ଢାକା: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଘୋଷଣାକୁ କେନ୍ଦ୍ର କରି ବାଂଲାଦେଶରେ ପୁଣି ଥରେ ସ୍ଥିତି ଅଶାନ୍ତ ହୋଇପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ୨୧ଟି ଜିଲ୍ଲାରେ ବ୍ୟାପକ ହିଂସାକାଣ୍ଡ, ବୋମାମାଡ଼ ଓ ପୋଡ଼ାଜଳା ଘଟିଥିବା ବେଳେ ବସ୍ରେ ନିଆଁ ଲାଗି ଜଣେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହି ହିଂସା ପାଇଁ ପୋଲିସ ଆୱାମୀ ଲିଗ୍ ସମର୍ଥକଙ୍କୁ ଦାୟୀ କରିଥିବା ବେଳେ ଦଳ ପକ୍ଷରୁ ଏହାକୁ ବିରୋଧୀଙ୍କ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରାଯାଇଛି। ହସିନାଙ୍କୁ ବିରୋଧ କରୁଥିବା ବାଂଲାଦେଶୀ ନାଗରିକମାନେ ଏବେ ଏକଜୁଟ୍ ହୋଇ ରାସ୍ତାକୁ ଓହ୍ଲାଇବା ସହ ବସ୍ ଏବଂ ଟ୍ରେନ୍ ବଗିରେ ନିଆଁ ଲଗାଇ ଦେଇଛନ୍ତି। ଏସବୁ ପୋଡାଜଳା ତଥା ଅଗ୍ନିକାଣ୍ଡ ମଧ୍ୟରେ ମହମ୍ମଦ କଲାଚନ ନାମକ ଜଣେ ବସ୍ ଡ୍ରାଇଭର ଜୀଅନ୍ତା ଜଳିଯାଇଥିବା ଖବର ମଧ୍ୟ ହସ୍ତଗତ ହୋଇଛି। ଅନ୍ୟପକ୍ଷେ ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକର ଫାଟକ ମଧ୍ୟ ବନ୍ଦ କରି ତାଲା ପକାଇ ଦିଆଯାଇଛି। ବାଂଲାଦେଶ ପୋଲିସ ଏବଂ ଢାକା ମେଟ୍ରୋପଲିଟାନ୍ ପୋଲିସ୍ ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୧୧ଟି ଜିଲ୍ଲାରେ ୨୨ଟି ଯାନବାହନକୁ ଜଳାଇ ଦିଆଯାଇଛି। ଢାକା ଏବଂ ଅନ୍ୟ ୬ଟି ଜିଲ୍ଲାର ଅତି କମରେ ୨୮ଟି ସ୍ଥାନରେ ଦେଶୀ ବୋମା ବିସ୍ଫୋରଣ ଘଟିଛି। ପୋଲିସ ମୁଖ୍ୟାଳୟର ଦାବି ଯେ ଏହି ଘଟଣାଗୁଡ଼ିକ ପଛରେ ଶେଖ୍ ହସିନାଙ୍କ ଦଳର ସମର୍ଥକମାନେ ରହିଛନ୍ତି। ପୋଲିସ ସୂଚନା ଅନୁଯାୟୀ, ହସିନା ବାଂଲାଦେଶ ଫେରିବାର ଘୋଷଣା କରିବା ପରେ ଏହି ହିଂସାତ୍ମକ ଘଟଣାଗୁଡ଼ିକ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଆୱାମୀ ଲିଗ୍ ପୋଲିସର ଏହି ଅଭିଯୋଗକୁ ଖାରଜ କରିଛି। ଦଳର ମୁଖପାତ୍ର ମହମ୍ମଦ ଅଲ୍ଲୀ ଆରାଫାତ ଦାବି କରିଛନ୍ତି ଯେ ବିରୋଧୀ ଗୋଷ୍ଠୀ ଦଳକୁ ବଦନାମ କରିବା ଏବଂ ଆକ୍ରମଣର ଦୋଷ ତାଙ୍କ ଉପରେ ଲଦିବା ପାଇଁ ଏଭଳି ଘଟଣା ଘଟାଉଛନ୍ତି।


