ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୧, ୨୦୨୭ରୁ ମାଲେସିଆ ଯାତ୍ରା କରୁଥିବା ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସା-ମୁକ୍ତ ପ୍ରବେଶ ସୁବିଧା ବନ୍ଦ ହେବାକୁ ଯାଉଛି। ମାଲେସିଆ ଇମିଗ୍ରେସନ୍ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ୨୦୨୬ ଶେଷରେ ଏହି ଭିସା ଛାଡ଼ ବ୍ୟବସ୍ଥା ଶେଷ ହେବ ଏବଂ ନୂଆବର୍ଷରୁ ଯାତ୍ରୀମାନଙ୍କୁ ପୂର୍ବରୁ ବୈଧ ଭିସା ନେବାକୁ ପଡ଼ିବ। ଏଥିପାଇଁ ଡିସେମ୍ବର ୧, ୨୦୨୬ରୁ ମାଇଁଭିସା ପୋର୍ଟାଲରେ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ, ଯେଉଁଠାରେ ୭ କାର୍ଯ୍ୟଦିବସ ମଧ୍ୟରେ ଆବେଦନ ଓ ପେମେଣ୍ଟ ଶେଷ ନ କଲେ ଆବେଦନ ଆପେ ରଦ୍ଦ ହୋଇଯିବ।
ଜାରି କରାଯାଇଥିବା ଏକ ସରକାରୀ ବିଜ୍ଞପ୍ତିରେ ମାଲେସିଆର ଇମିଗ୍ରେସନ୍ ବିଭାଗ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ଯେ ଭାରତୀୟ ପାସପୋର୍ଟଧାରୀଙ୍କ ପାଇଁ ଥିବା ବର୍ତ୍ତମାନର ଭିସା ଛାଡ଼ ସୁବିଧା ବ୍ୟବସ୍ଥା ୨୦୨୬ ଶେଷରେ ସମାପ୍ତ ହେବ। ସୂଚନାଯୋଗ୍ୟ, ଅକ୍ଟୋବର ୧, ୨୦୨୬ରୁ କାର୍ଯ୍ୟକାରୀ ହୋଇଥିବା ଏକ ନୀତି ଅନୁଯାୟୀ, ସାତ କାର୍ଯ୍ୟଦିବସରୁ ଅଧିକ ସମୟ ପାଇଁ “ନୂଆ ଆବେଦନ” କିମ୍ବା “ପେମେଣ୍ଟ ବାକି” ସ୍ଥିତିରେ ରହିଥିବା ଯେକୌଣସି ଅନଲାଇନ୍ ଆବେଦନଗୁଡ଼ିକ ଆପେ ଆପେ ରଦ୍ଦ ହୋଇଯିବ, ଯାହାଫଳରେ ଯାତ୍ରୀମାନଙ୍କୁ ପୁଣିଥରେ ଏକ ନୂଆ ଫର୍ମ ଦାଖଲ କରିବାକୁ ପଡ଼ିବ। ଏତଦ୍ବ୍ୟତୀତ ମାଲେସିଆ ଇମିଗ୍ରେସନ୍ ବିଭାଗ ସ୍ପଷ୍ଟ କରିଛି ଯେ ଭିସା ପ୍ରକ୍ରିୟାକରଣ ଶୁଳ୍କ ସମ୍ପୂର୍ଣ୍ଣ ଅଣ-ଫେରସ୍ତଯୋଗ୍ୟ ତାହା ଅନୁମୋଦନ ହେଉ, ପ୍ରତ୍ୟାଖ୍ୟାନ ହେଉ, ନୀତିରେ ସଂଶୋଧନ ହେଉ କିମ୍ବା ବ୍ୟକ୍ତିଗତ ଯାତ୍ରା ଯୋଜନାରେ ପରିବର୍ତ୍ତନ ହେଉ, କୌଣସି ସ୍ଥିତିରେ ଟଙ୍କା ଫେରସ୍ତ ମିଳିବ ନାହିଁ।
ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ ନଭେମ୍ବର ୧୬ରେ ଜାରି ହୋଇଥିବା ଏକ ପୃଥକ୍ ପରାମର୍ଶରେ ମାଲେସିଆର ଇମିଗ୍ରେସନ୍ ବିଭାଗ ବିଦେଶୀ ପର୍ଯ୍ୟଟକମାନଙ୍କୁ ସତର୍କ କରାଇଦେଇଛି ଯେ ଅଣ-ବାସିନ୍ଦାମାନଙ୍କୁ ମାଲେସିଆରେ ସେମାନଙ୍କର ନିଜସ୍ୱ ସ୍ୱାସ୍ଥ୍ୟସେବା ଏବଂ ଡାକ୍ତରୀ ଖର୍ଚ୍ଚ ସ୍ୱତଃ ବହନ କରିବାକୁ ପଡ଼ିବ। ତେଣୁ ଭିସା ଆବେଦନ ସମୟରେ ଏକ ସହାୟକ ଦସ୍ତାବିଜ ଭାବରେ ବ୍ୟାପକ ଭ୍ରମଣ ମେଡିକାଲ୍ ବୀମା ଯେପରିକି ‘ମାଇଁଟ୍ରିପ୍ପାସ୍’ ମାଧ୍ୟମରେ କଭରେଜ୍, ଯାହା ତୁରନ୍ତ ଡିଜିଟାଲ୍ ସାର୍ଟିଫିକେଟ୍ ପ୍ରଦାନ କରେ ନେବାକୁ ସୁପାରିଶ କରାଯାଇଛି।


