Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ପଞ୍ଚମ ସନ୍ଧ୍ୟା, ଲୋକନୃତ୍ୟରେ ଝୁମିଲା ରାଜଧାନୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଡିସେମ୍ବର ୧୫ ତାରିଖରୁ ଜନତା ମଇଦାନରେ ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ପଞ୍ଚମ ସନ୍ଧ୍ୟାରେ ବୟନିକାର ପରିଚାଳନା ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା, ଶ୍ରୀମତୀ ପ୍ରଣତୀ ଛୋଟରାୟ ପ୍ରଦୀପ ପ୍ରଜ୍ଵଳନ କରି ଆଜିର ସାଂସ୍କୃତିକ ସନ୍ଧ୍ୟାକୁ ଉଦଘାଟନ କରିଥିଲେ। ତାଙ୍କ ସହିତ ମଞ୍ଚ ଉପରେ ଉପସ୍ଥିତ ଥିଲେ ସିଡ଼ାକ୍ ର ସଦସ୍ୟ ସଚିବ ଶ୍ରୀଯୁକ୍ତ ଶିଶିର କୁମାର ରଥ।

ଏହି ଜାତୀୟ ହସ୍ତଶିଳ୍ପ ମେଳାର, ପଞ୍ଚମ ସାଂସ୍କୃତିକ ସନ୍ଧ୍ୟା ପଶ୍ଚିମ ଓଡ଼ିଶାର ଲୋକ ନୃତ୍ୟ ପାଇଁ ସମର୍ପିତ ଥିଲା। ବରଗଡ଼ର ରବୀନ୍ଦ୍ର ସାହୁ ଓ ସାଥିଙ୍କ ଦ୍ବାରା ଆଦି ଧୂନ, ସମ୍ବଲପୁର ଆଲୋକ ପଣ୍ଡା ଓ ସାଥିଙ୍କ ଦ୍ବାରା ଘୁଙ୍ଗୁରର ଶବଦ ଓ ସମ୍ବଲପୁରୀ ନୃତ୍ୟର ଦର୍ଶକମାନଙ୍କ ମନ ମୋହିଲା ବେଳେ ବଲାଙ୍ଗୀରର ଦୁଲଦୁଲି କଳାପରିଷଦ ଦ୍ବାରା ଧାପ ନୃତ୍ୟ ଏବଂ ବୌଦ୍ଧର ପ୍ରଣାମ ଅନୁଷ୍ଟାନ ଦ୍ବାରା ପଞ୍ଚରସି ଚୁଟକୁଛୁଟା ନୃତ୍ୟ ଦର୍ଶକ ତଥା ପରିଦର୍ଶକ ମାନଙ୍କର ମନୋରଞ୍ଜନ କରିଥିଲା।

ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର  ମୁଖ୍ୟ ପରାମର୍ଶ ଦାତା, ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ମଞ୍ଚରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପୁଷ୍ପ ଅର୍ପଣ ତଥା ଚନ୍ଦନ ବୃକ୍ଷରେ ଜଳ ପ୍ରଦାନ କରିଥିଲେ। ବୟନିକାର ପରିଚାଳନା ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା, ଶ୍ରୀମତୀ ପ୍ରଣତୀ ଛୋଟରାୟ ଶ୍ରୀ ମହାପାତ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ  କରିଥିଲେ।

ମେଳା ପରିସରରେ ଥିବା ପିଲାମାନଙ୍କ ନିମନ୍ତେ ଖେଳକୁଦ ପାଇଁ ଉଦ୍ଧିଷ୍ଟ ସ୍ବତନ୍ତ୍ର ସ୍ଥାନରେ, ପିତାମାତା ତଥା ଆବିଭାବକମାନଙ୍କ ତତ୍ତ୍ଵାବଧାନରେ କୁନି କୁନି ପିଲାମାନେ ବିଭିନ୍ନ ପ୍ରକାର ଖେଳକୁଦ, ଦୋଳି, ଟୟ କାର ଆଦିର ଆନଦ ନେବା ସହ ମେଳା ପରିସରକୁ ଏକ ଆନନ୍ଦମୟ ପରିବେଶ ଦେଉଛନ୍ତି।  ସୂଚନାଯୋଗ୍ୟ ଯେ, ପ୍ରତ୍ୟହ ଦର୍ଶକମାନଙ୍କ ପାଇଁ ଦିବା ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି ଓ ପ୍ରତ୍ୟହ ସନ୍ଧ୍ୟା ୬ ଟା ରୁ ୯.୩୦ ପର୍ଯ୍ୟନ୍ତ ମେଳା ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଉଛି।

Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ ସଂସ୍କୃତି ସିନେମା

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାରେ ଧଡକନ ସୃଷ୍ଟି କଲେ କଣ୍ଠଶିଳ୍ପୀ ସୁରେଶ ୱାଡ଼େକର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଜନତା ମଇଦାନରେ ଆୟୋଜିତ ହେଉଛି ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା।

ଏହି ଉତ୍ସବର ଚତୁର୍ଥ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟ ଅଧିନସ୍ଥ ଉନ୍ନୟନ କମିଶନରର ପୂର୍ବାଞ୍ଚଳର ନିର୍ଦ୍ଦେଶକ,ଗୌହାଟି  ତଥା  କ୍ଷେତ୍ରୀୟ ନିର୍ଦ୍ଦେଶକ (ହସ୍ତଶିଳ୍ପ), କୋଲକାତା ଶ୍ରୀ ଏସ୍. ବନ୍ଦୋପାଧ୍ୟାୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପୁଷ୍ପ ଅର୍ପଣ ତଥା ଚନ୍ଦନ ବୃକ୍ଷରେ ଜଳ ପ୍ରଦାନପୂର୍ବକ ଆଜିର  ସାଂସ୍କୃତିକ ସନ୍ଧ୍ୟାକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୟନିକାର ପରିଚାଳନା ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା, ଶ୍ରୀମତୀ ପ୍ରଣତୀ ଛୋଟରାୟ ଏବଂ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ବିକ୍ରମାଦିତ୍ୟ ବାରିକ ମଞ୍ଚ ଉପରେ ଉପସ୍ଥିତ ଥିଲେ।

ଏହି ଜାତୀୟ ମେଳାର, ପଞ୍ଚମ ସାଂସ୍କୃତିକ ସନ୍ଧ୍ୟା ଅବସରରେ ମେଳା ପରିସରରେ ଥିବା ମଞ୍ଚରେ  ଜାତୀୟ ସ୍ତରର କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡ଼ ସୁରେଶ ୱାଡ଼େକର ଙ୍କ ଦ୍ବାରା ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ।  ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ , ଶ୍ରୀ ସୁରେଶ ୱାଡ଼େକର ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ  କରିଥିଲେ।

ମେଳା ପରିସରରେ ଥିବା ପିଲାମାନଙ୍କ ନିମନ୍ତେ ଖେଳକୁଦ ପାଇଁ ଉଦ୍ଧିଷ୍ଟ ସ୍ବତନ୍ତ୍ର ସ୍ଥାନରେ, ପିତାମାତା ତଥା ଆବିଭାବକମାନଙ୍କ ତତ୍ତ୍ଵାବଧାନରେ କୁନି କୁନି ପିଲାମାନେ ବିଭିନ୍ନ ପ୍ରକାର ଖେଳକୁଦ, ଦୋଳି, ଟୟ କାର ଆଦିର ଆନଦ ନେବା ସହ ମେଳା ପରିସରକୁ ଏକ ଆନନ୍ଦମୟ ପରିବେଶ ଦେଉଛନ୍ତି।  ସୂଚନାଯୋଗ୍ୟ ଯେ, ପ୍ରତ୍ୟହ ଦର୍ଶକମାନଙ୍କ ପାଇଁ ଦିବା ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି ଓ ପ୍ରତ୍ୟହ ସନ୍ଧ୍ୟା ୬ ଟା ରୁ ୯.୩୦ ପର୍ଯ୍ୟନ୍ତ ମେଳା ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଉଛି।

