ନୂଆଦିଲ୍ଲୀ: ଗୋଟିଏ ଦିନ, ତିନୋଟି ରାଜ୍ୟ ଏବଂ ବିକାଶର ବଡ଼ ଏଜେଣ୍ଡା! ଶନିବାର ଦେଶର ତିନିଟି ରାଜ୍ୟ ପଶ୍ଚିମବଙ୍ଗ, ବିହାର ଓ ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଗସ୍ତରେ ଶିକ୍ଷା, ଭିତ୍ତିଭୂମି ଓ ଦକ୍ଷତା ବିକାଶକୁ ମିଳିବ ଗୁରୁତ୍ୱ। କେଉଁଠି ଶିକ୍ଷାନୁଷ୍ଠାନର ୭୫ ବର୍ଷର ଗୌରବମୟ ଯାତ୍ରାରେ ସାମିଲ ହେବେ ମୋଦୀ, ତ ଆଉ କେଉଁଠି ହଜାର ହଜାର କୋଟିର ବିକାଶ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଦିନର ଶେଷ କାର୍ଯ୍ୟକ୍ରମ ରହିଛି ଲକ୍ଷ୍ନୌରେ ଦକ୍ଷତା ବିକାଶ ସମାରୋହ।
IIT ଖଡ଼ଗପୁରର ପ୍ଲାଟିନମ୍ ଜୁବଲିରେ ଯୋଗଦେବେ ମୋଦୀ
ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ଆରମ୍ଭ ହେବ ପଶ୍ଚିମବଙ୍ଗରୁ। ଶନିବାର ସକାଳ ପ୍ରାୟ ୯ଟା ୪୫ ମିନିଟ୍ରେ ସେ IIT ଖଡ଼ଗପୁରର ପ୍ଲାଟିନମ୍ ଜୁବଲି ସମାରୋହରେ ଯୋଗଦେବେ। ଏହି ଅବସରରେ ସେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସହ ପ୍ରତିଷ୍ଠାନର ୭୫ ବର୍ଷର ଯାତ୍ରାକୁ ପ୍ରତିନିଧିତ୍ୱ କରୁଥିବା ୭୫ ଜଣ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ।
ଶିକ୍ଷା, ଗବେଷଣା, ନବସୃଜନ ଓ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ IIT ଖଡ଼ଗପୁରର ଅବଦାନକୁ ଏହି ଅବସରରେ ସ୍ମରଣ କରାଯିବ। ପ୍ରତିଷ୍ଠାନର ୭୫ ବର୍ଷର ଯାତ୍ରା ଓ ଭବିଷ୍ୟତର ଶିକ୍ଷା ଲକ୍ଷ୍ୟ ଉପରେ ମଧ୍ୟ ଗୁରୁତ୍ୱ ରହିବ।
ବିହାରକୁ ୩୪,୪୭୦ କୋଟିର ବିକାଶ ଭେଟି
ପଶ୍ଚିମବଙ୍ଗ କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ବିହାର ଗସ୍ତ କରିବେ। ଏଠାରେ ବୈଶାଳୀ ଜିଲ୍ଲାରେ ପ୍ରାୟ ୩୪,୪୭୦ କୋଟି ଟଙ୍କାର ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍ଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ।
କାର୍ଯ୍ୟସୂଚୀ ଅନୁସାରେ, ଅପରାହ୍ନ ପ୍ରାୟ ୧ଟା ୧୫ ମିନିଟ୍ରେ ସେ ବୈଶାଳୀର ନୀତିଶ ସେତୁ ପରିଦର୍ଶନ କରିବେ। ଏହାପରେ ପ୍ରାୟ ୨ଟା ସମୟରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ସହ ଜନସଭାକୁ ସମ୍ବୋଧିତ କରିବେ।
ଏହି ବିକାଶ ପ୍ରକଳ୍ପଗୁଡ଼ିକର ପରିସର ବେଶ୍ ବ୍ୟାପକ। ଏଥିରେ ରହିଛି:
– ସଡ଼କ ଓ ପରିବହନ ଭିତ୍ତିଭୂମି।
– ଶକ୍ତି କ୍ଷେତ୍ରର ବିକାଶ।
– ସହରାଞ୍ଚଳ ଭିତ୍ତିଭୂମି ଓ ଜଳସମ୍ପଦ।
– ଶିକ୍ଷା ଓ ସ୍ୱାସ୍ଥ୍ୟସେବା।
– ଅନ୍ୟାନ୍ୟ ଜନକଲ୍ୟାଣମୂଳକ ପ୍ରକଳ୍ପ।
ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ଭିତ୍ତିଭୂମିକୁ ମଜଭୁତ କରିବା ସହ ସାଧାରଣ ଲୋକଙ୍କୁ ଉନ୍ନତ ସେବା ଯୋଗାଇବାରେ ସହାୟକ ହେବ ବୋଲି ଆଶା ରହିଛି।
ଲକ୍ଷ୍ନୌରେ ଦକ୍ଷତା ସମାବର୍ତ୍ତନ ଉତ୍ସବରେ ଯୋଗଦେବେ
ତିନି ରାଜ୍ୟ ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପହଞ୍ଚିବେ। ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟ୍ରେ ଗୋମତୀ ନଗରସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ପଞ୍ଚମ କୌଶଳ ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ।
ଏହି କାର୍ଯ୍ୟକ୍ରମରେ ସେ ଦକ୍ଷତା ବିକାଶର ଗୁରୁତ୍ୱ ଉପରେ ନିଜର ମତ ରଖିବା ସହ ଜନସଭାକୁ ସମ୍ବୋଧିତ କରିବେ। ଯୁବପିଢ଼ିଙ୍କୁ ଦକ୍ଷତାଭିତ୍ତିକ ଶିକ୍ଷା, ନିଯୁକ୍ତି ଓ ଆତ୍ମନିର୍ଭରଶୀଳତା ଦିଗରେ ଆଗକୁ ବଢ଼ାଇବା ଏହି ସମାରୋହର ମୁଖ୍ୟ ଆକର୍ଷଣ ରହିବ।
ଗୋଟିଏ ଦିନରେ ତିନି ରାଜ୍ୟ, ବିକାଶ ଉପରେ ଫୋକସ୍
ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ତିନୋଟି ଭିନ୍ନ କ୍ଷେତ୍ରର ବିକାଶ ସହ ଯୋଡ଼ି ଦେଖାଯାଉଛି। ପଶ୍ଚିମବଙ୍ଗରେ ଉଚ୍ଚଶିକ୍ଷା ଓ ଗବେଷଣା, ବିହାରରେ ବୃହତ୍ ଭିତ୍ତିଭୂମି ପ୍ରକଳ୍ପ ଏବଂ ଉତ୍ତରପ୍ରଦେଶରେ ଦକ୍ଷତା ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି।
ପ୍ରଧାନମନ୍ତ୍ରୀ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ X ମାଧ୍ୟମରେ ଏହି ଗସ୍ତ ସମ୍ପର୍କରେ ସୂଚନା ସେୟାର କରିଛନ୍ତି। PMO ପକ୍ଷରୁ ମଧ୍ୟ ତିନୋଟି ରାଜ୍ୟର କାର୍ଯ୍ୟକ୍ରମ ଓ ସମୟସୂଚୀ ଜାରି କରାଯାଇଛି।


