Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆମ ଓଡିଶା ନବୀନ ଓଡିଶା: ଚତୁର୍ଥ ଦିନରେ କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଜାତୀୟ ଖବର

ଆମ ଓଡିଶା ନବୀନ ଓଡିଶା: ଚତୁର୍ଥ ଦିନରେ କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

October 19, 2023No Comments6 Mins Read
Share Facebook Twitter LinkedIn Email WhatsApp Copy Link
ଆମ ଓଡିଶା ନବୀନ ଓଡିଶା
ଆମ ଓଡିଶା ନବୀନ ଓଡିଶା: ଚତୁର୍ଥ ଦିନରେ କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଚତୁର୍ଥ ଦିନରେ କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା।

ଏଥିପାଇଁ କଟକ ଜିଲ୍ଲାର ୮ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୮୬ କୋଟି ୫୦ ଲକ୍ଷ ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ବଡମ୍ବା, ଚୌଦ୍ୱାର-କଟକ, ବାଙ୍କୀ, ଆଠଗଡ, ନିଆଳି, କଟକ ସଦର, ସାଲେପୁର ଓ ମାହାଙ୍ଗା। ଏହିସବୁ ନିର୍ବାଚନମଣ୍ଡଳୀର ୩୭୩ଟି ଗ୍ରାମ ପଞ୍ଚାୟତରେ ୫୩୫୧ଟି ପ୍ରକଳ୍ପ ହେବ। ସେହିପରି କେନ୍ଦ୍ରାପଡା ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୨୪ କୋଟି ୫୦ ଲକ୍ଷ ଟଙ୍କା ମଂଜୁର ହୋଇଛି। ଏହିସବୁ ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ମହାକାଳପଡା, କେନ୍ଦ୍ରାପଡା, ପାଟକୁରା, ରାଜନଗର ଓ ଆଳି। ଏଥିରେ ୨୪୯ଟି ଗ୍ରାମପଞ୍ଚାୟତରେ ୩୩୫୩ ଟି ପ୍ରକଳ୍ପ କରାଯିବ।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ, ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି । ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତାର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ। ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ। ବିଜ୍ଞାନ ପାର୍କ ହେବ। ଦକ୍ଷତା ବିକାଶ କେନ୍ଦ୍ର ହେବ। ବ୍ୟାଙ୍କିଂ ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର ପ୍ରାଥମିକ ବିଦ୍ୟାଳୟଗୁଡିକ ମଧ୍ୟ ସାମିଲ ହେବ।

ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ। ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି। ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା ।

ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଆଜିର କାର୍ଯ୍ୟକ୍ରମ ପାଇଁ କଟକ ଜିଲ୍ଲାର ୮ଟି ଓ କେନ୍ଦ୍ରାପଡା ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ସ୍ରୁଷ୍ଟି କରିଛି ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସଚୀ ନାୟକ, ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ଶ୍ରୀ ଶଶୀଭୂଷଣ ବେହେରା, ବିଧାୟକ ଶ୍ରୀମତୀ ସାବିତ୍ରୀ ଅଗ୍ରୱାଲ, ବିଧାୟକ ଶ୍ରୀ ଧୃବଚରଣ ସାହୁ, ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ବିଧାୟକ ଶ୍ରୀ ସୌଭିକ୍ ବିଶ୍ୱାଳ, ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ବିଧାୟକ ଡ. ପ୍ରମୋଦ ମଲ୍ଲିକ, ବିଧାୟକ ଶ୍ରୀ ଚନ୍ଦ୍ର ସାରଥୀ ବେହେରା, ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରା, ବିଧାୟକ ଶ୍ରୀ ପ୍ରତାପ ଜେନା, ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ।

