ବ୍ୟବସାୟୀଙ୍କ ସଉକ ପୁଣି ଏମିତି, ମୁହଁରେ 3 ଲକ୍ଷ ଟଙ୍କା ମୂଲ୍ୟର ସୁନାରେ ତିଆରି ମାସ୍କ

Published: Jul 6, 2020, 5:23 pm IST

ପୁଣେ, ଏ ହେଉଛନ୍ତି ପୁଣେର ଜଣେ ବ୍ୟବସାୟୀ। ସୁନା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା। କୋଭିଡ-19 ସାରା ମହାରାଷ୍ଟ୍ରକୁ ସଂକ୍ରମିତ କରି ରଖିଥିବା ବେଳେ ଏ ବାବୁଙ୍କ ସଉକ ସମ୍ପୂର୍ଣ୍ଣ ନିଆରା। ପିମ୍ପ୍ରି-ଚିଞ୍ଚୱାଡା ସହରରେ ରହୁଥିବା ଶଙ୍କର କୁରାଡେ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ତ ପିନ୍ଧିଛନ୍ତି। ହେଲେ ଜାଣନ୍ତି ଏ ମାସ୍କଟି ଏମିତି ସେମିତି ପାଞ୍ଚ ଦଶ ଟଙ୍କାର ନୁହେଁ। ସେ ତିଆରି କରି ମୁହଁରେ ପିନ୍ଧିଛନ୍ତି ସୁନାରେ ତିଆରି ଏକ ମାସ୍କ। ଏଥିପାଇଁ ତାଙ୍କୁ ଖର୍ଚ୍ଚ କରିବାକୁ ପଡିଛି 2 ଲକ୍ଷ 90 ହଜାର ଟଙ୍କା।

ସୋସିଆଲ ମିଡିଆରେ ତାଙ୍କର ସୁନା ମାସ୍କ ପିନ୍ଧା ଫଟୋ ଭାଇରାଲ ବି ହୋଇଛି। ଭୂତାଣୁ ଅଟକାଇବାରେ ମାସ୍କ କେତେ କାମ କରିବ ତାହା ସେ ଜାଣନ୍ତି ନାହିଁ। କିନ୍ତୁ ତାଙ୍କୁ ପିନ୍ଧିବାକୁ କିଛି ଖରାପ ଲାଗୁ ନଥିବା ସେ କହିଛନ୍ତି। ନିଶ୍ବାସ ନେବା ପାଇଁ ମାସ୍କରେ ଏକ ଛୋଟିଆ ଛିଦ୍ର ବି ରହିଛି। କାନରେ ଲଗାଇବାକୁ ସୁନାରେ ଦଉଡି ତିଆରି ହୋଇଛି, ଯାହାର ମୂଲ୍ୟ 1 ଲକ୍ଷ 75 ହଜାର ଟଙ୍କା ରହିଛି।

କୁରାଡେଙ୍କ ଭଳି ମହାରାଷ୍ଟରେ ସୁନାର ସଉକ ରଖିଥିବା ଅନେକ ଲୋକ ଅଛନ୍ତି। ନାସିକର ପଙ୍କଜ ପାରିଖ ନାମକ ଜଣେ ବ୍ୟକ୍ତିଙ୍କ ପାଖରେ 4 କେଜି ଓଜନର ଏକ ସୁନାର ସାର୍ଟ ରହିଛି, ଯାହାର ମୂଲ୍ୟ 1 କୋଟି 30 ଲକ୍ଷ ଟଙ୍କା। ଏହା ଗ୍ବିନେସ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଛି। (ଏଜେନସି)

Related posts