Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୁବନେଶ୍ବରରେ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଜାତୀୟ ଖବର

ଭୁବନେଶ୍ବରରେ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

February 3, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀକୁ ଉଦ୍‌ଘାଟିନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଆରମ୍ଭ ହେଲା ଓଡିଆ ଭାଷାର ମହାକୁମ୍ଭ। ଓଡିଆ ଭାଷାର ମହୋତ୍ସବ। ଓଡିଆ ଭାଷାର ଉଲ୍ଲାସର ପର୍ବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଜନତା ମଇଦାନଠାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉଦ୍‌ଘାଟନ କରିଛନ୍ତି। ସମ୍ମିଳନୀରେ ଓ ସାରା ରାଜ୍ୟରେ ଏବଂ ଦେଶ ବିଦେଶରେ ଥିବା ସବୁ ଓଡିଆ ଆଜି ଏକ ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ କରି ଓଡିଆ ଭାଷାର ଏହି ମହୋତ୍ସବରେ ସାମିଲ ହୋଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଏହି ସମ୍ମିଳନୀରେ ଯାହା ପ୍ରସ୍ତାବ ଆସିବ, ରାଜ୍ୟ ସରକାର ତାକୁ ଗ୍ରହଣ କରି ଏକ ସ୍ବତନ୍ତ୍ର ଭାଷା ନୀତି ପ୍ରସ୍ତୁତ କରିବେ । ଓଡିଆ ଜାତିର ଭବିଷ୍ୟତ ବିକାଶ ରାସ୍ତାକୁ ଏହା ପ୍ରଶସ୍ତ କରିବ ବୋଲି ମତଦେଇ ଓଡିଆ ଜାତିର ଓ ଓଡିଆ ଭାଷାର ଭବିଷ୍ୟତ ଉଜ୍ଜଳ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକଟ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୂଆ ସଂସ୍କୃତି ଓ ବୈଷୟିକ ଜ୍ଞାନର ପ୍ରଭାବ ଭାଷା ଉପରେ ରହୁଛି। ତେଣୁ ଭାଷାର ସବୁ ଦିଗ ଉପରେ ଆଲୋଚନା ହେଉ। ଭଳ ସାହିତ୍ୟ ସୃଷ୍ଟି ଉପରେ ଓ ଓଡିଆ ଭାଷାର ଅଧିକ ବ୍ୟବହାର ଉପରେ ଆଲୋଚନା ହେଉ ବୋଲି ସେ ମତ ଦେଇଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏହି ସମ୍ମିଳନୀରେ ଆମେ ଆମ ଭାଷାର ଇତିହାସ ଜାଣିବା। ବର୍ତ୍ତମାନକୁ ଦେଖିବା ଓ ଭବିଷ୍ୟତ ପାଇଁ ରାସ୍ତା ତିଆରି କରିବା।

ଓଡିଶା ଭାଷା ଏକ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ଆନନ୍ଦ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଭାଷା ହିଁ ଭବିଷ୍ୟତ। ଓଡିଆ ଭାଷାର ଉନ୍ନତି ପାଇଁ ଓଡିଆ ବିଶ୍ବବିଦ୍ୟାଳୟ ଖୋଲାଯାଇଛି । ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଓଡିଆ ଭାଷା ଶିକ୍ଷାକୁ ଉତ୍ସାହିତ କରାଯାଇଛି। ଅକ୍ଷର ଭୂମି, ଏ ସମ୍ମିଳନୀର ସ୍ମାରକୀ ଭାବେ ଓଡିଆ ଭାଷାର ଜୟଗାନ କରୁଛି।

ଏହି ଅବସରରେ ଆଦିକବି ସାରଳା ଦାସଙ୍କୁ ପ୍ରଣାମ ଜଣାଇବା ସହିତ ଓଡିଆ ଭାଷାର ଗୌରବ ବୃଦ୍ଧି କରିଥିବା ସବୁ ଲେଖକ, ସାହିତ୍ୟିକ ଓ କବି ମାନଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କର ସମ୍ମାନ ଜଣାଇ ଭାଷା ସମ୍ମିଳନୀକୁ ସମସ୍ତଙ୍କୁ ସ୍ବାଗତ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଆମେ ସମସ୍ତେ ଗୋଟିଏ ମଞ୍ଚରେ ଓଡିଆ ଭାଷା ପାଇଁ ଏକାଠି ହୋଇଛୁ। ଦେଶ ବିଦେଶରେ ଥିବା ଓଡିଆ ମାନେ ମଧ୍ୟ ଏଥିରେ ଯୋଡି ହୋଇଛନ୍ତି। ବିଶିଷ୍ଟ ଲେଖକ ଓ ଗବେଷକମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଓଡିଆ ଭାଷା ଓ ସାହିତ୍ୟ ପାଇଁ ଏହା ଏକ ଗୌରବର ସମୟ ବୋଲି ସେ କହିଥିଲେ।

