ନୂଆଦିଲ୍ଲୀ: ତାମିଲନାଡୁର ମଦୁରାଇ ଜିଲ୍ଲା ଅନ୍ତର୍ଗତ ତିରୁପାରାକୁନ୍ଦ୍ରମ୍ ପାହାଡ଼ ଶୀର୍ଷରେ ଥିବା ବିବାଦୀୟ ପଥର ସ୍ତମ୍ଭ ‘ଦୀପାଥୁନ୍’ଠାରେ ଆସନ୍ତା ନଭେମ୍ବର ୨୪ ତାରିଖରେ ଗୋଟିଏ ଥର ପାଇଁ ‘କାର୍ତ୍ତିଗାଇ ଦୀପମ୍’ ପ୍ରଜ୍ୱଳନ କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ବିଚାରପତି ଅରବିନ୍ଦ କୁମାର ଓ ବିପୁଲ ଏମ୍ ପାଞ୍ଚୋଲିଙ୍କ ଖଣ୍ଡପୀଠ ମାଡ୍ରାସ ହାଇକୋର୍ଟଙ୍କ ପୂର୍ବ ରାୟ ଉପରେ ସ୍ଥଗିତାଦେଶ ଜାରି କରିବା ସହ ଏହି ଅନ୍ତରୀଣ ବ୍ୟବସ୍ଥା କେବଳ ଚଳିତ ବର୍ଷ ପାଇଁ ଲାଗୁ ହେବ ଏବଂ ଭବିଷ୍ୟତରେ ଏହା କୌଣସି ଅଧିକାର ବା ଦୃଷ୍ଟାନ୍ତ ଭାବେ ଗଣ୍ୟ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସେଠାରେ ସାଧାରଣ ଜନତାଙ୍କ ପ୍ରବେଶ, ବିକ୍ଷୋଭ ଓ ଶୋଭାଯାତ୍ରା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଥିବା ବେଳେ କେବଳ ପ୍ରାଧିକୃତ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଏହି ରୀତିନୀତି ସମ୍ପାଦିତ ହେବ। ଆବଶ୍ୟକ ସ୍ଥଳେ ସିଆଇଏସ୍ଏଫ୍ ମୁତୟନ କରିବାକୁ କେନ୍ଦ୍ର ସରକାରଙ୍କୁ କୁହାଯାଇଥିବା ବେଳେ ନିକଟସ୍ଥ ଦରଘାକୁ ଯାତାୟାତ ବାଧାହୀନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୨୦୨୭କୁ ଧାର୍ଯ୍ୟ ହୋଇଛି। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଜିଲ୍ଲା ପ୍ରଶାସନ ଏହି ରୀତିନୀତିର ସମୟ ଏବଂ ଅବଧି ସ୍ଥିର କରିବ। ପୂଜା ପରେ ସେଠାରେ କୌଣସି ସାମଗ୍ରୀ କିମ୍ବା ସ୍ଥାପନା ଛଡ଼ାଯିବ ନାହିଁ, କୌଣସି ଖନନ କିମ୍ବା ଗଠନମୂଳକ ପରିବର୍ତ୍ତନ କରାଯିବ ନାହିଁ ଏବଂ ନିକଟସ୍ଥ ଦରଘା ଓ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ଯାତାୟାତ ବାଧାହୀନ ରହିବ। ଏହି ପର୍ଯ୍ୟାୟରେ ପରସ୍ପର ବିରୋଧୀ ଦାବିଗୁଡ଼ିକ ଉପରେ କୌଣସି ମତାମତ ଦେବା ଆବଶ୍ୟକ କିମ୍ବା ଉଚିତ ନୁହେଁ। ଅତ୍ୟାବଶ୍ୟକୀୟ ଧାର୍ମିକ ପ୍ରଥା, ପରମ୍ପରା ଏବଂ ମାଲିକାନା ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନ ଖୋଲା ରଖାଯାଇଛି। ସୂଚନାଯୋଗ୍ୟ, ୨୦୨୫ରେ ତିରୁପାରାକୁନ୍ଦ୍ରମ୍ ପାହାଡ଼ ଶୀର୍ଷରେ ଥିବା ସ୍ତମ୍ଭ ଉପରେ କାର୍ତ୍ତିଗାଇ ଦୀପମ୍ ଜାଳିବା ପାଇଁ ଅନୁମତି ମାଗି ଦାୟର ହୋଇଥିବା ଆବେଦନରୁ ଏହି ବିବାଦ ସୃଷ୍ଟି ହୋଇଥିଲା।


