ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ସାହା, ନବୀନଙ୍କ ସହିତ ରହିଛି ବୈଠକ

Published: Aug 3, 2023, 2:19 pm IST
Naveen

ଭୁବନେଶ୍ବର: ଆସନ୍ତାକାଲି ଶୁକ୍ରବାରରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ସାହା। ସେ ଶୁକ୍ରବାର ରାତି ୧୦ଟା ୪୦ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସିଧା ହୋଟେଲ ମେ ଫେୟାର ଯାଇ ରାତ୍ରୀଯାପନ କରିବେ। ଏହା ପରେ ଶନିବାର ଦିନ ଅମିତ ସାହା ୧୧ଟାରୁ ୧୨ଟା ମଧ୍ୟରେ ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବେ।

ଏହାପରେ ସେ ଦିନ ୧୨ ଟାରୁ ୧୨ ଟା ୩୦ ପର୍ଯ୍ୟନ୍ତ ନକ୍ସଲ ଦମନ ପଦକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବୈଠକରେ ଯୋଗ ଦେବେ। ଏହି ଦୁଇ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବେ। ସେହିପରି ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ।

ସରକାରୀ କାର୍ଯ୍ୟକ୍ରମ ଶେଷ ହେବା ପରେ ମଧ୍ୟାହ୍ନରେ ଅମିତ ସାହା ବିଜେପି ପାର୍ଟି ଅଫିସ ଯିବେ। ସେଠାରେ ସେ ନେତାଙ୍କ ସହ ମଧ୍ୟାହ୍ନ ଭୋଜନ କରିବା ସହିତ ବରିଷ୍ଠ ନେତାଙ୍କ ସହିତ ରୁଦ୍ଧଦ୍ବାର ବୈଠକ କରିବେ। ଏହାପରେ ସେ ନୂଆଦିଲ୍ଲୀ ଫେରିବାକୁ ବିମାନବନ୍ଦର ଯିବେ। ତେବେ ବିମାନବନ୍ଦର ଲାଉଞ୍ଜରେ ମଧ୍ୟ ଅମିତ ସାହା ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ଏହି ଗସ୍ତକାଳରେ ସେ ଢେଙ୍କାନାଳ ଯିବାର ନାହିଁ। କାରଣ ସେ ପୂର୍ବରୁ ଢେଙ୍କାନାଳ ଆସୁଛନ୍ତି ବୋଲି ତିନିଥର ଦଳ ତରଫରୁ ଘୋଷଣା କରାଯାଇଥିଲା। ହେଲେ ଶେଷ ମୂହୁର୍ତ୍ତରେ ତାହାକୁ ବାତିଲ କରାଯାଇଥିଲା। ଢେଙ୍କାନାଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥି ହେଉଥିବାରୁ ତାଙ୍କ ପାଇଁ ପ୍ରଚାର କରିବେ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ହେଲେ ତିନିଥର ସେହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।

ଅମିତ ସାହାଙ୍କ ଢେଙ୍କାନାଳ ଗସ୍ତ ବାରମ୍ବାର ବାତିଲ ହେବା ପରେ ଏବେ ଓଡିଶା ଆସୁଛନ୍ତି। ହେଲେ ଢେଙ୍କାନାଳ ଯିବାର କୌଣସି କାର୍ଯ୍ୟକ୍ରମ ନାହିଁ।

Related posts