ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ରେ ଶୁକ୍ରବାର ଦିନ ୱାନଖେଡେରେ ଖେଳାଯାଇଥିବା ମ୍ୟାଚରେ ଗୁଜୁରାଟକୁ ଘରୋଇ ମୁମ୍ବାଇ ଇଣ୍ଡିଆନ୍ସ ଦଳ ୨୭ ରନରେ ପରାସ୍ତ କରି ଟେବୁଲର ତିନି ନମ୍ବରରେ ପହଞ୍ଚିଛି। ବିଜୟ ପାଇଁ ୨୧୯ ରନର ଲକ୍ଷ୍ୟକୁ ପିଛା କରି ଗୁଜରାଟ ଉପରେ ଏତେ ମାନସିକ ଚାପ ରହିଥିଲା ଯେ ଏହାର ତିନିଜଣ ବ୍ୟାଟ୍ସମ୍ୟାନ୍ ସାହା (୨), ଗିଲ (୬) ଏବଂ ଅଧିନାୟକ ହାର୍ଦ୍ଦିକ (୪) ମଧ୍ୟ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଗୁଜୁରାଟର ପାଞ୍ଚଟି ୱିକେଟ୍ ମାତ୍ର ୫୫ ରେ ପତନ ଘଟିଥିଲା।
ଏଠାରୁ ବିଜୟ ଶଙ୍କର (୪୧) ଏବଂ ଡେଭିଡ ମିଲର (୪୧) କିଛି ଜୀବନ ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ସଫଳ ହୋଇପାରିନଥିଲେ। କିନ୍ତୁ ଆଠ ନମ୍ବର ବ୍ୟାଟ୍ସମ୍ୟାନ୍ ରସିଦ ଖାନ ବିସ୍ଫୋରକ ପାଳି ଖେଳିଥିଲେ, ଯିଏ ୩୨ ବଲରେ ତିନି ଚୌକା ଓ ଦଶ ଛକା ମାରିଥିଲେ। ରସିଦଙ୍କ ଏହି ପାଳି ଯୋଗୁଁ ଗୁଜୁରାଟ ଟାଇଟାନ୍ସ ୨୦ ଓଭରରେ ୮ ୱିକେଟ ହରାଇ ୧୯୧ ରନରେ ପହଞ୍ଚିଥିଲା, କିନ୍ତୁ ବିଜୟ ଠାରୁ ୨୮ ରନ୍ ଦୂରରେ ରହିଥିଲା। ଏହା ସହିତ ୨୭ ରନରେ ବିଜୟ ସହ ମୁମ୍ବାଇ ଇଣ୍ଡିଆନ୍ସ ଟେବୁଲର ତିନି ନମ୍ବର ଦଳ ହୋଇପାରିଛି। ଯୁବ ଆକାଶ ମାଧୱାଲ ତିନୋଟି ୱିକେଟ୍, ପୀୟୁଷ ଚାୱଲା, କୁମାର କାର୍ତ୍ତିକେୟ ଦୁଇଟି ଏବଂ ଜେସନ ବେହେରେଣ୍ଡର୍ଫ ଘରୋଇ ଦଳ ପାଇଁ ଗୋଟିଏ ୱିକେଟ୍ ନେଇଥିଲେ।