ଆଉ ଓଡିଶାରୁ ନୁହଁ, ଆସାମ କିମ୍ବା ଦିଲ୍ଲୀରୁ ଲଢିବେ ବୈଜୟନ୍ତ ପଣ୍ଡା, ଚାଲିଛି ଚିନ୍ତନ

Published: Jul 15, 2023, 8:52 am IST
Jayapanda

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ବର୍ତ୍ତମାନ ରାଜନୈତିକ ପାଣିପାଗ କେତେବେଳେ କଣ ହେଉଛି ତାହା କହିବା ସମ୍ଭବପର ନୁହେଁ। ହେଲେ ଏହା ନିଶ୍ଚିତ ଯେ, ବର୍ତ୍ତମାନ ଯେଉଁମାନେ ଆସନ୍ତା ନିର୍ବାଚନ ଲଢେଇ କରିବେ ସେମାନେ ଏବେଠାରୁ ଆସନ ଠିକ କରିସାରିଲେଣି। ସେହିପରି ଭାବେ ଯଦି ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ କଥା କୁହାଯାଏ ତେବେ ସେ ଆଉ ଓଡିଶାରୁ ଲଢେଇ କରିବେ ନାହିଁ ବୋଲି ଚିନ୍ତା କରୁଛନ୍ତି।

ସୁତ୍ର ଅନୁସାରେ ବୈଜୟନ୍ତ ଏଥର ଆସାମ କିମ୍ବା ଦିଲ୍ଲୀର କୌଣସି ଲୋକସଭା ଆସନରୁ ଛିଡା ହେବା ପାଇଁ ମନସ୍ଥ କରୁଛନ୍ତି। କାରଣ ସେ ଏହି ଉଭୟ ରାଜ୍ୟର ପ୍ରଭାରୀ ଅଛନ୍ତି। ଏଥିସହିତ ସେ ଏହି ଦୁଇ ରାଜ୍ୟରେ ନିଜର ପତିୟାରା ମଧ୍ୟ ସୃଷ୍ଟି କରିସାରିଛନ୍ତି। ରାଜନୈତିକ କାମରେ ଏହି ଦୁଇ ରାଜ୍ୟରେ ବାରମ୍ବାର ସଂଗଠନ ଓ କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି।

ଚର୍ଚ୍ଚା ଅନୁସାରେ ଆସାମରେ କେତେକ ବିଜେପି ନେତା କୁଆଡେ ବୈଜୟନ୍ତଙ୍କୁ ସେଠାରୁ ଲୋକସଭା ନିର୍ବାଚନ ଲଢିବା ପାଇଁ ପ୍ରସ୍ତାବ ଦେଇଥିବାରୁ ଜଣାପଡିଛି। ହେଲେ ବୈଜୟନ୍ତ ଆସାମ ଅପେକ୍ଷା ଦିଲ୍ଲୀରୁ ଛିଡା ହେବା ପାଇଁ ଏକ ପ୍ରକାର ମନ ବଳାଇଥିବାର ଜଣାପ଼ଡିଛି। କାରଣ ତାଙ୍କର ଦିଲ୍ଲୀରେ ରହିଛି ନିଜ ଘର, ଏଥିସହିତ ସେ ଦିଲ୍ଲୀରେ ହିଁ ବେଶୀ ସମୟ କାଟିଥାନ୍ତି।

ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ସେ ଓଡିଶାରୁ କାହିଁକି ଲଢେଇ କରିବେ ନାହିଁ। ତାହାର ଉତ୍ତରରେ ଏତିକି କୁହାଯାଇପାରେ ଯେ, ବୈଜୟନ୍ତ ଓଡିଶାରୁ ଯେଉଁଠି ଛିଡା ହେଲେ ମଧ୍ୟ ବିଜେଡି ତାଙ୍କ ପଛରେ ପୁରା ଦମରେ ଲାଗିପଡୁଛି। ନିର୍ବାଚନରେ ତାଙ୍କୁ ଲହୁ ଲୁହାଣ କରିଦେଉଛି। ସେଥିପାଇଁ ଗତ ଲୋକସଭା ନିର୍ବାଚନରେ ସେ କେନ୍ଦ୍ରାପଡାରୁ ଲକ୍ଷେ ଅଶି ହଜାର ଉପରେ ଭୋଟରେ ହାରିବାକୁ ପଡିଥିଲା।

ବର୍ତ୍ତମାନ ମଧ୍ୟ ସେହି ପରିସ୍ଥିତି ଜାରୀ ରହିଛି। ସେ ଓଡିଶାରୁ କେଉଁଠାରୁ ଛିଡା ହେଲେ ମଧ୍ୟ ବିଜେଡି କେବେ ତାଙ୍କ ପିଛା ଛାଡିବ ନାହିଁ। ବୈଜୟନ୍ତ ନିଶ୍ଚିତ ଅଛନ୍ତି ଯେ, ଯଦି ସେ ଏଥର ଲୋକସଭାରେ ଜିତି ଯାଆନ୍ତି ତେବେ କେନ୍ଦ୍ରମନ୍ତ୍ରୀ ହେବା ନିଶ୍ଚିତ। ସେଥିପାଇଁ ସେ ଏଥର କଣ କରିବେ ସେହି ଚିନ୍ତାରେ ଅଛନ୍ତି। ଯେନତେନ ପ୍ରକାରେଣ ଏଥର ନିର୍ବାଚନ ନ ଜିତିଲେ ତାଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧକାର ହୋଇଯିବ ବୋଲି ସେ ଭାବି ସାରିଲେଣି।

ସେଥିପାଇଁ ସୁବିଧା ଉପାୟରେ ଜିତିବାକୁ ହେଲେ ଓଡିଶା ରାଜନୀତି ଛାଡିବାକୁ ପଡିବ। ଏ ନେଇ ତାଙ୍କ ଉପଦେଷ୍ଠାମାନେ ତଥା ପ୍ରଶଂସକମାନେ ମଧ୍ୟ ପ୍ରସ୍ତାବ ଦେଇ ସାରିଲେଣି। ଓଡିଶା ମୋହ ଛାଡିଲେ ସେ ମନ୍ତ୍ରୀ ହୋଇପାରିବେ ବୋଲି ସେମାନେ ଭବିଷ୍ୟବାଣୀ ଦେଇ ସାରିଲେଣି। ସେଥିପାଇଁ ଜୟ ପଣ୍ଡା ଦିଲ୍ଲୀ କିମ୍ବା ଆସାମରୁ ଲଢେଇ କରିବେ ବୋଲି ଚିନ୍ତା କରୁଛନ୍ତି।

Related posts