ଆମେ ସମସ୍ତେ ଓଡିଆ । ଓଡିଆ ଆମ ଭାଷା ଓ ଆମ ପରିଚୟ ବୋଲି ମତ ପ୍ରକାଶ କରି ସେ କହିଲେ ଯେ ଭାଷା ଗୋଟିଏ ଜାତିର ମୁକୁଟ। ଏହା ଆମ ସମସ୍ତଙ୍କୁ ଏକତାର ମହାମନ୍ତ୍ର ଦେଇଥାଏ।

ପରିଶେଷରେ ମୁଖ୍ୟମନ୍ତ୍ରୀ ଓଡିଆ ଭାଷାର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବା ପାଇଁ ଆହ୍ବାନ ଜଣାଇଥିଲେ।

କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର ଯୋଗ ଦେଇ କହିଲେ ଯେ ଏହି ସମ୍ମିଳନୀ ହେଉଛି ଓଡିଆ ଅସ୍ମିତାର ପରିଚୟ। ଶାସ୍ତ୍ରୀୟ ଭାଷା ଓଡିଆକୁ ଅଧିକ ଲୋକପ୍ରିୟ କରିବା ଏବଂ ଆମ ଭାଷାକୁ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଜରିଆରେ କିଭଳି ଆଗକୁ ନେଇ ପାରିବା, ତା ହେଉଛି ଏହି ସମ୍ମିଳନୀର ଆଭିମୁଖ୍ୟ।

ସମ୍ମିଳନୀରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ ସ୍ବାଗତ ଭାଷଣ ଦେଇ କହିଥିଲେ ଯେ ଆଜି ଆମ ସମସ୍ତଙ୍କ ପାଇଁ ଏହି ସମ୍ମିଳନୀ ହେଉଛି ଏକ ଭାଷାର ପର୍ବ ଓ ଉତ୍ସବ। ଆଜି ଓଡିଶାରେ ରୂପାନ୍ତର ପ୍ରକ୍ରିୟା ଜାରି ରହିଛି। ରୂପାନ୍ତର ପ୍ରକ୍ରିୟାରେ ଭାଷାର ବହୁତ ବଡ ଭୂମିକା ରହିଛି।

ସେଥିପାଇଁ ଆମ ଭାଷାର ଗୌରବ ବୃଦ୍ଧି ଓ ଜୟଗାନ ପାଇଁ ମୁଖ୍ୟମନ୍ତ୍ରୀ ଏହି ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଆୟୋଜନ କରିଛନ୍ତି। ଏହି ସମ୍ମିଳନୀର ପ୍ରସଙ୍ଗ ରହିଛି ଭାଷା ହିଁ ଭବିଷ୍ୟତ। ଆଜି ଏହି ସମ୍ମିଳନୀରେ ୪ଟି ଦେଶର ଭାଷା ବିଶେଷଜ୍ଞଙ୍କ ସମେତ ୧୦୦ରୁ ଅଧିକ ବିଦ୍ବାନ ଏକତ୍ରିତ ହୋଇଛନ୍ତି। ବୈଷୟିକ ଜ୍ଞନକୌଶଳର ପ୍ରୟୋଗରେ ଆମ ଭାଷାର ଅଭିବୃଦ୍ଧି ପାଇଁ ସେମାନେ ଆମକୁ ଦିଗ୍‌ଦର୍ଶନ ଦେବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଅନ୍ୟତମ ଅତିଥିଭାବେ ଯୋଗ ଦେଇ ସାଉଥ-ଇଷ୍ଟ ଏସିଆ ଷ୍ଟଡି ପ୍ରଫେସର ଆର୍ଲୋ ଗ୍ରୀଫିଥ୍ କହିଲେ ଯେ ମୁଁ ଓଡିଶାରେ ରହୁଛି, ଭାରତ ଭିତରେ ଓଡିଶା ମୋତେ ବହୁତ ଭଲ ଲାଗେ। ମୁଁ ଜଗନ୍ନାଥଙ୍କୁ ଭଲପାଏ ଓଡିଆ ଭାଷାକୁ ଭଲ ପାଏ ଏବଂ ଓଡିଆ ଭାଷାକୁ ବ୍ୟବହାର କରେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଭାଷାବିତ୍‌ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଓଡିଆ ଭାଷାର ବିକାଶ ଉଦ୍ଦେଶ୍ୟରେ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମାନରେ ସମ୍ମାନିତ କରିଥିଲେ। ପୁରସ୍କାର ସ୍ବରୂପ ତାଙ୍କୁ ମାନପତ୍ର ଓ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଦୁଇ ଓଡିଆ ଜ୍ଞାନପୀଠ ପୁରସ୍କାର ବିଜେତା ପଦ୍ମବିଭୂଷଣ ଡକ୍ଟର ସୀତାକାନ୍ତ ମହାପାତ୍ର, ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ ଏବଂ ପ୍ରଫେସର ଆର୍ଲୋ ଗ୍ରୀଫିଥ ଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

