ନୂଆଦିଲ୍ଲୀ: ଓମାନ ଉପକୂଳ ନିକଟରେ ଏକ ବାଣିଜ୍ୟିକ ଜାହାଜ MSV ଅଲ୍ ଜୁସୁଫି ଉପରେ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ବିଦେଶ ମନ୍ତ୍ରଣାଳୟ ଚିନ୍ତା ପ୍ରକଟ କରିଛି।
ମାମଲାରେ ବିବୃତ୍ତି ଜାରି କରି ବିଦେଶ ମନ୍ତ୍ରଣାଳୟ କହିଛି ଯେ, “ଆମେ ଗତକାଲି ସନ୍ଧ୍ୟାରେ ଓମାନର ଲିମାହ ନିକଟରେ ଏକ ବାଣିଜ୍ୟିକ ଜାହାଜ MSV ଅଲ୍ ଜୁସୁଫି ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରୁଛୁ। ଜାହାଜରେ ଥିବା ୧୪ ଜଣ ଭାରତୀୟ ନାଗରିକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଉଦ୍ଧାର କରାଯାଇଛି, ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି।”
ବିବୃତ୍ତିରେ ଆହୁରି କୁହାଯାଇଛି ଯେ, “ଆମେ ଏହି କ୍ଷତି ଉପରେ ଗଭୀର ସମବେଦନା ଜଣାଉଛୁ। ଓମାନରେ ଥିବା ଆମର ଦୂତାବାସ ପରିସ୍ଥିତି ଉପରେ ନିକଟରୁ ନଜର ରଖିଛି ଏବଂ ଉଦ୍ଧାର ହୋଇଥିବା ଭାରତୀୟ ନାଗରିକ ଏବଂ ମୃତକଙ୍କ ପାର୍ଥିବ ଶରୀରକୁ ଶୀଘ୍ର ଫେରାଇ ଆଣିବା ପାଇଁ ଓମାନ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛି।”
ବିଦେଶ ମନ୍ତ୍ରଣାଳୟର ଅପିଲ
ବିଦେଶ ମନ୍ତ୍ରଣାଳୟ କହିଛି ଯେ, ଏହି ଅଞ୍ଚଳରେ ବାଣିଜ୍ୟିକ ଜାହାଜ ଉପରେ ଲଗାତାର ହେଉଥିବା ଆକ୍ରମଣ ଅତ୍ୟନ୍ତ ଚିନ୍ତାଜନକ। ଆମେ ଉତ୍ତେଜନାକୁ ତୁରନ୍ତ କମାଇବା ଏବଂ କୂଟନୈତିକ ସମାଧାନ ପାଇଁ ଚାଲିଥିବା ଆଲୋଚନାକୁ ସମ୍ପୂର୍ଣ୍ଣ କରିବା ପାଇଁ ଆମର ଅପିଲକୁ ଦୋହରାଉଛୁ, ଯାହା ଫଳରେ ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଫେରି ଆସିପାରିବ।”
ଏହି ଅଞ୍ଚଳରେ ବାଣିଜ୍ୟିକ ଜାହାଜ ଏବଂ ନାଗରିକ ଭିତ୍ତିଭୂମିକୁ ଟାର୍ଗେଟ କରିବା ବନ୍ଦ ହେବା ଉଚିତ। ଏହାସହ ଆନ୍ତର୍ଜାତୀୟ ଆଇନ ଅନୁଯାୟୀ, ଏହି ଅଞ୍ଚଳର ଆନ୍ତର୍ଜାତୀୟ ଜଳପଥରୁ ଜାହାଜ ଚଳାଚଳ ଏବଂ ବାଣିଜ୍ୟକୁ ବିନା କୌଣସି ବାଧାରେ ଶୀଘ୍ର ପୁନଃ ସ୍ଥାପିତ କରାଯିବା ଉଚିତ।”


