
ଭୁବନେଶ୍ବର: ସିନେମା ପୁସ୍ତକ ପାଇଁ ଜାତୀୟ ଚଳଚିତ୍ର ପୁରସ୍କାର ନିମନ୍ତେ ମନୋନିତ ହୋଇଥିବା ସାମ୍ବାଦିକ ସୂର୍ଯ୍ୟ ଦେଓଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଦୈନିକ ଖବରକାଗଜ ସର୍ବସାଧାରଣ ଏବଂ ସୃଜନ ତରଫରୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି। ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ଆୟୋଜିତ ଏହି ଉତ୍ସବରେ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦେଇ ତାଙ୍କୁ ସମ୍ମାନିତ କରିଥିଲେ।
ଏଥିରେ ବିଜୁ ଜନତା ଦଳର ସାଧାରଣ ସଂପାଦକ ତଥା ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟଦାସ ବର୍ମା, ବିଶିଷ୍ଠ ଚଳଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏବଂ ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ଶାନ୍ତନୁ ରଥ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କବି ରକ୍ଷକ ନାୟକ, ସାହିତ୍ୟିକ ଗୌରହରି ଦାସ, ଡ. ଅଜୟ ସ୍ବାଇଁ, ହରିହର ମହାପାତ୍ର, ଡ ରଜନୀରଂଜନ ଏବଂ ଦେବପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇ ସୂର୍ଯ୍ୟଙ୍କ କାର୍ଯ୍ୟ ଦକ୍ଷତା ଉପରେ ବର୍ଣ୍ଣନା କରିଥିଲେ।
ନିକଟରେ ଘୋଷଣା ହୋଇଥିବା ଜାତୀୟ ଚଳଚିତ୍ର ପୁରସ୍କାରରେ ଲେଖକ, ଗବେଷକ ତଥା ସାମ୍ବାଦିକ ସୂର୍ଯ୍ୟ ଦେଓଙ୍କ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ପୁରସ୍କାର ପାଇଁ ମନୋନୀତ ହୋଇଛି। ଏହି ଉତ୍ସବରେ ସେହି ପୁସ୍ତକର ଉନମୋଚନ ମଧ୍ୟ କରାଯାଇଥିଲା।