ଭୁବନେଶ୍ବର: ଚଳିତ ମାସ ୩୦ ତାରିଖରୁ ୪୬ତମ ଅନ୍ତର୍ଜାତୀୟ ଇଣ୍ଡୋନେସିଆ ପୁସ୍ତକମେଳା ଆୟୋଜିତ ହେଉଥିବାବେଳେ ଏଥିରେ ଯୋଗ ଦେବ ଓଡ଼ିଶାର ଅଗ୍ରଣୀ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ର ‘ପେନ୍ ଇନ୍ ବୁକ୍ସ’ ପ୍ରକାଶନ ସଂସ୍ଥା। ମେଳା ପରିସରରେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୨ ତାରିଖା ଯାଏଁ ହେବାକୁ ଥିବା ସ୍ବତ୍ବ ସମାବେଶରେ ବିଶ୍ବର ବିଭିନ୍ନ କୋଣରୁ ଶତାଧିକ ପ୍ରକାଶନ ସଂସ୍ଥା ଯୋଗ ଦେଉଥିବା ବେଳେ ୨୮ଟି ସଂସ୍ଥାକୁ ସ୍ବତନ୍ତ୍ର ଫେଲୋସିପ୍ ପ୍ରଦାନ କରିଛନ୍ତି ମେଳା କର୍ତୃପକ୍ଷ।
ଇଣ୍ଡୋନେସିଆ ପ୍ରକାଶକ ସଂଘ ଓ ଇଣ୍ଡୋନେସିଆ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ମିଳିତ ସହଯୋଗରେ ଆୟୋଜିତ ଏହି ମେଳାରେ ଭାରତରୁ ଏକମାତ୍ର ସଂସ୍ଥା ଭାବେ ଓଡ଼ିଆ ମିଡିଆ ଫେଲୋସିପ୍ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ‘ପେନ୍ ଇନ୍ ବୁକ୍ସ’ ମାଧ୍ୟମରେ ଓଡ଼ିଆ ପ୍ରକାଶନ ଜଗତରେ ବୈପ୍ଲବିକ ବିକାଶ ଆଣିଥିବା ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ଓଡ଼ିଶାର ସାହିତ୍ୟକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଛି ବୋଲି ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ତଥା ଜଣାଶୁଣା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି।
ଓଡ଼ିଆ ସାହିତ୍ୟକୁ ବିଶ୍ବର ଅନ୍ୟ ଭାଷାରେ ଅନୂଦିତ ଓ ପ୍ରକାଶିତ କରିବା ସହ ବିଶ୍ବ ସାହିତ୍ୟକୁ ଓଡ଼ିଆ ପାଠକଙ୍କ ପାଖରେ ପହଞ୍ଚାଇବା ଲାଗି ଇଣ୍ଡୋନେସିଆ ଅନ୍ତର୍ଜାତୀୟ ପୁସ୍ତକ ମେଳା ସହାୟକ ହେବ ବୋଲି ଶ୍ରୀ ପଣ୍ଡା ଆଶାବ୍ୟକ୍ତ କରିଛନ୍ତି। ଚଳିତ ବର୍ଷ ବିଶ୍ବର ଅନ୍ୟୂନ ୩ଟି ଅନ୍ତର୍ଜାତୀୟ ମେଳାରେ ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ଓଡ଼ିଆ ପୁସ୍ତକ ପ୍ରଦର୍ଶନ କରିବ ବୋଲି ସେ ସୂଚନା ଦେଇଛନ୍ତି।


