Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ ସିନେମା

ଘୋଷଣା ହେଲା ଜାତୀୟ ଚଳଚିତ୍ର ପୁରସ୍କାର, ‘ପୁଷ୍ପା’ ପାଇଁ ଆଲୁ ଅର୍ଜ୍ଜୁନ ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ 69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ ଫିଚର ଫିଲ୍ମ ଜୁରି କେତନ ମେହେଟ୍ଟା କହିଛନ୍ତି ଯେ ଆର ମାଧବନଙ୍କ ନିର୍ଦ୍ଦେଶିତ ‘ରକେଟ୍ରି- ଦ ନାମ୍ବି ଇଫେକ୍ଟ’ 2021 ବର୍ଷ ପାଇଁ ଶ୍ରେଷ୍ଠ ଫିଚର ଫିଲ୍ମ ଭାବରେ ବିବେଚିତ ହୋଇଛି। ସେହିପରି ପୁଷ୍ପା ଚଳଚିତ୍ର ପାଇଁ ଆଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି।

ଶ୍ରୀ ମେହେଟ୍ଟା କହିଛନ୍ତି ଯେ ଆଲିଆ ଭଟ୍ଟ ଏବଂ କ୍ରିତି ସାନୋନ୍ ଉଭୟ ‘ଗାଙ୍ଗୁବାଇ କାଠିଆୱାଡି’ ଏବଂ ‘ମିମି’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି। ସେ କହିଛନ୍ତି, ପଲ୍ଲବୀ ଯୋଶୀ ‘କାଶ୍ମୀର ଫାଇଲ’ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପୁରସ୍କାର ପାଇବେ ଏବଂ ପଙ୍କଜ ତ୍ରିପାଠୀଙ୍କୁ ‘ମିମି’ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତା ପୁରସ୍କାର ମିଳିବ।

ଶ୍ରୀ ମେହେଟ୍ଟା କହିଛନ୍ତି, ଶ୍ରେଷ୍ଠ ମନୋରଞ୍ଜନ ଯୋଗାଉଥିବା ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ଭାବେ ‘ଆରଆରଆର’ ପୁରସ୍କାର ପାଇଛି। ସେହିପରି ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘କାଶ୍ମୀର ଫାଇଲ’ ଜାତୀୟ ଏକତ୍ରୀକରଣ ପାଇଁ ସର୍ବୋତ୍ତମ ଚଳଚ୍ଚିତ୍ର ଭାବେ ନର୍ଗିସ୍ ଦତ୍ତ ପୁରସ୍କାର ପାଇବ।

ଅଣ-ଫିଚର ଚଳଚ୍ଚିତ୍ର ଜୁରୀ ଚେୟାରମ୍ୟାନ୍ ବସନ୍ତ ଏସ୍ ସାଇ ଘୋଷଣା କରିଛନ୍ତି ଯେ ଶ୍ରୀକୃଷ୍ଣ ଲାଖେରାଙ୍କ ନିର୍ଦ୍ଦେଶିତ ‘ଏକ ଥା ଗାଁଓ’ ଚଳଚିତ୍ର ଚଳିତ ବର୍ଷର ଶ୍ରେଷ୍ଠ ଅଣ-ଫିଚର ଫିଲ୍ମ ଭାବରେ ସମ୍ମାନିତ ହୋଇଛି।

ନିଖିଲ ମହାଜନ ତାଙ୍କ ମରାଠୀ ଚଳଚ୍ଚିତ୍ର ‘ଗୋଦାବରୀ’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଜାତାୟ ଚଳଚ୍ଚିତ୍ର ପୁରସ୍କାର ପାଇବେ। ଚଳଚ୍ଚିତ୍ର ‘ଇରାଭିନ ନିଜାଲ’ର ଗୀତ ମାୟାଭା ଛାୟା.. ଗୀତ ପାଇଁ ଶ୍ରେୟା ଘୋଷାଲ ଶ୍ରେଷ୍ଠ କଣ୍ଠଶିଳ୍ପୀ ଏବଂ କାଲା ଭୈରବ ଚଳଚ୍ଚିତ୍ର ‘ଆର ଆର ଆର’ ର ‘କୋମୁରାମ ଭୀମୁଡୋ’ ଗୀତ ପାଇଁ ଶ୍ରେଷ୍ଠ କଣ୍ଠଶିଳ୍ପୀ ପୁରସ୍କାର ପାଇଛନ୍ତି। ଚନ୍ଦ୍ରବୋଷ ତେଲୁଗୁ ଚଳଚ୍ଚିତ୍ର ‘କୋଣ୍ଡା ପାଲାମ’ ପାଇଁ ଶ୍ରେଷ୍ଠ ଗୀତିକାର ପୁରସ୍କାର ପାଇବେ।

