ଭୁବନେଶ୍ବର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଡିସେମ୍ବର ୧୫ ତାରିଖରୁ ଜନତା ମଇଦାନରେ ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ପଞ୍ଚମ ସନ୍ଧ୍ୟାରେ ବୟନିକାର ପରିଚାଳନା ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା, ଶ୍ରୀମତୀ ପ୍ରଣତୀ ଛୋଟରାୟ ପ୍ରଦୀପ ପ୍ରଜ୍ଵଳନ କରି ଆଜିର ସାଂସ୍କୃତିକ ସନ୍ଧ୍ୟାକୁ ଉଦଘାଟନ କରିଥିଲେ। ତାଙ୍କ ସହିତ ମଞ୍ଚ ଉପରେ ଉପସ୍ଥିତ ଥିଲେ ସିଡ଼ାକ୍ ର ସଦସ୍ୟ ସଚିବ ଶ୍ରୀଯୁକ୍ତ ଶିଶିର କୁମାର ରଥ।
ଏହି ଜାତୀୟ ହସ୍ତଶିଳ୍ପ ମେଳାର, ପଞ୍ଚମ ସାଂସ୍କୃତିକ ସନ୍ଧ୍ୟା ପଶ୍ଚିମ ଓଡ଼ିଶାର ଲୋକ ନୃତ୍ୟ ପାଇଁ ସମର୍ପିତ ଥିଲା। ବରଗଡ଼ର ରବୀନ୍ଦ୍ର ସାହୁ ଓ ସାଥିଙ୍କ ଦ୍ବାରା ଆଦି ଧୂନ, ସମ୍ବଲପୁର ଆଲୋକ ପଣ୍ଡା ଓ ସାଥିଙ୍କ ଦ୍ବାରା ଘୁଙ୍ଗୁରର ଶବଦ ଓ ସମ୍ବଲପୁରୀ ନୃତ୍ୟର ଦର୍ଶକମାନଙ୍କ ମନ ମୋହିଲା ବେଳେ ବଲାଙ୍ଗୀରର ଦୁଲଦୁଲି କଳାପରିଷଦ ଦ୍ବାରା ଧାପ ନୃତ୍ୟ ଏବଂ ବୌଦ୍ଧର ପ୍ରଣାମ ଅନୁଷ୍ଟାନ ଦ୍ବାରା ପଞ୍ଚରସି ଚୁଟକୁଛୁଟା ନୃତ୍ୟ ଦର୍ଶକ ତଥା ପରିଦର୍ଶକ ମାନଙ୍କର ମନୋରଞ୍ଜନ କରିଥିଲା।
ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶ ଦାତା, ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ମଞ୍ଚରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପୁଷ୍ପ ଅର୍ପଣ ତଥା ଚନ୍ଦନ ବୃକ୍ଷରେ ଜଳ ପ୍ରଦାନ କରିଥିଲେ। ବୟନିକାର ପରିଚାଳନା ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା, ଶ୍ରୀମତୀ ପ୍ରଣତୀ ଛୋଟରାୟ ଶ୍ରୀ ମହାପାତ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ମେଳା ପରିସରରେ ଥିବା ପିଲାମାନଙ୍କ ନିମନ୍ତେ ଖେଳକୁଦ ପାଇଁ ଉଦ୍ଧିଷ୍ଟ ସ୍ବତନ୍ତ୍ର ସ୍ଥାନରେ, ପିତାମାତା ତଥା ଆବିଭାବକମାନଙ୍କ ତତ୍ତ୍ଵାବଧାନରେ କୁନି କୁନି ପିଲାମାନେ ବିଭିନ୍ନ ପ୍ରକାର ଖେଳକୁଦ, ଦୋଳି, ଟୟ କାର ଆଦିର ଆନଦ ନେବା ସହ ମେଳା ପରିସରକୁ ଏକ ଆନନ୍ଦମୟ ପରିବେଶ ଦେଉଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରତ୍ୟହ ଦର୍ଶକମାନଙ୍କ ପାଇଁ ଦିବା ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି ଓ ପ୍ରତ୍ୟହ ସନ୍ଧ୍ୟା ୬ ଟା ରୁ ୯.୩୦ ପର୍ଯ୍ୟନ୍ତ ମେଳା ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଉଛି।