ପଛକୁ ହଟୁଛି ଚୀନ୍ ସେନା: ଗଲୱାନ ଭ୍ୟାଲିର ପାଟ୍ରୋଲିଂ ପଏଣ୍ଟ 14,15ରେ ହଟାଇଲା ଟେଣ୍ଟ ଓ ଭାଙ୍ଗିଲା ବେଆଇନ ନିର୍ମାଣ

Published: Jul 8, 2020, 3:57 pm IST

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଭ୍ୟାଲିରେ ପ୍ରକୃତ ନିୟନ୍ତ୍ରଣ ରେଖାରେ ଅତିକ୍ରମଣ କରିଥିବା ଚୀନ୍ ସେନା ଅପସାରଣ ଘୋଷଣାର ଦୁଇ ଦିନ ପରେ ପାଟ୍ରୋଲିଂ ପଏଣ୍ଟ 14, 15ରେ ଆଜି ଦୁଇ କିଲୋମିଟର ପଛକୁ ହଟିଛନ୍ତି। ଏଥିସହିତ ହଟ୍ ସ୍ପ୍ରିଙ୍ଗସରେ ମଧ୍ୟ ଚୀନ ସେନା ପଛକୁ ହଟିଥିବା ଖବର ମିଳିଛି। ପାଟ୍ରୋଲିଂ ପଏଣ୍ଟ 14, 15ରେ ଲଗାଇଥିବା ଟେଣ୍ଟ ହଟାଇ ନେବା ସହିତ ସମସ୍ତ ବେଆଇନ ନିର୍ମାଣକୁ ଭାଙ୍ଗି ଦେଇଛି।

ତଥାପି ଚୀନ ସେନାକୁ ସଂପୂର୍ଣ୍ଣ ବିଶ୍ବାସକୁ ନ ନେଇ ଭାରତୀୟ ସେନା ଗ୍ରାଉଣ୍ଡ ଜିରୋରେ ସ୍ଥିତି ସମୀକ୍ଷା କରିବା ସହ ଶତୃ ପକ୍ଷର ଗତିବିଧି ଉପରେ ତୀକ୍ଷଣ ନଜର ରଖିଛି। ଦୁଇ ମାସ ଧରି ଭାରତ ଓ ଚୀନ ମଧ୍ୟରେ ସାମରିକ ଉତ୍ତେଜନା ଲାଗି ରହିବା ପରେ କମାଣ୍ଡର ସ୍ତରୀୟ ଏବଂ କୂଟନୈତିକ ସ୍ତରରେ ଆଲୋଚନା ଶେଷରେ ସମାଧାନର ବାଟ ଫିଟିଥିଲା। ଦୁଇ ଦେଶ ବିବାଦୀୟ ସ୍ଥାନରୁ ନିଜ ନିଜ ସେନା ହଟାଇବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ। ତେବେ ସେନା ଅପସାରଣ ପ୍ରକ୍ରିୟା ଶେଷ ହେବାକୁ ଆହୁରି କିଛି ଦିନ ଲାଗିଯିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମାନେ ମତ ଦେଉଛନ୍ତି।

ଗଲୱାନ ଭ୍ୟାଲିର ପଏଣ୍ଟ 14ରେ ଜୁନ୍ 15 ତାରିଖ ଦିନ ଭାରତ ଓ ପିଏଲଏ ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି 20 ଜଣ ଭାରତୀୟ ଯବାନ ସହିଦ୍ ହୋଇଥିଲେ। ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ପ୍ରକୃତ ନିୟନ୍ତ୍ରଣ ରେଖାର ଦୁଇ ପଟେ ଅତି କମରେ ଦେଢ କିଲୋମିଟର ଯାଏଁ ଅଞ୍ଚଳକୁ ବଫର ଜୋନ୍ କରିବାକୁ ସ୍ଥିର ହୋଇଛି। ଏହି ଜୋନରେ ଆଗକୁ କେହି ବି ସେମାନଙ୍କର କିଛି ନିର୍ମାଣ କରି ପାରିବେ ନାହିଁ। (ଏଜେନସି)

Related posts