ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରେହମାନ୍ ଯୋଗଦେବେ ନାହିଁ। ଢାକା ଓ ନୂଆଦିଲ୍ଲୀର କୂଟନୈତିକ ସୂତ୍ରରୁ ଏହି ସୂଚନା ମିଳିଛି। ବାଂଲାଦେଶ ବୈଦେଶିକ ମନ୍ତ୍ରୀ ହୁମାୟୁନ୍ କବୀର ସ୍ପଷ୍ଟ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ରେହମାନ୍ଙ୍କୁ ବ୍ରିକ୍ସ ସମ୍ମିଳନୀ ପାଇଁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରାଯାଇ ନାହିଁ, ବରଂ ‘ବିମ୍ସଟେକ୍’ ଅଧ୍ୟକ୍ଷ ପଦବୀ ଆଧାରରେ ‘ଆଉଟରିଚ୍ ସେସନ୍’ ପାଇଁ ଆମନ୍ତ୍ରଣ ପଠାଯାଇଥିଲା। ତେଣୁ ଏହି ସମ୍ମିଳନୀରେ ସେ ଯୋଗଦେବାର ଆବଶ୍ୟକତା ନାହିଁ ବୋଲି ସେ ଦର୍ଶାଇଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରଣଧୀର ଜୈସୱାଲ ମଧ୍ୟ ବାଂଲାଦେଶ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ କୌଣସି ନିଶ୍ଚିତତା ମିଳିନଥିବା ପ୍ରକାଶ କରିଛନ୍ତି।ଅନ୍ୟପଟେ, ପ୍ରଧାନମନ୍ତ୍ରୀ ତାରିକ ରେହମାନ୍ ଭାରତ ଗସ୍ତ ପାଇଁ ଆଗ୍ରହୀ ଥିଲେ ହେଁ ଗସ୍ତ ପୂର୍ବରୁ କିଛି ନିର୍ଦ୍ଦିଷ୍ଟ କୂଟନୈତିକ ଏଜେଣ୍ଡା ହେବା ଆବଶ୍ୟକ ବୋଲି ବାଂଲାଦେଶର ବରିଷ୍ଠ କୂଟନୀତିଜ୍ଞ ସୂଚନା ଦେଇଛନ୍ତି।


