ଜୋହନ୍ସବର୍ଗ: ଦକ୍ଷିଣ ଆଫ୍ରିକାରେ ପୁଣି ବୃଦ୍ଧି ପାଇବାରେ ଲାଗିଛି ଭୟଙ୍କର ହିଂସାକାଣ୍ଡ। ଦେଶର ଦୁଇଟି ପ୍ରମୁଖ ସହର ନିକଟରେ ଘଟିଥିବା ଦୁଇଟି ପୃଥକ୍ ଗୁଳିକାଣ୍ଡରେ ଅନ୍ୟୁନ ୨୭ ଜଣଙ୍କର ପ୍ରାଣହାନି ଘଟିଛି। ଗୋଟିଏ ପଟେ ଜୋହାନ୍ସବର୍ଗ ନିକଟସ୍ଥ ଏକ ବାର୍ରେ ଆକ୍ରମଣକାରୀମାନେ ଅନ୍ଧାଧୁନ୍ଧ ଗୁଳିଚାଳନା କରି ୧୭ ଜଣଙ୍କୁ ହତ୍ୟା କରିଥିବା ବେଳେ ଅନ୍ୟପଟେ କେପଟାଉନ୍ ନିକଟସ୍ଥ ଏକ ଦୋକାନରେ ୧୦ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଦୁଇଟି ପୃଥକ୍ ଘଟଣାରେ ଅନେକ ଲୋକ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗୌତେଙ୍ଗ ପ୍ରଦେଶର ଜୋହାନ୍ସବର୍ଗ ଦକ୍ଷିଣ-ପଶ୍ଚିମରେ ଥିବା ୱେଡେଲା ଗ୍ରାମାଞ୍ଚଳର ଏକ ବାର୍ରେ ଶନିବାର ରାତି ପ୍ରାୟ ୯ଟା ୩୦ ମିନିଟ୍ ସମୟରେ ପ୍ରାୟ ୮ ଜଣ ସଶସ୍ତ୍ର ଆକ୍ରମଣକାରୀ ଆକ୍ରମଣ କରିଥିଲେ। ମାରାତ୍ମକ ବନ୍ଧୁକ ଏବଂ ପିସ୍ତୋଲ୍ ଧରି ଆସିଥିବା ଏହି ଅପରାଧୀମାନେ ପ୍ରଥମେ ବାର୍ ବାହାରେ ଥିବା ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ ଏବଂ ପରେ ଭିତରକୁ ପଶି ଅନ୍ଧାଧୁନ୍ଧ ଗୁଳିବର୍ଷା କରିଥିଲେ। ଏହି ଘଟଣାସ୍ଥଳରେ ହିଁ ୧୩ ଜଣ ପୁରୁଷ ଓ ୪ ଜଣ ମହିଳାଙ୍କ ସମେତ ୧୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାବ୍ୟତୀତ ଗୁଳିମାଡ଼ରେ ଆହତ ହୋଇଥିବା ଅନ୍ୟ ୧୫ ଜଣଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସେହିପରି ଅନ୍ୟ ଏକ ଆକ୍ରମଣ କେପଟାଉନ୍ ନିକଟସ୍ଥ ଲୱାଣ୍ଡଲେ ଅଞ୍ଚଳର ଏକ ଦୋକାନରେ ରବିବାର ଭୋର ସମୟରେ ଘଟିଥିଲା। ଏଠାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୧୦ ଜଣ ପ୍ରାଣ ହରାଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଗୋଟିଏ ସପ୍ତାହ ମଧ୍ୟରେ ଦେଶରେ ଏହା ତୃତୀୟ ବଡ଼ ଗୁଳିକାଣ୍ଡ। ଏହା ପୂର୍ବରୁ ଡରବାନ୍ ସହର ନିକଟରେ ଏକ ଘରୋଇ ପାର୍ଟିରେ ଗୁଳିଚାଳନା ହୋଇ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୧୧ ଜଣଙ୍କ ଜୀବନ ଯାଇଥିଲା। ପୁଲିସ ପକ୍ଷରୁ ବ୍ୟାପକ ଛାନଭିନ୍ ଜାରି ରହିଥିଲେ ହେଁ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି ଏବଂ କୌଣସି ଅପରାଧୀଙ୍କୁ ଗିରଫ କରାଯାଇ ପାରିନାହିଁ।


