ଢାକା: ସାଉଦି ଆରବରେ ଦୁଇ ଜଣ ବାଂଲାଦେଶୀ ପ୍ରବାସୀ ଶ୍ରମିକଙ୍କୁ ଗୁପ୍ତ ଭାବେ ମୃତ୍ୟୁଦଣ୍ଡ ଦିଆଯିବା ଘଟଣାକୁ ନେଇ ସାରା ବିଶ୍ୱରେ ତୀବ୍ର ପ୍ରତିକ୍ରିୟା ଓ ଅସନ୍ତୋଷ ପ୍ରକାଶ ପାଇଛି। ପବିତ୍ର ମକ୍କା ସହରର ଏକ ମସଜିଦ୍ରେ ‘ଅଶୋଭନୀୟ ଆଚରଣ’ କରିଥିବା ଅଭିଯୋଗରେ ସାଉଦି ସରକାର ଗତ ଅକ୍ଟୋବର ୧୪ ତାରିଖରେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ତେବେ ଘଟଣାରେ ସ୍ୱଚ୍ଛତାର ଅଭାବ ଏବଂ ମୃତ୍ୟୁଦଣ୍ଡ ପୂର୍ବରୁ ବାଂଲାଦେଶ ସରକାର କିମ୍ବା ପରିବାରକୁ ସୂଚନା ନ ଦିଆଯିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାନୁସାରେ, ମୃତକ ଦ୍ୱୟ ହେଲେ ନଜରୁଲ ଇସଲାମ ଅବଦୁଲ ବାସିର ଏବଂ ସିତି ଅଖତର । ବିଭିନ୍ନ ସୂତ୍ରରୁ ଦାବି କରାଯାଉଛି ଯେ, ମସଜିଦ୍ ପରିସରରେ ଦୁହେଁ ପରସ୍ପରକୁ ଚୁମ୍ବନ (କପାଳରେ ଚୁମ୍ବନ) ଦେଇଥିବାରୁ ସେମାନଙ୍କ ବିରୋଧରେ ଏହି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ସାଉଦି ପ୍ରଶାସନ ସେମାନଙ୍କ ଅପରାଧ ଏବଂ ବିଚାର ପ୍ରକ୍ରିୟା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ସାର୍ବଜନୀନ କରିନାହିଁ।
ଅନ୍ୟପଟେ ନଜରୁଲଙ୍କ ପରିବାର ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ନଜରୁଲ ବାଂଲାଦେଶର ବ୍ରାହ୍ମଣବାଡ଼ିଆ ଅଞ୍ଚଳର ହୋଇଥିବା ବେଳେ ୨୦୨୨ରୁ ମକ୍କାର ମସଜିଦ୍-ଅଲ୍-ହରାମରେ ଜଣେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଜଣେ ପାକିସ୍ତାନୀ ସହକର୍ମୀଙ୍କ ସହ ଶତ୍ରୁତା ଯୋଗୁଁ ତାଙ୍କୁ ଫସାଯାଇଥିବା ନଜରୁଲଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ମୃତ୍ୟୁଦଣ୍ଡର ମାତ୍ର ୩ ଦିନ ପୂର୍ବରୁ ପରିବାର ତାଙ୍କ ସହ କଥା ହୋଇଥିଲେ, କିନ୍ତୁ କାର୍ଯ୍ୟାନୁଷ୍ଠାନ ପରେ ସେମାନଙ୍କୁ ଖବର ଦିଆଯାଇଥିଲା। ଏହି ଦୁଃଖଦ ଖବର ଶୁଣି ନଜରୁଲଙ୍କ ଆଈଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ସାଉଦି ଆରବରେ କଠୋର ଇସଲାମିକ ଆଇନ୍ (ତାଜିର୍) ଅଧୀନରେ ଏହି ମୃତ୍ୟୁଦଣ୍ଡ ଦିଆଯାଇଛି। ତେବେ କୌଣସି ନିରପେକ୍ଷ ବିଚାର ବିନା ଏବଂ ଆଗୁଆ ସୂଚନା ନଦେଇ ଏପରି ମୃତ୍ୟୁଦଣ୍ଡ ଦିଆଯିବା ଦ୍ୱାରା ନିରପେକ୍ଷତା ଓ ମାନବାଧିକାର ଉଲ୍ଲଂଘନକୁ ନେଇ ଗମ୍ଭୀର ଚିନ୍ତା ପ୍ରକାଶ ପାଇଛି।


