ସୁରକ୍ଷା ତ୍ରୁଟିକୁ ନେଇ ସଂସଦରେ ହଙ୍ଗାମା: ୧୪ ଲୋକସଭା ସାଂସଦ ନିଲମ୍ବିତ

Published: Dec 14, 2023, 7:26 pm IST

ନୂଆଦିଲ୍ଲୀ: ଅଶାଳୀନ ଆଚରଣ ପାଇଁ ଲୋକସଭା ବାଚସ୍ପତି ଗୁରୁବାର ୧୪ ଜଣ ବିରୋଧୀ ସଦସ୍ୟଙ୍କୁ ନିଲମ୍ବିତ କରିଛନ୍ତି। ଏମାନଙ୍କ ମଧ୍ୟରେ କଂଗ୍ରେସର ୯ ଜଣ, ସିପିଆଇଏମର ୨ ଜଣ, ଡିଏମକେର ୨ ଜଣ ଏବଂ ସିପିଆଇର ଜଣେ ଅଛନ୍ତି। ବୁଧବାର ଲୋକସଭା ସୁରକ୍ଷା ଉଲ୍ଲଂଘନକୁ ନେଇ ବିରୋଧୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ଦାବି କରି ଆସୁଛନ୍ତି।

ସଂସଦର ଶୀତକାଳୀନ ଅଧିବେଶନର ଅବଶିଷ୍ଟ ସମୟ ପାଇଁ କଂଗ୍ରେସ ଦଳର ୫ ଜଣ ସାଂସଦ ଟିଏନ୍ ପ୍ରଥାପନ, ହିବି ଏଡେନ୍, ଡିନ୍ କୁରିଆକୋସ୍, ଜୋଥି ମଣି ଏବଂ ରମ୍ୟା ହରିଦାସଙ୍କୁ ନିଲମ୍ବନ କରିବାକୁ ଲୋକସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲା।

‘ଆପଣଙ୍କ ଅନୁମତି କ୍ରମେ ମୁଁ ନିମ୍ନଲିଖିତ କଥାକୁ ଆଗେଇ ନେଉଛି: ଏହି ଗୃହ ଟିଏନ୍ ପ୍ରଥାପନ, ହିବି ଏଡେନ୍, ଏସ୍ ଜୋଥିମାନି, ରମ୍ୟା ହରିଦାସ ଏବଂ ଡିନ୍ କୁରିଆକୋସଙ୍କ ଆଚରଣକୁ ଗମ୍ଭୀରତାର ସହ ଗ୍ରହଣ କରିଛି। ଉପରୋକ୍ତ ସଦସ୍ୟମାନଙ୍କୁ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ଗୃହ କାର୍ଯ୍ୟରୁ ନିଲମ୍ବିତ କରାଯାଉ ବୋଲି ବିରୋଧୀ ସାଂସଦଙ୍କ ନାରାବାଜି ମଧ୍ୟରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି।’

ପରେ ବିରୋଧୀ ଦଳର ୯ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ସେମାନେ ହେଲେ ବେନି ବେହାନନ, ଭିକେ ଶ୍ରୀକନ୍ଦନ, ମହମ୍ମଦ ଜାଭେଦ, ପିଆର ନଟରାଜନ, କାନିମୋଝି କରୁଣାନିଧି, କେ ସୁବ୍ରମଣ୍ୟମ, ଏସଆର ପାର୍ଥିବନ, ଏସ ଭେଙ୍କଟେସନ ଓ ମଣିକମ ଟାଗୋର।

Related posts