ମଣିପୁରରେ ପୁଣି ଚାଲିଲା ଗୁଳି: ସେନାର କାର୍ଯ୍ୟାନୁଷ୍ଠାନ

Published: Jun 29, 2023, 3:47 pm IST

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ମଣିପୁରରେ ହିଂସା ଜାରି ରହିଛି। ଆଜି ସକାଳେ ମଧ୍ୟ ରାଜ୍ୟରେ ଗୁଳି ବିନିମୟ ହୋଇଛି। ସେନା କହିଛି ଯେ, ସକାଳ ୫.୩୦ ସମୟରେ ମଣିପୁରର ହରଓଠେଲ ଗ୍ରାମରେ କିଛି ଅଜ୍ଞାତ ବନ୍ଧୁକଧାରୀ ଗୁଳି ଚଳାଇଥିଲେ। ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ଏହି ଅଞ୍ଚଳରେ ନିୟୋଜିତ ସୁରକ୍ଷା ବାହିନୀ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ବର୍ତ୍ତମାନ ଗୁଳି ବିନିମୟ ବନ୍ଦ ହୋଇଯାଇଛି।

ସେନା କହିଛି ଯେ, ଆସାମ ରାଇଫଲ୍ସର ଯବାନମାନେ ଦଙ୍ଗାକାରୀଙ୍କୁ ଜବାବ ଦେଇଛନ୍ତି। ଘଟଣାର ଯାଞ୍ଚ ଚାଲିଛି। ସୈନିକମାନଙ୍କର ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେତୁ ଗୁଳି ବିନିମୟ ବନ୍ଦ ହୋଇଯାଇଛି। ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ଜନସମାଗମ ବିଷୟରେ ମଧ୍ୟ ସୂଚନା ରହିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଗୁରୁବାର ମଣିପୁରରେ ପହଞ୍ଚିଛନ୍ତି।

ରାହୁଲ ଗାନ୍ଧୀଙ୍କ ଗାଡିକୁ ଇମ୍ଫାଲଠାରୁ ୨୦ କିଲୋମିଟର ଦୂରରେ ଥିବା ବିଷ୍ଣୁପୁରରେ ମଣିପୁର ପୋଲିସ ଅଟକାଇଥିଲା। ରାହୁଲ ଗାନ୍ଧୀ ଦୁଇ ଦିନିଆ ମଣିପୁର ଯାତ୍ରା ପାଇଁ ଇମ୍ଫାଲରେ ପହଞ୍ଚିବା ପରେ ଚୁରଚାନ୍ଦପୁର ଜିଲ୍ଲାକୁ ଯାଇଥିଲେ, ଯେଉଁଠାରେ ସେ ରିଲିଫ୍ କ୍ୟାମ୍ପରେ ହିଂସା ଯୋଗୁଁ ବିସ୍ଥାପିତ ହୋଇଥିବା ଲୋକମାନଙ୍କୁ ଭେଟିବାକୁ ଯାଉଥିଲେ। ପୋଲିସ ଅଟକାଇବା ପରେ ରାହୁଲ ଗାନ୍ଧୀ ଇମ୍ଫାଲକୁ ଫେରିଯାଇଥିଲେ।

ଉଲ୍ଲେଖନୀୟ କଥା ହେଉଛି, ମେ ୩ ତାରିଖରେ ମଣିପୁରର ମେଇତି ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ଜାତିଗତ ହିଂସାରେ ୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ଲୋକ ନିଜ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି। ମଣିପୁରରେ ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ଦାବିରେ ବିରୋଧ କରିବାକୁ ମେ ୩ ତାରିଖରେ ଏକ ଆଦିବାସୀ ଏକତା ପଦଯାତ୍ରା ଆୟୋଜନ ହେବା ପରେ ଏହି ହିଂସା ଆରମ୍ଭ ହୋଇଥିଲା।

Related posts