ନୂଆଦିଲ୍ଲୀ: ସମ୍ପ୍ରତି ସମଗ୍ର ପୃଥିବୀ ଏକ ଅତ୍ୟନ୍ତ ଭୟାନକ ‘ସୁପର-ଡୁପର ଅଲ୍ ନିନୋ’ର ସମ୍ମୁଖୀନ ହେଉଛି, ଯାହା ବିଶ୍ୱ ଜଳବାୟୁ ସନ୍ତୁଳନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ପ୍ରଶାନ୍ତ ମହାସାଗରର ମଧ୍ୟ ଏବଂ ପୂର୍ବ ଭାଗରେ ସମୁଦ୍ର ଜଳର ତାପମାତ୍ରା ସ୍ୱାଭାବିକଠାରୁ ୩.୪ଂ ସେଲ୍ସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇ ୭୬ ବର୍ଷର ସବୁ ରେକର୍ଡ ଭାଙ୍ଗିଛି। ୧୯୫୦ ପରଠାରୁ ଦେଖାଦେଇଥିବା ଏହି ସବୁଠାରୁ ବିପଦଜନକ ସାମୁଦ୍ରିକ ପରିବର୍ତ୍ତନ ଯୋଗୁଁ ଜଳବାୟୁ ମାନଚିତ୍ରରେ ପୃଥିବୀର ଏକ ବଡ଼ ଅଂଶ ଲାଲ୍ ରଙ୍ଗରେ ଦୃଶ୍ୟମାନ ହେଉଛି। ଚିକାଗୋ ବିଶ୍ୱବିଦ୍ୟାଳୟର କ୍ଲାଇମେଟ୍ ଇମ୍ପାକ୍ଟ ଲ୍ୟାବ୍ର ଗବେଷକମାନଙ୍କ ଅନୁଯାୟୀ, ଏହି ପ୍ରଚଣ୍ଡ ଅଲ୍ ନିନୋ କାରଣରୁ ଜୁନ୍ ୨୦୨୬ ରୁ ଫେବୃଆରୀ ୨୦୨୭ ମଧ୍ୟରେ ସାରା ବିଶ୍ୱରେ ପ୍ରାୟ ୪.୫୧ ଲକ୍ଷ ଅତିରିକ୍ତ ଲୋକଙ୍କ ଜୀବନଯାଇପାରେ।
ବିଶ୍ୱ ପାଣିପାଗ ସଂଗଠନ (WMO) ଅନୁଯାୟୀ, ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହି ଅଲ୍ ନିନୋ ତା’ର ଚରମ ସୀମାରେ ପହଞ୍ଚିବ ଏବଂ ୨୦୨୭ ବସନ୍ତ ଋତୁ ପର୍ଯ୍ୟନ୍ତ ଏହାର ପ୍ରଭାବ ଜାରି ରହିବ। ଏହାର କୁପ୍ରଭାବରେ ବିଶ୍ୱବ୍ୟାପୀ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ହିଟ୍ ଷ୍ଟ୍ରୋକ୍, ଜଳାଭାବ, ବନ୍ୟା, ମରୁଡ଼ି ଏବଂ ମହାମାରୀ ଭଳି ସଂକଟ ସୃଷ୍ଟି ହେବ। ଭାରତରେ ମଧ୍ୟ ଏହାର ଗମ୍ଭୀର ପ୍ରଭାବ ଦେଖିବାକୁ ମିଳିଛି; ୨୦୨୬ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକଠାରୁ ୧୩% କମ୍ ବର୍ଷା ସହ ଶେଷ ହୋଇଥିବା ବେଳେ ୨୦୦୧ ପରଠାରୁ ଏହା ଚତୁର୍ଥ ସର୍ବାଧିକ ଶୁଷ୍କ ମୌସୁମୀ ଭାବେ ରେକର୍ଡ ହୋଇଛି। ସେହିପରି ୟୁରୋପର ଫ୍ରାନ୍ସ, ସ୍ପେନ୍ ଓ ବ୍ରିଟେନ୍ରେ ପ୍ରଚଣ୍ଡ ଗରମ ଅନୁଭୂତ ହେବା ସହ ଡାନିୟୁବ୍, ରାଇନ୍ ଓ ଥେମ୍ସ ଭଳି ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇଛି।
ସାଧାରଣତଃ ପ୍ରଶାନ୍ତ ମହାସାଗରର ପୂର୍ବରୁ ପଶ୍ଚିମକୁ ବହୁଥିବା ପବନ ଗରମ ପାଣିକୁ ଇଣ୍ଡୋନେସିଆ-ଅଷ୍ଟ୍ରେଲିଆ ଆଡ଼କୁ ନେଇଥାଏ, କିନ୍ତୁ ଅଲ୍ ନିନୋ ସମୟରେ ଏହି ବାୟୁ ପ୍ରବାହ ଦୁର୍ବଳ ହୋଇ ଗରମ ପାଣି ପୂର୍ବ ଆଡ଼କୁ ବ୍ୟାପିଯାଏ। ଅନ୍ୟ ମହାସାଗରଗୁଡ଼ିକରେ ବାୟୁ ଓ ସମୁଦ୍ର ଜଳର ଏପରି ସ୍ୱତନ୍ତ୍ର ସଂଯୋଜନା ନ ଥିବାରୁ ଏହା ପ୍ରଶାନ୍ତ ମହାସାଗରୀୟ ଏକ ବିଶେଷ ସାମୁଦ୍ରିକ ପ୍ରକ୍ରିୟା ଭାବେ ଗଣ୍ୟ ହୁଏ, ଯାହା ସମଗ୍ର ବିଶ୍ୱର ପାଣିପାଗ ଓ ମାନବ ସମାଜ ପାଇଁ ବର୍ତ୍ତମାନ ଏକ ମହାସଂକଟ ସୃଷ୍ଟି କରିଛି।