Categories
ଜାତୀୟ ଖବର ବିଶେଷ ଖବର ସଂସ୍କୃତି

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୧ ଉଦ୍‌ଘାଟିତ, ଶିଳ୍ପୀଙ୍କୁ କରାଗଲା ସମ୍ମାନିତ

ଭୁବନେଶ୍ୱର, ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୧ ଉଦଘାଟିତ ହୋଇଛି। ଚଳିତ ବର୍ଷ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ଉଦ୍‌ଘାଟନ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୂର୍ବ ଭାରତର ସବୁଠାରୁ ବୃହତ ଏହି ମେଳା ଏକ ଅସାଧାରଣ ପରିସ୍ଥିତିରେ ଅନୁଷ୍ଠିତ ହେଉଛି । ତେଣୁ ସମସ୍ତଙ୍କୁ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ପରାମର୍ଶ ଦେଇଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶା କଳା ଓ ସଂସ୍କୃତିର ଭୂମି ଏବଂ ଓଡ଼ିଆ କାରିଗର କୋଣାର୍କ ପରି ବିସ୍ମୟ ସୃଷ୍ଟି କରି ପାରେ ତଥା ଆମ କାରିଗରମାନଙ୍କର ଦକ୍ଷତାର ତୁଳନା ନାହିଁ । ଏଥି ସହିତ ସେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପାଉଥିବା କାରିଗରମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ । ଉଦ୍‌ଘାଟନୀ ସଭାରେ ଉପସ୍ଥିତ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ମେଳାରେ ଭାଗ ନେଇଥିବା ହସ୍ତଶିଳ୍ପ କାରିଗର ଓ ବୁଣାକାରମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ତେ କୋଭିଡ୍‌ ନିୟମକୁ ଅନୁ ପାଳନ କରି ମେଳାକୁ ସଫଳ କରିବା ପାଇଁ ନିବେଦନ କରିଥିଲେ ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଭୁବନେଶ୍ୱର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ଅତିଥି ଭାବେ ଯୋଗଦାନ କରି ତୋଷାଳି ମେଳାର ମହତ୍ତ୍ୱ ବର୍ଣ୍ଣନା କରିବା ସହିତ ବୁଣାକାର ଓ କାରିଗରମାନଙ୍କୁ ଉତ୍ସାହିତ କରିଥିଲେ । ବିଭାଗୀୟ ଶାସନ ସଚିବ ଶୁଭା ଶର୍ମାଙ୍କ ସହିତ ନିର୍ଦ୍ଦେଶକ, ବୟନ ଓ ହସ୍ତଶିଳ୍ପ ଜ୍ୟୋତି ପ୍ରକାଶ ଦାସ, ନିର୍ଦ୍ଦେଶକ, ହସ୍ତଶିଳ୍ପ ଓ ଅନ୍ୟ ପଦାଧିକାରୀମାନେ ଯୋଗଦାନ କରିଥିଲେ ।

ଏହି ସଭାରେ ତିନିଜଣଙ୍କୁ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର-୨୦୧୯ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ପଥର ଖୋଦେଇ ପାଇଁ ଦିବ୍ୟଜ୍ୟୋତି ବେହେରା , ତାଳ ପତ୍ର ଖୋଦେଇ ପାଇଁ ଦିଲ୍ଲୀପ କୁମାର ସ୍ୱାଇଁ , ମୃତ୍ତିକା କଳା ପାଇଁ ପ୍ରିୟଙ୍କା ପାତ୍ର। ସେହି ପରି ୬ ଜଣଙ୍କୁ କଳାକୃତି ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ପଥର ଖୋଦେଇ ପାଇଁ ସୁଶାନ୍ତ କୁମାର ଦାସ, ପଥର ଖୋଦେଇ ପାଇଁ  ନିତ୍ୟାନନ୍ଦ ଦାସ, ପଟ୍ଟଚିତ୍ର ପାଇଁ ସୁଶ୍ରୀ ରୋନିବାଳା ମହାପାତ୍ର, ତାଳପତ୍ର ଖୋଦେଇ ପାଇଁ ନିର୍ମଳ ଚନ୍ଦ୍ର ଦାସ, ଚାନ୍ଦୁଆ ଶିଳ୍ପ ପାଇଁ ସୁରେଶ ଚନ୍ଦ୍ର ମହା ପାତ୍ର ଏବଂ ନଡାଶିଳ୍ପ ପାଇଁ ମିସ୍‌ କୁନି ପାତ୍ର ।

