ନୂଆଦିଲ୍ଲୀ: ଭାରତ ଏବଂ ଫ୍ରାନ୍ସ ଏବେ ଆହୁରି ପାଖାପାଖି ଆସିଛନ୍ତି। ପ୍ୟାରିସରେ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସୁରକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲୋଜି ସଂଳାପର ପ୍ରଥମ ବୈଠକ ହୋଇଛି।
ଏହି ବୈଠକରେ ଯୋଗାଣ ଶୃଙ୍ଖଳା, ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲୋଜି, ସାଇବର ସୁରକ୍ଷା ଏବଂ ଶିଳ୍ପ ସହଯୋଗକୁ ମଜଭୁତ୍ କରିବା ଉପରେ ଚର୍ଚ୍ଚା ହୋଇଛି। ବୈଠକର ସହ-ଅଧ୍ୟକ୍ଷତା କରିଥିଲେ ଭାରତର ବିଦେଶ ସଚିବ ବିକ୍ରମ ମିଶ୍ରୀ ଏବଂ ଫ୍ରାନ୍ସ ବିଦେଶ ମନ୍ତ୍ରାଳୟର ମହାସଚିବ ମାର୍ଟିନ୍ ବ୍ରିଏନ୍ସ।
କଣ ନିଷ୍ପତ୍ତି ହେଲା?
ବିଦେଶ ମନ୍ତ୍ରାଳୟ ଅନୁସାରେ, ଏହି ସଂଳାପ ଭାରତ-ଫ୍ରାନ୍ସ ଇନୋଭେସନ୍ ରୋଡ୍ ମ୍ୟାପ୍ ୨୦୩୦ ଏବଂ ଭାରତ-ଫ୍ରାନ୍ସ ନବାଚାର ବର୍ଷକୁ ଆଗକୁ ବଢ଼ାଇବ। ସବୁଠାରୁ ବଡ଼ କଥା ହେଲା – ଆଗାମୀ ୫ ବର୍ଷରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଦୁଇ ପକ୍ଷ ମିଶି କାମ କରିବାକୁ ରାଜି ହୋଇଛନ୍ତି। ଏହା ସହ ହରାଇଜନ୍ ୨୦୪୭ ରୋଡ୍ ମ୍ୟାପ୍ କୁ ଲାଗୁ କରିବା, ଦ୍ୱିପାକ୍ଷିକ ସହଯୋଗର ମୁଖ୍ୟ କ୍ଷେତ୍ର ଏବଂ ଭାରତ-ଇଉରୋପୀୟ ସଂଘ ସମ୍ପର୍କ ଉପରେ ମଧ୍ୟ ଚର୍ଚ୍ଚା ହୋଇଛି। ଆଞ୍ଚଳିକ ଏବଂ ବିଶ୍ୱ ସମସ୍ୟା ସହ ବହୁପାକ୍ଷିକ ମଞ୍ଚରେ ସହଯୋଗ ବଢ଼ାଇବା ଉପରେ ମଧ୍ୟ ମତ ବିନିମୟ ହୋଇଛି।
ଅର୍ଥାତ୍ ଭାରତ-ଫ୍ରାନ୍ସ ବନ୍ଧୁତା ଏବେ କେବଳ ପ୍ରତିରକ୍ଷାରେ ନୁହେଁ, ଟେକ୍ନୋଲୋଜି, ବାଣିଜ୍ୟ ଏବଂ ସାଇବର ସୁରକ୍ଷାରେ ବି ଆହୁରି ମଜଭୁତ୍ ହେବାକୁ ଯାଉଛି।


