ଓଡିଆ ଚଳଚ୍ଚିତ୍ର ‘ପ୍ରଥା’ ଶୁଟିଂ ସେଟ୍ ର ଫଟୋ ଭାଇରାଲ୍

Published: Feb 24, 2023, 12:28 pm IST

ଭୁବନେଶ୍ଵର: ଓଡିଆ ଚଳଚ୍ଚିତ୍ର ଜଗତ ପୁଣି ଚଳଚଞ୍ଚଳ ହେଉଛି। ଏଇ କିଛିଦିନ ତଳେ ଏକ ନିଛକ ଓଡିଆ କାହାଣୀକୁ ନେଇ ସାନଲିସା ସିଗ୍ନେଚର ଫିଲ୍ମ୍ସର ପ୍ରଥମ ଅବଦାନ ‘ପ୍ରଥା’ର ମହୁରତ ଭୁବନେଶ୍ବରର ଏକ ଘରୋଇ ପଞ୍ଚତରକା ହୋଟେଲରେ ହୋଇଥିଲା ଓ ପରେ ‘ପ୍ରଥା’ର ଶୁଟିଂ ଓଡ଼ିଶାର ଭିନ୍ନ ଭିନ୍ନ ଜାଗାରେ ସବୁଜ ବନାନୀ ମଧ୍ୟରେ ଜୋରସୋର ରେ ଚାଲିଛି।

ଆଜିର ଏଇ ଡିଜିଟାଲ ମିଡିଆ ଯୁଗରେ ଆଉ ଲୁଚିକି ରହୁନି ଶୁଟିଂ ସେଟ୍ ର ଫଟୋ। ସେମିତି ଏକ ଫଟୋ ଭାଇରାଲ୍ ହେଇଛି ‘ପ୍ରଥା’ ର କୋରାପୁଟ ଶୁଟିଂ ସେଟ୍ ରୁ, ଯେଉଁଥିରେ ଶୀତଲ ଓ ଲଭରବୟ ସ୍ଵରାଜ ଏକ ନୂତନ ଅବତାରରେ ଅଛନ୍ତି। ଲମ୍ବା କେଶ ଓ ଦାଢି ସହ ସ୍ଵରାଜଙ୍କୁ ଏକ ସାଧାରଣ ଆଦିବାସୀ ଅବତାରରେ ଓ ଶୀତଲଙ୍କୁ ଏକ ସହରୀ ଝିଅ ଅବତାରରେ ଏହି ଫଟୋରେ ଦେଖିବାକୁ ମିଳିଛି। ସ୍ଵରାଜଙ୍କ ଏହି ନୂଆ ଚରିତ୍ର ନିଶ୍ଚତ ଫିଲ୍ମକୁ ସଫଳତା ଦେବ ବୋଲି ସୋସିଆଲ ମିଡିଆ ରେ ଚର୍ଚା ଚାଲିଛି।

ସାନଲିସା ପଟେଲଙ୍କ ପ୍ରଯୋଜିତ ‘ପ୍ରଥା’ର ନିର୍ଦେଶକ ହେଉଛନ୍ତି କେ. ମୂରଲୀ କ୍ରୀଷ୍ଣା। ସେ କହିଛନ୍ତି, ‘ପ୍ରଥା’ ହେଉଛି ଆମ ଓଡ଼ିଶାର କାହାଣୀ, ଆମ ଗାଁ’ର କାହାଣୀ। ଯେପରି ଏଇ କାହାଣୀର ନା’ କହୁଚି,ଏହି କାହାଣୀ ଆମ ଓଡ଼ିଶାର ପ୍ରଥା ଓ ପରମ୍ପରା ଉପରେ ଆଧାରିତ। ଗ୍ରାମାଞ୍ଚଳର ଜୀବନ ବଞ୍ଚିବା ଶୈଳୀ ଏବଂ ସହରାଞ୍ଚଳର ଜୀବନ ବଞ୍ଚିବା ଶୈଳୀ କେତେ ଅଲଗା,ସେଇଟା ଆମେ ଏହି ଚଳଚିତ୍ର ମାଧ୍ୟମରେ ଦେଖିବାକୁ ପାଇବା। ଏକାଭଳି ପରିସ୍ଥିତିରେ ଥିଲେବି ଦୁଇଟା ଲୋକଙ୍କର ଜୀବନ କେତେ ଅଲଗା ହେଇପାରେ ତାହା ଏଇ ଚଳଚିତ୍ର ମାଧ୍ୟମରେ ଆମେ ଆପଣଙ୍କୁ ଦେଖାଇବାର ପ୍ରୟାସଃ କରିଛୁ।