ପ୍ରେମ ରକ୍ଷିତ ‘ଆରଆରଆର’ ଚଳଚିତ୍ର ପାଇଁ ଶ୍ରେଷ୍ଠ କୋରିଓଗ୍ରାଫି ପୁରସ୍କାର ପାଇବେ। ଦେବୀ ଶ୍ରୀ ପ୍ରସାଦ ‘ପୁଷ୍ପା ଦି ରାଇଜ୍’ ଏବଂ ‘ଆରଆରଆର’ ପାଇଁ ଏମ୍ ଏମ୍ କେରଭାନି ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପୁରସ୍କାର ପାଇବେ। ସୋଜିତ୍ ସିର୍କରଙ୍କ ଜୀବନୀ ଉପରେ ଆଧାରିତ ଐତିହାସିକ ନାଟକ ‘ସର୍ଦ୍ଦାର ଉଦମ୍ ସିଂ’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ମନୋନିତ ହୋଇଛି। ଏହା ବ୍ୟତୀତ ଏହି ଚଳଚିତ୍ର ଶ୍ରେଷ୍ଠ ସିନେମାଟୋଗ୍ରାଫି, ଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନ୍ ଏବଂ ଶ୍ରେଷ୍ଠ ପୋଷାକ ଡିଜାଇନ୍ ପୁରସ୍କାର ମଧ୍ୟ ପାଇଛି।

ଗୁଜୁରାଟୀ ଚଳଚ୍ଚିତ୍ର ‘ଚେଲୋ ସୋ’ ପାଇଁ ଭବାନୀ ରାବାରୀ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ପାଇବେ। ବକୁଲ ମିତିୟାନି ‘ସ୍ମାଇଲ୍ ପ୍ଲିଜ’ ଅଣ-ଫିଚର ଚଳଚ୍ଚିତ୍ର ବର୍ଗରେ ଶ୍ରେଷ୍ଠ ନିର୍ଦ୍ଦେଶନା ପୁରସ୍କାର ପାଇବେ। 2021 ମସିହାରେ ପୁରସ୍କାର ପାଇଁ 28 ଟି ଭାଷାରୁ ମୋଟ 280 ଚଳଚ୍ଚିତ୍ର ଦାଖଲ ହୋଇଥିଲା।

Categories
ବିଶେଷ ଖବର ମନୋରଂଜନ ରାଜ୍ୟ ଖବର ସଂସ୍କୃତି ସିନେମା

ଜାତୀୟ ଚଳଚିତ୍ର ପୁରସ୍କାର ପାଇଁ ମନୋନିତ ହେଲା ଓଡିଆ ଫିଲ୍ମ ‘ପ୍ରତୀକ୍ଷା’, ମିଳିବ ଏତିକି ଟଙ୍କା

ଭୁବନେଶ୍ବର: ଓଡିଆ ଚଳଚିତ୍ର ପ୍ରତୀକ୍ଷା କୁ ମିଳିବ ଶ୍ରେଷ୍ଠ ଆଞ୍ଚଳିକ ଭାଷା ପାଇଁ ଜାତୀୟ ଚଳଚିତ୍ର ପୁରସ୍କାର। ଆଜି ନୂଆଦିଲ୍ଲୀରେ ଘୋଷଣା କରାଯାଇଥିବା ୬୯ତମ ଜାତୀୟ ଚଳଚିତ୍ର ପୁରସ୍କାରରେ ଏହା କୁହାଯାଇଛି।

ଏହି ଚଳଚିତ୍ରଟି ରଜତ କମଲ ପୁରସ୍କାର ପାଇବ। ଏଥିସହିତ ଏକ ଲକ୍ଷ ଟଙ୍କା ଅର୍ଥ ରାଶି ପ୍ରଯୋଜନା ସଂସ୍ଥାକୁ ପ୍ରଦାନ କରାଯିବ। ଏହି ପୁରସ୍କାର ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

