ପୁଣି ଥରେ ଚର୍ଚ୍ଚାକୁ ଆସିଲେ ଅନୁପ୍‌ ଜଲୋଟା ଓ ଜସଲିନ୍‌ :  ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ଦୁହିଁଙ୍କ ବିବାହ ଫଟୋ

Published: Oct 9, 2020, 12:14 pm IST

ମୁମ୍ବାଇ : ଭଜନ ସମ୍ରାଟ ଅନୁପ ଜଲୋଟା ଓ ମଡେଲ୍‌ ଜସଲିନ୍‌ ମଥାରୁଙ୍କୁ ନେଇ ବି-ଟାଉନ୍‌ରେ ବେଶ୍‌ ଚର୍ଚ୍ଚା ହୋଇଥିଲା । ବିଗ୍‌ବସ୍‌ 12ରେ ଯେତେବଳେ ଦୁହେଁ ପ୍ରତିଯୋଗୀ ଭାବେ ନଜର ଆସିଥିଲେ ତାଙ୍କୁ ନେଇ ବେଶ୍‌ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଉଭୟ ପାର୍ଟନର୍‌ ଭାବେ ଶୋ’କୁ ଆସିଥିଲେ । ଦୁହିଁଙ୍କ ପ୍ରେମ କାହାଣୀ ବେଶ୍‌ ଚର୍ଚ୍ଚିତ ଥିଲା । ତେବେ ବିଗ୍‌ ବସ୍‌ ଘରୁ ଆସିବା ପରେ ଦୁହେଁ କେବଳ ଗୁରୁ ଶିଷ୍ୟ ବୋଲି କହିଥିଲେ । କିନ୍ତୁ ନିକଟରେ ଅନୁପ୍ ଜଲୋଟା ଓ ଜସଲିନ୍‌ଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି । ଏହାକୁ ଦେଖି ଲୋକେ ବେଶ୍‌ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହି ଫଟୋରେ ଅନୁପ୍‌ ଜଲୋଟା ବର ବେଶରେ ରହିଛନ୍ତି । ଶେରଓ୍ବାନୀ ପିନ୍ଧିବା ସହ ମୁଣ୍ଡରେ ପଗଡି ବାନ୍ଧିଛନ୍ତି । ସେହିପରି ଜସଲିନ୍‌ ମଥାରୁ ବ୍ରାଇଡଲ ଲୁକ୍‌ରେ ବେଶ୍‌ ଆକର୍ଷଣୀୟା ଲାଗୁଛନ୍ତି ।

ତେବେ ଏହି ଫଟୋକୁ ଦେଖୁ ଦୁହେଁ ଗୁପ୍ତରେ ବିବାହ କରିଛନ୍ତି ବୋଲି ଚର୍ଚ୍ଚା ସୃଷ୍ଟି ହେଉଛି ।  ଜସ୍‌ଲିନ୍‌ ଏହି ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ତେବେ ଏହି ଫଟୋରେ କୌଣସି କ୍ୟାପସନ୍‌ ଲେଖା ହୋଇନଥିବାବେଳେ ଫାୟାର ବାଲା ଇମୋଜି ରହିଛି ।

ତେବେ ଭାଇରାଲ୍‌ ହୋଇଥିବା ଏହି ଫଟୋକୁ ନେଇ ଅନୁପ୍‌ ଓ ଜସଲିନ୍‌ଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ । କେହି କେହି ଏହାକୁ ଏକ ଶସ୍ତା ପବ୍ଲିସିଟି ଷ୍ଟଣ୍ଟ ବୋଲି କହୁଥିବାବେଳେ କେହି କେହି ଗୁପ୍ତ ବିବାହ ବୋଲି କହୁଛନ୍ତି ତ ଆଉ କିଏ ଏହା ଏକ ଫିଲ୍ମର ଦୃଶ୍ୟ ବୋଲି କହୁଛନ୍ତି ।

ସୂଚନାଯୋଗ୍ୟ, ଅନୁପ ଜଲୋଟା ତିନିଥର ବିବାହ କରିଛନ୍ତି । ଅନୁପଙ୍କ ପ୍ରଥମ ପତ୍ନୀଙ୍କ ନାମ ସୋନାଲି ସେଠ । ସେ ମଧ୍ୟ ଜଣେ ଗାୟିକା । ଦୁହେଁ ବହୁ ଲାଇଭ୍‌ ଶୋ’ କରିଛନ୍ତି । ତେବେ ପରିବାରର ବିନା ସହମତିରେ ହୋଇଥିବା ଏହି ବିବାହ କିଛି ଦିନ ପରେ ବିଚ୍ଛେଦ ହୋଇଥିଲା ।  ଏହା ପରେ ବୀନା ଭାଟିଆଙ୍କୁ ଦ୍ବିତୀୟ ବିବାହ କରିଥିଲେ ଅନୁପ୍‌ ଜଲୋଟା  । କିନ୍ତୁ ଏହି ସମ୍ପର୍କର୍ ବି ବେଶି ଦିନ ପାଇଁ ତିଷ୍ଟି ପାରିନଥିଲା । ଏହା ପରେ ସେ ମେଧା ଗୁଜୁରାଲଙ୍କ ସହ ତୃତୀୟ ବିବାହ କରିଥିଲେ। ମେଧା ହେଉଛନ୍ତି ଡାଇରେକ୍ଟର ଶେଖର କପୁରଙ୍କ ପ୍ରଥମ ପତ୍ନୀ ।  ଏପରିକି ଇସ୍ରାଏଲ୍‌ ମଡେଲ୍‌ ରୀନା ଗୋଲନ୍‌ଙ୍କୁ ଅନୁପ୍‌ ଡେଟ୍‌ କରୁଥିବାର ସୂଚନା ମଧ୍ୟ ରହିଥିଲା । ତେବେ ଏହି ଫଟୋ ଭାଇରାଲ୍‌ ହେବା ପରେ ଅନୁପ୍‌ ପୁଣିଥରେ ଜସଲିନ୍‌ଙ୍କୁ ବିବାହ କରିଛନ୍ତି ବୋଲି କେହି କେହି ଭାବୁଛନ୍ତି । ତେବେ ଏପର୍ଯ୍ୟନ୍ତ ଦୁହିଁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Related posts