ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ – SCO ବୈଠକରେ ପାକିସ୍ତାନ ଯୋଗଦେବ କି ନାହିଁ, ତାକୁ ନେଇ ଏଯାଏଁ ସସପେନ୍ସ ଜାରି ରହିଛି। ପାକିସ୍ତାନ କହିଛି, ସମ୍ପୃକ୍ତ ସଂସ୍ଥା ସହ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର ସଜ୍ଜାଦ୍ ହାଇଦର ଖାନ୍ ସାପ୍ତାହିକ ମିଡିଆ ବ୍ରିଫିଂରେ ନିଶ୍ଚିତ କରିଛନ୍ତି ଯେ, ଭାରତଠୁ ୨୦-୨୨ ନଭେମ୍ବରରେ ନୂଆଦିଲ୍ଲୀରେ ହେବାକୁ ଥିବା ସିଭିଲାଇଜେସନାଲ୍ ଡାଏଲଗ୍ ଫୋରମ୍ – ସଭ୍ୟତା ସଂଳାପ ମଞ୍ଚ ବୈଠକରେ ଯୋଗଦେବା ପାଇଁ ନିମନ୍ତ୍ରଣ ମିଳିଛି। ବିଭିନ୍ନ ସଂସ୍ଥା ସହ ଆଲୋଚନା ପରେ ଦେଶର ନେତୃତ୍ୱ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।
ଭାରତ ସଂସ୍କୃତି ମନ୍ତ୍ରଣାଳୟ ଓ ବୈଦେଶିକ ମନ୍ତ୍ରଣାଳୟ ମିଳିତ ଭାବେ ଆୟୋଜନ କରୁଥିବା ଏହି କାର୍ଯ୍ୟକ୍ରମକୁ SCO ର ସମସ୍ତ ସଦସ୍ୟ ଦେଶଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିରେ ପାକିସ୍ତାନ ମଧ୍ୟ ସାମିଲ ଅଛି।
ଏହି ନିମନ୍ତ୍ରଣ ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଗତ ବର୍ଷ ମେ’ ମାସରେ ଦୁଇ ଦେଶ ମଧ୍ୟରେ ସାମରିକ ସଂଘର୍ଷ ପରେ ପ୍ରଥମ ଥର ପାଇଁ ନୂଆଦିଲ୍ଲୀ ପାକିସ୍ତାନର କୌଣସି ବରିଷ୍ଠ ମନ୍ତ୍ରୀଙ୍କୁ ଭାରତରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିଛି।
କିଏ ଯିବେ?
କୁହାଯାଉଛି, ପାକିସ୍ତାନର ଜାତୀୟ ଐତିହ୍ୟ ଓ ସଂସ୍କୃତି ମନ୍ତ୍ରୀ ଔରଙ୍ଗଜେବ୍ ଖାନ୍ ଖିଚିଙ୍କୁ ଏହି ବୈଠକକୁ ନିମନ୍ତ୍ରଣ କରାଯାଇଛି। ତାଙ୍କ ଆସିବା ନେଇ ଏଯାଏଁ ସସପେନ୍ସ ରହିଛି। ଭାରତ ୨୮ ଅକ୍ଟୋବରରେ ଘୋଷଣା କରିଥିଲା ଯେ, ପ୍ରଚଳିତ ପରମ୍ପରା ଅନୁଯାୟୀ ସମସ୍ତ SCO ସଦସ୍ୟଙ୍କୁ ନିମନ୍ତ୍ରଣ ପଠାଯାଇଛି।
SCO ହେଉଛି ୟୁରେସିଆର ଏକ ରାଜନୈତିକ, ଅର୍ଥନୈତିକ ଓ ସୁରକ୍ଷା ସମ୍ବନ୍ଧୀୟ ଅନ୍ତଃ-ସରକାରୀ ସଂଗଠନ। ଏଥିରେ ଭାରତ, ଚୀନ୍, ରୁଷିଆ, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ, ଇରାନ୍, ଉଜବେକିସ୍ତାନ, ପାକିସ୍ତାନ ଓ ବେଲାରୁଷ ସାମିଲ ଅଛନ୍ତି।
ପୃଷ୍ଠଭୂମି:
ପାକିସ୍ତାନକୁ ଏହି ନିମନ୍ତ୍ରଣ ଏପରି ସମୟରେ ଦିଆଯାଇଛି, ଯେତେବେଳେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବେଶ୍ ତିକ୍ତ। ୨୨ ଏପ୍ରିଲ୍ ୨୦୨୫ରେ ପହଲଗାମ୍ ଆତଙ୍କୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ଏହା ଆହୁରି ବଢ଼ିଥିଲା। ଏହାର ଜବାବରେ ଭାରତ ୭ ମେ’ରେ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲା। ୪ ଦିନର ସାମରିକ ସଂଘର୍ଷ ପରେ ୧୦ ମେ’ରେ ଏହା ଶେଷ ହୋଇଥିଲା।
ଭାରତ SCO ରେ ଲଗାତାର ସୀମାପାର ଆତଙ୍କବାଦ ପ୍ରସଙ୍ଗ ଉଠାଇ ଆସୁଛି। ଭାରତର ମତ, ଏହି ସଂଗଠନ କୌଣସି ଦ୍ୱୈତ ମାନଦଣ୍ଡ ବିନା ଆତଙ୍କବାଦ ଓ ଏହାକୁ ମିଳୁଥିବା ଫଣ୍ଡିଂ ବିରୋଧରେ ଏକାଠି କାମ କରିବା ଉଚିତ୍।


