଜାରି ରହିଲେ ଏବଂ କମ୍ ଦରରେ କିଣାଯାଇଥିବା ତେଲ ଭାରତରେ ପହଞ୍ଚିଲେ ପେଟ୍ରୋଲ ଓ ଡିଜେଲ ଦର କମାଇବା ନେଇ ବିଚାର କରାଯାଇପାରେ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଥିଲେ।
ଭାରତ ନିଜର ପ୍ରାୟ ୮୫ ପ୍ରତିଶତ ଅଶୋଧିତ ତେଲ ଆମଦାନି କରୁଥିବାରୁ ବିଶ୍ୱ ବଜାରର ଦର ପରିବର୍ତ୍ତନ ସିଧାସଳଖ ଭାବେ ଦେଶର ଇନ୍ଧନ ବଜାରକୁ ପ୍ରଭାବିତ କରିଥାଏ ।


