ଲଦାଖ ପ୍ରସଙ୍ଗରେ ଭାରତକୁ ଜାପାନର ଦୃଢ ସମର୍ଥନ

Published: Jul 3, 2020, 2:33 pm IST

ନୂଆଦିଲ୍ଲୀ, ଭାରତକୁ ଜାପାନର ଦୃଢ ସମର୍ଥନ ଘୋଷଣା । ଲଦାଖ ସୀମାରେ ଚୀନ୍ ସହିତ ସାମରିକ ଉତ୍ତେଜନା ପରିପ୍ରେକ୍ଷୀରେ ଜାପାନଠାରୁ ସମର୍ଥନ ପାଇଛି ଭାରତ । ପ୍ରକୃତ ନିୟନ୍ତ୍ରଣ ରେଖା ବା (ଏଲଏସି)ରେ ସ୍ଥିତାବସ୍ଥା ବଦଳାଇବା ପାଇଁ ଚୀନ କରୁଥିବା ଏକପାଖିଆ ଉଦ୍ୟମକୁ ଜାପାନ ଦୃଢ ବିରୋଧ କରିଛି । ଏଥିପାଇଁ ଚୀନକୁ ଜାପାନ କଡ଼ା ଭାଷାରେ ନିନ୍ଦା କରିଛି ।

ଗତ ମାସରେ ଚୀନ ସେନାର ଆକ୍ରମଣରେ 20 ଜଣ ଭାରତୀୟ ଯବାନ ସହିଦ ହେବା ପରଠାରୁ ଦୁଇ ଦେଶ ମଧ୍ୟରେ ସାମରିକ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିିଛି  । ନୂଆଦିଲ୍ଲୀରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ସନ୍ତୋଷୀ ସୁଜୁକି ଶୁକ୍ରବାର ଦିନ କହିଛନ୍ତି ଯେ, ଲଦାଖରେ ଭାରତ-ଚୀନ ବିବାଦର ଶାନ୍ତିପୂର୍ଣ୍ଣ ସମଧାନ ପାଇଁ ଭାରତ ସରକାରଙ୍କ ଉଦ୍ୟମ ସମ୍ପର୍କରେ ଭାରତୀୟ ବୈଦେଶିକ ସଚିବଙ୍କ ସହିତ ତାଙ୍କର କଥାବାର୍ତ୍ତା ହୋଇଛି ।

ଏହି ଆଲୋଚନା ବେଶ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା ବୋଲି ସୁଜୁକି ପରେ ଟୁଇଟ କରି ଜଣାଇଛନ୍ତି । ଭାରତର ଶାନ୍ତିପୂର୍ଣ୍ଣ ସମାଧାନ ଉଦ୍ୟମକୁ ଜାପାନ ପ୍ରଶଂସା କରିଛି । ଏଥିସହିତ ସୁଜୁକି କହିଛନ୍ତି, ସୀମାରେ ସ୍ଥିତାବାସ୍ଥା ପରିବର୍ତ୍ତନ ନେଇ କୌଣସି ପ୍ରକାର ଏକତରଫା ଉଦ୍ୟମକୁ ଜାପାନ ବିରୋଧ କରିବ । ଅଷ୍ଟ୍ରେଲିଆ, ବ୍ରିଟେନର ସମର୍ଥନ ପରେ ଜାପାନର ସମର୍ଥନ ଯୋଗୁଁ ଚୀନ ବିବାଦ ନେଇ ଭାରତର ମନୋବଳ ଅନ୍ତର୍ଜାତୀୟ କ୍ଷେତ୍ରରେ ଅଧିକ ମଜବୁତ ହେବ । ଏବଂ ଏହା ଚୀନ ଉପରେ ଚାପ ବଢାଇବ ।(ଏଜେନସୀ)

 

Related posts