ଅମୀୟ ପଟ୍ଟନାୟକ ପ୍ରଡକ୍ସନ ତରଫରୁ ନିର୍ମିତ ପ୍ରତୀକ୍ଷା ଚଳଚିତ୍ରଟିର ନିର୍ଦ୍ଦେଶକ ହେଇଛନ୍ତି ଅନୁପମ ପଟ୍ଟନାୟକ। ବିଶିଷ୍ଟ କଥାକାର ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ଆଧାରରେ ପ୍ରସ୍ତୁତ ‘ପ୍ରତୀକ୍ଷା’ର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ରୋଶନ ବିଷୋଇ। ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ରହିଛନ୍ତି।

‘ପ୍ରତୀକ୍ଷା’ରେ ଦୀପନ୍ବିତା ଦାସମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶ୍ରୀଲା ତ୍ରିପାଠୀ, ରୂପାମ୍ବିକା ନାୟକ, ସୁଶୀଲ ମିଶ୍ର, ଅବକାଶ ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ କଳାକାର ଅଭିନୟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଜାତୀୟ ଚଳଚିତ୍ର ପୁରସ୍କାର ପାଇଁ ମନୋନିତ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ସିନେମା ପୁସ୍ତକ ପାଇଁ ଜାତୀୟ ଚଳଚିତ୍ର ପୁରସ୍କାର ନିମନ୍ତେ ମନୋନିତ ହୋଇଥିବା ସାମ୍ବାଦିକ ସୂର୍ଯ୍ୟ ଦେଓଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଦୈନିକ ଖବରକାଗଜ ସର୍ବସାଧାରଣ ଏବଂ ସୃଜନ ତରଫରୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି। ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ଆୟୋଜିତ ଏହି ଉତ୍ସବରେ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦେଇ ତାଙ୍କୁ ସମ୍ମାନିତ କରିଥିଲେ।

ଏଥିରେ ବିଜୁ ଜନତା ଦଳର ସାଧାରଣ ସଂପାଦକ ତଥା ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟଦାସ ବର୍ମା, ବିଶିଷ୍ଠ ଚଳଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏବଂ ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ଶାନ୍ତନୁ ରଥ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କବି ରକ୍ଷକ ନାୟକ, ସାହିତ୍ୟିକ ଗୌରହରି ଦାସ, ଡ. ଅଜୟ ସ୍ବାଇଁ, ହରିହର ମହାପାତ୍ର, ଡ ରଜନୀରଂଜନ ଏବଂ ଦେବପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇ ସୂର୍ଯ୍ୟଙ୍କ କାର୍ଯ୍ୟ ଦକ୍ଷତା ଉପରେ ବର୍ଣ୍ଣନା କରିଥିଲେ।

ନିକଟରେ ଘୋଷଣା ହୋଇଥିବା ଜାତୀୟ ଚଳଚିତ୍ର ପୁରସ୍କାରରେ ଲେଖକ, ଗବେଷକ ତଥା ସାମ୍ବାଦିକ ସୂର୍ଯ୍ୟ ଦେଓଙ୍କ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ପୁରସ୍କାର ପାଇଁ ମନୋନୀତ ହୋଇଛି। ଏହି ଉତ୍ସବରେ ସେହି ପୁସ୍ତକର ଉନମୋଚନ ମଧ୍ୟ କରାଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ମନୋରଂଜନ ରାଜ୍ୟ ଖବର ସିନେମା

ଜାତୀୟ ଚଳଚିତ୍ର ପୁରସ୍କାର ପାଇଁ ମନୋନିତ ହେଲେ ଓଡିଆ ସିନେ ଲେଖକ ସୂର୍ଯ୍ୟ ଦେଓ

ଭୁବନେଶ୍ବର: ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ୬୮ତମ ଜାତୀୟ ଚଳଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଓଡିଶାର ସିନେ ଲେଖକ, ଗବେଷକ ତଥା ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟ ଦେଓ ପୁରସ୍କାର ପାଇବା ପାଇଁ ମନୋନିତ ହୋଇଛନ୍ତି। ତାଙ୍କ ଦ୍ବାରା ଲିଖିତ ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ନିମନ୍ତେ ସେ ଏହି ପୁରସ୍କାର ପାଇବେ। ଶ୍ରେଷ୍ଠ ସିନେମା ଲେଖକ, ସ୍ପେସାଲ ମେନସନ ବର୍ଗରେ ସେ ଏହି ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି।