‘ପ୍ରଥା’ର ମୁଖ୍ୟ ଭୂମିକାରେ ଅଛନ୍ତି ସ୍ବରାଜ ବାରିକ, ଶୀତଲ ପାତ୍ର ଓ ସିମ୍ରନ କୌର। ସିମ୍ରନ କୌର ହେଉଛନ୍ତି ଜଣେ ବଲିଉଡ୍ ଅଭିନେତ୍ରୀ ଓ ମଡେଲ। ଏହାଛଡା ସେ ମଧ୍ୟ ଲୋକପ୍ରିୟ ଏନିମେସନ୍ ସିରୀଜ ଡୋରେମନ୍ ର ଭଏସ୍ ଆର୍ଟିଷ୍ଟ ଯିଏ ନୋବିତା ପାଇଁ ଭଏସ୍ ଦିଅନ୍ତି। ଏମାନଙ୍କ ଛଡା ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ଯଶଃ ଆଲୱାହଟ (ବଲିଉଡ୍ ଅଭିନେତା), ଆଶୁ ବର୍ମା (ପଞ୍ଜାବର ମଡେଲ, ଅଭିନେତା ଏବଂ ନିର୍ଦ୍ଦେଶକ), ରବି ମିଶ୍ର, ସତିଶ ପଟେଲ ଓ ଇଲ୍ଲୁ ବାନର୍ଜୀଙ୍କୁ ମଧ୍ୟ ଅନ୍ୟାନ୍ୟ ଭୂମିକାରେ ଦେଖିବାକୁ ମିଳିବ।

ସ୍ଵରାଜ ଲଭରବୟ ଭୂମିକାରୁ ବାହାରି ଏକ ନୂତନ ଧରଣର ଚରିତ୍ରରେ ଅଭିନୟ କରିବା ପ୍ରଥମ। ସିତଲଙ୍କୁ ଜଣେ ଗାଁ ଝିଅର ଭୂମିକାରେ ଆମେ ଦେଖିବାକୁ ପାଇବା। ଏହା ଛଡା ବଲିଉଡ୍ ଅଭିନେତ୍ରୀ ସିମ୍ରନ କୌର ଜଣେ ଆଧୁନିକ, ସ୍ବାଧୀନ ନାରୀର ଚରିତ୍ରରେ ଆସିବେ।
ଉଭୟ ଶିତଲ ଏବଂ ସିମ୍ରନ ଭିନ୍ନ ଭିନ୍ନ ପରିବେଶରେ ରହି ମଧ୍ୟ କିପରି ଏକା ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ଏବଂ ଦୁହେଁ ସେହି ପରିସ୍ଥିତି ସମନ୍ନା କିପରି କରୁଛନ୍ତି, ତାହା ‘ପ୍ରଥା’ କାହାଣୀର ଏକ ମୁଖ୍ୟ ଅଂଶ। ଏହା ଆଜିକା ସମୟରେ ଗ୍ରାମାଞ୍ଚଳର ନାରୀ ଏବଂ ସହରାଞ୍ଚଳର ନାରୀ ମଧ୍ୟରେ ଥିବା ଅନ୍ତରକୁ ପରିବେଷିତ କରିବା। ଚଳଚିତ୍ରଟି କୋରାପୁଟ, ଦିଲ୍ଲୀ ଏବଂ ରାଜସ୍ଥାନରେ ଶୂଟ୍ ହେବ।

Related posts