ପିଆଜ କିଲୋ 150 ଟପିଲା, ଜାଣନ୍ତୁ କେଉଁଠି ଏତେ ଦାମ୍‌ରେ ବିକ୍ରି ହେଉଛି ପିଆଜ

Published: Sep 17, 2020, 2:52 pm IST

ନୂଆଦିଲ୍ଲୀ : ଭାରତ ସରକାର ପିଆଜ ରପ୍ତାନୀ ବନ୍ଦ କରିବା ଫଳରେ ପଡୋଶୀ ରାଷ୍ଟ୍ରରେ  ପିଆଜର ଦର ଅହେତୁକ ବୃଦ୍ଧି ପାଇବାରେ ଲାଗିଛି । ପିଆଜ ରପ୍ତାନୀର ପ୍ରଭାବ ଏବେ ପଡୋଶୀ ଦେଶ ନେପାଳ ଓ ବାଂଲଦେଶ ଉପରେ ପଡିଛି । ଏଠାରେ ପିଆଜର କିଲୋ ପ୍ରତି ମୂଲ୍ୟ 150ଟଙ୍କାରେ ପହଞ୍ଚିଛି । ପୂର୍ବରୁ ଏଠାରେ କିଲୋ ପିଛା20ରୁ 30 ଟଙ୍କା ଭିତରେ ରହିଥିବାବେଳେ ଏବେ ପିଆଜର ମୂଲ୍ୟରେ 5 ଗୁଣା ବୃଦ୍ଧି ହୋଇଛି । ଆଗାମୀ ସମୟରେ ପିଆଜର ଅଧିକ ବୃଦ୍ଧି ହେବ ବୋଲି ଜଣାପଡୁଛି । ପିଆଜ ଉତ୍ପାଦନରେ ଦକ୍ଷିଣ ଏସିଆରେ ଭାରତ ସବୁଠୁ ବଡ ଉତ୍ପାଦକ ରହିଥିବାବେଳେ ପିଆଜ ଦରରେ ଲଗାମ ରଖିବା ପାଇଁ ଭାରତ ଏବେ ପିଆଜର ରାପ୍ତାନୀକୁ ବନ୍ଦ ରଖିଛି । ଯାହା ଫଳରେ ପଡୋଶୀ ଦେଶମାନଙ୍କର ପିଆଜ ଦରରେ ଆକାଶଛୁଆଁ ହୋଇଛି । ନେପାଳ, ବାଂଲାଦେଶ, ଶ୍ରୀଲଙ୍କା, ମାଲେସିଆ ଆଦି ରାଷ୍ଟ୍ରଗୁଡିକ ଭାରତର ପିଆଜ ଉପରେ ନିର୍ଭରଶୀଳ ।  ମିଳିଥିବା ସୂଚନା ଅନୁସାରେ କାଠମାଣ୍ଡୁର ହରିତ୍‌ ସାମୁଦାୟିକ କୃଷି ବଜାର ତିନକୁନେମାଠାରେ ପିଆଜ କିଲୋ ପ୍ରତି 150ଟଙ୍କାର ବିକ୍ରି ହୋଇଛି ।

ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଉତ୍ପାଦନରେ ହ୍ରାସ ହୋଇଛି । ଯାହା ଫଳରେ ଦେଶରେ ପିଆଜ ଦରରେ ନିୟନ୍ତ୍ରଣ ଆଣିବା ପାଇଁ କେନ୍ଦ୍ର ସରକାର ଏହାର ରପ୍ତାନୀ ବନ୍ଦ ରଖିଛନ୍ତି । କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ସହିତ ଦକ୍ଷିଣ ଭାରତର ପ୍ରାୟ ସମସ୍ତ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଚାଷ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଅପରପକ୍ଷରେ ବନ୍ୟା ଓ ବର୍ଷା ଯୋଗୁଁ ଭାରତରେ ପନିପରିବାରେ ନିଆଁ ଲାଗିଛି । (ଏଜେନ୍ସି)

Related posts