ସେମାନେ କହିଥିଲେ ଯେ ଗତ ୨୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ଓଡିଶାରେ ଚାଲିଛି ନିରନ୍ତର ବିକାଶ। ଆଜି ଓଡିଶାର ସବୁ ଲୋକଙ୍କ ପାଖରେ ବିକାଶ ପହଞ୍ଚି ପାରିଛି। ରାଜ୍ୟର ପ୍ରତ୍ୟେକ ଲୋକଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ବିକାଶମୁଖୀ କାର୍ଯ୍ୟକ୍ରମର କିଛି ନା କିଛି ପ୍ରଭାବ ପଡିଛି ବୋଲି ସମସ୍ତେ ମତ ଦେଇଥିଲେ। 5T ସଚିବଙ୍କ ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି ବୋଲି ସେମାନେ କହିଥିଲେ।

5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଯୋଗୁ ଓଡିଶାର ଗାଁ ଗୁଡିକ ହେବ ବିକାଶର କେନ୍ଦ୍ର। ଗାଁ ଲୋକଙ୍କୁ ଆଉ ସହର ଉପରେ ନିର୍ଭର କରିବାକୁ ପଡିବ ନାହିଁ। ତାଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଞ୍ଚଳ ପାଇଁ ଯେଉଁ ଯେଉଁ ପ୍ରକଳ୍ପ ସବୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି, ସେ ସଂପର୍କରେ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଲୋକଙ୍କ ପ୍ରସ୍ତାବିତ ପ୍ରକଳ୍ପ ଓ ଆବଶ୍ୟକତାକୁ ଦେଖି ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି।

ଶ୍ରୀ ପାଣ୍ଡିଆନ ସୂଚନା ଦେଇ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସହିତ ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। କଟକ ଜିଲ୍ଲାର ବଡମ୍ବା ଅଞ୍ଚଳରେ ସାତକୋଶିଆ ଜୈବ ବିବିଧତା ପର୍ଯ୍ୟଟନ କେନ୍ଦ୍ର ପାଇଁ ୯.୮୫ କୋଟି, ମା’ ପ୍ରଗଳା ପୀଠ ପାଇଁ ୫.୨୭ କୋଟି, ମା’ ଭଟ୍ଟାରିକା ପୀଠ ପାଇଁ ୮.୫୭ କୋଟି, ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଡାଏଲିସିସ୍ କେନ୍ଦ୍ର ପାଇଁ ୧୫.୬୬ କୋଟି, ବଡମ୍ବା ମୋହନ ସୁବୁଧି ଡିଗ୍ରୀ କଲେଜ ପାଇଁ ୧.୨୫ କୋଟି, ନରସିଂହପୁର ଜୁନିୟର କଲେଜ ପାଇଁ ୧.୨୫ କୋଟି, କାନପୁର ଆଞ୍ଚଳିକ ମହାବିଦ୍ୟାଳୟ ପାଇଁ ୧.୨୫ କୋଟି, ବାଣେଶ୍ୱରୀ ପର୍ଯ୍ୟଟନ କ୍ଷେତ୍ର ପାଇଁ ୧.୮୦ କୋଟି, ନରସିଂହପୁର ଆମ ହସ୍ପିଟାଲ ପାଇଁ ୪.୧୬ କୋଟି ଟଙ୍କା ମଞ୍ଜୁର ହୋଇଛି।

ବାଙ୍କୀ ଅଞ୍ଚଳରେ ମା’ ଚର୍ଚ୍ଚିକା ପୀଠ ଉନ୍ନତିକରଣ ପାଇଁ ୧୧.୦୩ କୋଟି, ବାଙ୍କୀ ଅଟୋନମସ୍ ଡିଗ୍ରୀ କଲେଜ ପାଇଁ ୧.୫୦ କୋଟି, କଳାପଥର ଧଳାପଥର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୦.୫୦ କୋଟି, ଅଂଶୁପା ଡିଗ୍ରୀ କଲେଜ ପାଇଁ ୦.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଆଠଗଡ ଅଞ୍ଚଳରେ ବାବା ଧବଳେଶ୍ୱର ମନ୍ଦିର ପାଇଁ ୧୭.୫୦ କୋଟି, ସାପୁଆ ନଦୀର ସେତୁ ପାଇଁ ୬.୧୪ କୋଟି, ଗୋପବନ୍ଧୁ ଡିଗ୍ରୀ ବିଜ୍ଞାନ କଲେଜ ପାଇଁ ୧ କୋଟି, ନୂଆପାଟଣା ଚୈତନ ସାହୁ ଯୁକ୍ତ ଦୁଇ କଲେଜ ପାଇଁ ୦.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି।

