ବହୁଦିନ ପରେ ଆସିଲା ଫିଲ୍ମ “ବନ୍ଦିନୀ”ରେ ହୋଲି ଗୀତ ‘ହୋଲିରେ ହୋଲି’ 

Published: Feb 18, 2023, 8:55 am IST

ଭୁବନେଶ୍ବର: ଏଥର ଜମିବ ହୋଲି। ରଙ୍ଗ ବୋଳିବେ ସୁବାଶିଷ, ରିୟା ଓ ତାଙ୍କ ପରିବାରବର୍ଗ। ପୁରା ଦେଶୀ ଷ୍ଟାଇଲରେ ଫଗୁ ଖେଳିବେ। କାରଣ ଖାଣ୍ଟି ଓଡ଼ିଆ ଛୁଙ୍କକୁ ନେଇ ସଙ୍ଗୀତ ଜଗତରେ ଧମାକାଦାର ଏଣ୍ଟ୍ରି କରିଛି ଗୀତ ‘ହୋଲିରେ ହୋଲି’। ହଁ ଦର୍ଶକବନ୍ଧୁ ଆଜି ଜୀ-ସାର୍ଥକ ଚ୍ୟାନେଲରେ ମୁକ୍ତିଲାଭ କରିଛି ‘ବନ୍ଦିନୀ’ ଚଳଚିତ୍ରର ସୁପରହିଟ ଗୀତ ‘ହୋଲିରେ ହୋଲି’। ଦମଦାର ଡ୍ୟାନ୍ସ ସହ ପାରମ୍ପରିକ ଓଡିଆ ହୋଲି ଖେଳକୁ ନେଇ ତିଆରି ହୋଇଛି ଏହି ହୋଲି ଭିଡିଓ। ଗୀତକୁ ଓଡ଼ିଶାର ସୁପରିଚିତ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ସଙ୍ଗୀତରେ ସଜାଇଛନ୍ତି ଓ ନିଜେ ଗାଇଥିବାବେଳେ ତାଙ୍କ ସହ କଣ୍ଠଦାନ କରିଛନ୍ତି ଲିପ୍ସା, ଏସ ଜିତୁ ଏବଂ ସସ୍ମିତା।

ମୁଖ୍ୟ ଭୂମିକାରେ ଷ୍ଟାଇଲସ ଷ୍ଟାର ସୁବାଶିଷ ଏବଂ ରିୟାଙ୍କ ଛଡା ସରୋଜ ଦାସ, ଶୁଭ୍ରାଂଶୁ ନାୟକ,କମେଡିଆନ୍ ଥିନ୍ ଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଶିଳରେ ଭାଙ୍ଗ ବଟା ଚାଲିଥିବାବେଳେ ସଙ୍ଗୀତର ଆସର ପଡିଛି। ଗିଲାସରେ ଭାଙ୍ଗ ପିଆ ଚାଲିଥିବାବେଳେ ହୋଲି ଖେଳରେ ପୁରା ପରିବାର ମସଗୁଲ। ସଭିଏଁ ସଭିଙ୍କ ମୁହଁରେ ଅବିର ବୋଳି ଫଗୁ ଉଡାଇଛନ୍ତି। ଗୁରୁଜନଙ୍କ ଠାରୁ ପରିବାରର ସମସ୍ତ ସଦସ୍ୟ ଯେମିତି ପାରମ୍ପରିକ ଢଙ୍ଗରେ ହୋଲିକୁ ପାଳନ କରୁଛନ୍ତି ତାହା ନିଶ୍ଚୟ ସମସ୍ତଙ୍କ ମନକୁ ଛୁଇଁବ।

ପ୍ରତିଟି ଧାଡିରେ ରହିଛି ଓଡିଆର ଝୁଙ୍କ। ଗୀତରେ ଚମତ୍କାର ଶବ୍ଦ ସଂଯୋଜନା ହୋଇଥିବାବେଳେ ଖାଣ୍ଟି ଓଡିଆ ଢଙ୍ଗରେ ହୋଲିକୁ ସମସ୍ତେ ସେଲିବ୍ରେଟ୍ କରୁଛନ୍ତି। ଆଗକୁ ହୋଲି ଆସୁଥିବାବେଳେ ଦର୍ଶକଙ୍କୁ ହୋଲି ଗୀତରେ ଝୁମାଇବ ବୋଲି ପ୍ରଯୋଜନା ସଂସ୍ଥା, ଜୀ-ସାର୍ଥକ ଚାନେଲ୍ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି। ଭିଡିଓଟି ଶୁକ୍ରବାର ଦିନ ଜୀ-ସାର୍ଥକ ୟ୍ୟୁଟୁବ ଚ୍ୟାନେଲରେ ମୁକ୍ତିଲାଭ କରିଛି। ଆସନ୍ତା ହୋଲିରେ ‘ବନ୍ଦିନୀ’ ଚଳଚିତ୍ରର ଏହି ଗୀତ ଦର୍ଶକଙ୍କ ମନକୁ ନିଶ୍ଚୟ ଛୁଇଁବ ଓ ଓଡ଼ିଶାର ଘରେ ଘରେ ବାଜିବ ବୋଲି ଆଶା ପ୍ରକଟ କରିଛି ପ୍ରଯୋଜନା ସଂସ୍ଥା। ଚଳଚ୍ଚିତ୍ର “ବନ୍ଦିନୀ” ଫେବୃୟାରୀ ୧୯ ରବିବାର ସନ୍ଧ୍ୟା ୬.୩୦ମିନିଟ୍ ରେ ଜୀସାର୍ଥକ ଚ୍ୟାନେଲ୍ ରେ ପ୍ରସାରିତ ହେବ।

Related posts