ଏନଡିଏକୁ ଜେଡିୟୁ ଆସିବା ପରେ ବଦଳିଲା ପୂରା ସମୀକରଣ: ଆସନ ବଣ୍ଟନ ପାଇଁ ଆସିପାରେ ନୂଆ ଫର୍ମୁଲା

Published: Feb 2, 2024, 5:07 pm IST

ନୂଆଦିଲ୍ଲୀ: ବିହାରରେ ଜେଡିୟୁ ଏନଡିଏରେ ସାମିଲ ହେବା ପରେ ବିଜେପି ପୁଣିଥରେ କ୍ଷମତାକୁ ଆସିଛି। କିନ୍ତୁ ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଆସନ ବଣ୍ଟନକୁ ନେଇ ବିଜେପିର ସମସ୍ୟା ବଢ଼ିବାରେ ଲାଗିଛି। ସୂତ୍ରରୁ ପ୍ରକାଶ ଯେ ଏନଡିଏରେ ଆସନ ବଣ୍ଟନର ଗାଣିତିକ ଫର୍ମୁଲା ଖୋଜିବା ପାଇଁ ପଦକ୍ଷେପ ମଧ୍ୟ ଆରମ୍ଭ ହୋଇଛି।

କୁହାଯାଉଛି ଯେ ବିଜେପି ଓ ଜେଡିୟୁ ପ୍ରମୁଖ ସହଯୋଗୀ ଦଳ। କିନ୍ତୁ ଅନ୍ୟ ୪ଟି ସହଯୋଗୀ ଦଳକୁ ସମ୍ମାନଜନକ ଆସନ ଦେବା ପାଇଁ ପ୍ରସ୍ତୁତି ଚାଲିଛି, ଯାହାଫଳରେ ମେଣ୍ଟ ମଜବୁତ ରହିବ। ବାସ୍ତବରେ ଯେତେବେଳେ ଜେଡିୟୁକୁ ଏନଡିଏରେ ସାମିଲ କରାଯାଇନଥିଲା ସେତେବେଳେ ସହଜରେ ଏହି ଆସନ ବଣ୍ଟନ ହେବ ବୋଲି ଆଶା କରାଯାଉଥିଲା, କିନ୍ତୁ ଜେଡିୟୁ ଆସିବା ପରେ ସମୀକରଣ ବଦଳିଯାଇଛି।

ଏପରି ହୋଇପାରେ ଏନଡିଏରେ ଆସନ ବୁଝାମଣା

ତେବେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ କୌଣସି ସହଯୋଗୀ ଦଳକୁ ଅସହଜ ହେବାକୁ ଦେବାକୁ ରାଜି ନୁହଁନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଏନଡିଏରେ ସାମିଲ ଥିବା ସମସ୍ତ ଦଳର ନେତା ଉପସ୍ଥିତ ଥିଲେ। ଯଦି ସୂତ୍ରକୁ ବିଶ୍ୱାସ କରାଯାଏ ତେବେ ବିହାରରେ ଲୋକସଭା ନିର୍ବାଚନରେ ଜେଡିୟୁ ବିଜେପି ତୁଳନାରେ କମ ଆସନ ପାଇପାରେ। ବିହାରରେ ମୋଟ ୪୦ଟି ଲୋକସଭା ଆସନ ରହିଛି। ସେଥିମଧ୍ୟରୁ ବିଜେପି ୧୭ରୁ ୧୮ଟି ଆସନରେ ଲଢ଼ିବାକୁ ଚାହୁଁଛି। ସେହିପରି ଜେଡିୟୁକୁ ୧୪ରୁ ୧୫ଟି ଆସନ ଦିଆଯାଇପାରେ। ବର୍ତ୍ତମାନ ବିଜେପିର ୧୭ ଓ ଜେଡିୟୁର ୧୬ ସାଂସଦ ଅଛନ୍ତି।

ଏଲଜେପିର ଉଭୟ ଗୋଷ୍ଠୀକୁ ମିଳିପାରେ ଆସନ

ଏଲଜେପିର ଦୁଇ ଗୋଷ୍ଠୀ ଚିରାଗ ପାଶୱାନ ଏବଂ ପଶୁପତି କୁମାର ପାରସଙ୍କ ଦଳରେ ମଧ୍ୟ ୬ ଜଣ ସାଂସଦ ଅଛନ୍ତି। ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ଆନୁପାତିକ ହେବାର ସମ୍ଭାବନା ରହିଛି। ଜିତନ ରାମ ମାଝୀଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଏବଂ ଉପେନ୍ଦ୍ର କୁଶୱାହାଙ୍କ ଆରଏଲଏସପି ମଧ୍ୟ ଏନଡିଏରେ ସାମିଲ ହୋଇଥିବାରୁ ସେମାନେ ମଧ୍ୟ ୩ରୁ ୪ଟି ଆସନ ପାଇପାରନ୍ତି।

Related posts