ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆଇଏଫ୍ଏଫ୍ଆଇ, ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ସିନେମା ଦ୍ୱାରା ମିଳିତ ବିଭିନ୍ନ ଦେଶ ଗୁଡିକର ତଥା ସମାଜର ପ୍ରତିନିଧି ମାନଙ୍କ ମଧ୍ୟରେ ଏକ ଉତ୍ସାହଜନକ ସମନ୍ୱୟକୁ ପ୍ରୋତ୍ସାହିତ କରିଥାଏ। ଆଇଏଫ୍ଏଫ୍ଆଇକୁ ଭାରତର ସବୁଠୁ ବଡ ଚଳଚ୍ଚିତ୍ର ମହୋତ୍ସବ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ ଯେ “ଗୋଆରେ ଏକତ୍ରିତ ଏହି କ୍ଷୁଦ୍ର – ଦୁନିଆ ମଧ୍ୟରେ ପାରସ୍ପରିକ ବାର୍ତ୍ତାଳାପ ଦ୍ୱାରା କଳା ଜଗତକୁ ଗଭୀର ରୂପେ ବୁଝିବା ଏବଂ ନୂତନ କଥା ଶିଖିବା ନିମନ୍ତେ ସୁଯୋଗ ମିଳିବ।”
ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଥିଲେ ଯେ, ଆଇଏଫ୍ଏଫ୍ଆଇ ଏବଂ ଭାରତୀୟ ସିନେମା ବିଶ୍ୱ ମଞ୍ଚରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। “ବିଭିନ୍ନ ଭାରତୀୟ ଭାଷା ଗୁଡିକରେ ଚଳଚ୍ଚିତ୍ର ଅଧିକ ପରିମାଣରେ ଆନ୍ତର୍ଜାତୀୟ ଦର୍ଶକ ମାନଙ୍କ ନିକଟରେ ପହଞ୍ଚୁଛି ଏବଂ ସାରା ବିଶ୍ୱରେ ଏହାକୁ ପ୍ରଶଂସା କରା ଯାଉଛି।”
ପ୍ରଧାନମନ୍ତ୍ରୀ ଉଭୟ ସାମାଜିକ ଗତିଶୀଳତାକୁ ପ୍ରତିଫଳିତ କରିବା ଏବଂ ଆକାର ଦେବା କ୍ଷେତ୍ରରେ ସିନେମାର ଭୂମିକା ଉପରେ ନିଜର ବିଚାର ସମ୍ପର୍କରେ କହିଥିଲେ। “ଏବେ ଏକ ଶତାବ୍ଦୀରୁ ଅଧିକ ସମୟ ଧରି ସିନେମା ସାରା ବିଶ୍ୱରେ ଲୋକ ମାନଙ୍କର କଳ୍ପନା ଉପରେ କବଜା କରି ନେଇଛି। ସିନେମା ଆମ ସମୟର ସାମାଜିକ ଗତିଶୀଳତାକୁ ଦର୍ଶାଇବା ସହିତ ଏହାକୁ ଆକାର ପ୍ରଦାନ କରିଥାଏ” ବୋଲି ସେ କହିଥିଲେ।”
ପ୍ରଧାନମନ୍ତ୍ରୀ ସାମାଜିକ ପରିବର୍ତ୍ତନ ଆଣିବାରେ ଚଳଚ୍ଚିତ୍ର ଗୁଡିକର କାହାଣୀ କହିବାର ଶକ୍ତି ଏବଂ ଭାରତୀୟ ଭାଷାରେ କାହାଣୀ କହିବାର କଳାର ସମୃଦ୍ଧ ଇତିହାସ ଏବଂ କଳା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ। “ପ୍ରତିବନ୍ଧକକୁ ଅତିକ୍ରମ କରିବା ଏବଂ ଦର୍ଶକଙ୍କ ସହିତ ଏକ ଭାବନାତ୍ମକ ସମ୍ପର୍କ ସ୍ଥାପନ କରିବା ପାଇଁ ଚଳଚ୍ଚିତ୍ର ଗୁଡ଼ିକର ଏକ ଅନନ୍ୟ ଦକ୍ଷତା ଅଛି। ଚଳଚ୍ଚିତ୍ର ଗୁଡିକ ସେମାନଙ୍କର ଶକ୍ତିଶାଳୀ କାହାଣୀ ମାଧ୍ୟମରେ ଲୋକ ମାନଙ୍କର ମନୋରଞ୍ଜନ କରିଥାଏ, ଶିକ୍ଷିତ କରେ କିମ୍ବା ପ୍ରେରଣା ଯୋଗାଇ ଥାଏ। ସାମାଜିକ ପରିବର୍ତ୍ତନର ଏକ ବାହକ ହେବାରେ ଚଳଚ୍ଚିତ୍ର ଗୁଡିକର ପ୍ରଭାବଶୀଳତା ପ୍ରକୃତରେ ଅତୁଳନୀୟ। ଭାରତ ଏକ ସମୃଦ୍ଧ ଏବଂ ବିବିଧ ସଂସ୍କୃତି ସହିତ ଆଶୀର୍ବାଦ ପ୍ରାପ୍ତ ଦେଶ, ଯାହା ହେଉଛି ଆଧୁନିକତା ସହିତ ପରମ୍ପରାର ମିଶ୍ରଣ। ବିଭିନ୍ନ ଭାରତୀୟ ଭାଷାରେ ଗଦ୍ୟ, କବିତା, ସଙ୍ଗୀତ, ନୃତ୍ୟ, ନାଟକ, ଡ୍ରାମା ଠାରୁ ଆରମ୍ଭ କରି ସିନେମା ପର୍ଯ୍ୟନ୍ତ କାହାଣୀ କହିବାର ଇତିହାସ ଏବଂ କଳା ଆମ ଜୀବନ୍ତ ସାମାଜିକ- ସାଂସ୍କୃତିକ ପରିଦୃଶ୍ୟକୁ ପାଳନ କରିବାରେ ସକ୍ଷମ କରେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗୋଆ ଏହି ଉତ୍ସବ ନିମନ୍ତେ ଏକ ଉପଯୁକ୍ତ ସ୍ଥାନ ଏବଂ ଏହା ଉତ୍ସବର ପ୍ରତିନିଧି ମାନଙ୍କୁ ନୂତନ ବିଚାର ସହିତ ଆସିବା ପାଇଁ ପ୍ରେରଣା ଯୋଗାଇବ ଯାହା ଫଳରେ ସିନେମାକୁ ଲଗାତର ବୃଦ୍ଧି ପାଉଥିବା ଦର୍ଶକ ମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସକ୍ଷମ କରା ଯାଇପାରିବ। “ନିଜର ସୁନ୍ଦର ପ୍ରକୃତି ଏବଂ ଜୀବନ୍ତ ସଂସ୍କୃତି ସହିତ ଗୋଆ ଆଇଏଫ୍ଏଫ୍ଆଇର ଆୟୋଜନ କରିବା ପାଇଁ ଉପଯୁକ୍ତ ପୃଷ୍ଠଭୂମି ପ୍ରଦାନ କରିଥାଏ। ମୋର ବିଶ୍ୱାସ ରହିଛି ଯେ , ଗୋଆ ଅଂଶଗ୍ରହଣକାରୀଙ୍କ ସୃଜନଶୀଳ କଳ୍ପନାକୁ ଉତ୍ସାହିତ କରିବ ଏବଂ ସେମାନଙ୍କୁ ନୂତନ ଚିନ୍ତାଧାରା ଆଣିବାକୁ ପ୍ରୋତ୍ସାହିତ କରିବ , ଯାହା ଫଳରେ ସିନେମାକୁ ଲଗାତାର ବୃଦ୍ଧି ପାଉଥିବା ଦର୍ଶକ ମାନଙ୍କ ନିକଟରେ ପହଞ୍ଚଇବା ପାଇଁ ସହାୟତା ମିଳି ପାରିବ।”
ପ୍ରଧାନମନ୍ତ୍ରୀ ଆଇଏଫ୍ଏଫ୍ଆଇର ୫୩ ତମ ସଂସ୍କରଣର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ।