କାଠମାଣ୍ଡୁ: ନେପାଳକୁ ପ୍ରାକୃତିକ ବିପର୍ଯ୍ୟୟ ପିଛା ଛାଡ଼ୁନି। ବନ୍ୟା ବିପର୍ଯ୍ୟୟ ପରେ ଏବେ ଥରିଉଠିଛି ନେପାଳ। ଅଗଷ୍ଟ ୨୬ ତାରିଖରେ ନେପାଳ-ତିବ୍ବତ ସୀମାନ୍ତରେ ଘଟିଥିବା ବରଫ ଓ ପାହାଡ଼ ଧସିବା କାରଣରୁ ଭୋଟେକୋଶୀ ନଦୀରେ ଭୟଙ୍କର ଜଳପ୍ଲାବନ ଦେଖାଦେଇଥିଲା। ଏହି ଜଳପ୍ରଳୟରେ ହଜାର ହଜାର ଲୋକ ଜୀବନ ହରାଇବା ସହ ନେପାଳ ଏବଂ ତିବ୍ବତର ବିସ୍ତୃତ ଅଞ୍ଚଳ ସମ୍ପୂର୍ଣ୍ଣ ବୋହିଯାଇଛି। ବିଶେଷକରି ସେଠାକାର ବାସଗୃହ, ଗାଡ଼ି, ରାସ୍ତାଘାଟ, ପୋଲ ଏବଂ ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକ ପ୍ରଭୂତ କ୍ଷତିଗ୍ରସ୍ତ ହୋଇଛି। ଏହି ବିନାଶକାରୀ ବନ୍ୟା ଏବଂ ଭୂସ୍ଖଳନର କ୍ଷତ ନଶୁଖୁଣୁ ପୁଣି ଏକ ଭୂକମ୍ପ ଝଟକା ସମଗ୍ର ଅଞ୍ଚଳରେ ଆଶଙ୍କା ଓ ଭୟର ବାତାବରଣ ସୃଷ୍ଟି କରିଛି।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ୯ଟା ୩୮ ମିନିଟ୍ ସମୟରେ ନେପାଳରେ ୫.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଏହା ପୂର୍ବରୁ ତିବ୍ବତରେ ୩୫ କିଲୋମିଟର ଗଭୀରତାରେ ୫.୩ ତୀବ୍ରତାର ଆଉ ଏକ ଭୂକମ୍ପ ରେକର୍ଡ କରାଯାଇଥିଲା। ଗତ ସପ୍ତାହ ଗୁରୁବାର ଦିନ ମଧ୍ୟ ତିବ୍ବତରେ ୧୦ କିଲୋମିଟର ଗଭୀରତାରେ ୫.୦ ତୀବ୍ରତାର ଭୂକମ୍ପ ଝଟକା ଆସିଥିଲା। ପରପର ଦୁଇଟି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସମଗ୍ର ପାର୍ବତ୍ୟ ଅଞ୍ଚଳର ଜନଜୀବନ ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି।
ନେପାଳର ଜାତୀୟ ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ବନ୍ୟାରେ ମୃତ୍ୟୁସଂଖ୍ୟା ୧,୩୫୭ରେ ପହଞ୍ଚିଛି। ପ୍ରଶାସନ ଓ ସୁରକ୍ଷା ବାହିନୀ ଚିତବନ, ନବଲପରାସୀ, ନୁଆକୋଟ, ରସୁଆ, ଗୋର୍ଖା, ଧାଦିଂ ଏବଂ ତନାହୁ ଆଦି ଜିଲ୍ଲାରୁ ଶହ ଶହ ମୃତଦେହ ଉଦ୍ଧାର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୩,୫୮୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୧୦୨ଟି ମୃତଦେହ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ସେହିପରି ୫,୩୨୬ ଜଣ ଲୋକ ଏବେ ବି ନିଖୋଜ ଅଛନ୍ତି। ବିଦ୍ୟୁତ ପ୍ରକଳ୍ପଗୁଡ଼ିକର ଭୂତଳ ସୁଡ଼ଙ୍ଗ ମଧ୍ୟରେ ଫସି ରହିଥିବା ୧୨୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଜାରି ରହିଛି। ସୀମା ଆରପାରି ତିବ୍ବତରେ ମଧ୍ୟ ବନ୍ୟାରେ ୪୩ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୫୦୦ରୁ ଅଧିକ ଲୋକ ନିଖୋଜ ଥିବା ଚୀନ୍ ଗଣମାଧ୍ୟମ ପ୍ରକାଶ କରିଛି।
ଏହି ସଙ୍କଟ ପଛରେ ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ଉତ୍ତାପ ବୃଦ୍ଧିକୁ ମୁଖ୍ୟ କାରଣ ଭାବେ ଦର୍ଶାଯାଉଛି। ଚୀନ୍ ବିଜ୍ଞାନ ଆକାଡେମୀର ଗବେଷକଙ୍କ ଅନୁସାରେ, ଗତ ୬ ଦଶନ୍ଧି ମଧ୍ୟରେ ହିମାଳୟ ଓ ଦକ୍ଷିଣ ପାର୍ବତ୍ୟ ଆଞ୍ଚଳିକ ବରଫ ଭଣ୍ଡାର ପ୍ରାୟ ୨୪% ରୁ ୪୦% ପର୍ଯ୍ୟନ୍ତ ହ୍ରାସ ପାଇଛି। ପାର୍ବତ୍ୟ ଅଞ୍ଚଳରେ ଥିବା ୩୩,୦୦୦ ବରଫ ନଦୀ ମଧ୍ୟରୁ ୧୮୭ଟି ଅତ୍ୟନ୍ତ ସଂବେଦନଶୀଳ ଓ ବିପଜ୍ଜନକ ସ୍ଥିତିରେ ଅଛି, ଯାହାକୁ କ୍ରମାଗତ କୃତ୍ରିମ ଉପଗ୍ରହ ମାଧ୍ୟମରେ ନଜର ରଖାଯାଉଛି। ଉଷ୍ମତା ବୃଦ୍ଧି ଏବଂ ଅନିୟମିତ ବୃଷ୍ଟିପାତ ଯୋଗୁଁ ନଦୀଗୁଡ଼ିକରେ ହଠାତ୍ ଜଳସ୍ତର ବୃଦ୍ଧି ପାଉଛି। ଏହା ବ୍ରହ୍ମପୁତ୍ର ସମେତ ସେଠାରୁ ବାହାରିଥିବା ୧୦ଟି ମୁଖ୍ୟ ଆନ୍ତଃସୀମା ନଦୀ ଓ ତଳମୁଣ୍ଡରେ ଥିବା ଦେଶଗୁଡ଼ିକ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିଛି।


