ଭୁବନେଶ୍ୱର: ଆଜିକାଲି ଅନେକ ଲୋକ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି। ବିଶେଷକରି ଅନଲାଇନ୍ ସପିଂ, ଟ୍ରାଭେଲ୍ ଓ ଦୈନନ୍ଦିନ ଖର୍ଚ୍ଚ ପାଇଁ କ୍ରେଡିଟ୍ କାର୍ଡ ଲୋକଙ୍କ ପସନ୍ଦ ପାଲଟିଛି। ତେବେ ଅନେକଙ୍କ ପାଖରେ ଏକାଧିକ କ୍ରେଡିଟ୍ କାର୍ଡ ଥିବାରୁ ପୁରୁଣା କାର୍ଡର ବ୍ୟବହାର କମିଯାଏ। ଏପରି ସ୍ଥିତିରେ କିଛି ଲୋକ ପୁରୁଣା କାର୍ଡକୁ ବନ୍ଦ କରିଦିଅନ୍ତି। କିନ୍ତୁ କ୍ରେଡିଟ୍ କାର୍ଡ ହଠାତ୍ ବନ୍ଦ କରିବା ପୂର୍ବରୁ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଜାଣିବା ଆବଶ୍ୟକ।
ପୁରୁଣା କ୍ରେଡିଟ୍ କାର୍ଡ ବନ୍ଦ କରିବା ଦ୍ୱାରା ଆପଣଙ୍କ ମୋଟ କ୍ରେଡିଟ୍ ଲିମିଟ୍ କମିଯାଇପାରେ। ଫଳରେ ଅନ୍ୟ କାର୍ଡରେ ଆପଣଙ୍କ ଖର୍ଚ୍ଚ ବଢ଼ିଲେ କ୍ରେଡିଟ୍ ୟୁଟିଲାଇଜେସନ୍ ରେସିଓ ବଢ଼ିପାରେ। ଏହା କ୍ରେଡିଟ୍ ସ୍କୋର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ।
ଅନ୍ୟପଟେ, ଦୀର୍ଘ ସମୟ ଧରି ବ୍ୟବହାର କରୁଥିବା କ୍ରେଡିଟ୍ କାର୍ଡ ଆପଣଙ୍କ କ୍ରେଡିଟ୍ ଇତିହାସର ଅଂଶ ହୋଇଥାଏ। ଏହାକୁ ବନ୍ଦ କରିଦେଲେ ଆପଣଙ୍କ କ୍ରେଡିଟ୍ ପ୍ରୋଫାଇଲରେ ପରିବର୍ତ୍ତନ ଆସିପାରେ। ଭବିଷ୍ୟତରେ ଲୋନ୍ କିମ୍ବା ନୂଆ କ୍ରେଡିଟ୍ କାର୍ଡ ପାଇଁ ଆବେଦନ କରିବା ସମୟରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ।
ପୁରୁଣା କ୍ରେଡିଟ୍ କାର୍ଡ ବନ୍ଦ କରିବା ପୂର୍ବରୁ ଏହାର ଲାଭ ଓ କ୍ଷତି ବିଚାର କରନ୍ତୁ। ବିଶେଷକରି କାର୍ଡରେ କୌଣସି ବକେୟା ରାଶି, ବାର୍ଷିକ ଶୁଳ୍କ କିମ୍ବା ଅନ୍ୟ ଚାର୍ଜ ରହିଛି କି ନାହିଁ ଯାଞ୍ଚ କରନ୍ତୁ। ଏହାସହ ଆପଣଙ୍କ ମୋଟ କ୍ରେଡିଟ୍ ଲିମିଟ୍ ଏବଂ ଅନ୍ୟ କାର୍ଡର ବ୍ୟବହାର ଉପରେ ଏହାର କ’ଣ ପ୍ରଭାବ ପଡ଼ିବ, ତାହା ମଧ୍ୟ ଭାବନ୍ତୁ।
କେବଳ କାର୍ଡ ବ୍ୟବହାର କରୁନାହାନ୍ତି ବୋଲି ତୁରନ୍ତ ଏହାକୁ ବନ୍ଦ କରିଦେବା ସବୁବେଳେ ଭଲ ନିଷ୍ପତ୍ତି ନୁହେଁ। ତେଣୁ କାର୍ଡ ବନ୍ଦ କରିବା ପୂର୍ବରୁ ନିଜ କ୍ରେଡିଟ୍ ପ୍ରୋଫାଇଲ୍ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ବୁଝିବା ଜରୁରୀ।