ପ୍ରଥମ ଓଡିଆ ଭାଷା ସମ୍ମାନରେ ସମ୍ମାନିତ ହୋଇଥିବା ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ମୁଁ ଦେଶବିଦେଶରେ ବହୁ ଜାଗାରେ ସମ୍ମାନିତ ହୋଇଛି। କିନ୍ତୁ ଆଜିକାର ସମ୍ମାନ ମୋ ଜୀବନର ସବୁଠାରୁ ବଡ ସମ୍ମାନ। ଏ ସମ୍ମାନ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସମ୍ମାନ ବୋଲି ସେ ପ୍ରକାଶ କରି ଧନ୍ୟବାଦ ଜଣାଇଥିଲେ।

ପଦ୍ମବିଭୂଷଣ ଡକ୍ଟର ସୀତାକାନ୍ତ ମହାପାତ୍ର କହିଥିଲେ ଯେ ଓଡିଆ ଭାଷାର ଭବିତ୍ୟତ ବହୁତ ଉଜ୍ଜଳ। ଭାଷା ସାହିତ୍ୟରେ କେବଳ ଆତ୍ମ ସନ୍ତୋଷ ପାଇଁ ନୁହେଁ, ପାଠକ ସୃଷ୍ଟି କରିବାର ମଧ୍ୟ ଆବଶ୍ୟକତା ରହିଛି। ଆଜିର ଏହି ସମ୍ମିଳନୀ ଓଡିଆ ଭାଷା ସାହିତ୍ୟର ଅଭିବୃଦ୍ଧି ପାଇଁ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାଦ୍ବାରା ଓଡିଆ ଭାଷା ଆହୁରି ଆଗକୁ ବଢିବ ବୋଲି ସେ ଆଶାପ୍ରକାଶ କହିଥିଲେ।

ତାଙ୍କ ବକ୍ତବ୍ୟରେ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ କହିଥିଲେ ଯେ ଆଜି ଆମ ସମସ୍ତଙ୍କ ପାଇଁ ଏହା ଏକ ଉଲ୍ଲାସ ଦିନ, ପର୍ବର ଦିନ ଓ ଆନନ୍ଦର ଦିନ। ମାନବ ଜାତିର ବିସ୍ମୟକର ଉଦ୍ଭାବନ ହେଉଛି ଭାଷା। ହଜାର ହଜାର ବର୍ଷରେ ଭାଷାଟିଏ ଜନ୍ମ ନିଏ। କିନ୍ତୁ ଲିଖନ, ପଠନ ଓ ବ୍ୟବହାର ନ ହେଲେ, ଭାଷାଟିଏ ମରିଯାଏ। ମୁଖ୍ୟମନ୍ତ୍ରୀଙ୍କର ଏହି ସମ୍ମିଳନୀର ଆୟୋଜନ ଏ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ଭାଷାକୁ ଆହୁରି ପରିପୁଷ୍ଟ କରିବ। ଏହି ବିଶ୍ବ ଓଡିଆ ଭାଷା କୁମ୍ଭକୁ ଓଡିଆ ଭାଷା ସାହିତ୍ୟର ପୂର୍ଣ୍ଣ ଜାଗୃତି ପର୍ବ ଭାବରେ ସେ ବର୍ଣ୍ଣନା କରିଥିଲେ।

କାର୍ଯ୍ୟକ୍ରମରେ ଯୁବ ଲେଖିକା ସ୍ବୟଂ ସ୍ବରୂପା କର ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.