ନୂଆଦିଲ୍ଲୀ: ସାଉଦି ଆରବର ରାଜଧାନୀ ରିୟାଦସ୍ଥିତ ଏକ ଟାୱାର ଉପରେ ହୋଇଥିବା ହୁତି ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିଛି। ଏହି ଆକ୍ରମଣରେ ଦୁଇଜଣ ଭାରତୀୟ ନାଗରିକଙ୍କ ସମେତ ମୋଟ ୧୧ ଜଣ ଆହତ ହୋଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସାଉଦି ଆରବର ବେସାମରିକ, ଅର୍ଥନୈତିକ ଏବଂ ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରି କରାଯାଉଥିବା ଏଭଳି ଆକ୍ରମଣକୁ ତୁରନ୍ତ ବନ୍ଦ କରିବାକୁ ଭାରତ ଆହ୍ୱାନ ଦେବା ସହ ବଢ଼ୁଥିବା ଆଞ୍ଚଳିକ ଉତ୍ତେଜନା ମଧ୍ୟରେ ସାଉଦି ଆରବ ପ୍ରତି ନିଜର ଦୃଢ଼ ସମର୍ଥନ ଜଣାଇଛି। ଏକ ସରକାରୀ ବିବୃତ୍ତିରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ନଭେମ୍ବର ୨୪ ତାରିଖରେ ରିୟାଦର ଆର୍ଥିକ କ୍ଷେତ୍ରର ଏକ ଟାୱାର ଉପରେ ହୋଇଥିବା ଆକ୍ରମଣ ଏବଂ ସାଉଦି ଆରବର ବେସାମରିକ ତଥା ଅର୍ଥନୈତିକ ଭିତ୍ତିଭୂମି ଉପରେ ଜାରି ରହିଥିବା ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରୁଛି। ରିୟାଦସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଆହତ ଭାରତୀୟ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ସମସ୍ତ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି। ଏଭଳି ଆକ୍ରମଣ ସାଧାରଣ ନାଗରିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ସହ ସାଉଦି ଆରବର ସାର୍ବଭୌମତ୍ୱକୁ ଉଲ୍ଲଂଘନ କରୁଛି ଏବଂ ଆଞ୍ଚଳିକ ସୁରକ୍ଷା ଓ ସ୍ଥିରତାକୁ କ୍ଷୁଣ୍ଣ କରୁଛି ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।
ସାଉଦି ଆରବର ଜେନେରାଲ ଡାଇରେକ୍ଟୋରେଟ ଅଫ୍ ସିଭିଲ ଡିଫେନ୍ସ ପକ୍ଷରୁ ରିୟାଦ ଆର୍ଥିକ କେନ୍ଦ୍ରର ଏକ ଟାୱାର ଉପରେ ୟେମେନର ହୁତି ବିଦ୍ରୋହୀଙ୍କ ଦ୍ୱାରା ହୋଇଥିବା ଏହି ଆକ୍ରମଣକୁ ଏକ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଇଛି। ଏଥିରେ ଆହତ ହୋଇଥିବା ୧୧ ଜଣଙ୍କ ମଧ୍ୟରେ ୨ ଜଣ ସାଉଦି ନାଗରିକ, ୨ ଜଣ ଭାରତୀୟ, ୩ ଜଣ ନେପାଳୀ ଏବଂ ୪ ଜଣ ଇଜିପ୍ଟ ନାଗରିକ ଅଛନ୍ତି। ଘଟଣାସ୍ଥଳରେ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସାଉଦି ନେତୃତ୍ୱାଧୀନ ମେଣ୍ଟର ମୁଖପାତ୍ର ଏହାକୁ ଏକ କାପୁରୁଷୋଚିତ ଆତଙ୍କବାଦୀ ଆକ୍ରମଣ ବୋଲି ଅଭିହିତ କରିବା ସହ ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ୟେମେନର ଅଲ-ହୁଦାୟଦା ପ୍ରଦେଶରେ ଥିବା ଦୂରସଞ୍ଚାର ଭିତ୍ତିଭୂମି ଉପରେ ସାଉଦି ନେତୃତ୍ୱାଧୀନ ମେଣ୍ଟ ପକ୍ଷରୁ ବିମାନ ଆକ୍ରମଣ କରାଯାଇଥିବା ନେଇ ହୁତି କର୍ତ୍ତୃପକ୍ଷ ଅଭିଯୋଗ ଆଣିବା ପରେ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ସୋମବାର ଟେଲିଗ୍ରାମରେ ଏକ ବିବୃତ୍ତି ଜାରି କରି ହୁତି ନିୟନ୍ତ୍ରିତ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଭିଯୋଗ କରିଥିଲା ଯେ, ମେଣ୍ଟର ବିମାନଗୁଡ଼ିକ ଦୂରସଞ୍ଚାର କୋଠା, ଶ୍ରମିକଙ୍କ ବାସସ୍ଥାନ ଏବଂ ଏକ ମସଜିଦକୁ ଟାର୍ଗେଟ କରିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ୧୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି ଏବଂ ଅନେକ ଜିଲ୍ଲାରେ ଇଣ୍ଟରନେଟ୍ ଓ ଯୋଗାଯୋଗ ସେବା ବାଧାପ୍ରାପ୍ତ ହୋଇଛି।