ସୂର୍ଯ୍ୟ ଦେଓ ଓଡିଆ ଚଳିଚିତ୍ର ଉପରେ ଦୀର୍ଘ ବର୍ଷ ଧରି ଗବେଷଣା କରି ଆସୁଛନ୍ତି। ଏହି ପୁସ୍ତକ ପୂର୍ବରୁ ସେ ଓଡିଆ ଚଳଚିତ୍ର ଉପରେ ଅନେକ ଗବେଷଣାତ୍ମକ ପୁସ୍ତକ ରଚନା କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି ‘ଓଡ଼ିଆ ସିନେମା ରୂପ ରୂପାନ୍ତର’, ‘ଅର୍ଦ୍ଧ-ଶତାଦ୍ଧୀର ଓଡ଼ିଆ ସିନେମାର ତର୍ଜମା’, ‘ଝୁରାମନ ଝୁରାଗୀତି’ ଓ ‘ଓଡ଼ିଆ ସିନେମା ଗୀତ ୧୯୩୬ରୁ ୧୯୬୯ ପରେ’। କାଲି ପାଇଁ କାଲିର ସିନେମା ହେଉଛି ତାଙ୍କର ଚତୁର୍ଥ ବହି।

ସୂର୍ଯ୍ୟ ଦେଓ ଓଡିଆ ସାମ୍ବାଦିକ ଜଗତରେ ବେଶ ପରିଚିତ ବ୍ୟକ୍ତିତ୍ବ। ସିନେ ସମ୍ବାଦରେ ସେ କାର୍ଯ୍ୟ କରୁଥିବା ବେଳେ ସିନେମା ସଂପର୍କରେ ଚମତ୍କାର ଲେଖା ପ୍ରକାଶିତ କରିଆସୁଥିଲେ। ସେତେବେଳେ ଏହି ସିନେମା ପତ୍ରିକା ଓଡିଶାରେ ବେଶ୍ ଚହଳ ପକାଇଥିଲା। ସେ ‘ସମ୍ବାଦ’ ଖବର କାଗଜରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ଅନେକ ରିପୋର୍ଟ ଚର୍ଚ୍ଚାକୁ ଆସିଥିଲା।

ଏକଦା ଆହେ ଦୟାମୟ ବିଶ୍ବ ବିହାରୀ ଗୀତକୁ ଅପଭ୍ରଂସ କରି ଏକ ଚାଲୁ ସଂଗୀତ ବଜାରକୁ ଆସିଥିଲା। ସେତେବେଳେ ସେ ଏହା ବିରୋଧରେ ଲଗାତର ରିପୋର୍ଟ କରିବା ପରେ ସେହି ଗୀତକୁ ରାଜ୍ୟ ସରକାର ବ୍ୟାନ କରିଥିଲେ।  ବିଶେଷ ଭାବେ ଓଡିଆ ସିନେ ସଂଗୀତ ଉପରେ ତାଙ୍କର ପ୍ରବଳ ଦଖଲ ରହିଛି। ପ୍ରଖ୍ୟାତ ସଂଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ଉପରେ ତାଙ୍କର ଗବେଷଣାତ୍ମକ ଲେଖା ଓଡିଆ ସିନେମା ଜଗତରେ ଚହଳ ପକାଇଛି।

ତାଙ୍କର ଏହି ଗବେଷଣା ତଥା ସିନେ ଲେଖା ପାଇଁ ସେ ବିଭିନ୍ନ ଅନୁଷ୍ଠାନରୁ ବହୁ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି। ସେ ସୂଚନା ଓ ପ୍ରସାରଣ ବିଭାଗର ଫିଲ୍ମ ଡିଭିଜନରୁ ଫେଲୋସିପ ମଧ୍ୟ ହାସଲ କରିଛନ୍ତି। ସେ ଓଡିଆ ଚଳଚିତ୍ର ଉପରେ ମଧ୍ୟ ଡକ୍ଟରେଟ କରୁଛନ୍ତି।