ପ୍ରବଳ ବର୍ଷାରେ ଉବୁଟୁବୁ ହେଲା ଭୁବନେଶ୍ବର, ଭୟଙ୍କର ବଜ୍ରପାତ, ଏମସ୍ ପାଚେରୀ ଭୁଶୁଡିଲା

Published: Jul 31, 2023, 11:12 pm IST
ପ୍ରବଳ ବର୍ଷାରେ

ଭୁବନେଶ୍ବର: ଆଜି ସକାଳୁ ରାଜଧାନୀରେ ପ୍ରବଳ ବର୍ଷା ଯୋଗୁ ନାହିଁ ନ ଥିବା ଅସୁବିଧା ସୃଷ୍ଟି ହୋଇଛି। ଲଗାତର ଦିନତମାମ ଏହି ବର୍ଷା ଲାଗି ରହିବା ଯୋଗୁଁ ରାଜଧାନୀରେ ପ୍ରାୟ ଅନେକ ଅଞ୍ଚଳରେ କୃତିମ ବନ୍ୟା ସୃଷ୍ଟି ହୋଇଛି। ରାସ୍ତାଘାଟରେ ଆଣ୍ଠୁଏ ଲେଖାଏଁ ପାଣିଷ ଫଳରେ କିଛିସମୟ ଧରି ରାଜଧାନୀରେ ଗାଡିମୋଟର ଠପ ହୋଇଯାଇଥିଲା।

ରାଜଧାନୀରେ ଏପରି ଅବସ୍ଥା ହୋଇଥିଲା ଯେ, ପୁରା ଜଳଘେରିରେ ଲୋକେ ରହିଥିବାର ଅନୁଭବ ହୋଇଥିଲା। ବିଶେଷ କରି ନୟାପଲ୍ଲୀ, ପୁରୁଣା ଭୁବନେଶ୍ବର, ଭୀମଟାଙ୍ଗୀ, ରସୁଲଗଡ ପରି ବହୁ ସ୍ଥାନରେ ରାସ୍ତା ଉପରେ ଦୀର୍ଘ ସମୟ ଧରି ପାଣି ଲାଗିରହିଥିଲା। ଏପରିକି ସେହି ପାଣିରେ ଗାଡି ନେଇ ଯିବାକୁ ଯାତ୍ରୀମାନେ ଭୟ କରିଥିଲେ।

ସେହିପରି କେତେକ ସ୍ଥାନରେ ଡ୍ରେନ ପାଣି ଉଛୁଳି ରାସ୍ତା ଏପରିକି ଘରେ ଭିତରେ ପଶିଯାଇଥିବା ଜଣାପଡିଛି। କେତେକ ସ୍ଥାନରେ ଲୋକେ ରାସ୍ତା ଉପରେ ଗାଡି ରାଖିଥିବା ବେଳେ ତାହା ପାଣିରେ ଅଧା ବୁଡିଯାଇଥିବାର ଦେଖାଯାଇଥିଲା। ତେବେ ବିଏମସି କମିସନର କେତେକ ସ୍ଥାନରେ ପମ୍ପ ଲଗାଇ ପାଣି ନିଷ୍କାସନ କରିଥିଲେ ମଧ୍ୟ ଅବସ୍ଥାରେ ସୁଧାର ଆସି ନ ଥିଲା।

ବସ୍ତି ଅଞ୍ଚଳ ଅବସ୍ଥା କହିବା ଆବଶ୍ୟକ ନାହିଁ। କାରଣ ଭୁବନେଶ୍ବରର ବିଭିନ୍ନ ବସ୍ତିର ଅବସ୍ଥା ସାଂଘାତିକ ହୋଇପଡିଛି। ବସ୍ତି ମଝିରେ ନଦୀରେ ପାଣି ଯିବା ପରି ପରିସ୍ଥିତି ସୃଷ୍ଟି ହୋଇ ଥିଲା। ସେଠାରୁ ଅନେକ ଲୋକେ ଉଚ୍ଚା ସ୍ଥାନରେ ଆଶ୍ରୟ ନେଇ ଥିବାର ଦେଖା ଯାଇଥିଲା। ଦୀର୍ଘ ସମୟ ଧରି ପାଣି ପ୍ରବାହିତ ହେବାରୁ ସେମାନଙ୍କର ଆସବାବ ପତ୍ର ଭାସିଯାଇଥିବା ଜଣାପଡିଛି।

ତେବେ ଏହି ପ୍ରବଳ ବର୍ଷାରେ ଭୁବନେଶ୍ବର ଏମସର ପାଚେରୀର ଏକ ଅଂଶ ଭାଙ୍ଗିଯାଇଥିବାର ଦେଖାଯାଇଛି। ଏଥିରେ ତିନିଜଣଙ୍କ ଉପରେ ଏହା ପାଚେରୀ ମାଡି ବସିଥିଲା। ଫଳରେ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ସେମାନଙ୍କୁ ଉଦ୍ଧାର କରିବା ସହିତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେହିପରି ଆହୁରି କେତେକ ସ୍ଥାନରେ ଗଛ ପଡିବା, ପୋଲ ଭାଙ୍ଗିବା ଆଦି ପରିଲକ୍ଷିତ ହୋଇଛି।

ତେବେ ଭୁବନେଶ୍ବରରେ ପ୍ରବାଳ ବର୍ଷା ସହିତ ପ୍ରବଳ ବଜ୍ରପାତ ଲୋକଙ୍କୁ ଭୟଭିତ କରିଦେଇଥିଲା। ମଧ୍ୟାହ୍ନରେ ପୁରୀ ରାଜଧାନୀ ଅନ୍ଧକାର ହୋଇଯାଇଥିଲା। ସେହି ସମୟରେ ପ୍ରାୟ ଦୀର୍ଘ ସମୟ ଧରି ବିଜୁଳି ସହିତ ପ୍ରବଳ ଘଡଘଡି ମାରିଥିଲା। ଏହା ଏପରି ଅବସ୍ଥା ହୋଇଥିଲା ଯେ, ଲୋକେ ଘର ଭିତରେ ରହି ମଧ୍ୟ ଭୟଭିତ ହୋଇପଡିଥିଲେ।

Related posts