ନିଆଳି ଅଞ୍ଚଳରେ ମାଧବାନନ୍ଦ ଜୀଉ ମନ୍ଦିର ପାଇଁ ୪.୮୪ କୋଟି, ଗୋବିନ୍ଦପୁର ଡିଗ୍ରୀ କଲେଜ ପାଇଁ ୧.୫୦ କୋଟି, ବ୍ରାହ୍ମଣଝରିଲୋ ଡିଗ୍ରୀ କଲେଜ ପାଇଁ ୧.୨୫ କୋଟି, ଦୋଳ ଗୋବିନ୍ଦ ବ୍ରଜ କିଶୋର ଡିଗ୍ରୀ କଲେଜ କସର୍‌ଦା ପାଇଁ ୧ କୋଟି, ଅଡସପୁର ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ପାଇଁ ୧.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି।

କଟକ ସଦର ଅଞ୍ଚଳରେ ନେମାଳ ଅଚ୍ୟୁତାନନ୍ଦ ଦାସ ପୀଠ ପାଇଁ ୨୩.୦୩ କୋଟି, ପରମହଂସ ପୀଠର ଉନ୍ନତିକରଣ ପାଇଁ ୪.୯୬ କୋଟି, ଚିତ୍ରୋତ୍ପଳା ନଦୀ ଉପରେ ସେତୁ ପାଇଁ ୫୩.୦୪ କୋଟି, କନ୍ଦରପୁର ଡିଗ୍ରୀ କଲେଜ ପାଇଁ ୧.୨୫ କୋଟି, ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ପାଇଁ ୧ କୋଟି ଟଙ୍କା ମଞ୍ଜୁର ହୋଇଛି।

ସେହିପରି ସାଲେପୁର ଅଞ୍ଚଳରେ ମଧୁବାବୁଙ୍କ ଜନ୍ମସ୍ଥଳୀର ବିକାଶ ପାଇଁ ୨୧.୦୨ କୋଟି, ସାଲେପୁର ସ୍ୱୟଂଶାସିତ କଲେଜ ପାଇଁ ୧.୫୦ କୋଟି, ବହୁଗ୍ରାମ କଲେଜ ପାଇଁ ୨ କୋଟି, ଟାଙ୍ଗୀ ମହାବିଦ୍ୟାଳୟ ପାଇଁ ୦.୫୦ କୋଟି, ଟାଙ୍ଗୀଠାରେ ଆମ ହସ୍ପିଟାଲ ପାଇଁ ୩.୬୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହିପରି କଟକ ଜିଲ୍ଲାରେ ସମୁଦାୟ ୩୨ଟି ପ୍ରକଳ୍ପ ପାଇଁ ୨୧୩.୫୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି 5T ସଚିବ ପ୍ରକାଶ କରିଥିଲେ।

କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଅଞ୍ଚଳରେ ମା’ ରାମଚଣ୍ଡୀ ମନ୍ଦିର ପାଇଁ ୫.୮୭ କୋଟି, ଜମ୍ବୁ ଲକ୍ ଏରିଆ ସୌନ୍ଦର୍ଯ୍ୟକରଣ ପାଇଁ ୭.୫୦ କୋଟି, ମାର୍ଶାଘାଇ ଡିଗ୍ରୀ କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ପାଇଁ ୨ କୋଟି, ବାୟାବାବା ଡିଗ୍ରୀ କଲେଜ ପାଇଁ ୧ କୋଟି, ହୁକିଟୋଲା ପର୍ଯ୍ୟଟନ କ୍ଷେତ୍ର ପାଇଁ ୧.୮୭ କୋଟି ଟଙ୍କା ମଞ୍ଜୁର ହୋଇଛି।

କେନ୍ଦ୍ରାପଡା ଅଞ୍ଚଳରେ କେନ୍ଦ୍ରାପଡା ସ୍ୱୟଂଶାସିତ କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ପାଇଁ ୨.୭୫ କୋଟି, ତୁଳସୀ ମହିଳା ମହାବିଦ୍ୟାଳୟ ପାଇଁ ୧.୭୫ କୋଟି, ବିରୂପା କଲେଜ ପାଇଁ ୧ କୋଟି, ବଳଦେବ ଜୀଉ ମନ୍ଦିର ପାଇଁ ୫.୯୫ କୋଟି ଟଙ୍କା ମଞ୍ଜୁର ହୋଇଛି। ପାଟକୁରା ଅଞ୍ଚଳରେ ଦଧିବାମନ ଜୀଉ ପାଇଁ ୪.୯୬ କୋଟି, ଲୋକନାଥ ଡିଗ୍ରୀ କଲେଜ ଓ ଉଚ୍ଚମାଧ୍ୟମିକ ସ୍କୁଲ ପାଇଁ ୨ କୋଟି, କରିଲୋପାଟଣା ଡିଗ୍ରୀ କଲେଜ ପାଇଁ ୧.୨୫ କୋଟି, କରିଲୋପାଟଣା ଉଚ୍ଚମାଧ୍ୟମିକ ସ୍କୁଲ ପାଇଁ ୧ କୋଟି, ଉତ୍କଳ ଗ୍ରାମୀଣ ପ୍ରଡ୍ୟୁସର ଗ୍ରୁପ ୦.୨୫ କୋଟି ଟଙ୍କା ମଞ୍ଜୁର ହୋଇଛି।

ରାଜନଗର ଅଞ୍ଚଳରେ ସାତଭାୟା ଲୋକଙ୍କ ଥଇଥାନ ପାଇଁ ୨୨.୫୨ କୋଟି, କେରଡାଗଡ ବାୟାବାବା ମଠ ପାଇଁ ୪.୯୬ କୋଟି, ବଗପାଟିଆ ପଞ୍ଚୁବରାହୀ ମନ୍ଦିର ପାଇଁ ୪.୯୪ କୋଟି, କେରଡାଗଡ ଜଗନ୍ନାଥ ମନ୍ଦିର ପାଇଁ ୩.୦୩ କୋଟି, ବ୍ରାହ୍ମଣୀ ସେତୁ ପାଇଁ ୫୯.୮୭ କୋଟି ଟଙ୍କା ମଞ୍ଜୁର ହୋଇଛି। ଆଳି ଅଞ୍ଚଳରେ ଲକ୍ଷ୍ମୀବରାହ ଜୀଉ ମନ୍ଦିର ପାଇଁ ୭.୯୬ କୋଟି ଟଙ୍କା ମଞ୍ଜୁର କାରାଯାଇଛି। ଏହିପରି କେନ୍ଦ୍ରାପଡା ଜିଲ୍ଲାରେ ୨୧ଟି ପ୍ରକଳ୍ପ ପାଇଁ ୧୪୨.୪୩ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି 5T ସଚିବ ପ୍ରକାଶ କରିଥିଲେ।

କେନ୍ଦ୍ରାପଡା ଜିଲ୍ଲାର ସିକିମ୍ ରୟତ ମାନଙ୍କୁ ଖୁବ ଶୀଘ୍ର ଜମିପଟ୍ଟା ଦିଆଯିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ଏହା ଦ୍ୱାରା ଜିଲ୍ଲାର ୫୦ ହଜାର ପରିବାର ଉପକୃତ ହେବେ। ସେମାନଙ୍କର ଦୀର୍ଘ ଦିନର ସମସ୍ୟା ଦୂର ହେବ।

କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

Ama Odisha Naveen Odisha ଆମ ଓଡିଶା ନବୀନ ଓଡ଼ିଶା ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୨୩ ତାରିଖ ବୁଧବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2025

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025
Latest News

ଆଜି ଜୁଲାଇ ୨୩ ତାରିଖ ବୁଧବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2025

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.