ଏକଦା ରାଜୀବ ଗାନ୍ଧୀଙ୍କ ସମୟରେ ୬୩ ଜଣ ସାଂସଦ ହୋଇଥିଲେ ନିଲମ୍ବିତ

Published: Jul 28, 2023, 4:51 pm IST
Parliament

ନୂଆଦିଲ୍ଲୀ: ଆପର ରାଜ୍ୟସଭା ସାଂସଦ ସଂଜୟ ସିଂହଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗରେ ଗତ ସୋମବାରଠାରୁ ସମ୍ପୂର୍ଣ୍ଣ ଅଧିବେଶନ ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ନିଲମ୍ବିତ କରିଛନ୍ତି। ଏହି ନିଲମ୍ବନକୁ କଂଗ୍ରେସ ସମେତ ସମସ୍ତ ବିରୋଧୀଦଳଗୁଡ଼ିକ ଏନଡିଏ ସରକାରଙ୍କୁ ସମାଲୋଚନା କରିବା ସହିତ ଗଣତନ୍ତ୍ରର କଣ୍ଠରୋଧ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି।

ଯେଉଁମାନେ ଏଭଳି ଅଭିଯୋଗ କରୁଛନ୍ତି ସେମାନଙ୍କ ଶାସନ ସମୟରେ ବିରୋଧୀଦଳଗୁଡ଼ିକର କଣ୍ଠ ରୋଧ କରିବା ବହୁବାର ସଦସ୍ୟମାନଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି। ସଂଜୟ ସିଂହଙ୍କର ନିଲମ୍ବନ ପ୍ରଥମ ଘଟଣା ନୁହେଁ। ସେ ଅତୀତରେ ମଧ୍ୟ ଗୃହରେ ଅଶାଳୀନ ବ୍ୟବହାର କରିଥିବାରୁ ତତ୍କାଳୀନ ଅଧ୍ୟକ୍ଷ କେ. ଭେଙ୍କୟା ନାଇଡୁ ତାଙ୍କୁ ଗୃହରୁ ନିଲମ୍ବିତ କରିଥିଲେ।

ତେବେ ସଂସଦୀୟ ଇତିହାସରେ ସବୁଠାରୁ ବଡ଼ ନିଲମ୍ବନ ଘଟଣା ୧୯୮୯ରେ ରାଜୀବ ଗାନ୍ଧୀଙ୍କ ସରକାର ସମୟରେ ହୋଇଥିଲା। ଇନ୍ଦୀରା ଗାନ୍ଧୀଙ୍କ ହତ୍ୟା ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ଠକ୍କର କମିଶନ ରିପୋର୍ଟ ଗୃହରେ ଉପସ୍ଥାପିତ କରିବା ପାଇଁ ବିରୋଧୀଦଳ ଦାବି କରି ହଟ୍ଟଗୋଳ କରିଥିଲେ। ବାଚସ୍ପତି ହଟ୍ଟଗୋଳ କରୁଥିବା ୬୩ ଜଣ ସାଂସଦଙ୍କୁ ଗୃହରୁ ନିଲମ୍ବିତ କରିଥିଲେ। ଏହାକୁ ବିରୋଧ କରି ଅନ୍ୟ ୪ଜଣ ବିରୋଧୀ ସାଂସଦ ଗୃହ ତ୍ୟାଗ କରିଥିଲେ।

୨୦୧୪ରେ ସ୍ୱତନ୍ତ୍ର ଥେଲେଙ୍ଗାନା ରାଜ୍ୟ ଗଠନ ଆଲୋଚନାବେଳେ ବାଦାନୁବାଦ ହେବାରୁ ବାଚସ୍ପତି ମୀରାକୁମାର ୧୮ଜଣ ସାଂସଦଙ୍କୁ ଗୃହରୁ ନିଲମ୍ବିତ କରିଥିଲେ। ୨୦୧୯ ଜାନୁଆରୀରେ ବାଚସ୍ପତି ସୁମିତ୍ରା ମହାଜନ ତେଲଗୁ ଦେଶମ ପାର୍ଟି ଓ ଏଆଇଏଡିଏମକେର ୪୯ଜଣ ସାଂସଦଙ୍କୁ ଗୃହରୁ ମଧ୍ୟ ନିଲମ୍ବିତ କରିଥିଲେ।

Related posts