ଏହି ମେଳା ଆସନ୍ତା ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ୧୫ ଦିନ ଧରି  ହେବାକୁ ଥିବା ଏହି ମେଳାରେ ମୋଟ ୨୫୦ଟିି ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ଷ୍ଟଲ ଖୋଲାଯାଇଛି । ଏଥିରେ ଆମ ରାଜ୍ୟର ପ୍ରାୟ ୧୭୦ ଏବଂ ବାହାର ରାଜ୍ୟର ପ୍ରାୟ ୮୦ ଜଣ ହସ୍ତଶିଳ୍ପୀ ଓ ବୁଣାକାର ମାନେ ଯୋଗଦେଇଛନ୍ତି । କୋଭିଡ୍‌ ପରିସ୍ଥିତିକୁ ଦୃଷ୍ଟିରେ ରଖି ତଥା ପରିଦର୍ଶକମାନଙ୍କ ସମାବେଶକୁ ଏଡ଼େଇବା ପାଇଁ ମେଳାରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥାନିତ କରାଯାଇନାହିଁ । ମେଳାକୁ ପ୍ରବେଶ କରୁଥିବା ସମସ୍ତ ଦର୍ଶକଙ୍କର କୋଭିଡ୍‌ ନିୟମ ଅନୁଯାୟୀ ଥର୍ମାଲ ସ୍କ୍ରିନିଂ କରାଯିବା ସଙ୍ଗେ ସଙ୍ଗେ ବିଭିନ୍ନ ସ୍ଥାନରେ ହ୍ୟାଣ୍ଡ ସାନିଟାଇଜରମାନ ସ୍ଥାପନ କରାଯାଇଛି ।

ଦର୍ଶକମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବାକୁ ନିବେଦନ କରାଯାଇଛି। ମେଳା ପରିସରରେ ସରକାରଙ୍କ କୋଭିଡ୍‌ ନିୟମ ଅନୁପାଳନ ନିମେନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ପ୍ରତିବର୍ଷ ଭଳି ଏହି ମେଳାରେ ଦିବ୍ୟାଙ୍ଗମାନଙ୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇଛି । ଏହି ମେଳା ପ୍ରତିଦିନ ଅପରାହ୍ନ ୨ଟାରୁ ସନ୍ଧ୍ୟା ୯ଟା ପର୍ଯ୍ୟନ୍ତ ଖୋଲାରହିବ ।

ରାଜ୍ୟ ତଥା ଜାତୀୟ ସ୍ତରର ହସ୍ତଶିଳ୍ପ କାରିଗର ଏବଂ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ବଜାର ସୁଯୋଗ ସୃଷ୍ଟି କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ । ଏହି ମେଳା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହିତ ବିକାଶ ଆୟୁକ୍ତ (ହସ୍ତତନ୍ତ) ଓ ବିକାଶ ଆୟୁକ୍ତ (ହସ୍ତଶିଳ୍ପ), ଭାରତ ସରକାରଙ୍କ ହସ୍ତତନ୍ତ ମନ୍ତ୍ରଣାଳୟର ସହଭାଗିତାରେ ଅନୁଷ୍ଠିତ ହେଉଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ କାର୍ଯ୍ୟରତ ରାଜ୍ୟକଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ(ସିଡାକ୍‌) ତରଫରୁଏହି ମେଳାର ପରିକଳ୍ପନା ଓ ପ୍ରଯୋଜନା କରାଯାଇଛି।