ଏଲଏସି ସୀମାରେ ଉତ୍ତେଜନା ହ୍ରାସ ପାଇଁ ଭାରତ- ଚୀନ୍‌ ମଧ୍ୟରେ 5 ସୂତ୍ରୀ ସହମତି

Published: Sep 11, 2020, 9:30 am IST

ରୁଷ୍‌ : ଗତ ଚାରି ମାସ ଧରି ଭାରତ ଓ ଚୀନ୍‌ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ସୀମାରେ ଉତ୍ତେଜନା ବଢିବାରେ ମଧ୍ୟ ଲାଗିଛି । ତେବେ ଏହି ସମସ୍ୟାର ସମାଧାନ ପାଇଁ ବହୁବାର ବୈଠକ ହେବା ସତ୍ତ୍ବେ ଏଥିରେ କିଛି ଫରକ୍‌ ଆସିନାହିଁ । ଦୀର୍ଘ ସମୟ ପରେ ରୁଷରେ ଭାରତ ଓ ଚୀନ୍‌ର ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ଚୀନ୍‌ର ବୈଦେଶିକ ମନ୍ତ୍ରୀ ଓ୍ବାଗ ୟି ସୀମା ବିବାଦକୁ ନେଇ ଚର୍ଚ୍ଚା କରିଥିଲେ ।

ଏହାପରେ ଏଲ୍‌ଏସିରେ ଉତ୍ତେଜନା ହ୍ରାସ ପାଇଁ ଭାରତ- ଚୀନ୍‌ ମଧ୍ୟରେ 5 ସୂତ୍ରୀ ସହମତି ହୋଇଥିବା ଜଣାପଡିଛି । ମସ୍କୋରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ଆଲୋଚନା ପରେ ସହମତି ହୋଇଥିବାର ସୂଚନା ରହିଛି । ଅଢେଇ ଘଣ୍ଟାର ଆଲୋଚନା ପରେ ସୈନ୍ୟ ଅପସାରଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଶୀଘ୍ର ସୈନ୍ୟ ହଟାଇବା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଉଭୟ ଦେଶ ରାଜି ହୋଇଛନ୍ତି । ସ୍ଥିତାବସ୍ଥା ପାଇଁ ଯଥାସମ୍ଭବ ବ୍ୟବଧାନ ସହ ଉତ୍ତେଜନା ହ୍ରାସ ଲାଗି ସହମତି ପ୍ରକାଶ ପାଇଛି । ତେବେ ସେନା ସ୍ତରରେ ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରହିବ ବୋଲି ଜଣାପଡିଛି ।

ଭାରତ-ଚୀନ୍‌ ମଧ୍ୟରେ ହୋଇଥିବା ପାଞ୍ଚ ସୂତ୍ରୀ ଆଲୋଚନା
1. ଭାରତ-ଚୀନ୍ ସମ୍ପର୍କରେ ସୁଧାର ପାଇଁ ଉଭୟ ପକ୍ଷ ନେତାଙ୍କ ସହମତି ଭିତ୍ତିରେ ମାର୍ଗଦର୍ଶନ କରିବା ଉଚିତ ଓ ମତଭେଦକୁ ବିବାଦୀୟ ହେବାକୁ ଦିଆଯିବ ନାହିଁ ।
2. ସୀମାରେ ସାମ୍ପ୍ରତିକ ପରିସ୍ଥିତି ଉଭୟ ଦେଶ ସପକ୍ଷରେ ନାହିଁ । ଦୁଇ ଦେଶର ସେନା ମଧ୍ୟରେ ଆଲୋଚନା ଜାରି ରହିବ ଓ ସୀମାରେ ପୂର୍ବ ପରିସ୍ଥିତିକୁ ସୁଧାରିବା ପାଇଁ ପରିବେଶ ସୃଷ୍ଟି କରିବେ ।
3. ଉଭୟ ଦେଶ ଭାରତ ଏବଂ ଚୀନ୍ ସୀମାରେ ଥିବା ଚୁକ୍ତିନାମାକୁ ଅନୁସରଣ କରିବେ ଏବଂ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା କରିବେ ।
4. ସୀମା ବିବାଦକୁ ନେଇ ସ୍ୱତନ୍ତ୍ର ପ୍ରତିନିଧୀଙ୍କ ମଧ୍ୟରେ ଆଲୋଚନା ମଧ୍ୟ ଜାରି ରହିବ ।
5. ଶାନ୍ତି ପ୍ରତିଷ୍ଠା ହେବା ପରେ ଉଭୟ ଦେଶ ସେମାନଙ୍କ ସମ୍ପର୍କକୁ ଆହୁରି ଆଗକୁ ବଢ଼ାଇବା ଦିଗରେ କାମ କରିବେ । (ଏଜେନ୍ସି)

Related posts