ଉପେନ୍ଦ୍ର ବଳିୟାରସିଂହ
ମହର୍ଷି ଯାଜ୍ଞବଲକ୍ୟଙ୍କ ନିକଟରେ ବସିଥିବା ଜନକ ମହାରାଜ କହିଲେ, “ ମହର୍ଷେ! ମୋ ମନରେ ଏକ ଶଙ୍କା ଜାତ ହେଉଛି। କୃପା କରି ଏହାର ନିବାରଣ କରନ୍ତୁ। ଆମେ ଯାହା କିଛି ଦେଖି ପାରୁଛେ, ତାହା କେଉଁ ଜ୍ୟୋତି ଦ୍ଵାରା ଦେଖି ପାରୁଛେ?
ମହର୍ଷି ଉତ୍ତର ଦେଲେ, ଇଏ କି ପିଲାଳିଆମୀ କଥା! ପ୍ରତ୍ୟେକ ବ୍ୟକ୍ତି ଜାଣନ୍ତି ଯେ, ସେ ଯାହା କିଛି ଦେଖୁଛନ୍ତି, ତାହା ସୂର୍ଯ୍ୟଙ୍କ କିରଣର (ଜ୍ୟୋତି) କାରଣରୁ।
ଜନକ ପୁଣି ପଚାରିଲେ, “ କିନ୍ତୁ ଯେତେବେଳେ ସୂର୍ଯ୍ୟ ଅସ୍ତ ହୋଇଯା’ନ୍ତି, ସେତେବେଳେ କେଉଁ ଜ୍ୟୋତି ଦ୍ଵାରା ଆମେ ଦେଖିପାରୁଛେ? ମହର୍ଷି ଉତ୍ତର ଦେଲେ ଚନ୍ଦ୍ରମା ଜ୍ୟୋତି ଦ୍ଵାରା।
ଜନକ ଆଗାମୀ ପ୍ରଶ୍ନ କଲେ, “ଯେତେବେଳେ ସୂର୍ଯ୍ୟ ନଥାନ୍ତି, ଚନ୍ଦ୍ରମା ନଥାନ୍ତି, ତାରାକ୍ଷେତ୍ର ନଥାନ୍ତି ଏବଂ ଅମାବାସ୍ୟାର ଅନ୍ଧକାର ରାତ୍ରିରେ ବାଦଲ ଦ୍ଵାରା ଆକାଶ ଢାଙ୍କି ହୋଇଯାଇଥାଏ, ସେତେବେଳେ କେଉଁ ଜ୍ୟୋତି ଦ୍ଵାରା ଦେଖିପାରିବା? ମହର୍ଷି କହିଲେ, “ଶବ୍ଦର ଜ୍ୟୋତି ଦ୍ଵାରା।
କଳ୍ପନା କରନ୍ତୁ- ଏକ ବିସ୍ତ୍ରୁତ ଘନ ଘୋର ଜଙ୍ଗଲ, ସେହି ଅନ୍ଧକାରମୟ ରାସ୍ତାରେ ଜଣେ ପଥିକ ରାସ୍ତା ଭୁଲି ଯାଇ ଚିକ୍ତାର କରୁଛି, “ କିଏ କେଉଁଠି ଅଛ, ମୋତେ ରାସ୍ତା ଦେଖାଅ? ସେତେବେଳେ ଦୂରରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ସେହି ଶବ୍ଦ ଶୁଣି କୁହେ, ଏଠାକୁ ଆସ ମୁଁ ରାସ୍ତା ଉପରେ ଅଛି ଏବଂ ପ୍ରଥମ ବ୍ୟକ୍ତି ଶବ୍ଦ ଜ୍ୟୋତି ଦ୍ଵାରା ସେହି ଦ୍ଵିତୀୟ ବ୍ୟକ୍ତିର ପାଖରେ ପହଞ୍ଚିଯାଏ।
ଜନକ ପୁଣି ପଚାରିଲେ, “ ଯଦି ଶବ୍ଦ ନଥିବ, ସେତେବେଳେ? ସେତେବେଳେ ଆତ୍ମଜ୍ୟୋତି ଦ୍ଵାରା ଦେଖିପାରିବା, ମହର୍ଷି ଉତ୍ତର ଦେଲେ। ଆତ୍ମଜ୍ୟୋତି ଦ୍ଵାରା ହିଁ ସମସ୍ତ କାର୍ଯ୍ୟ ହୁଏ।
ଜନକ ପଚାରିଲେ ସେ ଆତ୍ମାଟି କିଏ? ଋଷି ଉତ୍ତର ଦେଲେ, ଯୋଅୟମ୍ ବିଜ୍ଞାନ ମୟଃ ପ୍ରାଣେଷୁ ହୃଦ୍ୟନ୍ତର୍ଜ୍ୟୋତିଃ ପୁରୁଷଃ। ଅର୍ଥାତ ଯେ ଏଠାକାର ବିଶେଷ ଜ୍ଞାନ ଦ୍ଵାରା ପରିପୂର୍ଣ୍ଣ, ପ୍ରାଣମୟ ଜ୍ୟୋତି ଦ୍ଵାରା ଭରପୁର ଅଟେ, ଯାହା ଏହି ହୃଦୟର ଜୀବନ ଅଟେ, ଅନ୍ତଃ କରଣର ଜ୍ୟୋତି ସହ ସମଗ୍ର ଶରୀରରେ ବ୍ୟାପ୍ତ ଅଟେ ସେ ହିଁ ହେଉଛି ଆତ୍ମା।
ଜନକଙ୍କର ଶଙ୍କା ଦୂର ହେଲା।