ପ୍ରତି ରାଜ୍ୟରେ ରାଲି କରିବାକୁ ଯୋଜନା କରୁଛି ବିଜେପି, ୩୦ଟି ନିର୍ବାଚନୀ ସଭା କରିବେ ପ୍ରଧାନମନ୍ତ୍ରୀ ମୋଦି

Published: Jan 28, 2024, 2:39 pm IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନିଜର ପ୍ରସ୍ତୁତି ଚୂଡ଼ାନ୍ତ କରିବା ଆରମ୍ଭ କରିଛି। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଶନିବାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଦେଇଛି। ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି।

ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୩୦ ଟି ସଭା

ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରାଦେଶରେ ପାଖାପାଖି ୩୦ଟି ସଭା କରିବେ। ଦେଶର ପ୍ରତ୍ୟେକ ରାଜ୍ୟରେ ଅତିକମରେ ଗୋଟିଏ ଲେଖାଏଁ ରାଲି କରିବାକୁ ଦଳ ଯୋଜନା କରିଛି। ବିହାର ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଅଧିକ ରାଲି ହେବ। ଫେବ୍ରୁଆରି ୪ ତାରିଖରେ ବିହାରର ବେତିଆରେ ଏକ ରାଲି ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ନୀତୀଶ କୁମାର ମଧ୍ୟ ସାମିଲ ହୋଇପାରନ୍ତି। ନିକଟରେ ବିଜେପି ଏହାର ଥିମ୍ ସଙ୍ଗ ମଧ୍ୟ ଲଞ୍ଚ କରିଛି । ଫେବ୍ରୁଆରି ୧୫ରେ ୟୁଏଇରେ ହେବାକୁ ଥିବା ମନ୍ଦିରର ଉଦ୍‍ଘାଟନକୁ ଦେଶବ୍ୟାପୀ ପାଳନ କରିବାକୁ ଦଳ ଯୋଜନା କରୁଛି। ଏହାକୁ ନିଜେ ପିଏମ ମୋଦି ଉଦ୍‍ଘାଟନ କରିବେ। ଏହାବ୍ୟତୀତ ଆଗାମୀ କିଛିଦିନ ମଧ୍ୟରେ ଏନଡିଏର ସମ୍ପ୍ରସାରଣ ପାଇଁ ଦଳ ନୂଆ ସହଯୋଗୀ ଯୋଡିବାକୁ ଚେଷ୍ଟା କରିପାରେ।

ମିଶନ ୪୦୦, କିନ୍ତୁ ସର୍ତ୍ତ ଲାଗୁ

ଗତ କିଛିଦିନ ହେବ ବିଜେପିର ମିଶନ ୪୦୦କୁ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ବିଜେପି ଏଭଳି କୌଣସି ସ୍ଲୋଗାନକୁ ଖଣ୍ଡନ କରିଛି। ବାସ୍ତବରେ ଦକ୍ଷିଣରେ ପ୍ରତିବନ୍ଧକ ଥିବାରୁ ନିଜେ ୪୦୦ ଆସନ ଅତିକ୍ରମ କରିବା ପ୍ରାୟ ଅସମ୍ଭବ ବୋଲି ବିଜେପି ବିଶ୍ୱାସ କରୁଛି। କିନ୍ତୁ ଯଦି ଏନଡିଏ ସହଯୋଗୀ ଦଳମାନଙ୍କ ସହ ମିଶି ୪୦୦ ଅତିକ୍ରମ କରେ ତେବେ ଏହା ମଧ୍ୟ ଏକ ବଡ଼ ସଫଳତା ହେବ ବୋଲି ଦଳ ବିଶ୍ୱାସ କରୁଛି। ଏହି ପ୍ରୟାସରେ ବିଜେପି ଉତ୍ତର ଭାରତରେ ୨୦୧୯ର ପ୍ରଦର୍ଶନର ପୁନରାବୃତ୍ତି କରିବା ପାଇଁ ଦକ୍ଷିଣରେ ଟିଡିପି, ଜେଡିଏସ୍ ଏବଂ ଏଆଇଏଡିଏମକେ ଭଳି ଦଳ ସହିତ ଚୁକ୍ତି କରି ସେହି ସଂଖ୍ୟାକୁ ଛୁଇଁବାକୁ ଚେଷ୍ଟା କରିବ।

Related posts